Unknown

 

 

 

 

 

 

 

 

 

ସାହିତ୍ୟ କୁସୁମ

ଭକ୍ତକବି ମଧୁସୂଦନ ରାଓ

 

ସୂଚୀପତ୍ର

 

୧.

ଉଦର ଓ ଅବୟବମାନେ

୨.

କୃତଜ୍ଞ ଶୁକପକ୍ଷୀ

୩.

କୁକୁରର ପ୍ରଭୁଭକ୍ତି

୪.

ତିନୋଟି ମାଛର କଥା

୫.

ରାମାୟଣ କଥା

୬.

ମହର୍ଷି ଦେବେନ୍ଦ୍ରନାଥ

୭.

ମହାଭାରତ କଥା

୮.

ରାମତନୁ ଲାହିଡ଼ୀ

୯.

ଏକାଗ୍ରତା

୧୦.

ଅଧ୍ୟବସାୟ

୧୧.

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର

୧୨.

ପିତୃଭକ୍ତି

୧୩.

ପ୍ରଭୁପରାୟଣତା

୧୪.

ହାଜି ମହମ୍ମଦ ମୋସୀନ୍‌

୧୫.

ମହାରାଣୀ ଭିକ୍‌ଟୋରିୟା

୧୬.

ଜୀବଜନ୍ତୁ

୧୭.

ସମ୍ରାଟ୍‌ ସପ୍ତମ ଏଡଉଆର୍ଡ଼

୧୮.

ଆକବର

୧୯.

ସାବିତ୍ରୀ

୨୦.

ରଙ୍ଗନାଥ ଶାସ୍ତ୍ରୀ

୨୧.

ସର୍‌ ସୟଦ୍‌ ଅହମ୍ମଦ୍‌

୨୨.

ସଫଳ ସ୍ୱପ୍ନ

୨୩.

ଚିଲିକା ହ୍ରଦ

୨୪.

ପ୍ୟାରୀମୋହନ ଆଚାର୍ଯ୍ୟ

୨୫.

ସିଂହ

୨୬.

ବ୍ୟାଘ୍ର

୨୭.

କାଗଜ

୨୮.

ଗୁରୁଭକ୍ତି

୨୯.

ଓଡ଼ିଶାର ପ୍ରାଚୀନ କୀର୍ତ୍ତି

୩୦.

ରାଣୀ ଅହଲ୍ୟା ବାଈ

୩୧.

ଚାରିବନ୍ଧୁ

୩୨.

ଆଗ୍ନେୟଗିରି

୩୩.

ଶୃଗାଳର ଲୋଭ

୩୪.

ସର୍‌ ଫିଲିପ୍‌ ସିଡ୍‌ନି

୩୫.

ମାର୍ଜାରବଂଶ

୩୬.

କୁଠାର ଓ ଜଳଦେବତା

୩୭.

ଜଣେ ଲୋକ ଓ ଗୋଟିଏ ଓଟ

୩୮.

ବ୍ୟାଧ ଓ କପୋତ କଥା

୩୯.

ଆକାଶମଣ୍ଡଳ

୪୦.

ପାରାବତ

୪୧.

କାଶ୍ମୀରର ପ୍ରାକୃତିକ ଶୋଭା

Image

 

ଉଦର ଓ ଅବୟବମାନେ

 

ଏକଦା ହସ୍ତ, ପଦ ପ୍ରଭୃତି ଅବୟବମାନେ ମିଳିତ ହୋଇ ବିଚାରିଲେ ଆମ୍ଭେମାନେ ସର୍ବଦା ପରିଶ୍ରମ କରୁଅଛୁଁ; କିନ୍ତୁ ଉଦର କଦାପି ପରିଶ୍ରମ କରେ ନାହିଁ । ସେ ସବୁବେଳେ ନିଶ୍ଚିତ ରହିଅଛି; ସେ ସର୍ବଦା ଆଳସ୍ୟରେ କାଳହରଣ କରିବ, ଆମ୍ଭେମାନେ କାହିଁକି ତାହାର ପରିଚର୍ଯ୍ୟ କରିବା ? ଅତଏବ, ଆସ ପ୍ରତିଜ୍ଞା କରିବା ଯେ, ଆଜିଠାରୁ ଆମ୍ଭେମାନେ ଆଉ ଉଦରକୁ ସାହାଯ୍ୟ କାରିବା ନାହିଁ ।

 

ଏହି ପରାମର୍ଶ କରି ସେମାନେ ଆଉ ପରିଶ୍ରମ କଲେ ନାହିଁ । ପାଦ ମଉ ଚଳିଲା ନାହିଁ, ହାତ ତୁଣ୍ଡକୁ ଆହାର ଦେଲା ନାହିଁ, ତୁଣ୍ଡ ଆଉ ମହାର ଗ୍ରହଣ କଲା ନାହିଁ, ଦନ୍ତ ଆଉ ଭକ୍ଷ୍ୟ ବସ୍ତୁ ଚର୍ବଣ କଲା ନାହିଁ । ଉଦରକୁ ହଇରାଣ କରିବା ପାଇଁ ଏହିପରି ଦୁଇ ଚାରିଦିନ କରିବାରୁ ଶରୀର ଶୁଷ୍କ ହୋଇ ଆସିଲା; ଅବୟବମାନେ ଏପରି ନିସ୍ତେଜ ହୋଇପଡ଼ିଲେ ଯେ, ଆଉ ସେମାନଙ୍କର ହଲଚଲ ହେବାର ଶକ୍ତି ରହିଲା ନାହିଁ । ସେମାନେ ବୁଝିପାରିଲେ ଯେ, ଉଦର ପରିଶ୍ରମ ନ କଲେହେଁ ତାହା ଆହାର ଗ୍ରହଣ କରି ସମସ୍ତଙ୍କୁ ବଳ ଦିଏ । ଅତଏବ, ତାହା ପାଇଁ ପରିଶ୍ରମ ନ କଲେ ସମସ୍ତେ ଦୁର୍ବଳ ଓ ନିସ୍ତେଜ ହୋଇ ପଡ଼ିବେ ।

 

ଏହି କଥାରୁ ଏହି ଉପଦେଶ ମିଳୁଅଛି ଯେ, ଗୃହରେ ବିଦ୍ୟାଳୟରେ, କର୍ମକ୍ଷେତ୍ରରେ ଓ ସମାଜ ମଧ୍ୟରେ ଯେଉଁମାନେ ଏକତ୍ର ଥାଆନ୍ତି, ସେମାନେ ନିଜ ନିଜ କର୍ମ ନ କଲେ କାହାରି କୁଶଳ ଓ ମଙ୍ଗଳ ହେବ ନାହିଁ ।

 

କର ପରସ୍ପର ସେବା ତେଜି ହିଂସା ଦ୍ୱେଷ,

ସୁମତି ଦିଅନ୍ତୁ ସର୍ବେ ପ୍ରଭୁ ପରମେଶ ।

Image

 

କୃତଜ୍ଞ ଶୁକପକ୍ଷୀ

 

ପୂର୍ବକାଳରେ ଗୋଟିଏ ବ୍ୟାଧ ଥିଲା ସେ ତୀବ୍ର ବିଷଲିପ୍ତ ବାଣ ମାରି ବନରେ ଜନ୍ତୁମାନଙ୍କୁ ବଧ କରୁଥିଲା । ଦିନେ ତାହାର ଗୋଟିଏ ବାଣ କୌଣସି ଜନ୍ତୁର ଦେହରେ ନ ଲାଗି, ଗୋଟିଏ ପ୍ରକାଣ୍ଡ ବକ୍ଷକୁ ଭେଦ କଲା । ସେହି ସାଂଘାତିକ ବିଷର ଏପରି ତେଜ ଥିଲା ଯେ, ତହିଁରେ ସେହି ବହୁକାଳର ପୁରାତନ ବିଶାଳ ବୃକ୍ଷଟି ଶୁଖିଯାଇ ମରିଗଲା । ବହୁକାଳରୁ ଶତ ଶତ ପକ୍ଷୀ ସେହି ବୃକ୍ଷରେ ବାସ କରୁଥିଲେ; ବୃକ୍ଷଟି ମରିଯିବାରୁ ସେମାନେ ତାହାକୁ ଛାଡ଼ି ଚାଲିଗଲେ ।

 

କୋଟରେ ଗୋଟିଏ ଶୁକପକ୍ଷୀ ଥିଲା । ସେହି ତରୁକୁ ଶୁଖିଯିବାର ଦେଖି ସେ ଅତ୍ୟନ୍ତ ଦୁଃଖିତ ହେଲା । ଅନ୍ୟସବୁ ପକ୍ଷୀ ସେହି ଗଛକୁ ଛାଡ଼ିଯିବାର ଦେଖି ସୁଦ୍ଧା ସେ ତାହାକୁ ତ୍ୟାଗକଲା ନାହିଁ । ସେ ଆହାର ତ୍ୟାଗକରି ଦିବାରତ୍ରି ତାହାପାଇଁ ଶୋକ କରିବାକୁ ଲାଗିଲା ।

 

ସ୍ୱର୍ଗରୁ ଦେବରାଜ ଇନ୍ଦ୍ର ଏହି ଆଶ୍ଚର୍ଯ୍ୟ ବ୍ୟାପାର ଦେଖି ପକ୍ଷୀ ଉପରେ ଏପରି ସନ୍ତୁଷ୍ଟ ହେଲେ ଯେ, ସେ ତାହା ନିକଟକୁ ନ ଆସି ରହିପାରିଲେ ନାହିଁ । ଶୁକପକ୍ଷୀ ବୃକ୍ଷର କୋଟରରେ ବସି ଭାଳୁଅଛି, ଏବରି ସମୟରେ ଇନ୍ଦ୍ର ସେଠାକୁ ଆସି କହିଲେ, ‘‘ହେ ଶୁକ ! ତୁ କାହିଁକି ଏ ଶୁଷ୍କବୃକ୍ଷରେ ବାସ କରୁଅଛୁ ? ଅନ୍ୟ ଗୋଟାଏ ଭଲ ବୃକ୍ଷକୁ ଚାଲିଯା ।’ ଶୁକ ଦେଖିଲାକ୍ଷଣି ଇନ୍ଦ୍ରଙ୍କୁ ଚିହ୍ନିପାରି ତାହାଙ୍କୁ ଭକ୍ତିଭରେ ପ୍ରଣାମ କରି କହିଲା, ‘‘ଦେବରାଜ ! ମୁଁ ଆପଣଙ୍କ ଆଜ୍ଞା କଦାପି ଅମାନ୍ୟ କରି ନ ପାରେ; କିନ୍ତୁ ମୁଁ ଏହି ବୃକ୍ଷରେ ଆଜନ୍ମ ବାସକରି ଏତେବଡ଼ ହୋଇଅଛି । ବୃକ୍ଷ ପିତୃବତ୍‌ ମୋତେ ଆଶ୍ରୟ ଦେଇ ଅସଂଖ୍ୟ ବିପଦରୁ ରକ୍ଷା କରିଅଛି । ଏବେ ଏହାର ଏହି ଦୁରବସ୍ଥା ସମୟରେ ଏହାକୁ ତ୍ୟାଗ କରି ଯିବାପାଇଁ ମୋର ମନ ବଳୁନାହିଁ ?’’

 

ଏ କଥାରେ ଇନ୍ଦ୍ର ଅତ୍ୟନ୍ତ ତୁଷ୍ଟହୋଇ କହିଲେ, ‘‘ହେ ଶୁକ ! ମୁଁ ତୋ କଥାରେ ଅତ୍ୟନ୍ତ ପ୍ରୀତ ହୋଇଅଛି । ତୁ କି ବର ମାଗୁଅଛୁ ?’’ ଶୁକ କହିଲା, ‘‘ମୋତେ ଏହି ବର ଦିଅନ୍ତୁ ଯେ, ଆଶ୍ରୟଦାତା ବୃକ୍ଷଟି ଏହିକ୍ଷଣି ବଞ୍ଚିଉଠି ପୁନର୍ବାର ପୁଷ୍ପଫଳରେ ଶୋଭିତ ହେଉ ।’’ ଇନ୍ଦ୍ର ସନ୍ତୁଷ୍ଟ ହୋଇ, ‘ତଥାସ୍ତୁ’ କହି ବୃକ୍ଷ ଉପରେ ଅମୃତ ସିଞ୍ଚନ କଲେ । ବୃକ୍ଷ ପୁଷ୍ପ ଫଳରେ ସଜ୍ଜିତ ହୋଇ ପୂର୍ବପରି ବନର ଶ୍ରୀବର୍ଦ୍ଧନ କରିବାକୁ ଲାଗିଲା ।

 

ଆଶ୍ରୟେ ଯାର ଥାଏ ରହି,

ତା’ ପ୍ରତି ଚିତ୍ତେ ଭକ୍ତି ବହି ।

କଲ୍ୟାଣ ତାର ପ୍ରାଣପଣେ,

ସାଧଇ ସାଧୁ ଅନୁକ୍ଷଣେ ।

Image

 

କୁକୁରର ପ୍ରଭୁଭକ୍ତି

 

ଆମେରିକାର ଅନ୍ତର୍ଗତ ଏକ ପ୍ରଦେଶରେ ଆଲିଘେନି ନାମରେ ଗୋଟିଏ ପର୍ବତ ଅଛି । ଏକଦା ଜଣେ ଅଶ୍ୱାରୋହୀ ଏହି ପର୍ବତ ଉପରବାଟେ ଯାଉଥିଲେ । ତେତେବେଳେ ଭୟଙ୍କର ଶୀତଦିନ । ଚାରିଆଡ଼େ ତୂଳା ଛିଞ୍ଚିଲା ପରି ତୁଷାରବୃଷ୍ଟି ହୋଇ ତଳେ ଗୋଟିଏ ଶୁଭ୍ର ଆସ୍ତରଣ ପ୍ରାୟ ବସିଯାଇଅଛି । ସେହି ଘନତୁଷାର-ପଥରେ ଯାଉ ଯାଉ ଗୋଟିଏ ନିର୍ଜନ ଅରଣ୍ୟ ପଡ଼ିଲା । ଜଣେ ସୁଦ୍ଧା ଲୋକ ସେଥିମଧ୍ୟରେ ଦେଖା ନାହିଁ । କିଛିଦୂର ଗଲା ଉତ୍ତାରେ ଅଶ୍ୱାରୋହୀ ଦେଖିଲେ ଯେ, ଜଣେ ବ୍ୟକ୍ତି ଶଗଡ଼ରେ କେତେକ ମାଲ ବୋଝେଇ କରି ଆସୁଅଛନ୍ତି । ସେ ଦେଖିଲାକ୍ଷଣି ଅଶ୍ୱାରୋହୀଙ୍କୁ କହିଲେ- ‘‘ମହାଶୟ, ଆପଣ ସାବଧାନ ହୋଇ ଯାଉଥିବେ । ବାଟରେ ଗୋଟାଏ ବାୟା କୁକୁର ଅଛି; ମନୁଷ୍ୟ ଦେଖିଲେ କାମୁଡ଼ି ଗୋଡ଼ାଉଛି ।’’ ଏହି କଥା ଶୁଣି ସେ ଭଦ୍ରଲୋକ ସାବଧାନହୋଇ ଯାଉଯାଉ ଅଳ୍ପ ଦୂରରେ ଦେଖିଲେ ଗୋଟାଏ କୁକୁର ତାହାଙ୍କ ଆଡ଼କୁ ଦୌଡ଼ିଆସିଲେ ଏବଂ ତାଙ୍କୁ ଦେଖି ବଡ଼ ଆନନ୍ଦ ପ୍ରକାଶ କଲାପରି ଜଣାଗଲା । ଅଶ୍ୱାରୋହୀ ଚାରିଆଡ଼କୁ ଚାହିଁ ତୁଷାର ଭୂମିରେ କୁକୁରର ପଦଚିହ୍ନ ଦେଖି ଜାଣିପାରିଲେ ଯେ, ଏଣେତେଣେ ସେ ବହୁତ ଦୌଡ଼ାଦୌଡ଼ି କରିଅଛି । ସେଥିରୁ ସେ ଭାବିବାକୁ ଲାଗିଲେ ଏ କୁକୁର କଣ ସତେ ବାୟା ! ଏହା ଭାବି ସେ ଯେପରି ଅଗ୍ରସର ହେବାକୁ ବସିଲେ, କୁକୁର ଘୋନାର ଆଗ ଗୋଡ଼ କାମୁଡ଼ି ବାଟ ଓଗାଳିଲା; ଯେପରି କି କହିଦେଲା ତୁମ୍ଭେ ଏଠାରୁ ଯାଅନାହିଁ । ସେ ଭଦ୍ରଲୋକ ଭାବିଲେ, ‘‘ମୋତେ ତ ଦେଖିଲାକ୍ଷଣି ଆନନ୍ଦ ପ୍ରକାଶ କଲା, ତେବେ ଛାଡ଼ୁନାହିଁ କାହିଁକି ? ତାହାହେଲେ ମୋତେ ଏଠାରେ ରହିବାକୁ କହୁଛି ।’’ ଏହା ବିଚାରି ସେ ଅଶ୍ୱରୁ ଅବତରଣ କଲେ । ତଳକୁ ଆସିଲାକ୍ଷଣି କୁକୁର ଆନନ୍ଦ ଧ୍ୱନି କରି ଜଙ୍ଗଲ ଭିତରକୁ ଦଉଡ଼ି ଯାଉଥାଏ ଏବଂ ଅଳ୍ପ ଯାଇ ପଛକୁ ଚାହୁଁଥାଏ । ପଥିକ ଏହି ସଙ୍କେତରୁ କୁକୁରର ମନର ଭାବ ବୁଝିପାରି ପଛେ ପଛେ ଯାଇ ଦେଖିଲେ ଯେ, କିଛି ଖାଇବା ପଦାର୍ଥ ପଡ଼ିଅଛି, ଗଦାଏ ନିଆଁ ମିଞ୍ଜିମିଞ୍ଜି ହୋଇ ଜଳୁଅଛି ଏବଂ ତାହାର କିଛି ଦୂରରେ ଜଣେ ଲୋକ ଅଚେତନ ଅବସ୍ତାରେ ପଡ଼ିରହିଛି । ସେ ଭଦ୍ରବ୍ୟକ୍ତି ଦେଖିଲାକ୍ଷଣି ବୁଝିପାରିଲେ ଯେ, କୌଣସି ପଥିକ ରାତ୍ରିକାଳରେ ବାଟମଣା ହୋଇ ଆସ ଏଠାରେ ପଡ଼ିଅଛି । ଏ ଘୋର ଜାଡ଼ରୁ ଜାଳିଥିଲା । ସମ୍ଭବତଃ ଶେଷରେ ଘୋର ଜାଡ଼ ଓ କ୍ଷୁଧାରେ କାତର ହୋଇ ଏପରି ଅଜ୍ଞାନହୋଇ ପଡ଼ିଅଛି । ଏ କୁକୁରଟି ବୋଧହୁଏ ତାଙ୍କରି । ପ୍ରଭୁର ଏପରି ଦୁର୍ଦ୍ଦଶା ଦେଖି ଚାରିଆଡ଼େ ବୁଲି ସାହାଯ୍ୟ ଲୋଡ଼ୁଥିଲା । ତହୁଁ ସେ ଭଲକରି ଅଗ୍ନି ଜାଳିଦେଇ ସେ ଲୋକଟିକୁ ଆଗେ ବହୁତ ସେକିଲେ । କ୍ରମେ ଚେତା ହେଲା ଏବଂ କିଛିକ୍ଷଣ ପରେ ଦେହକୁ ବଳ ଆସିବାରୁ ସେ ଭଦ୍ରବ୍ୟକ୍ତି ବହୁକଷ୍ଟରେ ତାହାଙ୍କୁ ଉଠାଇ ଆପଣା ଘୋଡ଼ା ପିଠିରେ ବସାଇଲେ ଏବଂ ଧୀରେ ଧୀରେ ଗୋଟିଏ ନିକଟବର୍ତ୍ତୀ ଗ୍ରାମକୁ ଘେନିଗଲେ । ପ୍ରଭୁଭକ୍ତ କୁକୁରଟି ସଙ୍ଗେ ସଙ୍ଗେ ଯାଉଥାଏ । ସେ ଗ୍ରାମରେ ଗୋଟିଏ ଦୟାଳୁ କୃଷକ ଗୃହରେ ପଥିକକୁ ରଖାଇ ଏବଂ ତାଙ୍କର ସେବଶୁଶ୍ରୂଷାରେ ବନ୍ଦୋବସ୍ତ କରାଇ ସେ ଭଦ୍ରବ୍ୟକ୍ତି ଅଶ୍ୱାରୋହଣ ପୂର୍ବକ ସ୍ୱଲକ୍ଷ୍ୟ ସ୍ଥାନକୁ ଯାତ୍ରା କଲେ । ଯାତ୍ରା କାଳରେ ସେହି କୁକୁର ଦେହରେ ହାତ ବୁଲାଇ ବିଦାୟ ନେବାର ଭାବ ଦେଖାଇଲେ । ମାତ୍ର ଆଶ୍ଚର୍ଯ୍ୟ କଥା ଯେ, ସେ କୁକୁର ଆଉ କୌଣସି ଭାବ ପ୍ରକାଶ କଲାନାହିଁ; ଯେପରିକି କୃତଜ୍ଞତା ଦେଖାଇ କହିଲା, ଆଉ ମୋହର ତୁମ୍ଭଠାରେ କାର୍ଯ୍ୟ ନାହିଁ । ଇତର ପ୍ରାଣୀ ହେଲେ ସୁଦ୍ଧା କୁକୁରର କିପରି ବୁଦ୍ଧି ଓ ପ୍ରଭୁଭକ୍ତି ! ତାହାର ଏହି ମହତ୍‌ ଗୁଣ ଥିବାରୁ ସେ ପଥିକ ପ୍ରାଣ ପାଇଥିଲେ ।

Image

 

ତିନୋଟି ମାଛର କଥା

 

ଗୋଟିଏ ପୁଷ୍କରିଣୀରେ ତିନୋଟି ମତ୍ସ୍ୟ ଥିଲେ । ଗୋଟିକର ନାମ ଅନାଗତବିଧାତା; ସେ ବିପଦ ଉପସ୍ଥିତ ହେବା ଆଗରୁ ରକ୍ଷା ପାଇବାର ଉପାୟ କରି ରଖେ । ଆଉ ଗୋଟିକର ନାମ ପ୍ରତ୍ୟୁତ୍ପନ୍ନମତି । କୌଣସି ବିପଦ ଉପସ୍ଥିତ ହେଲେ ସେ ତତ୍‌କ୍ଷଣାତ ବୁଦ୍ଧିର କୌଶଳ ଦ୍ୱାରା ବିପଦରୁ ରକ୍ଷାପାଏ । ତୃତୀୟର ନାମ ଦୀର୍ଘସୂତ୍ରୀ । ବିପଦ ଉପସ୍ଥିତ ହେବାର ଦେଖି ସୁଦ୍ଧା ସେ ଆଜି କାଲି କରି ସମୟ କଟାଏ; ତେଣୁ ସେ ବିପଦରେ ପଡ଼ି ଘୋର କଷ୍ଟ ଭୋଗକରେ ।

 

ଦିନେ ପଞ୍ଝାଏ କେଉଟ ଜାଲ ଘେନି ମାଛ ଧରିବାପାଇଁ ସେହି ପୁଷ୍କରଣୀ ଜଳ ବୋହିବାକୁ ଆରମ୍ଭ କଲେ । ତାହା ଦେଖି ଅନାଗତବିଧାତା ଅନ୍ୟ ଦୁଇ ମାଛଙ୍କୁ ଡାକି କହିଲା, ‘‘ଭାଇ ହେ ! ଭାରି ବିପଦ ଉପସ୍ଥିତ । ଦେଖ, କେତେଗୁଡ଼ିଏ କେଉଟ ପୋଖରୀର ପାଣି ବୋହିବାକୁ ଲାଗିଲେଣି । ଦୁଇ ତିନି ଦିନରେ ପୋଖରୀ ଶୁଖିଗଲେ କେଉଟମାନେ ଆମ୍ଭମାଙ୍କୁ ଧରିନେଇ ମାରିପକାଇବେ । ଚାଲ, ଏହିକ୍ଷଣି ଏଠାରୁ ପଳାଇଯିବା । ଜଳ ଶୁଖିଗଲେ ଆଉ ପଳାଇ ପାରିବା ନାହିଁ ।

 

ଏକଥା ଶୁଣି ଦୀର୍ଘସୂତ୍ରୀ କହିଲା, ‘‘ଏତେ ତରତର କାହିଁକି ? ଦୁଇ ତିନି ଦିନ ତ ଅଛି । ହଉ, ଦେଖାଯିବ ।’’ ପ୍ରତ୍ୟୁତ୍ପନ୍ନମତି କହିଲା, ‘‘ଏତେ ଆଗରୁ ଭୀତ ହେବାର ଉଚିତ ନୁହେଁ । ସଙ୍କଟକାଳ ଉପସ୍ଥିତ ହେଲେ ଉଦ୍ଧାରର ଉପାୟ ଅବଶ୍ୟ କରିବାକୁ ହେବ ।’’ ସେ ଦୁହିଁଙ୍କର ଉତ୍ତର ଶୁଣି ଅନ୍ୟଗତବିଧାତା ସେମାନଙ୍କ ପାଇଁ ଅପେକ୍ଷା ନ କରି ନିକଟସ୍ଥ ଗୋଟିଏ ଜଳାଶୟକୁ ଚାଲିଗଲା ।

 

ଏଣେ ଧୀବରମାନେ ବହୁ ପରିଶ୍ରମ କରି ଦୁଇଦିନ ମଧ୍ୟରେ ପୁଷ୍କରିଣୀକୁ ଶୁଷ୍କପ୍ରାୟ କରି ପକାଇଲେ । ତହିଁ ଉତ୍ତାରେ ସେମାନେ ମାଛ ଧରି ମାଛମାନଙ୍କୁ ଦଉଡ଼ିରେ ଗୁନ୍ଥିବାକୁ ଲାଗିଲେ । ସବୁ ମାଛ ଧରାପଡ଼ି ଜୀବନରେ ଆଶା ତ୍ୟାଗ କଲେ; କିନ୍ତୁ ପ୍ରତ୍ୟୁତ୍ପନ୍ନତି ନିରାଶ ନ ହୋଇ ବିଚାରିଲା, ‘‘ଯାହାହେବାର ହେଉ, ଥରେ ଉଦ୍ଧାରର ଚେଷ୍ଟାକରି ଦେଖିବି ।’’ ଏହିପରି ବିଚାରି ହେ ଦଉଡ଼ିରେ ଗୁନ୍ଥା ହୋଇଥିବା ମତ୍ସ୍ୟମାନଙ୍କ ମଧ୍ୟରେ ପଶି ଦଉଡ଼ିଟାକୁ ଏପରି କାମୁଡ଼ି ଧରିଲା ଯେ, ଦେଖିଲେ ମନେହେବ ସେ ସେଥିରେ ଗୁନ୍ଥା ହୋଇଅଛି । ଧୀବରମାନେ ପ୍ରତ୍ୟୁତ୍ପନ୍ନମତିର କୌଶଳ ବୁଝି ନପାରି ତାହାକୁ ଆଉ ଗୁନ୍ଥିଲେ ନାହିଁ । ଦୀର୍ଘସୂତ୍ରୀ ଅନ୍ୟ ମତ୍ସ୍ୟମାନଙ୍କ ସଙ୍ଗରେ ଗୁନ୍ଥା ହୋଇ ମଲା ।

 

ଏଥିଉତ୍ତାରେ ପଙ୍କଲିପ୍ତ ମତ୍ସ୍ୟଗୁଡ଼ିକ ଧୋଇ ପରିଷ୍କାର କରିବା ପାଇଁ ଧୀବରମାନେ ସେମାନଙ୍କୁ ଅନ୍ୟ ଏକ ପୁଷ୍କରିଣୀକୁ ନେଇଗଲେ । ପୁଷ୍କରିଣୀ ଜଳରେ ଦଉଡ଼ିଟାକୁ ବୁଡ଼ାଇଲାକ୍ଷଣି ପ୍ରତ୍ୟୁତ୍ପନ୍ନମତି ଦଉଡ଼ିକି ଛାଡ଼ିହେଇ ପାଣି ଭିତରେ ବୁଡ଼ିଯାଇ ନିଜ ପ୍ରାଣ ରକ୍ଷା କଲା ।

 

ତାତ୍ପର୍ଯ୍ୟ ଯେ ସାବଧାନ ଓ ଯେ ବୁଦ୍ଧିମାନ୍‌, ସେହିମାନେ ବିପଦରୁ ଆପଣାକୁ ରକ୍ଷା କରିପାରନ୍ତି । ଯେ ଅସାବଧାନ ଓ ଦୀର୍ଘସୂତ୍ରୀ ହୁଏ, ସେ ଆପଣାକୁ ଉଦ୍ଧାର କରିପାରେ ନାହିଁ ।

Image

 

ରାମାୟଣ କଥା

 

ଭାରତବର୍ଷରେ ଅଯୋଧ୍ୟା ନାମରେ ଗୋଟିଏ ପ୍ରଦେଶ ଅଛି । ସେଠାରେ ଅତି ପ୍ରାଚୀନ କାଳରେ ଦଶରଥ ନାମରେ ଜଣେ ରାଜା ଥିଲେ । ତାହାଙ୍କର ତିନି ରାଣୀ ଥିଲେ; କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ଜ୍ୟେଷ୍ଠା ରାଣୀ କୌଶଲ୍ୟାଙ୍କର ପୁତ୍ର ରାମଚନ୍ଦ୍ର, ମଧ୍ୟମା ରାଣୀ କୈକେୟୀଙ୍କର ପୁତ୍ର ଭରତ, କନିଷ୍ଠା ରାଣୀ ସୁମିତ୍ରାଙ୍କର ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଦୁଇ ପୁତ୍ର ଥିଲେ। ଲକ୍ଷ୍ମଣ ରାମଙ୍କର ଏକାନ୍ତ ଅନୁଗତ ଥିଲେ । ଚାରି ଭାଇଙ୍କୁ ମଧ୍ୟରେ ଅତ୍ୟନ୍ତ ସ୍ନେହ ଥିଲା ଏବଂ ରାମଙ୍କୁ ସମସ୍ତେ ମତ୍ୟନ୍ତ ସ୍ନେହ ଓ ଭକ୍ତି କରିଥିଲେ । ରାଜା ଦଶରଥ କ୍ରମେ ବୃଦ୍ଧ ହୋଇ- ପଡ଼ିବାରୁ ସେ ରାମଙ୍କୁ ରାଜ୍ୟ ଦେଇ ଅବସର ଗ୍ରହଣ କରିବାପାଇଁ ସଙ୍କଳ୍ପ କଲେ । ରାମଙ୍କୁ ରାଜା କରିବାପାଇଁ ନାନା ଆୟୋଜନ ହେବାକୁ ଲାଗିଲା । ରାମଙ୍କର ନାନା ସଦ୍‌ଗୁଣ ଦେଖି ପ୍ରଜାମାନେ ତାଙ୍କ ପ୍ରତି ଅନୁରକ୍ତ ଥିଲେ; ସୁତରାଂ ତାହାଙ୍କର ଅଭିଷେକୋତ୍ସବ ମାର୍ତ୍ତା ପ୍ରଚାରିତ ହେଲାକ୍ଷଣି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଏହି ସମୟରେ ଦଶରଥଙ୍କର ମଧ୍ୟମା ରାଣୀ ମହାବିପଦ ଘଟାଇଲେ । ସେ ପୂର୍ବେ ଏକଦା ପ୍ରାଣପଣ ସେବାକରି ଦଶରଥଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ; ସେତେବେଳେ ରାଜା ତାହାଙ୍କ ପ୍ରତି ଅତିଶୟ ସନ୍ତୁଷ୍ଟ ହୋଇ ଦୁଇଟି ବର ଦେବେ ବୋଲି ଅଙ୍ଗୀକାର କରିଥିଲେ । କନ୍ତୁ କୈକେୟୀ ଆଜିଯାଏଁ କୌଣସି ବର ମାଗି ନଥିଲେ । ରାମ ରାଜା ହେବେ ଏକଥା ଶୁଣି ମନ୍ଥରା ନାମରେ ଜଣେ ଦୁଷ୍ଟା ଦାସୀର ମନ୍ତ୍ରଣାରେ ପଡ଼ି କୈକେୟୀ ହଠାତ୍‌ ଦୁଇଟି ନିଷ୍ଠୁର ବର ମାଗିବସିଲେ । ଗୋଟିଏ ବର ଏହି ଯେ, ଭରତ ରାଜା ହୁଅନ୍ତୁ ଏବଂ ଅପର ବର ଏହିୁ ଯେ, ରାମ ଚତୁର୍ଦ୍ଦଶ ବର୍ଷ ନିମିତ୍ତ ବନକୁ ନିର୍ବାସିତ ହୁଅନ୍ତୁ । ଦଶରଥ ଅତ୍ୟନ୍ତ ସତ୍ୟପରାୟଣ ଥିଲେ । ସେ କେବେହେଁ ସତ୍ୟ ଭଙ୍ଗ କରି ନଥିଲେ । ସେ ପୂର୍ବେ ଦୁଇଟି ବର ଦେବେ ବୋଲି ଅଙ୍ଗୀକାର କରିଥିଲେ; ବର୍ତ୍ତମାନ ତାହା ଲଘଂନ କରି ନପାରିଲେ; ସୁତରାଂ ରାମଙ୍କୁ ବନଗମନ କରିବାକୁ ହେଲା । ରାଜ୍ୟର ସମସ୍ତ ଲୋକେ ଏହି ସମ୍ବାଦରେ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା । ପ୍ରିୟତମ ପୁତ୍ର ରାମଙ୍‌କର ବନବାସ କଷ୍ଟକଥା ଭାଳି ରାଜା ଦଶରଥ ଅଚେତନ ହୋଇ କିଛି କାଳପରେ ପ୍ରାଣତ୍ୟାଗ କଲେ । କିନ୍ତୁ ରାମ ଏପରି ଧୀରସ୍ୱଭାବ ଓ ଧର୍ମପରାୟଣ ଥିଲେ ଯେ, ସେ ଆନନ୍ଦିତ ଚିତ୍ତରେ ପିତୃସତ୍ୟ ପାଳନ କଲେ-

 

ପୂର୍ବେ ସେ ମିଥିଳା ରାଜ୍ୟର ଅଧିପତି ଜନକଙ୍କର କନ୍ୟା ପରମାସୁନ୍ଦରୀ ସର୍ବଗୁଣାଳଙ୍କୃତା ସୀତାଙ୍କୁ ବିବାହ କରିଥିଲେ । ରାମ ବନକୁ ଯିବେ ଶୁଣି ସୀତା ଏବଂ ଲକ୍ଷ୍ମଣ ତାହାଙ୍କ ସଙ୍ଗରେ ଯିବାପାଇଁ ପ୍ରାର୍ଥନା କଲେ । ରାମ ବାରମ୍ବାର ବାରଣ କଲେହେଁ ସେମାନେ ତାଙ୍କ ସଙ୍ଗରେ ବନକୁ ପ୍ରସ୍ଥାନ କଲେ । ଭରତ ଏ ସମୟରେ ମାତୁଳାଳୟରେ ଥିଲେ । ରାମଙ୍କର ବନବାସ ସମ୍ବାଦ ପାଇ ସେ ଅଯୋଧ୍ୟାକୁ ଆସି ଦେଖିଲେ ଯେ, ଗଭୀର ଶୋକର ଛାୟା ଅଯୋଧ୍ୟାକୁ ଅନ୍ଧକାରମୟ କରି ରଖିଅଛି । ବ୍ୟଥିତ ଚିତ୍ତରେ ଭରତ ରାମଙ୍କୁ ଗୃହକୁ ଲେଉଟାଇ ଆଣିବା ନିମନ୍ତେ ବନକୁ ଗମନ କଲେ । ଚିତ୍ରକୂଟ ପର୍ବତରେ ଉପସ୍ଥିତ ହୋଇ ଭରତ ଦେଖିଲେ ଯେ, ରାମ ସେଠାରେ ରାଜବେଶ ତ୍ୟାଗ କରି ଋଷିକୁମାର- ମାନଙ୍କ ପରି ଦାନ ଭାବରେ ଜୀବନଯାପନ କରୁଅଛନ୍ତି । ଭରତ ରାମଙ୍କର ଚରଣ ଧରି ଗୃହକୁ ଲେଉଟିବା ନିମିତ୍ତ ବ୍ୟାକୁଳଭାବରେ ବାରମ୍ବାର ପ୍ରାର୍ଥନା କଲେ । କିନ୍ତୁ ରାମ କୌଣସି ପ୍ରକାରେ ସମ୍ମିତ ନ ହୋଇ ପିତାଙ୍କର ଅଙ୍ଗୀକାର ପାଳନ କରିବା ନିମିତ୍ତ ବନରେ ରହିଲେ ଏବଂ ଭରତଙ୍କୁ ନାନା ପ୍ରକାର ବୁଝାଇ ଅଯୋଧ୍ୟାକୁ ପଠାଇଦେଲେ । ନିର୍ଲୋଭ ଓ ନିଃସ୍ୱାର୍ଥ ଭ୍ରାତୃଭକ୍ତ ଭରତ ଅଯୋଧ୍ୟାକୁ ଫେରିଆସି ରାମଙ୍କର ଦାସପ୍ରାୟ ରାଜକାର୍ଯ୍ୟ ନିର୍ବାହ କରିବାକୁ ଲାଗିଲେ ଏବଂ ରାମଙ୍କ ପରି ରାଜଭୋଗ ପରିତ୍ୟାଗକରି ବଳ୍‌କଳ-ବସନ ପରିଧାନ ଓ ଫଳମୂଳାହାର କରି ଜୀବନଯାପନ କଲେ । ତାହାଙ୍କର ଏହି ପ୍ରକାର ସ୍ୱାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ବିସ୍ମୟାନ୍ୱିତ ହୋଇ ଧନ୍ୟ ଧନ୍ୟ କହିବାକୁ ଲାଗିଲେ ।

 

ତଦନନ୍ତର ରାମଚନ୍ଦ୍ର ପଞ୍ଚବଟା ବନକୁ ଗମନକରି ସେଠାରେ ବାସ କଲେ । ରାମ ଓ ସୀତା, ରାଜପୁତ୍ର ଓ ରାଜକନ୍ୟା ହେଲେହେଁ ସେମାନଙ୍କର ପରସ୍ପର ମଧ୍ୟରେ ଏପରି ଥିଲା ଯେ, ସେମାନେ ବନବାସ କଷ୍ଟକୁ କଷ୍ଟବୋଲି ମଣିନଥିଲେ । ପଞ୍ଚବଟୀରେ କିଛିଦିନ ବାସକଲା ଉତ୍ତାରୁ ଦିନେ ରାମ ଓ ଲକ୍ଷ୍ମଣ ମୃଗୟାର୍ଥ ବନକୁ ଯାଇଥିବା ସମୟରେ ଲଙ୍କାର ରାଜା ରାବଣ ଆସି ସୀତାଙ୍କୁ ହରଣ କରି ନେଇଗଲେ । ଦୁର୍ମ୍ମତି ରାବଣ ସୀତାଙ୍କୁ ତାହାର ରାଣୀ କରିବା ନିମନ୍ତେ ପ୍ରଲୋଭନ ଦେଖାଇ ନାନାପ୍ରକାର ଚେଷ୍ଟା କରିଥିଲା । କିନ୍ତୁ ମହାସତା ସୀତା ତାର ପ୍ରଲୋଭନରେ ଭୁଲି ନ ଥିଲେ । ତହୁଁ ନିଷ୍ଠୁର ରାବଣ ତାହାଙ୍କୁ ବହୁକଷ୍ଟ ଦେଲା; କିନ୍ତୁ ସୀତା କୌଣସି ପ୍ରକାରେ ତାହାର ଅନୁଗତା ହେଲେ ନାହିଁ । କେବଳ ରାମଙ୍କୁ ସର୍ବଦା ଧ୍ୟାନକରି ସେ ସେହି ଭୀଷଣ ରାକ୍ଷସ-ପୁରୀରେ ଦିନ ଯାପନ କରିଥିଲେ ।

 

ରାମଚନ୍ଦ୍ର ମୃଗୟାରୁ ଫେରିଆସି ସୀତାଙ୍କୁ ଦେଖିବାକୁ ନ ପାଇ ଶୋକରେ ଅଧୀର ହୋଇ ନାନାସ୍ଥାନରେ ତାହାଙ୍କର ଅନୁସନ୍ଧାନ କରିବାକୁ ଲାଗିଲେ । କିନ୍ତୁ ତାହାଙ୍କୁ ନ ପାଇବାରୁ କିସ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସଙ୍ଗରେ ମିତ୍ରତା କରି ତାହାଙ୍କର ଅନୁଚରମାନଙ୍କୁ ସୀତାଙ୍କ ଅନୁସନ୍ଧାନାର୍ଥ ଦେଶ-ଦେଶାନ୍ତରକୁ ପଠାଇଲେ । ସୁଗ୍ରୀବଙ୍କର ଅନୁଚର ବୀର ହନୁମାନ୍‌ ଲଙ୍କା ଦ୍ୱୀପରେ ସୀତାଙ୍କର ଥିବାର ସମ୍ବାଦ ଆଣି ରାମଙ୍କୁ ପ୍ରଦାନ କଲେ । ସୁଗ୍ରୀବ ଓ ତାହାଙ୍କର ଅନୁଚରମାନଙ୍କୁ ଘେନି ରାମ ଓ ଲକ୍ଷ୍ମଣ ସେତୁଦ୍ୱାରା ସମୁଦ୍ର ପାର ହୋଇ ଚାରୁହର୍ମ୍ୟଶାଳିନୀ ଉପବନଶୋଭିତା ଲଙ୍କାପୁରୀକୁ ଅବରୋଧ କଲେ । ରାମଙ୍କ ସହିତ ରାବଣର ଭୀଷଣ ସମର ହେଲା । ଏହି ରଣରେ ରାବଣର ବିଖ୍ୟାତ ବୀରପୁତ୍ର ଇନ୍ଦ୍ରଜିତ ପ୍ରଭୃତି ମହାବୀରମାନେ ବିନଷ୍ଟ ହେଲା । ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ବିନାଶପ୍ରାପ୍ତ ହେଲା । ସତୀ ସୀତାଙ୍କର ନୟନବାରି କାଳାନଳ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲା ।

 

ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟାକୁ ପ୍ରତ୍ୟାଗମନ କଲେ । ସେମାନଙ୍କ ପ୍ରତ୍ୟାଗମନରେ ପୁରବାସୀମାନେ ଆନନ୍ଦ ଉତ୍ସବ କରିବାକୁ ଲାଗିଲେ । ଭରତ ଓ ଶତ୍ରୁଘ୍ନ ମହାନନ୍ଦରେ ରାମସୀତାଙ୍କୁ ଅଭ୍ୟର୍ଥନା କରି ଗୃହକୁ ଘେନିଗଲେ । କୌଶଲ୍ୟା ଓ ସୁମିତ୍ରାଙ୍କର ଚକ୍ଷୁ ଆନନ୍ଦରେ ଅଶ୍ରୁବର୍ଷଣ କରିବାକୁ ଲାଗିଲା । କୈକେୟା ରାମଙ୍କ ପ୍ରତି ନିଜର ଦୁର୍ବ୍ୟବହାର ବୀଷୟ ସ୍ମରଣ କରି ଲଜ୍ଜିତା ହୋଇ ରହିଥିଲେ । ରାମ ସେ ସମସ୍ତ ବିଷୟ ଭୁଲିଯାଇ ତାହାଙ୍କର ପାଦ ବନ୍ଦନା କରି ତାହାଙ୍କ ପ୍ରତି ଯଥୋଚିତ ଭକ୍ତି ପ୍ରକାଶ କଲେ । ରାମ ରାଜ୍ୟଭାର ଗ୍ରହଣକରି ପ୍ରଜାମାନଙ୍କୁ ପରମ ସୁଖରେ ପାଳନ କଲେ । ଏହିପରି କିଛିଦିନ ଗତ ହେଲା ଉତ୍ତାରୁ ଦିନେ ରାମ ଶୁଣିଲେ ଯେ, ସୀତଦେବୀ ରାବଣ ଗୃହରେ ଥିଲେ ହୋଲି ପ୍ରଜାମାନେ ତାହାଙ୍କର ନିନ୍ଦା କରୁଅଛନ୍ତି-। ଏହି କଥା ଶୁଣି ରାମ ଅତ୍ୟନ୍ତ ବ୍ୟଥିତ ହେଲେ । ସେ ଜାଣିଥିଲେ ଯେ ସୀତାଙ୍କର ଚରିତ୍ର ନିଷ୍କଳଙ୍କ ଅଟେ; ତଥାପି ପ୍ରଜାରଞ୍ଜନ କରିବା ରାଜାର ଧର୍ମ, ଏହା ବିଚାରି ସେ ନିଜର ସୂଖଶାନ୍ତି ବିସର୍ଜନ କରି ସସତ୍ତ୍ୱା ସୀତା ଙ୍କୁ ବର୍ଜନ କଲେ । ଲକ୍ଷ୍ମଣ ଭ୍ରାତାଙ୍କର ଆଦେଶରେ ସୀତାଙ୍କୁ ସଙ୍ଗରେ ଘେନି ମହର୍ଷି ବାଲ୍ମୀକିଙ୍କୁ ତପୋବନରେ ରଖି ଆସିଲେ । ମହର୍ଷି ସୀତାଙ୍କୁ ନିଜ କନ୍ୟାତୁଲ୍ୟ ସ୍ନେହରେ ପାଳନ କଲେ-। ବାଲ୍ମୀକି ମୁନିଙ୍କ ଆଶ୍ରମରେ ସୀତାଙ୍କର ଦୁଇଟି ଯମଜପୁତ୍ର ଜାତହେଲେ । ବାଲ୍ମୀକି ଏହି ଦୁଇ ଶିଶୁଙ୍କୁ କୁଶ ଓ ଲବ ନାମ ଦେଲେ । ସେମାନଙ୍କୁ ଧନୁର୍ବିଦ୍ୟା ଓ ରାଜଧର୍ମ ବିଷୟ ଶିଖାଇ, ସେ ରାମ ଓ ସୀତାଙ୍କ ବିଷୟରେ ରାମାୟଣ ନାମକ ମହାକାବ୍ୟ ରଚନା କରି ସେମାନଙ୍କୁ ତାହା ଗାଇବାକୁ ଶିଖାଇଲେ ।

 

ତଦନନ୍ତର ରାମଚନ୍ଦ୍ର ଅଶ୍ୱମେଧଯଜ୍ଞର ଅନୁଷ୍ଠାନ କରିବାର ସଂକଳ୍ପ କଲେ । ଧର୍ମପତ୍ନୀ ବିନା ଏହି ଯଜ୍ଞ ସାଧିତ ହୁଏ ନାହିଁ ବୋଲି ତାହାଙ୍କର ପାତ୍ରମିତ୍ରମାନେ ଦ୍ୱତୀୟବାର ବିବାହ କରିବା ନିମିତ୍ତ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ରାମଚନ୍ଦ୍ର ଦ୍ୱିତୀୟ ଦାର ପରିଗ୍ରହ ନ କରି ସୀତାଙ୍କର ସ୍ୱର୍ଣ୍ଣମୟୀ ମୂର୍ତ୍ତି ଗଠନ କରି ଯଜ୍ଞାନୁଷ୍ଠାନ ଆରମ୍ଭ କଲେ । ଦେଶ ଦେଶାନ୍ତରରୁ ମୁନିଋଷିମାନେ ଆମନ୍ତ୍ରିତ ହୋଇ ଯଜ୍ଞସ୍ଥାନକୁ ଆଗମନ କଲେ । ମହର୍ଷି ବାଲ୍ମୀକି ମଧ୍ୟ ନିମନ୍ତ୍ରିତ ହୋଇ କୁଶଲବଙ୍କୁ ଘେନି ଯଜ୍ଞ ସ୍ଥାନକୁ ଆସିଲେ । ବାଲ୍ମୀକିଙ୍କ ଆଦେଶମତେ କୁଶ ଓ ଲବ ଯଜ୍ଞସ୍ଥାନରେ ରାମାୟଣ ଗାନ କରିବାକୁ ଲାଗିଲେ । ସେମାନଙ୍କର ମଧୁର ଗାନ ଶୁଣ ସମସ୍ତେ ମୋହିତ ହୋଇଗଲେ । ସେମାନଙ୍କର ଆକୃତିରେ ରାମ ସୀତାଙ୍କର ରୂପର ସାଦୃଶ୍ୟ ହେଖି, ରାମ ଓ ଲକ୍ଷ୍ମଣ ବିସ୍ମିତ ହୋଇ ବାଲ୍ମୀକିଙ୍କୁ ସେମାନଙ୍କର ପରିଚୟ ପଚାରିଲେ । ମହର୍ଷି୍‌ଙ୍କଠାରୁ ସୀତାଙ୍କର ସମସ୍ତ ସମ୍ବାଦ ପାଇ ରାମ ସୀତାଙ୍କୁ ଆଣିବା ନିମିତ୍ତ ଆଦେଶ କଲେ । ସୀତା ରାମଙ୍କର ଆହ୍ୱାନବାର୍ତ୍ତା ଶୁଣି ଆନନ୍ଦିତା ହୋଇ ଯଜ୍ଞସ୍ଥାନକୁ ଆସିଲେ । ବାଲ୍ମୀକି ସୀତାଙ୍କ ସଭା ମଧ୍ୟକୁ ଘେନିଗଲେ । ସୀତା ଭକ୍ତିପୂର୍ଣ୍ଣ ଅନ୍ଦରରେ ରାମଙ୍କର ଚରଣବନ୍ଦନା କରି ଦଣ୍ତାୟମାନ ରହିଲେ । ତାହାଙ୍କର ଶିରୀଷକୋଚମଳ ସୁକୁମାର ତନୁ ଚିନ୍ତାରେ ଶୁଷ୍କ ଓ କୃଶ ହୋଇଅଛି ଦେଖି ରାମଙ୍କର ହୃଦୟ ବିଗଳିତ ହେଲା । ବାଲ୍ମୀକି ସଭା ମଧ୍ୟରେ ଦଣ୍ତାୟମାନ ହୋଇ ଗମ୍ଭୀର ଭାବରେ କହିଲେ, ‘‘ସୀତାଦେବୀ ପରମାସତୀ, ରାମଚନ୍ଦ୍ର ତାହାଙ୍‌କୁ ପୁନର୍ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ପୁରବାସୀମାନେ ଏ ବିଷୟରେ ଅନୁମତି ଦିଅନ୍ତୁ ।’’ ବାଲ୍ମୀକିଙ୍କର କଥା ଶୁଣି ସାଧୁ ବ୍ୟକ୍ତିମାନେ ‘ତଥାସ୍ତୁ’ ବୋଲି କହିଲେ; କିନ୍ତୁ ଅବିଶ୍ୱାସୀ କୁଟିଳ ପ୍ରକୃତିର ଲୋକମାନେ କୌଣସି ଉତ୍ତର ହେଲେ ନାହିଁ । ସୀତାଦେବୀ ଖଳଲୋକଙ୍କର ଅବିଶ୍ୱାସରେ ଅତ୍ୟନ୍ତ ମର୍ମପୀମଡ଼ିତା ହୋଇ ‘‘ମା ବସୁଧେ ! ମୋତେ ଗ୍ରହଣ କର’’ ଏତିକିମାତ୍ର କହି ମୂର୍ଚ୍ଛିତା ହୋଇ ଭୂତଳରେ ବାତାହତ କଦଳୀବୃକ୍ଷ ପ୍ରାୟ ପଡ଼ିଗଲେ ଏବଂ ସହସା ପ୍ରାଣତ୍ୟାଗ କଲେ ।

 

ଏଥିଉତ୍ତାରେ ଶ୍ରୀରାମ ଘୋର ଦୁଃଖରେ କିଛି କାଳ ସଂସାରରେ ରହି ମାନବଲୀଳା ସମ୍ୱରଣ କଲେ ।

Image

 

ମହର୍ଷି ଦେବେନ୍ଦ୍ରନାଥ

 

୧୮୧୭ ଖ୍ରୀଷ୍ଟାବ୍ଦରେ କଲିକତା ନଗରୀରେ ଦେବେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦ୍ୱାରକାନାଥ ଠାକୁର ଅତି ଧନୀ ବ୍ୟକ୍ତି ଥିଲେ । ଦେବେନ୍ଦ୍ରନାଥ ଧନୀର ସନ୍ତାନ ହେଲେହେଁ ବାଲ୍ୟକାଳରୁ ତାଙ୍କର ଧର୍ମ ଆଡ଼କୁ ମତି ଥିଲା । ଦେବେନ୍ଦ୍ରନାଥ ତାଙ୍କର ପିତାମହୀଙ୍କ ଦ୍ୱାରା ଲାଳିତ-ପାଳିତ ହୋଇଥିଲେ । ତାଙ୍କର ଅଠର ବର୍ଷ ବୟସ ସମୟରେ ପିତାମହୀଙ୍କ ମୃତ୍ୟୁ ହେଲା । ପିତାମହୀଙ୍କ ମୃତ୍ୟୁକାଳ ଉପସ୍ଥିତ ଦେଖି ଲୋକେ ତାହାଙ୍କୁ ଗଙ୍ଗାତୀରକୁ ଘେନିଗଲେ । ସେଠାରେ ସେ ତିନି ରାତ୍ରି ବଞ୍ଚିଥିଲେ ଏବଂ ଦେବେନ୍ଦ୍ରନାଥ ସେହି ଶ୍ମଶାନ ଭୂମିରେ ତ୍ରିରାତ୍ର ଯାପନ କରିଥିଲେ । ସେହି ସମୟରେ ହଠାତ୍‌ ତାଙ୍କର ମନରେ ଧନ ପ୍ରତି ବିରାଗ ଓ ଏକାପ୍ରକାର ବିଷାଦ ଭାବ ଜନ୍ମିଲା ଏବଂ ସେ ବିଳାସ ଓ ଆମୋଦ ତ୍ୟାଗକରି ନିର୍ଜନ ସ୍ଥାନମାନଙ୍କରେ ବସି ଧ୍ୟାନଦ୍ୱାରା ଅନନ୍ତ ଆକାଶରୁ ଅନନ୍ତ ପରମେଶ୍ୱରଙ୍କ ପରିଚୟ ପାଇ ବୁଝିଲେ ଯେ, ସେହି ନିତ୍ୟ ସତ୍ୟ ପୂର୍ଣ୍ଣ ପରମେଶ୍ୱର କୋଟି ବ୍ରହ୍ମାଣ୍ତର ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ଅଟନ୍ତି ଏବଂ ତାହାଙ୍କୁ ଚିହ୍ନି ତାଙ୍କର ଆରାଧନା କରିବା ମନୁଷ୍ୟର ଶ୍ରେଷ୍ଠ କଲ୍ୟାଣ ।

ଏଥିଉତ୍ତାରେ ଯୁବକ ଦେବେନ୍ଦ୍ରନାଥ କିପରି ଭାବରେ ଜୀବନଯାପନ କଲେ ସେହି ପରମାତ୍ମାଙ୍କୁ ଲାଭ କରିପାରିବେ ଏହି ବିଷୟ ବାରମ୍ବାର ଚିନ୍ତା କରୁ କରୁ ଦିନେ ଗୋଟିଏ ସଂସ୍କୃତ ପୁସ୍ତକର ଖଣ୍ତେ ଛିନ୍ନପତ୍ର ତାଙ୍କ ସମ୍ମୁଖରେ ଉଡ଼ିଯାଉଥିବାର ଦେଖିଲେ । ସେ ଉକ୍ତ ପତ୍ର ଖଣ୍ତିକ ଉଠେଇ ନେଇ ଦେଖିଲେ; କିନ୍ତୁ କିଛି ବୁଝିପାରିଲେ ନାହିଁ । ତତ୍‌ପରେ ଜଣେ ପଣ୍ତିତଙ୍କଠାରୁ ଶ୍ଲୋକଟିର ଅର୍ଥ ବୁଝିନେଲେ । ସେଥିର ଅର୍ଥ ଏହି, ପରମେଶ୍ୱରଙ୍କ ଦ୍ୱାରା ସମସ୍ତ ଜଗତକୁ ଆଚ୍ଛାଦନ କର ଏବଂ ସେ ଯାହା ଦେଇଅଛନ୍ତି ବା ଦେବେ ତାହାକୁ ହିଁ ଭୋଗ କର; ଅର୍ଥାତ୍‌ ସବୁଥିରେ ପରମେଶ୍ୱର ଆପଣାକୁ ପ୍ରକାଶ କରୁଅଛନ୍ତି, ତାହା ସର୍ବଦା ଅନୁଭବ କର ଏବଂ ବିଷୟ ଲୋଭ ତ୍ୟାଗ କରି ପରମେଶ୍ୱରଙ୍କର ଶ୍ରେଷ୍ଠ ଦାନ ଯେ, ତାଙ୍କଠାରେ ଭକ୍ତି, ତାହାକୁ ସର୍ବଦା ହୃଦୟରେ ରଖି ଅକ୍ଷୟ ଧନରେ ଧନୀ ହୁଅ । ଏହି ଅର୍ଥ ବୁଝିପାରି ଦେବେନ୍ଦ୍ରନାଥ ବିଶ୍ୱାସ କଲେ ଯେ, ସେହି ଶ୍ଲୋକ ତାହାଙ୍କୁ ଧର୍ମଶିକ୍ଷା ଦେବା ପାଇଁ ସ୍ୱର୍ଗୀୟ ଦୂତରୂପେ ଆସିଅଛି ।

୧୮୪୬ ଖ୍ରୀଷ୍ଟାବ୍ଦରେ ପିତାଙ୍କର ମୃତ୍ୟୁ ହେଲାପରେ ଦେବେନ୍ଦ୍ରନାଥ ଦେଖିଲେ ଯେ, ପିତା ଏକା କୋଟି ଋଣ କରି ଯାଇଅଛନ୍ତି । ଦେବେନ୍ଦ୍ରନାଥ ଆଇନ ଅନୁସାରେ ସେ ଋଣପାଇଁ ଦାୟୀ ନଥିଲେ । ମାତ୍ର ସେ ସତ୍ୟ ଓ ସାଧୁତାକୁ ଅର୍ଥ ଅପେକ୍ଷା ମହତ୍ତର ଜାଣି, ପିତୃଋଣ ପରିଶୋଧ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସ୍ଥିର କରି, ଅନେକ ସମ୍ପତ୍ତି ବିକ୍ରୟ କରିଦେଇ ଋଣ ପରିଶୋଧ କଲେ ଏବଂ ଦୀନଭାବରେ ଅଥଚ ପ୍ରଫୁଲ୍ଲ ଚିତ୍ତରେ କାଳଯାପନ କରିବାକୁ ଲାଗିଲେ । ଏହିପରି ବହୁ ବର୍ଷ ନାନା କଷ୍ଟ ଭୋଗକରି ଓ ବହୁ ଯତ୍ନ ପୂର୍ବକ କେତେକ ଜମିଦାରୀ ବା ଭୂସମ୍ପତ୍ତି ରକ୍ଷାକରି ପରିବାରବର୍ଗଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କଲେ ।

ଦେବେନ୍ଦ୍ରନାଥ ତାଙ୍କର ସମୟକୁ ଦୈନିକ କର୍ତ୍ତବ୍ୟ କାର୍ଯ୍ୟସାଧନ, ଅଧ୍ୟୟନ, ଧର୍ମ ପ୍ରଚାର ଏବଂ ଧ୍ୟାନ ଓ ଉପାସନାରେ ଯାପନ କରୁଥିଲେ । ସେ ଅନେକଗୁଡ଼ିଏ ସଦ୍‌ଗ୍ରନ୍ଥ ଲେଖି ଯାଇଅଛନ୍ତି ଏବଂ ବେଦରୁ ନାନା ଶ୍ଲୋକ ସଂଗ୍ରହ କରି ସେଥି ସମ୍ବନ୍ଧରେ ମଧୁର ଉପଦେଶ ଦେଇ ଯାଇଅଛନ୍ତି । ତାହାଙ୍କର ଅସାଧାରଣ ଧର୍ମନିଷ୍ଠା ଦେଖି ଲୋକେ ମୁଗ୍‌ଧ ହୋଇ ତାହାଙ୍କୁ ମହର୍ଷି ବୋଲି ସମ୍ମାନ କରୁଥିଲେ । ସେ ଏ ସଂସାରରେ ପ୍ରାୟ ୮୮ ବର୍ଷ ଜୀବିତ ଥାଇ ଖ୍ରୀଷ୍ଟାବ୍ଦ ୧୯୦୫ର ଜାନୁୟାରୀ ମାସରେ ଇହଲୋକ ତ୍ୟାଗ କଲେ ।

Image

 

ମହାଭାରତ କଥା

 

ପ୍ରାଚୀନ କାଳରେ ଦିଲ୍ଲୀ ନିକଟସ୍ଥ ହସ୍ତିନାପୁର ବିଖ୍ୟାତ କୁରୁବଂଶୀୟ ରାଜାମାନଙ୍କ ରାଜଧାନୀ ଥିଲା । ସେହି ରାଜବଂଶରେ ଧୃତରାଷ୍ଟ୍ର ଓ ପାଣ୍ତୁ ନାମରେ ଦୁଇ ଭାଇ ଜନ୍ମଗ୍ରହଣ କରିଥିଲେ । ବଡ଼ ଭାଇ ଧୃତରାଷ୍ଟ୍ର ଜନ୍ମାନ୍ଧ ଥିଲେ ବୋଲି ସାନ ଭାଇ ପାଣ୍ତୁ ରାଜା ହୋଇଥିଲେ । ଧୃତରାଷ୍ଟ୍ରଙ୍କର ସ୍ତ୍ରୀଙ୍କର ନାମ ଗାନ୍ଧାରୀ । ଏହାଙ୍କ ଗର୍ଭରୁ ଦୁର୍ଯ୍ୟୋଧନ, ଦୁଃଶାସନ ପ୍ରଭୃତି ଏକଶତ ପୁତ୍ର ଜନ୍ମଗ୍ରହଣ କରିଥିଲେ । ସେମାନେ କୌରବ ନାମରେ ଖ୍ୟାତ । ପାଣ୍ତୁଙ୍କର ଦୁଇ ସ୍ତ୍ରୀ ଥିଲେ, କୁନ୍ତୀ ଓ ମାଦ୍ରୀ । କୁନ୍ତୀଙ୍କ ଗର୍ଭରେ ଯୁଧିଷ୍ଠିର, ଭୀମ, ଅର୍ଜ୍ଜନ ଏବଂ ମାଦ୍ରାଙ୍କ ଗର୍ଭରେ ନକୁଳ ଓ ସହଦେବ ଜନ୍ମଗ୍ରହଣ କରିଥିଲେ । ଏମାନେ ପାଣ୍ତବ ନାମରେ ଖ୍ୟାତ । ପାଣ୍ତବମାନଙ୍କର ଶୈଶବାବସ୍ଥାରେ ପାଣ୍ତଙ୍କ ମୃତ୍ୟୁ ହେଲା । ଧୃତରାଷ୍ଟ୍ର କୈାରବ ଓ ପାଣ୍ତବମାନଙ୍କୁ ଅସ୍ତ୍ର ବିଦ୍ୟା ଶିଖାଇବା ନିମିତ୍ତ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତ କଲେ । ଦ୍ରୋଣାଚାର୍ଯ୍ୟ ସେମାନଙ୍କୁ ଯତ୍ନପୂର୍ବକ ଯୁଦ୍ଧବିଦ୍ୟା ଶିଖାଇଲେ । ଧନୁର୍ବିଦ୍ୟାରେ ଅର୍ଜ୍ଜୁନ ଅନ୍ୟ ଭ୍ରାତାମାନଙ୍କ ଅପେକ୍ଷା ଅଧିକତର ନିପୁଣ ହୋଇଥିଲେ । ମହାବଳଧାରୀ ଭୀମ ସର୍ବାପେକ୍ଷା ଗଦା ଯୁଦ୍ଧରେ ଅଧିକତାର ପାରଦର୍ଶୀ ହୋଇଥିଲେ । ପାଣ୍ତବମାନେ ଧାର୍ମିକ ଓ ସତ୍ୟପ୍ରିୟ ଥିଲେ; କିନ୍ତୁ ଦୁର୍ଯ୍ୟୋଧନାଦି କୌରବମାନେ ଅହଂକାରି, ହିଂସ୍ରକ ଓ କପଟାଚାରୀ ଥିଲେ । ସେମାନେ ସର୍ବଦା ପାଣ୍ତବମାନଙ୍କର ଅନିଷ୍ଟ ପାଞ୍ଚୁଥିଲେ । ଥରେ ସେମାନେ ଭୀମଙ୍କୁ ବିଷ ଖୁଆଇ ତାହାଙ୍କୁ ଅଚେଥିଲେ; କିନ୍ତୁ ସେଥିରେ ଭୀମ ମଲେ ନାହିଁ । ଅବଶେଷରେ ଦୁର୍ଯ୍ୟୋଧନ ପଞ୍ଚପାଣ୍ତବଙ୍କର ପ୍ରାଣ ବିନାଶ ନିମିତ ଗୋଟିଏ ଚକ୍ରାନ୍ତ କଲେ । ଜତୁଗୃହ ପ୍ରସ୍ତୁତ କରାଇ, ସେଥିରେ ପାଣ୍ତବମାନଙ୍କୁ ବାସ କରିବାକୁ କହି ରାତ୍ରିକାଳରେ ସେହି ଗୃହ ଦଗ୍‌ଧ କରାଇ ଦେଲେ; କିନ୍ତୁ ପାଣ୍ତବମାନଙ୍କର ପରମବନ୍ଧୁ ଧାର୍ମିକ ବିଦୁର ସେମାନଙ୍କୁ ପୂର୍ବରୁ ସତର୍କ କରିଦେଇଥିବାରୁ ସେମାନେ ଗୃହଦାହ ପୂର୍ବରୁ ପଳାଇ ଯାଇଥିଲେ । ଅନନ୍ତର ସେମାନେ ଛନ୍ମବେଶ ଧାରଣ କରି ଦେଶଦେଶାନ୍ତରରେ ଭ୍ରମଣ କରିବାକୁ ଲାଗିଲେ । ଏଣେ ଦୁର୍ଯ୍ୟୋଧନ ପ୍ରଭୃତି କୌରବମାନେ ପାଣ୍ତବମାନଙ୍କର ମୃତ୍ୟୁ ହୋଇଅଛି ବିଚାର ଆନନ୍ଦିତ ଚିତ୍ତରେ ରାଜ୍ୟ ଭୋଗ କରିବାକୁ ଲାଗିଲେ ।

 

ଏଥିମଧ୍ୟରେ ପଞ୍ଚଳ ଦେଶର ରାଜକନ୍ୟା ଦ୍ରୌପଦୀଙ୍କର ସ୍ୱୟମ୍ବର ଉପସ୍ଥିତ ହେଲା । ପଞ୍ଚାଳ ରାଜା ଦ୍ରୁପଦଙ୍କର ଏହି ପଣ ଥିଲା ଯେ, ଊର୍ଦ୍ଧ୍ୱରେ ଗୋଟିଏ ମତ୍ସ୍ୟ ଥିବ ଏବଂ ତଳରେ ଗୋଟିଏ ଜଳପାତ୍ର ଥିବ । ସେହି ଜଳପାତ୍ର ମଧ୍ୟରେ ମତ୍ସ୍ୟର ପ୍ରତିବିମ୍ୱ ଦେଖି ଯେ ସେହି ମତ୍ସ୍ୟର ଚକ୍ଷୁକୁ ବାଣବିଦ୍ଧ କରି ପାରିବ, ତାହାଙ୍କୁ ଦ୍ରୌପଦୀ ବରମାଲ୍ୟ ଦେବେ । ପାଣ୍ତବମାନେ ଦ୍ରୌପଦୀଙ୍କର ସ୍ୱୟମ୍ୱର ହେବ ବୋଲି ସମ୍ବାଦ ପାଇ ପଞ୍ଚାଳ ରାଜ୍ୟକୁ ଆଗମନ କଲେ । ନାନା ଦେଶମାନଙ୍କରୁ ରାଜ୍ୟ ଓ ରାଜପୁତ୍ରମାନେ ଆସି ସେହି ଲକ୍ଷ୍ୟଭେଦ କରିବାକୁ ଚେଷ୍ଟା କଲେ; କିନ୍ତୁ କେହି ଲକ୍ଷ୍ୟଭେଦ କରିପାରିଲେ ନାହିଁ । ପରିଶେଷରେ ବ୍ରାହ୍ମଣ ବେଶଧାରୀ ଅର୍ଜ୍ଜନ ଲକ୍ଷ୍ୟଭେଦ କଲେ । ରାଜା ଦ୍ରୁପଦ ସେମାନଙ୍କର ପରିଚୟ ଗ୍ରହଣକରି ସେମାନଙ୍କୁ ଆଦେଶ ଅନୁସାରେ ଦ୍ରୌପଦୀ ପଞ୍ଚୁପାଣ୍ତବଙ୍କର ପତ୍ନୀ ହେଲେ । ଏଥି ଉତ୍ତାରେ ଧୃତରାଷ୍ଟ୍ର ପାଣ୍ତବମାନେ ଜୀବିତ ଅଛନ୍ତି ଏବଂ ଦ୍ରୌପଦୀଙ୍କୁ ବିବାହ କରିଅଛନ୍ତି ଶୁଣି ସେମାନଙ୍କୁ ଡକାଇ ଅର୍ଦ୍ଧ-ରାଜ୍ୟ ପ୍ରଦାନ କଲେ । ଇନ୍ଦ୍ରପ୍ରସ୍ଥ ସେମାନଙ୍କର ରାଜଧାନୀ ହେଲା ।

 

ଏଥିଉତ୍ତାରେ ପାଣ୍ତବମାନେ ନାନା ଦେଶ ଜୟକରି ଯଶସ୍ୱୀ ହେଲେ । କିଛି କାଳପରେ ରାଜସୁୟଯଜ୍ଞ ଆରମ୍ଭ କରି ଭାରତର ସମସ୍ତ ରାଜାମାନଙ୍କୁ ନିମନ୍ତ୍ରଣ କଲେ । ରାଜାମାନେ ନାନା ଉପହାର ଘେନି ଯଜ୍ଞସଭାରେ ଉପସ୍ଥିତ ହେଲେ । ପାଣ୍ତବମାନଙ୍କର ଐଶ୍ୱର୍ଯ୍ୟ ଦେଖି କ୍ରୁର ଦୁର୍ଯ୍ୟୋଧନଙ୍କର ହୃଦୟ ହିଂସା-ଜର୍ଜ୍ଜରିତ ହେଲା ଏବଂ ସେ ପାଣ୍ତବମାନଙ୍କର ଅନିଷ୍ଟ ଚିନ୍ତା କରିବାକୁ ଲାଗିଲେ । ଦୁର୍ଯ୍ୟୋଧନଙ୍କର ମାତୁଳ ଶକୁନି ଦ୍ୟୂତକ୍ରୀଡ଼ାରେ ଅତ୍ୟନ୍ତ ନିପୁଣ ଥିଲେ । ତାହାଙ୍କର ପରାମର୍ଶରେ ଦୁର୍ଯ୍ୟୋଧନ ଯୁଧିଷ୍ଠରଙ୍କୁ ଦ୍ୟୂତକ୍ରୀଡ଼ା କରିବାପାଇଁ ଆହ୍ୱାନ କଲେ । ଯୁଧିଷ୍ଠିର ଦ୍ୟୂତ କ୍ରୀଡ଼ାରେ ପରାଜିତ ହୋଇ କ୍ରମେ କ୍ରମେ ଧନ, ରତ୍ନ, ରାଜ୍ୟ, ଦାସଦାସୀ, ଭ୍ରାତାମାନଙ୍କୁ ଏବଂ ଆପଣାକୁ ସୁଦ୍ଧା ହରାଇ ହୃତସର୍ବସ୍ୱ ହେଲେ । ପରିଶେଷରେ ଦ୍ରୌପଦୀ ଙ୍କୁ ପଣ ରଖି ପୁନର୍ବାର କ୍ରୀଡ଼ା କଲେ । ସେଥିରେ ମଧ୍ୟ ଶକୁନି ଜୟଲାଭ କରିବାରୁ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ସଭା ମଧ୍ୟକୁ ଅଣାଇ ଅପମାନ କରାଇଲେ । ଦୁର୍ଯ୍ୟୋଧନ ସେଥିରେ ସନ୍ତୁଷ୍ଟ ନହୋଇ ପୁଣି ଦ୍ୟୂତକ୍ରୀଡ଼ା ନିମିତ୍ତ ଯୁଧିଷ୍ଠିରଙ୍କୁ ତୃତୀୟଥର ଆହ୍ୱାନ କଲେ । ଏଥର କ୍ରୀଡ଼ାରେ ଏହି ପଣ ହେଲା ଯେ, ଯେଉଁ ପକ୍ଷ ପରାଜିତ ହେବେ ସେ ପକ୍ଷର ସମସ୍ତେ ଦ୍ୱାଦଶ ବର୍ଷ ବନବାସ ଏବଂ ଏକ ବର୍ଷ ଅଜ୍ଞାତବାସ କରିବେ । ଯୁଧିଷ୍ଠିର ପୁଣି ପରାଜିତ ହେବାରୁ ପାଣ୍ତବମାନେ ଦ୍ରୌପଦୀଙ୍କୁ ଘେନି ବନଗମନ କଲେ। ଦୁର୍ଯ୍ୟୋଧନ ପାଣ୍ତବମାନଙ୍କ ସଙ୍ଗରେ ପଣ କରିଥିଲେ ଯେ, ସେମାନେ ବନବାସ ଓ ଅଜ୍ଞାତବାସ କରି ଲେଉଟି ଆସିଲେ ସେ ସେମାନଙ୍କୁ ରାଜ୍ୟଧନାଦି ପ୍ରତ୍ୟର୍ପଣ କରିବେ-

 

ପାଣ୍ତବମାନେ ଦ୍ୱାଦଶ ବର୍ଷକାଳ ନାନା ତୀର୍ଥପର୍ଯ୍ୟଟନ କରି, ବର୍ଷେ ବିରାଟ ରାଜ୍ୟରେ ଛଦ୍ମବେଶରେ ଅଜ୍ଞାତବାସ କଲେ । ଅଜ୍ଞାତବାସ ଉତ୍ତାରୁ ସେମାନେ ଭୁବନବିଖ୍ୟାତ ଦ୍ୱାରକାପତି କୃଷ୍ଣଙ୍କୁ ଦୂତସ୍ୱରୂପ ଦୁର୍ଯ୍ୟୋଧନଙ୍କ ନିକଟକୁ ପ୍ରେରଣ କଲେ । କୃଷ୍ଣ ହସ୍ତିନାପୁରକୁ ଯାଇ ପାଣ୍ତବମାନଙ୍କ ପାଇଁ ରାଜ୍ୟ-ପ୍ରତ୍ୟର୍ପଣ ପ୍ରାର୍ଥନା କଲେ; କିନ୍ତୁ ଖଳବୁଦ୍ଧି ଦୁର୍ଯ୍ୟୋଧନ କହିଲେ, ମୁଁ ବିନାଯୁଦ୍ଧରେ ସୁଚ୍ୟଗ୍ର ପରିମାଣ ଭୂମି ସୁଦ୍ଧା ଦେବି ନାହିଁ । ବିଜ୍ଞ ବ୍ୟକ୍ତିମାନେ ଦୁର୍ଯ୍ୟୋଧନଙ୍କୁ ଯେତେ ସଦୁପଦେଶ ଦେଲେ, ସେ ସମସ୍ତ ବ୍ୟର୍ଥ ହେଲା । ପାଣ୍ତବମାନେ ବାଧ୍ୟହୋଇ ଯୁଦ୍ଧ ନିମିତ୍ତ ଉଦ୍‌ଯୋଗ କଲେ । ଦୁର୍ଯ୍ୟୋଧନ ମଧ୍ୟ ଯୁଦ୍ଧର ଆୟୋଜନ କଲେ । ଉଭୟପକ୍ଷ ଯୁଦ୍ଧ ନିମିତ୍ତ କୁରୁକ୍ଷେତ୍ରନାମକ ମହାସମର କ୍ଷେତ୍ରରେ ଉପସ୍ଥିତ ହେଲେ । ଏହି ଯୁଦ୍ଧରେ ଭାରତର ଅଧିକାଂଶ ରାଜା ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ ପଞ୍ଚାଳର ଅଧୀଶ୍ୱର ଦ୍ରୁପଦ, ଅଙ୍ଗ ରାଜ୍ୟର ନୃପତି କର୍ଣ୍ଣ, ଦ୍ୱାରକାର ଅଧିକାର ଅଧିପତି କୃଷ୍ଣ, ସିନ୍ଧୁ ଦେଶରେ ନରପତି ଜୟଦ୍ରଥ ପ୍ରଧାନ ଥିଲେ । କୃଷ୍ଣ ପାଣ୍ତବମାନଙ୍କ ପକ୍ଷ ପ୍ରହଣ କଲେ । ଦୁର୍ଯ୍ୟୋଧନଙ୍କ ପକ୍ଷରେ ସୈନ୍ୟ ଏବଂ ବୀର ସଂଖ୍ୟା ଅଧିକ ଥିଲେହେଁ କୃଷ୍ଣଙ୍କ ମନ୍ତ୍ରଣାବଳରେ ପାଣ୍ତବମାନେ ଜୟଲାଭ କଲେ।

 

ଏହି ମହାସମର ୧୮ଦିନ ପର୍ଯ୍ୟନ୍ତ ହୋଇଥିଲା । ଯୁଦ୍ଧରେ ଭ୍ରାତାମାନଙ୍କ ସହିତ ଦୁର୍ଯ୍ୟୋଧନ ଏବଂ ତାହାଙ୍କ ପକ୍ଷୀୟ ମହାରଥୀ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ, ଜୟଦ୍ରଥ ପ୍ରଭୃତି ଏବଂ ପାଣ୍ତବପକ୍ଷର ଅଭିମନ୍ୟୁ, ଦ୍ରୁପଦ, ଧୃଷ୍ଟଦ୍ୟୁନ୍ନ ପ୍ରଭୃତି ମହାବୀରମାନେ ନିହତ ହେଲେ । ଯୁଦ୍ଧକ୍ଷେତ୍ର ମହାଶ୍ମଶାନରେ ପରିଣତ ହେଲା । ବିଧବାମାନଙ୍କର ହୃଦୟ-ବିଦାରକ ବିଳାପ-ନାଦରେ କୁରୁକ୍ଷେତ୍ର ପରିପୂର୍ଣ୍ଣ ହେଲା ।

 

ଯୁଦ୍ଧାନ୍ତେ ଯୁଧିଷ୍ଠିର ରାଜସିଂହାସନରେ ଆରୋହଣକରି ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କଲେ । କେତେକ ବର୍ଷ ରାଜତ୍ୱ କଲା ଉତ୍ତାରେ, ଶ୍ରୀକୃଷ୍ଣଙ୍କର ମୃତ୍ୟୁ ସମ୍ବଦ ପାଇ ଏକାନ୍ତ ଶୋକାର୍ତ୍ତ ଓ ସଂସାର ପ୍ରତି ବିରାଗୀ ହୋଇ ସେ ରାଜସିଂହାସନ ତ୍ୟାଗକଲେ ଏବଂ ଦ୍ରୌପଦୀ ଓ ଚାରି ଭାଇଙ୍କି ସଙ୍ଗରେ ଘେନି ତପସ୍ୟାର୍ଥେ ହିମାଳୟକୁ ପ୍ରସ୍ଥାନ କଲେ ।

Image

 

ରାମତନୁ ଲାହିଡ଼ୀ

 

ନଦୀୟା ଜିଲ୍ଲା ଅନ୍ତର୍ଗତ କୃଷ୍ଣନଗର ମହାତ୍ମା ରାମତନୁ ଲାହିଡ଼ୀଙ୍କର ଜନ୍ମସ୍ଥନ । ବହୁ ପୂର୍ବକାଳରୁ ଏହି ନଗର ନବଦ୍ୱୀପ ରାଜାଙ୍କର ରାଜଧାନୀ ଥିବାରୁ, ଅନେକ ଗୁଣୀ ଲୋକ ସେଥିରେ ବାସ କରୁଥିଲେ । ରାଜକାର୍ଯ୍ୟରେ ନିଯୁକ୍ତି ହେବା ନିମିତ୍ତ ଅନେକେ ଯତ୍ନପୂର୍ବକ ବିଦ୍ୟାଶିକ୍ଷା କରୁଥିଲେ । ଲାହିଡ଼ୀଙ୍କର ପୂର୍ବପୁରୁଷମାନେ ମଧ୍ୟ ରାଜକାର୍ଯ୍ୟ କରୁଥିଲେ । ରାମତନୁ ଏହି ରାଜସେବକ ବ୍ରାହ୍ମଣକୁଳରେ ୧୮୧୩ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରେ ସେ ବିଦ୍ୟାଶିକ୍ଷା ନିମିତ୍ତ ତାହାଙ୍କ ଜୋଷ୍ଠ ସହୋଦରଙ୍କ ସହିତ କଲିକତାକୁ ଆସିଥିଲେ । ଏହିଠାରେ ଶିକ୍ଷାପ୍ରତି ବିଶେଷ ଆଗ୍ରହ ଥିବାରୁ ସେ କଲିକତର ପ୍ରସିଦ୍ଧ ହେୟାର ସ୍କୁଲ ପ୍ରତିଷ୍ଠାତା ଡେଭିଡ୍‌ ହେୟାର ସାହେବଙ୍କ ସୁଦୃଷ୍ଟିରେ ପଡ଼ିଥିଲେ ଏବଂ ତାହାଙ୍କ ଅନୁଗ୍ରହରୁ ବିନାବେତନରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଅନୁମତି ପାଇଥିଲେ । ପ୍ରାୟ ୧୭ ବର୍ଷ ବୟସରେ ରାମତନୁ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ନିମିତ୍ତ ତଦାନୀନ୍ତନ ହିନ୍ଦୁ କଲେଜରେ ପ୍ରବେଶ ଲାଭ କଲେ । ତେତେବେଳେ ଏହି କଲେଜରେ ଡିରୋଜିଓ ନାମକ ଜଣେ ଛାତ୍ରବତ୍ସଳ ସୁଚରିତ୍ର ଅଧ୍ୟାପକ ଥିଲେ । ତାଙ୍କ ନିକଟରେ ଯେଉଁମାନେ ଅଧ୍ୟୟନ କରିଥିଲେ, ସେମାନେ ଧର୍ମନୀତି ଏବଂ ବିଶୁଦ୍ଧ ଜ୍ଞାନରେ ବିଶିଷ୍ଟ ଥିଲେ । ରାମତନୁ ଲାହିଡ଼ୀ ଉକ୍ତ ମହାଶୟଙ୍କର ଜଣେ ପ୍ରଧାନ ଶିଷ୍ୟ ଥିଲେ ।

 

କଲେଜର ଶିକ୍ଷା ସମାପ୍ତ କରି ରାମତନୁ ପ୍ରଥମେ ହିନ୍ଦୁସ୍କୁଲର ଜଣେ ଶିକ୍ଷକର କାର୍ଯ୍ୟରେ ନିଯୁକ୍ତ ହେଲେ । ତାହାଙ୍କ କର୍ମଜୀବନର ଅଧିକାଂଶ ସମୟ ଏହି ଶିକ୍ଷକତା କାର୍ଯ୍ୟରେ ଅତିବାହିତ ହୋଇଥିଲେ । ସେ ବର୍ଦ୍ଧମାନ, ଉତ୍ତରପଡ଼ା, ବରିଶାଲ, କୃଷ୍ଣନଗର ପ୍ରଭୃତି ବିଭିନ୍ନ ଜିଲ୍ଲାର ସ୍କୁଲମାନଙ୍କରେ ପ୍ରଶଂସିତ ଭାବରେ ଶିକ୍ଷକର କାର୍ଯ୍ୟ ପରିଚାଳନା କରିଥିଲେ । ତାଙ୍କର ସାଧୁ ବ୍ୟବହାରରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ସର୍ବଶ୍ରେଣୀର ଲୋକ ସନ୍ତୁଷ୍ଟ ଥିଲେ । ବର୍ଦ୍ଧମାନ ସ୍କୁଲରେ ହେଡ଼ମାଷ୍ଟର ଥିବା ସମୟରେ ଏକଦା ବିଦ୍ୟାଳୟର ଖଣ୍ତିଏ ମାନଚିତ୍ର ହଜିଯାଇଥିଲା । ଖୋଜି ଖୋଜି ନ ମିଳିବାକୁ ସେ ଭୃତ୍ୟ ଉପରେ ସନ୍ଦେହ କରିଥିଲେ; କିନ୍ତୁ ତାହାକୁ କିଛି କହିନଥିଲେ । ଅଳ୍ପଦିନ ପରେ ଦେଖାଗଲା ଉକ୍ତ ମାନଚିତ୍ର ଖଣ୍ତିକ ଆଲମାରିର ଗୋଟଏ ପାଖରେ ପଡ଼ିଅଛି । ରାମତନୁ ଏହା ଦେଖି ଅକାରଣରେ ଭୃତ୍ୟକୁ ମନେ ମନେ ଦୋଷୀ କରିଥିବାରୁ ବଡ଼ କଷ୍ଟ ଅନୁଭବ କଲେ ଏବଂ ସେ ଭୃତ୍ୟକୁ ଡାକି କହିଲେ, ‘‘ତୁମ୍ଭେ ନିର୍ଦୋଷ, ମୁଁ ଅକାରଣରେ ତୁମ୍ଭ ଉପରେ ସନ୍ଦେହ କରିଥିଲି; ବର୍ତ୍ତମାନ ମୋତେ ତୁମ୍ଭେ କ୍ଷମା କର ।’’ ଭୃତ୍ୟ ହେଡ଼ମାଷ୍ଟରଙ୍କଠାରୁ ଏ ପ୍ରକାର କଥା ଶୁଣି ଅବାକ୍‌ । ଏ ପ୍ରକାର ଦୃଷ୍ଟାନ୍ତରୁ ଜଣାଯାଉଅଛି ସେ କିପରି ସରଳ ପ୍ରକୃତିର ଲୋକ ଥିଲେ । ସେ ଯେଉଁଠାକୁ ଯାଉଥିଲେ ଛାତ୍ରମାନଙ୍କର ଚରିତ୍ର ଏବଂ ଧର୍ମନୀତି ପ୍ରତି ବିଶେଷ ଦୃଷ୍ଟି ରଖୁଥିଲେ । ଛାତ୍ରମାନେ କିପରି ସତ୍ୟବାଦୀ ଏବଂ ପରୋପକାରୀ ହେବେ, ଏହା ଭଲକରି ଦେଖୁଥିଲେ ।

 

ବୃଦ୍ଧାବସ୍ଥାରେ ସେ ପେନ୍‌ସନ ପ୍ରାପ୍ତ ହୋଇ ନାନା ସ୍ଥାନରେ କିଛି କିଛି କାଳ ଅବସ୍ଥାନ କରିଥିଲେ । ସେ ସମସ୍ତ ସ୍ଥାନର ଲୋକେ ତାହାଙ୍କ ସଂସର୍ଗରେ ଆପଣାକୁ ଉପକୃତ ମଣୁଥିଲେ । ରାମତନୁଙ୍କ ପ୍ରାୟ ସାଧୁ, ସୁଶୀଳ ଏବଂ ବିନୀତ ବ୍ୟକ୍ତି ବିରଳ ଦେଖାଯାନ୍ତି । ଶୁଦ୍ଧଚରିତ୍ର ଯୋଗୁଁ ସେ ଦୀର୍ଘାୟୁ ହୋଇ ୯୫ ବର୍ଷ ବୟସରେ ସ୍ୱର୍ଗାରୋହଣ କରିଥିଲେ ।

Image

 

ଏକାଗ୍ରତା

 

କୁରୁ ଓ ପାଣ୍ତବମାନଙ୍କର ଗୁରୁ ଦ୍ରୋଣ ଏକଦା ଶିଷ୍ୟମାନଙ୍କୁ ପରୀକ୍ଷା କରିବା ନିମିତ୍ତ କୌଣସି ତରୁଶାଖାରେ ଗୋଟିଏ କୃତିମ ପକ୍ଷୀ ସ୍ଥାପନ କରି କୁରୁ ଓ ପାଣ୍ତବମାନଙ୍କୁ ଆହ୍ୱାନ କରି କହିଲେ, ‘‘ବୃକ୍ଷୋପରିସ୍ଥ ଉକ୍ତ ପକ୍ଷୀର ଗୋଟଯଏ ଚକ୍ଷୁକୁ ବାଣଦ୍ୱାରା ବିଦ୍ଧ କରିବାକୁ ହେବ । ତୁମ୍ଭେମାନେ କଣ ଦେଖୁଅଛ ?’’
 

ଯୁଧିଷ୍ଠିର କହିଲେ, ‘‘ମୁଁ ବୃକ୍ଷ ଶାଖାପ୍ରଶାଖା ଏବଂ ପକ୍ଷୀ ଦେଖୁଅଛି ।’’ ଏହିପରି ସମସ୍ତେ ଏକପ୍ରକାର ଉତ୍ତର ଦେଲେ; କିନ୍ତୁ ଅର୍ଜ୍ଜୁନ କହିଲେ,‘‘ମୁଁ ଗୋଟିଏ ରକ୍ତବର୍ଣ୍ଣ ଚକ୍ଷୁ ଛଡ଼ା ଆଉ କିଛି ଦେଖୁନାହିଁ । ଦ୍ରୋଣ ଅର୍ଜ୍ଜୁନଙ୍କର ବାକ୍ୟ ଶୁଣି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ, ‘‘ତୁମ୍ଭେ ସେହି ଚକ୍ଷୁକୁ ଲକ୍ଷ୍ୟକରି ବାଣ ବିନ୍ଧ ।’’ ଅର୍ଜ୍ଜୁନ ଗୁରୁଦେବଙ୍କ ଆଜ୍ଞାନୁସାରେ ଶରଦ୍ୱାରା ଲକ୍ଷ୍ୟ ଭେଦକଲେ-

 

ପୃଥିବୀରେ ଯେତେପ୍ରକାର କଳକାରଖାନା, ବାଷ୍ପୀୟ ଶକଟ, ବାଷ୍ପୀୟ ପୋତ, ତଡ଼ିତ୍‌ଚାଳିତ ଶକଟ, ତଡ଼ତ୍‌ ଆଲୋକ, ତଡ଼ିତ୍‌ ସଂବାଦ, ତଡ଼ିତ୍‌ ବ୍ୟଜନ, ଉଜ୍ଜ୍ୱଳ ଗ୍ୟାସ, ଆଲୋକ ପ୍ରଭୃତି ଆଶ୍ଚର୍ଯ୍ୟଜନକ ବ୍ୟାପାର ଦେଖୁଅଛ ବା ଶୁଣୁଅଛ ବା ଶୁଣୁଅଛି, ତ୍ତେସମୁଦାୟ ଅଧ୍ୟବସାୟ ଓ ଏକାଗ୍ରତାର ଫଳ ।

Image

 

ଅଧ୍ୟବସାୟ

 

କୌଣସି କାର୍ଯ୍ୟରେ ସିଦ୍ଧିଲାଭ କରିବାପାଇଁ ପୁନଃ ପୁନଃ ଯେଉଁ ଦୃଢ ଚେଷ୍ଟା କରାଯାଏ ତାହାକୁ ଅଧ୍ୟବସାୟ କହନ୍ତି ଏବଂ ଅନ୍ୟମନସ୍କ ନ ହୋଇ କୌଣସି କାର୍ଯ୍ୟରେ ଯେଉଁ ଅଭିନିବେଶ ବା ମନୋହୋଗ କରାଯାଏ, ତାହାକୁ ଏକାଗ୍ରତା କହନ୍ତି ।

 

ଅଧ୍ୟବସାୟ ଓ ଏକାଗ୍ରତା ବିନା କି ଶିଳ୍ପବାଣିଜ୍ୟ, କି ବିଦ୍ୟୋପାର୍ଜ୍ଜନ କୌଣସି କାର୍ଯ୍ୟ ସାଧିତ ହୋଇ ନ ପାରେ ।

 

ବହୁବର୍ଷ ପୂର୍ବେ ପାଶ୍ଚାତ୍‌ ପ୍ରଦେଶରେ ପଲିସି ନାମକ ଏକ ଦରିଦ୍ର ବ୍ୟକ୍ତି ମୃତ୍ତିକାଖନନ କରୁ କରୁ ଏକପ୍ରକାର ସୁନ୍ଦର ପୁଟଦିଆ ଗୋଟିଏ ଭଗ୍ନପାତ୍ର ପାଇ ବିଚାରିଲେ, ‘‘ବର୍ତ୍ତମାନ ଏପରି ସୁନ୍ଦର ପୁଟ ପ୍ରସ୍ତୁତ ହେବାର ଦେଖାଯାଏ ନାହିଁ । ମୁଁ ଯଦି କୌଣସି ପ୍ରକାରେ ଏ ଧାତୁ ପ୍ରସ୍ତୁତ କରିପାରେ, ତାହାହେଲେ ବହୁ ଅର୍ଥ ଉପାର୍ଜ୍ଜନ କରିପାରିବି ।’’

 

ଏହା ଭାବି ପଲିସି ନାନାବିଧ ମସଲା ସଂଯୋଗ କରି ଅଗ୍ନିରେ ତରଳ କରି ସେହି ପୁଟ ପ୍ରସ୍ତୁତ କରିବାକୁ ଚେଷ୍ଟା କଲେ; ଥରେ, ଦୁଇଥର, ତିନିଥର ଏହି ରୂପେ ଶତ ଶତ ବାର ଚେଷ୍ଟା କରି ବିଫଳ ମନୋରଥ ହେଲେ । କିନ୍ତୁ ପଲିସି ତହିଁରେ ନିହୁତ୍ସାହ ନ ହୋଇ ନିତ୍ୟ ନୂତନ ମସଲା ସଂଯୋଗ କରି ପୁନଃ ପୁନଃ ଚେଷ୍ଟାକଲେ । ସେ ଅର୍ଥାଗମର ଅନ୍ୟ କୌଣସି ଉପାୟ ଅବଲମ୍ବନ ନ କରିବାକୁ ତାଙ୍କ ସ୍ତ୍ରୀ ପୁତ୍ର ଅନାହାରରେ କଷ୍ଟ ପାଇବାକୁ ଲାଗିଲେ । କ୍ରମେ ନିତାନ୍ତ ନିଃସ୍ୱ ହୋଇ ଗୃହ ସୁଦ୍ଧା ବିକ୍ରୟ କଲେ । ତଥାପି ଉକ୍ତ ପୁଟ ପ୍ରସ୍ତୁତ କରିବା ଚେଷ୍ଟାରୁ ନିବୃତ୍ତ ହେଲେ ନାହିଁ ।

 

ଶେଷରେ ପଲିସି ଦିନେ ଦେଖିଲେ ଯେ, ଅଗ୍ନିମଧ୍ୟସ୍ଥ ମସଲା ତରଳ ହୋଇ ଆକାଙ୍‌କ୍ଷିତ ପୁଟ ପରି ଦିଶୁଅଛି, ଆଉ କିଛିକ୍ଷଣ ଜାଳ ଦେଲେ କଠିନ ଧାତବ ଲେପରେ ପରିଣତ ହୋଇପାରେ । କିନ୍ତୁ ଜାଳପାଇଁ କାଷ୍ଠ ନାହିଁ କିମ୍ବା କ୍ରୟ କରିବାକୁ ଘରେ ଏକ କପର୍ଦ୍ଦକ ନାହିଁ । ପଲିସି ଉପାୟାନ୍ତର ନ ଦେଖି ଗୃହର ଟେବୁଲ ଜୌକି ସମୁଦାୟ ଚିରି ତାହାକୁ ଜାଳିଲେ । ପଲିସି ବାତୁଳ ହୋଇଗଲେଣି ଭାବି ତାଙ୍କା ସ୍ତ୍ରୀ ଭୟବିହ୍ୱଳ ହୋଇ ପତିଙ୍କୁ କିଛି କହିପାରିଲେ ନାହିଁ । ପରେ ସେ ଅଗ୍ନି ମଧ୍ୟରୁ ସୁନ୍ଦର ଉଜ୍ଜ୍ୱଳ ପୁଟ ବା ଧାତବ ଲେପ ବାହାରିଲା । ଏହା ଅଧ୍ୟବସାୟର ଫଳ । ପଲିସି ତଦ୍ଦ୍ୱାରା ବହୁ ଅର୍ଥ ଉପାର୍ଜନ କରି ଧନୀ ହେଲେ ।

Image

 

ଈଶ୍ୱରଚନ୍ଦ୍ର ବିଦ୍ୟାସାଗର

 

ଲୋକ ମନେ କରନ୍ତି ଯେ, ସେହି ବଡ଼ଲୋକ, ଯାହାର ବହୁଧନ, କୋଠାବାଡ଼ି, ଯାନବାହନ ଏବଂ ବହୁ ଆଜ୍ଞାକାରୀ ଭୃତ୍ୟ ଅଛନ୍ତି; କିନ୍ତୁ ପ୍ରକୃତ ବଡ଼ଲୋକ ସେହି, ଯେ ନିଜର ଜ୍ଞାନ, ସାଧୁଚରିତ୍ର ଓ ସଦ୍‌ଗୁଣଦ୍ୱାରା ପୃଥିବୀର ହିତସାଧନ କରେ । ତାହାର ଟଙ୍କା–କଉଡ଼ି, କୋଠାବାଡ଼ି, ଗାଡ଼ି-ଘୋଡ଼ା ଏବଂ ଦାସଦାସୀ ନଥିଲେ ସୁଦ୍ଧା, ସେ ଅତି ଦରିଦ୍ର ହୋଇଥିଲେହଁ ସେ ପ୍ରକୃତ ବଡ଼ଲୋକ । ସେ ପୃଥିବୀର ଅଳଙ୍କାର ସ୍ୱରୂପ, ସେ ମନୁଷ୍ୟ ହୋଇ ସୁଦ୍ଧା ଦେବତାତୁଲ୍ୟ ଭକ୍ତିଭଜନ । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସେହିଭଳି ବଡ଼ଲୋକ । ଈଶ୍ୱରଚନ୍ଦ୍ର ଜଣେ ଦରିଦ୍ର ବ୍ରାହ୍ମଣର ଗୃହରେ ଗୋଟିଏ କ୍ଷୁଦ୍ର କୁଟୀରରେ ଜନ୍ମଗ୍ରହଣ କରିଥିଲେ । ମେଦିନୀପୁର ଜିଲ୍ଲାରେ ଅନ୍ତର୍ଗତ ବୀରସିଂହ ଗ୍ରାବରେ ଖ୍ରୀଷ୍ଟାବ୍ଦ ୧୮୨୦ ସାଲରେ ତାହାଙ୍କର ଜନ୍ମ ହୋଇଥିଲେ। ଶୈଶବକାଳରେ ସେ ବଡ଼ ଚଞ୍ଚଳ ଓ ଅମାନିଆ ଥିଲେ; କିନ୍ତୁ ତାଙ୍କର ବୁଦ୍ଧି ଓ ସ୍ମରଣଶକ୍ତି ଯେ ଅସାଧାରଣ ଥିଲା ତାହା ସେହି ସମୟରୁ ଜଣାପଡ଼ିଥିଲେ । ସେ ପାଞ୍ଚବର୍ଷ ବୟସରେ ବିଦ୍ୟାରମ୍ଭ କରି, ଦୁଇ-ତିନି ବର୍ଷ ମଧ୍ୟରେ ପାଠଶାଳାରେ ଯେଉଁସବୁ ବିଷୟର ଶିକ୍ଷା ହୁଏ, ସେସବୁ ଶିଖି ପକାଇଲେ । ଏହି ସମୟରେ ତାଙ୍କ ପିତା ଠାକୁର ଦାସ ବନ୍ଦୋପାଧ୍ୟାୟ କଲିକତା ନଗରୀରେ ଦଶ ଟଙ୍କା ବେତନରେ କାର୍ଯ୍ୟ କରୁଥିଲେ । ଗ୍ରାମ୍ୟ ପାଠଶାଳାର ଶିକ୍ଷକ ତାଙ୍କୁ ଦିନେ କହିଲେ, ‘‘ଆପଣଙ୍କ ପୁତ୍ରର ପାଠଶାଳା ଶିକ୍ଷା ଶେଷ ହୋଇଅଛି । ସେ ବଡ଼ ବୁଦ୍ଧିମାନ୍‌ ଓ ମେଧାବୀ । ତାହାକୁ କଲିକତାରେ ଇଂରାଜୀ ଶିଖାଉନ୍ତୁ ।’’ ଠାକୁରଦାସ ତାଙ୍କର ଆୟ ୧୦ଟଙ୍କା ମଧ୍ୟରୁ ୫ଟଙ୍କା ଗ୍ରାମକୁ ଘାରଖରଚ ପାଇଁ ପଠାଇ ଅବଶିଷ୍ଟ ୫ ଟଙ୍କାରେ ପିତା ପୁତ୍ର ଉଭୟେ ଚଳିବେ, ଏହା ବିଚାର କରି ପୁତ୍ରକୁ ସଂଗରେ ନେଇ କଲିକତା ଯାତ୍ରା କଲେ ।

 

ସେତେବେଳେ ଈଶ୍ୱରଚନ୍ଦ୍ରଙ୍କ ବୟସ ପ୍ରାୟ ୯ବର୍ଷ । ପିତା ତାଙ୍କୁ କଲିକତା ସଂସ୍କୃତ କଲେଜ ନାମକ ସଂସ୍କୃତ ଶିକ୍ଷାର ବଡ଼ ବିଦ୍ୟାଳୟରେ ସଂସ୍କୃତ ବ୍ୟାକରଣ ଶିକ୍ଷାର ତଳ ଶ୍ରେଣୀରେ ବସାଇ ଦେଇ ଆସିଲେ । ଈଶ୍ୱରଚନ୍ଦ୍ର ଅଳ୍ପକେଳ ମଧ୍ୟରେ ପରୀକ୍ଷାରେ ପ୍ରଥମ ସ୍ଥାନ ଲାଭକରି ୫ ଟଙ୍କାର ମାସିକ ବୃତ୍ତି ପାଇଲେ । କଲିକତାରେ ସେ ଯେଉଁ ଘରେ ଥିଲେ ତାହା ଗୋଟିଏ ଅତି କ୍ଷୁଦ୍ର କୁଟୀର । ବିଦ୍ୟାଶିକ୍ଷା କରିବାକୁ ଆସି ସେହିଠାରେ ନାନା ଦୁଃଖକ୍ଳେଶ ମଧ୍ୟରେ ତାହାଙ୍କୁ ବାଲ୍ୟକାଳ ଯାପନ କରିବାକୁ ହୋଇଥିଲା । ନବମ ବର୍ଷ ଦିନୁ ତାହାଙ୍କୁ ରାନ୍ଧିବା, ବାସନ ଧୋଇବା, ପରିବା କାଟିବା, ଘର ଝାଡ଼ିବା ପ୍ରଭୃତି ସମସ୍ତ କାର୍ଯ୍ୟ କରିବାକୁ ହେଉଥିଲା । ତାଙ୍କ ପଢାଶୁଣା ପ୍ରତି ପିତାଙ୍କର ବିଶେଷ ଦୃଷ୍ଟି ଥିଲା । ସେ ପ୍ରତିଦିନ ଏକ ପ୍ରହର ରାତ୍ର ସମୟରେ କାର୍ଯ୍ୟ ସ୍ଥାନରୁ ଫେରିଆସି ପୁତ୍ରଠାରୁ ସେ ଦିନର ସମଗ୍ର ପଢା ନେଉଥିଲେ । ସମୁଦାୟ ପାଠ ଘୋଷି ଓ ପଇଟାଇ ପିତାଙ୍କ ନିକଟରେ ପ୍ରତିଦିନ ପୁତ୍ରକୁ ପାଠର ଆବୃତ୍ତି କରିବାକୁ ହେଉଥିଲା । ଆବୃତ୍ତି କରିବାରେ ଟିକିଏ ଭୁଲ ହେଲେ, କିମ୍ବା ପଢୁ ପଢୁ ଶୋଇ ପଡ଼ିଲେ ପିତା ପୁତ୍ରକୁ ପ୍ରହାର ଦ୍ୱାରା ଶାସନ କରୁଥିଲେ ଏବଂ ପାହାନ୍ତି ରାତ୍ରି ସମୟରେ ପୁତ୍ରକୁ ଉଠାଇ ସଂସ୍କୃତ ଶ୍ଲୋକ ଶିଖାଉଥିଲେ । ଏହିପରି କଠୋର ଶାସନରେ ଈଶ୍ୱରଚନ୍ଦ୍ର କ୍ରମେ କ୍ରମେ ବିଦ୍ୟାର୍ଜ୍ଜନ କରିବାକୁ ଲାଗିଲେ । ବ୍ୟାକରଣ ଶ୍ରେଣୀରୁ କାବ୍ୟ ଶ୍ରେଣୀକୁ, କାବ୍ୟ ଶ୍ରେଣୀରୁ ଅଳଂକାର ଶାସ୍ତ୍ରର ଶ୍ରେଣୀକୁ, ଅଳଂକାର ଶ୍ରେଣୀରୁ ସ୍ମୃତି, ନ୍ୟାୟ, ବେଦାନ୍ତ ପ୍ରଭୃତି କଠିନ ଶାସ୍ତ୍ରଶିକ୍ଷାର ଶ୍ରେଣୀକୁ ଉତ୍ତୀର୍ଣ୍ଣହୋଇ ସେ ସବୁ ଶ୍ରେଣରେ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚତର ବୃତ୍ତି ଓ ପୁରସ୍କାରମାନ ପାଇବାକୁ ଲାଗିଲେ । ପିତା ପୁତ୍ର ଦ୍ୱୟଙ୍କର ବିବାହ ଯୋଗୁଁ ଋଣଗ୍ରସ୍ତ ହୋଇଥିବାରୁ ଈଶ୍ୱରଚନ୍ଦ୍ରଙ୍କ ଅର୍ଜ୍ଜିତ ବୃତ୍ତି ଓ ପୁରସ୍କାର ଟଙ୍କା ଋଣ ପରିଶୋଧ କରିବାରେ ବ୍ୟୟିତ ହୋଇ ଯାଉଥିଲା । ତେଣୁ ତାଙ୍କ ଖାଇବାର ବ୍ୟବସ୍ଥା ପୂର୍ବପରି କଷ୍ଟକର ରହିଥିଲା । ଈଶ୍ୱରଚନ୍ଦ୍ର ଏହିପରି ବାଲ୍ୟ ଓ ଯୌବନରେ ବହୁ ଦୁଃଖକ୍ଳେଶ ସହି ପ୍ରଫୁଲ୍ଲ ଚିତ୍ତରେ ବାସଗୃହର ସବୁ କାର୍ଯ୍ୟ ନିଜ ହସ୍ତରେ କରି ଏବଂ ପ୍ରଗାଢ ପରିଶ୍ରମ ସହକାରେ କଠିନ ଶାସ୍ତ୍ରମାନ ଆୟତ୍ତ ଏବଂ ବ୍ୟାକରଣ କାବ୍ୟ ପ୍ରଭୃତି ସବୁ ବିଷୟରେ ଅସାଧାରଣ ପାଣ୍ତିତ୍ୟ ଲାଭକରି କଲେଜର ଶେଷ ପରୀକ୍ଷାରେ ବହୁ ପ୍ରଶଂସା ସହିତ ଉତ୍ତୀର୍ଣ୍ଣ ହୋଇ ‘ବିଦ୍ୟାସାଗର’ ଉପାଧିରେ ଭୂଷିତ ହେଲେ ଏବଂ‘ ଫୋର୍ଟ ଉଇଲିୟମ୍‌ କଲେଜ ’ ର ପ୍ରଧାନ ପଣ୍ତିତ ପଦରେ ନିଯୁକ୍ତ ହେଲେ । ସେତେବେଳେ ତାହାଙ୍କର ବୟସ ୨୧ ବର୍ଷ । ଶେଷୋକ୍ତ ବିଦ୍ୟାଳୟରେ କାର୍ଯ୍ୟ କରିବା ସମୟରେ ସେ ବୁଝିପାରିଲେ ଯେ, ତାଙ୍କର ଇଂରାଜୀଶିକ୍ଷା କରିବା ଆବଶ୍ୟକ । ସେ ବେଶି ବୟସରେ ଇଂରାଜୀଶିକ୍ଷା ଆରମ୍ଭ କରିତ ଏପରି ମନୋଯୋଗ ଓ ଯତ୍ନ ସହିତ ଇଂରାଜୀ ଅଧ୍ୟୟନ କରିବାକୁ ଲାଗିଲେ ଯେ, ଦୁଇ ତିନିବର୍ଷ ବଧ୍ୟରେ ସେ ଇଂରାଜୀ ଭାଷାରେ ନିପୁଣତା ଲାଭ କରିପାରିଥିଲେ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ନିଜ କର୍ତ୍ତବ୍ୟ ସାଧନରେ ଯେପରି ନିପୁଣ, ସେହିପରି ପରିଶ୍ରମୀ ଥିଲେ । ସମସ୍ତେ ତାହାଙ୍କର କାର୍ଯ୍ୟର ପ୍ରଶଂସା କରିବାକୁ ଲାଗିଲେ ଏବଂ ସେ କ୍ରମେ କ୍ରମେ ଉଚ୍ଚିର ପଦମାନଙ୍କରେ ପ୍ରତିଷ୍ଠିତ ହେବାକୁ ଲାଗିଲେ । ସେ ଶେଷରେ ସଂସ୍କୃତ କଲେଜର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇ ସେହି ବିଦ୍ୟାଳୟର ବିବିଧ ଉନ୍ନତି ସାଧନ କଲେ ଏବଂ କେତେକ ଜିଲ୍ଳାର ବିଦ୍ୟାଳୟମାନ ପରିଦର୍ଶନ କରିବାର ଭାରପ୍ରାପ୍ତ ହୋଇ ବାଳକ ଓ ବାଳିକାମାନଙ୍କ ଶିକ୍ଷା ନିମିତ୍ତ ଅନେକ ନୂତନ ବିଦ୍ୟାଳୟ ସ୍ଥାପନ କରାଇଲେ । ୧୮୫୮ ସାଲରେ ସହକାରୀ ଶିକ୍ଷାବିଭାଗର ଡିରେକ୍‌ଟର ସାହେବଙ୍କ ସଙ୍ଗେ ବିଦ୍ୟସାଗରଙ୍କର ମତବିରୋଧ ଘଟିଥିଲା । ବିଦ୍ୟାସାଗର ଅଧୀନ କର୍ମଚାରୀ ଥିବାରୁ ସାହେବ ତାଙ୍କୁ ନାନା ଆଦେଶ ଦେଉଥିଲେ; କିନ୍ତୁ ସେ କେତେକ ଆଦେଶକୁ ଅସମ୍ମତ ହେଲେ ଏବଂ ତାଙ୍କ ପଦର ସମ୍ମାନ ରକ୍ଷା କରିବା ଉଚିତ ମଣି ପାଞ୍ଚଶତ ଟଙ୍କା ବେତନର ଉଚ୍ଚପଦ ତ୍ୟାଗ କଲେ । ଅନେକ ସେହେବ ଓ ପ୍ରସିଦ୍ଧ ଦେଶୀୟ ଲୋକ ତାହାଙ୍କୁ ଏପରି ଉଚ୍ଚପଦ ପରିତ୍ୟାଗ କରିବାକୁ ନିଷେଧ କରିଥିଲେ; କିନ୍ତୁ ସେ ଉତ୍ତର କଲେ, ‘‘ମୁଁ ପବିତ୍ର ଆତ୍ମମର୍ଯ୍ୟାଦାକୁ ଧନ ଓ ସାଂସାରିକ ମାନ ମର୍ଯ୍ୟାଦା ଅପେକ୍ଷା ଅଧିକ ମଣେ ।’’

 

ବିଦ୍ୟାସାଗର ସଂସ୍କୃତ ଶିକ୍ଷାର ପଥକୁ ସୁଗମ କରିବ ନିମିତ୍ତ ଏବଂ ବଙ୍ଗଳା ଭାଷାର ସାହିତ୍ୟର ଉନ୍ନତି ନିମିତ୍ତ ଅନେକଗୁଡ଼ିଏ ଗ୍ରନ୍ଥ ପ୍ରଣୟନ କରିଥିଲେ । ଉପକ୍ରମଣିକା ବ୍ୟାକରଣ, ବ୍ୟାକରଣ କୌମୁଦୀ, ଶକୁନ୍ତଳା ଉପାଖ୍ୟାନ, ସୀତାର ବନବାସ, ବେତାଳ ପଞ୍ଚବିଂଶତି, ବୋଧୋଦୟ, ବର୍ଣ୍ଣପରିଚୟ ପ୍ରଭୃତି ଅନେକ ଗ୍ରନ୍ଥ ସାଦରେ ଲୋକସମାଜରେ ଗୃହୀତ ଓ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ହୋଇଥିଲା ଏବଂ ଏହି ସବୁ ପୁସ୍ତକରୁ ତାଙ୍କର ପ୍ରାୟ ୫୦,୦୦୦ ଟଙ୍କା ବାର୍ଷିକ ଆୟ ହେଉଥିଲା ।

 

ବିଦ୍ୟାସାଗର ମହାପଣ୍ତିତ, ମହାକର୍ମୀ ଏବଂ ସଦା ପରୋପକାରୀ ମହାତ୍ମା ଥିଲେ । ପର ଦୁଃଖ ମୋଚନ ତାଙ୍କ ଜୀବନର ପରମବ୍ରତ ଥିଲା । ଶତ ଶତ ଦରିଦ୍ର ପରିବାରକୁ ଅନ୍ନ ବସ୍ତ୍ର ଦାନ ଓ ଅର୍ଥଦାନ, ଦୁର୍ଭିକ୍ଷପୀଡ଼ିତ ଅସହାୟ ଲୋକମାନଙ୍କ ପାଇଁ ଅନ୍ନଚ୍ଛତ୍ର ପ୍ରତିଷ୍ଠା, ଶତ ଶତ ଦରିଦ୍ର ଛାତ୍ରମାନଙ୍କୁ ସାହାର୍ଯ୍ୟ ଦାନ, ରୋଗୀର ସେବା, ବିପନ୍ନ ଲୋକର ଉଦ୍ଧାର, ଏହିପ୍ରକାର ଅଜସ୍ର ଦାନ ଦ୍ୱାରା ବିଦ୍ୟାସାଗର ଦୟାର ଅବତାର ଓ ଦୟାର ସାଗର ବୋଲି ବିଖ୍ୟାତ ହୋଇଥିଲେ । ପରର ଦୁଃଖ ଦେଖିଲାକ୍ଷଣି ତାଙ୍କର ହୃଦୟ ବିଗଳିତ ହେଉଥିଲା ଏବଂ ତାଙ୍କ ନୟନରୁ ଅଶ୍ରୁଧାରା ପ୍ରବାହିତ ହେଉଥିଲା । ହିନ୍ଦୁ ବାଳ-ବିଧବାମାନଙ୍କର ଦୁଃଖରେ ତାହାଙ୍କର ପ୍ରାଣ ଗଭୀର ବେଦନାରେ ବ୍ୟଥିତ ହୋଇଥିଲା ଏବଂ ସେମାନଙ୍କ ଦୁଃଖ ନିବାରଣ କରିବା ପାଇଁ ସେ ହିନ୍ଦୁ ଶାସ୍ତ୍ରର ବିଧାନ ଅନୁସାରେ ବାଳ-ବିଧବାର ପୁନର୍ବିବାହ ହୋଇପାରେ, ଏହା ପ୍ରମାଣ କରି ସମଗ୍ର ଭାରତବର୍ଷରେ ମହାକୀର୍ତ୍ତି ରଖିଯାଇଛନ୍ତି । ବିଧବା-ବିବାହ ପ୍ରଚଳିତ କରାଇ ସେ ଯେ କେତେ କଷ୍ଟ, ଅପମାନ ଓ ଲୋକନିନ୍ଦା ସହିଥିଲେ ତାହା କହି ହେବ ନାହିଁ । କିନ୍ତୁ ସବୁ କ୍ଲେଶ ଓ ଭୟ ମଧ୍ୟରେ ସେ ବୀରୋଚିତ ଧୌର୍ଯ୍ୟ ସହକାରେ ନିଜର କର୍ତ୍ତବ୍ୟ ସାଧନ କରିଥିଲେ ।

 

ବିଦ୍ୟାସାଗର ଯେପରି ମହାଦୟାଳୁ ମହାତ୍ମା ଥିଲେ, ସେହିପରି ସେ ପ୍ରକୃତ ସ୍ୱଦେଶହିତୈଷୀ ଓ ସ୍ୱଦେଶ ହିତସାଧକ ଥିଲେ । ଦେଶୀୟମାନଙ୍କ ମଧ୍ୟରେ ସେ ସର୍ବପ୍ରଥମେ କଲିକତା ମହାନଗରୀରେ ନିଜ ଯତ୍ନରେ ଇଂରାଜୀ କଲେଜ ସ୍ଥାପନ କରିଥିଲେ । ପରେ ତାଙ୍କର ଦୃଷ୍ଟାନ୍ତ ଅନୁସରଣ କରି କେତେକ ଦେଶହିତୈଷୀ ଦେଶୀୟ କଲେଜ ସ୍ଥାପନ କରିଅଛନ୍ତି । ଏହାଛଡ଼ା ବିଦ୍ୟାସାଗର ଅନେକ ବାଳକ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା କରାଇଥିଲେ ଏବଂ ନିଜ ଜନ୍ମ ଗ୍ରାମରେ ଦାତବ୍ୟ-ଚିକିତ୍ସାଳୟ ସ୍ଥାପନ କରିଥିଲେ ।

 

ଈଶ୍ୱରଚନ୍ଦ୍ରଙ୍କର ପିତାମହ ଓ ପିତା ଦରିଦ୍ର ଥିଲେହେଁ, ସେମାନେ ସଚ୍ଚରିତ୍ର ଓ ତେଜସ୍ୱୀ ପୁରୁଷ ଥିଲେ । ତାଙ୍କର ଜନନୀ ଜନନୀ ଭଗବତୀ ଦେବୀ ଯେପରି ପୁଣ୍ୟବତୀ ଓ ତେଜସ୍ୱିନୀ, ସେହିପରି ଦୟାବତୀ ଓ ପରୋପକାରିଣୀ ଥିଲେ । କାହାରି ଦୁଃଖ କ୍ଳେଶ ଦେଖିଲେ ତାଙ୍କର ହୃଦୟ ଦ୍ରବୀଭୂତ ହେଉଥିଲା । ତାଙ୍କରି ଆଦେଶ ଅନୁସାରେ ବିଦ୍ୟାସାଗର ବାଳବିଧବାମାନଙ୍କର ବିବାହ ନିମିତ୍ତ ଏତେ ଯତ୍ନ କରିଥିଲେ । ଈଶ୍ୱରଚନ୍ଦ୍ର ପିତାମାତାଙ୍କର ପରମ ଭକ୍ତ ଥିଲେ । ସେ ବାରମ୍ବାର କହିଅଛନ୍ତି, ମୁଁ ଜନକ ଜନନୀ ରୂପ ଦେବଦେବୀଙ୍କର ଭକ୍ତ ଓ ସେବକ । ସେମାନଙ୍କର ଚରଣପୂଜା ମୋର ପରମ ଧର୍ମ ।

 

ବିଦ୍ୟାସାଗର ୭୦ ବର୍ଷ ବୟସରେ ୧୮୯୧ ଖ୍ରୀଷ୍ଟାବ୍ଦ, ଜୁଲାଇ ମାସ ୨୯ ତାରିଖରେ ପରଲୋକ ଗମନ କଲେ ।

Image

 

ପିତୃଭକ୍ତି

 

ମିବାରର ରାଣା ରାଜସିଂହଙ୍କର ଭୀମସିଂହ ଓ ଜୟସିଂହ ନାମକ ଦୁଇ ପୁତ୍ର ଥିଲେ । ଦୁହିଁଙ୍କ ମଧ୍ୟରେ ଜୟସିଂହ କନିଷ୍ଠ ପୁତ୍ରକୁ ଅଧିକ ସ୍ନେହ କରୁଥିଲେ ଏବଂ ତାଙ୍କୁ ରାଜ୍ୟଭାର ଦେବେ ବୋଲି ସ୍ଥିର କରି ତାଙ୍କୁ ରାଜପଦରେ ଅଭିଷିକ୍ତ କରିବାପାଇଁ ଆୟୋଜନ କରିବାକୁ ଲାଗିଲେ ।

 

ସେହି ଆୟୋଜନ ସମ୍ବାଦ ପାଇ ଦିନେ ସନ୍ଧ୍ୟା ସମୟରେ ରାଣା ତାହାଙ୍କର ପ୍ରଶସ୍ତ ବିଶ୍ରାମ କକ୍ଷରେ ଏକାକୀ ଶୟନ କରି ଜୟସିଂହଙ୍କର ଅଭିଷେକୋତ୍ସବ ବିଷୟ ଚିନ୍ତା କରୁଅଛନ୍ତି, ଏପରି ସମୟରେ ଭୀମସିଂହଙ୍କର ମାତା ରାଣୀ କମଳକୁମାରୀ ଆସି ତାଙ୍କ ସମ୍ମୁଖରେ ଦଣ୍ତାୟମାନ ହେଲେ । ରାଣା ମହିଷୀଙ୍କୁ ତାଙ୍କୁ ପାର୍ଶ୍ୱରେ ବସିବାକୁ ବନୁରୋଧ କଲେ । ମହିଷୀ ଉପବେଶନ କଲାଉତ୍ତାରୁ ରାଣା ପଚାରିଲେ, ‘‘ଆଜି ଏତେବେଳେ କି ଅଭିପ୍ରାୟରେ ଆସିଲ ?’’ ମହିଷୀ କହିଲେ, ‘‘ମହାରାଜ, ଗୋଟିଏ କଥା ପଚାରିବାକୁ ଆସିଅଛି । ଯେଉଁ ଜନରବ ଉଠିଅଛି, ତାହା କି ସତ୍ୟ ?’’

 

ରାଣା- ‘‘କି ଜନରବ ?’’

 

ମହିଷୀ କହିଲେ, ‘‘ଶୁଣୁଅଛି, ତୁମ୍ଭେ ଥାଉଁ ଥାଉଁ ତୁମ୍ଭର ସିଂହାସନ ଜୟସିଂହ ଅଧିକାର କରିବ, ଏ କଥା କଣ ସତ୍ୟ ?’’

 

ରାଣା- ‘‘ଜନରବଟି ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଜୟସିଂହ ସିଂହାସନ ଅଧିକାର କରିବ ନାହିଁ; ମୋର ସିଂହାସନ ମୁଁ ତାକୁ ଦାନ କରିବି ।’’

 

ମହିଷୀ- ‘‘ତୁମ୍ଭେ ଥାଉଁ ଥାଉଁ ତୁମ୍ଭର ପୁତ୍ର ତୁମ୍ଭର ପ୍ରଭୁ ହେବ ?’’

 

ରାଣା କହିଲେ, ‘‘ମୁଁ ଥାଉଁ ଥାଉଁ ରାଜ୍ୟର ଗୋଟିଏ ବନ୍ଦୋବସ୍ତ କରି ନ ଗଲେ ଶେଷରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହୋଇ ରାଜ୍ୟର ଅନିଷ୍ଟ ଘଟିବ ।’’

 

ମହିଷୀ- ‘‘କିନ୍ତୁ ମୁଁ ଦେଖୁଅଛି, ତୁମ୍ଭର ଏହି କାର୍ଯ୍ୟହିଁ ଦୁଇ ଭାଇଙ୍କ ମଧ୍ୟରେ ବିବାଦର ମୂଳକାରଣ ହେବ; ତୁମ୍ଭେ ରାଜ୍ୟରକ୍ଷା କରିବାକୁ ଯାଇ ରାଜ୍ୟ ଛାରଖାର କରିବାକୁ ବସିଅଛି । ଯଦି ପୁତ୍ରକୁ ରାଜ୍ୟଭାର ଦେବା ଉଚିତ ମନେ କରୁଅଛ, ତା ହେଲେ ଜ୍ୟେଷ୍ଠପୁତ୍ରକୁ ନ ଦେଇ କନିଷ୍ଠକୁ ଦେବାପାଇଁ କିପରି ସ୍ଥିର କଲ ?’’

 

ରାଣା ବିରକ୍ତହୋଇ କହିଲେ ‘‘ଭୀମସିଂହ ଓ ଜୟସିଂହ ଏତେ ଅଳ୍ପ ସମୟର ସାନ ବଡ଼ ଯେ, ସେଥିପାଇଁ ଜ୍ୟେଷ୍ଠ ବୋଲି ଭୀମସିଂହ ରାଜ୍ୟ ଦାବି କରି ନପାରେ । ଦୁହେଁ ଏକ ଦିନରେ ଜନ୍ମଅଛନ୍ତି, ଦୁଇ ଏକ ଦଣ୍ତର ବ୍ୟବଧାନ ମାତ୍ର । ଏପରି ସ୍ଥଳରେ ଯେ ଅଧିକ ଉପଯୁକ୍ତ ସେ ରାଜ୍ୟର ଅଧିକାରୀ ହେବ । ମୁଁ ଜୟସିଂହକୁ ଅଧିକ ଉପଯୁକ୍ତ ମନେକରୁଅଛି ।’’

 

ମହିଷୀ- ‘‘ଏକ ଦଣ୍ତ ତ ଦୂରର କଥା, ଯେ ଏକ ମୁହୂର୍ତ୍ତ ଆଗେ ଜନ୍ମିଥିବ, ସେ ବଡ଼ ବୋଲି ଗଣ୍ୟ ହେବ । ଲବ କୁଶ ଯମଜ କୁଶ ଯମଜ ଭ୍ରାତା, ତେବେ କୁଶ କାହିଁକି ପିତୃରାଜ୍ୟର ଅଧିକାରୀ ହେଲେ ? ମହାରାଜ ! ଜୟସିଂହ କେଉଁ ବିଷୟରେ କିପରି ଭୀମସିଂହ ଅପେକ୍ଷା ଉପଯୁକ୍ତ ? ସଭାସଦ୍‌ମାନେ କାହାର ଚରିତ୍ରମାର୍ଯ୍ୟରେ ମୃଗ୍‌ଧ ? ପ୍ରଜାମାନେ କାହାକୁ ରାଜପଦରେ ବରଣ କରିବାକୁ ଇଚ୍ଛୁକ ? ଜୟସିଂହ କେବଳ ତୁମ୍ଭୀର ପ୍ରିୟପୁତ୍ର ବୋଲି ତୁମ୍ଭେ ଯଦି ଭୀମସିଂହକୁ ରାଜ୍ୟରୁ ବଞ୍ଚିତ କର, ଲୋକେ ତୁମ୍ଭଙ୍କୁ ଅଧର୍ମାଚାରୀ ବୋଲିବେ ।’’

 

ରାଣା- ‘‘ମୋର ରାଜ୍ୟ ମୁଁ ଯାହାକୁ ଇଚ୍ଛା ଦେବି, ସେଥିପାଇଁ ମୁଁ ଲୋକଙ୍କ କଥାକୁ ଭୟ କରେ ନାହିଁ । ଲୋକଙ୍କର ତହିଁରେ କିଛି କହିବାର ଅଧିକାର ନାହିଁ ।’’

 

କଥାଗୁଡ଼ିକ ମହିଷୀଙ୍କର ଅସହ୍ୟ ହେଲା । ସେ ଦଣ୍ତାୟମାନେ ହୋଇ ଉତ୍ତେଜିତ ଭାବରେ କହିଲେ- ‘‘ନା, ମହାରାଜ। ତାହା ମନେ କର ନାହିଁ । ତୁମ୍ଭେ ରାଜା ବୋଲି ଯାହାକୁ ଇଚ୍ଛା ରାଜ୍ୟ ଦେବାର କ୍ଷମତା ତୁମ୍ଭର ନାହିଁ । ରାଜା ହୋଇ ଯେ ନିୟମଭଙ୍ଗ କରେ ସେ ରାଜା ନୁହିଁ; ସ୍ୱେଚ୍ଛାଚାରୀ, ଅଧିର୍ମାଚାରୀ । ତୁମ୍ଭେ ସ୍ୱେଚ୍ଛାଚାରୀ ହୋଇ ଯାହା ଇଚ୍ଛା କର; କିନ୍ତୁ ଜାଣିଥାଅ ଯେ, ତୁମ୍ଭର ଏହି ଅନ୍ୟାୟାଚରଣ ଯୋଗୁଁ ଶତ ସହସ୍ର ନିର୍ଦ୍ଦୋଷ ପ୍ରଜାଙ୍କର ରକ୍ତରେ ଦେଶ ପ୍ଲାବିତ ହୋଇ ଉତ୍ସନ୍ନ ହେବ ଏବଂ ଭ୍ରାତୃହତ୍ୟାର କଳଙ୍କିତ ହେବ । ଯେଉଁ ସୂର୍ଯ୍ୟବଂଶର ରାଜା ଦଶରଥ ସତ୍ୟପାଇଁ ପ୍ରିୟତମ ପୁତ୍ର ରାମଙ୍କୁ ବନବାସ ଦେଇଥିଲେ, ସେହି ସୂର୍ଯ୍ୟବଂଶରେ ତୁମର ଜନ୍ମ, ଏକଥା କି ପାସୋରି ପକାଇଲ ? ଯେତେ କାଳ ଆକାଶରେ ଚନ୍ଦ୍ର ସୂର୍ଯ୍ୟ ଥିବେ, ଅନ୍ୟାୟଦ୍ୱାରା କେହି ନ୍ୟାୟକୁ ବିନାଶ କରି ପାରିବ ନାହିଁ ।’’ ଏହି କଥାଗୁଡିକ କହି ମହିଷୀ ସେ ସ୍ଥାନରୁ ଚାଲିଗଲେ ।

 

ମହିଷୀଙ୍କର ତିରସ୍କାର ରାଣାଙ୍କ ହୃଦୟରେ ବଜ୍ରବତ୍‌ ପ୍ରବେଶ କଲା । ‘‘ଯେଉଁ ବଂଶରେ ଦଶରଥ ସତ୍ୟପାଇଁ, ନ୍ୟାୟପାଇଁ ପ୍ରିୟତମ ପୁତ୍ରକୁ ବନବାସ ଦେଇଥିଲେ, ସେହି ବଂଶରେ ତୁମ୍ଭର ଜନ୍ମ’’ ଏହି କଥା ତାଙ୍କର ହୃଦୟକୁ ଆଲୋଡ଼ିତ କଲା । ରାଣୀ ସମସ୍ତ ରାତ୍ର ଆପଣାର ଅନ୍ୟାୟ ତୀବ୍ରରୂପେ ଅନୁଭବ କଲେ । ପ୍ରଭାତ ହେଲାକ୍ଷଣି ପ୍ରହରୀକୁ କହିଲେ, ‘‘ଯୁବରାଜ ଭୀମସିଂହଙ୍କୁ ଏଠାକୁ ଆସିବାକୁ କହ ।’’ ପ୍ରହରୀ ଆଶ୍ଚର୍ଯ୍ୟାନ୍ୱିତ ହୋଇ ରାଜାଜ୍ଞା ପାଳନକଲା । କାରଣ ଇତିପୂର୍ବେ ସେ ଜୟସିଂହଙ୍କୁ ଯୁବରାଜ ବୋଲି ଜାଣିଥିଲା

 

ପିତା ଡାକୁଛନ୍ତି ଶୁଣି ଭୀମସିଂହ ଭାବିଲେ, ‘‘ଜୟସିଂହଙ୍କୁ ରାଜା କରିବାକୁ ଇଚ୍ଛା କରି ମୋତେ ପୁଣି କାହିଁକି ଡକାଇ ଅଛନ୍ତି ? ଏ ହସ୍ତରେ ଯେତେ ଦିନ ଅସିଧାରଣର କ୍ଷମତା ଥିବ, ତେତେଦିନ ଜୟସିଂହ ସିଂହାସନରେ ବସି ପାରିବ ନାହିଁ, ଏହା ବୋଧହୁଏ ପିତାଙ୍କୁ ଜଣାନାହିଁ । ପିତାଙ୍କର ପକ୍ଷପାତିତା ସ୍ମରଣ କରି ଭୀମନାହିଁ । ପିତାଙ୍କର ପକ୍ଷପାତିତା ସ୍ମରଣ କରି ଭୀମସିଂହ କ୍ରୁଦ୍ଧ ହୋଇ ଉଠିଲେ । କିନ୍ତୁ ସେ ଭାବ ଦମନ କରି ପିତ୍ରାଜ୍ଞା ପାଳନ ନିମନ୍ତେ ପିତୃସଦନକୁ ଗମନ କଲେ । ସେଠାରେ ପିତାଙ୍କର ଚିନ୍ତାକୁଳ ନୟନର ସସ୍ନେହ ଦୃଷ୍ଟି ଦେଖି ନିମେଷ ମଧ୍ୟରେ ଭୀମସିଂହଙ୍କର ହୃଦୟ ଆଶ୍ଚର୍ଯ୍ୟ ରୂପେ ପରିବର୍ତ୍ତିତ ହୋଇଗଲା । ଭୀମସିଂହ ଭକ୍ତିପୂର୍ଣ୍ଣ ଚିତ୍ତରେ ଅଭିବାଦନ କରି ଆହ୍ୱାନର କାରଣ ପଚାରିଲେ । ପୁତ୍ରର ସମ୍ମାନ ରାଣାଙ୍କର ହୃଦୟରେ ଅଧିକତର ଲଜ୍ଜା ଓ ଅନୁତାପ ଆନୟନ କଲା । ସେ ଧୀରେ କହିଲେ, ‘‘ବତ୍ସ, ଭୀମସିଂହ ! ମୁଁ ତୁମ୍ଭପ୍ରତି ଅତ୍ୟନ୍ତ ଅନ୍ୟାୟ କରିଅଛି । ମୋତେ କ୍ଷମା କର ।’’

 

ବୀର ଭୀମସିଂହଙ୍କର ନାତ୍ରରୁ ଅଶ୍ରୁ ବିଗଳିତ ହେଲା । ଏହା ଅଭିମାନାଶ୍ରୁ । ପିତା ତାଙ୍କ ପ୍ରତି ଯେଉଁ ଅନ୍ୟାୟ କରିଅଛନ୍ତି, ସେ ଅନ୍ୟାୟ ଏତେଦିନ ପରେ ବୁଝିପାରି ଅଛନ୍ତି ଏବଂ ଏତେଦିନ ପରେ ବୁଝିପାରି ଅଛନ୍ତି ଏବଂ ଏତେଦିନ ପରେ ତାଙ୍କର ପ୍ରାପ୍ୟସ୍ନେହ ପ୍ରଦାନ କଲେ, ଏହି ଆନନ୍ଦରେ ଭୀମସିଂହଙ୍କର ନୟନ ଅଶ୍ରୁପୂର୍ଣ୍ଣ ହେଲା । ରାଣା କହିଲେ, ‘‘ବତ୍ସ, ତୁମ୍ଭେ କ୍ଷମା କର ବା ନକର ମୁଁ ଏହି ଅପରାଧର ପ୍ରାୟଶ୍ଚିତ୍ତ କରି ପ୍ରଭୂଙ୍କ ନିକଟରେ ଦୋଷମୁକ୍ତ ହେବି । ତୁମ୍ଭେ ମୋର ଜ୍ୟେଷ୍ଠପୁତ୍ର, ତୁମ୍ଭଙ୍କୁ ତୁମ୍ଭର ନ୍ୟାୟ ଅଧିକାର ଦାନ କରିବି । ଯାହା ଜୟସିଂହର ନ୍ୟାଯ୍ୟ ଅଧିକାର ନୁହେଁ, ମୋ ଦୋଷରୁ ସେ ତାହା ପାଇବାର ଆଶା କରିଅଛି । ବର୍ତ୍ତମାନ ସେ ହଠାତ୍‌ ନିରାଶ ହେଲେ ରାଜ୍ୟଲୋଭରେ ଯୁଦ୍ଧ କରି ଘୋର ଅନର୍ଥ ଘଟାଇବ ।’’ ଏହା କହି କୋଷମୁକ୍ତ କୃପାଣ ଭାମସିଂହଙ୍କ ହସ୍ତ ନିକଟରେ ଧରି କହିଲେ, ‘‘ବତ୍ସ ! ନିଅ, ଏହି ଅସି ତାହାର ବକ୍ଷରେ ବିଦ୍ଧ କରି ଆସି । ଜଣକର ରକ୍ତରେ ଶତ ଶତ ବ୍ୟକ୍ତିର ରକ୍ତପାତ ନିବାରିତ ହେଉ । ବତ୍ସ ! ଭୀତ ବା ସଙ୍କୁଚିତ ହୁଅନାହିଁ । କଠୋର କର୍ତ୍ତବ୍ୟ ନିକଟରେ ପିତ ମାତା, ଭାଇ ଭାଗିନୀ, ସ୍ନେହ ମମତା କାହାରି ସ୍ଥାନ ନାହିଁ ।’’

 

ଭୀମସିଂହ ନିସ୍ପନ୍ଦଭାବରେ ଦଣ୍ତୟମାନ ରହିଲେ । ମହାରାଜାଙ୍କ ମନର ଦାରୁଣ ଅବସ୍ଥା ଉତ୍ତମରୂପେ ବୁଝିପାରିଲେ । କର୍ତ୍ତବ୍ୟ ଓ ନ୍ୟାୟ ପାଇଁ ସେ ଆପଣାର ସ୍ନେହର ଧନକୁ ବିସର୍ଜ୍ଜନ କରୁଅଛନ୍ତି, ବୁଝିପାରିଲେ । ଭୀମସିଂହଙ୍କ ହୃଦୟରେ ପିତୃଭକ୍ତି ସହସ୍ର ଗୁଣରେ ବର୍ଦ୍ଧିତ ହେଲା । ଭୀମସିଂହ ବୁଝିପାରିଲେ ରାଣା ଯେଉଁ ଅସି ଜୟସିଂହଙ୍କର ନିଧନ ପାଇଁ ଦେଇଅଛନ୍ତି, ବାସ୍ତବରେ ତାହା ନିଜର ବଧ ପାଇଁ । ରାଜସିଂହ ପୁତ୍ରକୁ ନୀରବ ଦେଖି କହିଲେ, ‘‘ଏ ହତ୍ୟାରେ ପାପ ନାହିଁ । ନ୍ୟାୟର ଜୟ ନିମିତ୍ତ, ଦେଶର ମଙ୍ଗଳ ନିମିତ୍ତ ମୁଁ ଯାହା କରିବାକୁ କହୁଅଛି ତାହା କଲେ ଯଦି ପାପ ହୁଏ, ସେ ପାପ ମୋର ତୁମ୍ଭର ନୁହେ । ଆଦେଶ ଅନୁସାରେ ତାହା ସମ୍ପନ୍ନ କର ।’’

 

ଭୀମସିଂହ ପିତୃହସ୍ତରୁ ଅସି ଘେନି ତାହାଙ୍କର ଚରଣ ତଳେ ରଖି କହିଲେ, ‘‘ଆପଣ ମୋ ପ୍ରତି ଯେଉଁ ଅନ୍ୟାୟ କରିଥିଲେ ତାହାପାଇଁ ଯଥେଷ୍ଟ ପ୍ରାୟଶ୍ଚିତ୍ତ କରିଅଛନ୍ତି । ବର୍ତ୍ତମାନ ମୋର କର୍ତ୍ତବ୍ୟ ପାଳନ କରିବି । ମୋତେ ଆଜି ଯେଉଁ ଅଧିକାର ଦାନ କଲେ, ତାହା ମୁଁ ଜୟସିଂହକୁ ଦାନ କଲି । ଆଜିଠାରୁ ରାଜ୍ୟ ତାହାର । ମୁଁ ଏଠାରେ ଥିଲେ କାଳେ କୌଣସି ସମୟରେ କିଛି ଅନର୍ଥ ଘଟିବ, ଏଥିପାଇଁ ମୁଁ ମିବାର ପରିତ୍ୟାଗ କରି ଚାଲିଯିବି । ଆଜି ଆପଣ ଯେଉଁ ଉଚ୍ଚଶିକ୍ଷା ଦେଇଅଛନ୍ତି, ଯେଉଁ ସ୍ନେହ ଦାନ କରିଅଛନ୍ତି, ସେ ଦୁର୍ଲ୍ଲଭ ସମ୍ପତ୍ତି ହୃଦୟରେ ଘେନି ମୁଁ ଆଜି ଜନ୍ମଭୂମି ପରିତ୍ୟାଗ କରିବି ।’’ ଭୀମସିଂହ ଏହା କହି ପିତୃଚରଣ ସ୍ପର୍ଶ କରି ଏହି ଅଙ୍ଗୀକାର କଲେ । ମହାରାଜ ସ୍ତମ୍ଭିତ ହେଲେ । ସେହି ଦିନ ଭୀମସିଂହ ସ୍ୱହସ୍ତରେ ଜୟସିଂହଙ୍କ ମସ୍ତକରେ ରାଜମୁକୁଟ ଅର୍ପଣ କରି ଚିରକାଳ ନିମିତ୍ତ ରାଜ୍ୟ ପରିତ୍ୟାଗ କରି ଚାଲିଗଲେ ।

Image

 

ପ୍ରଭୁପରାୟଣତା

 

ଏକାଦ ୟୁରୋପର ଅନ୍ତର୍ଗତ ଅଷ୍ଟ୍ରିଆ ଦେଶର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଆପଣାର ସ୍ତ୍ରୀଙ୍କ ସହିତ ଶକଟରେ ବସି ରାଜଧାନୀ ଅଭିମୁଖରେ ଯାତ୍ରାକରୁଥିଲେ । ତାହାଙ୍କ ପଛେ ପଛେ ଜଣେ ଭୃତ୍ୟ ଅଶ୍ୱପୃଷ୍ଟରେ ଆରୋହଣ କରି ଯାଉଥିଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଅରଣ୍ୟପଥରେ ଯାତ୍ରାକରୁଥିବା ସମୟରେ କେତେଗୁଡ଼ିଏ ବ୍ୟାଘ୍ର ଭୀଷଣ ଗର୍ଜନ କରି ତାହାଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଧାବମାନ ହେଲେ । ସମସ୍ତଙ୍କର ପ୍ରାଣହାନିର ଆଶଙ୍କା ଦେଖି ସେ ପ୍ରଭୁଭକ୍ତ ଭୃତ୍ୟଟି ପ୍ରଭୁଙ୍କୁ ଜଣାଇଲେ, ‘‘ଯଦି ଅନୁମତି ଦେବେ, ତାହାହେଲେ ଏ ଅଶ୍ୱଟି ଛାଡ଼ିଦେବି ଏବଂ ମୁଁ ଶକଟର ପୃଷ୍ଠଭାଗରେ ବସିଯିବି । ବ୍ୟାଘ୍ରମାନେ ଅଶ୍ୱକୁ ଆକ୍ରମଣ କରି ହତ୍ୟାକରିବା ସମୟରେ ଦ୍ରୁତବେଗରେ ଶକଟ ଚାଳନ କଲେ ନଗରର ନିକଟବର୍ତ୍ତୀ ହୋଇପାରିବା ।’’ପ୍ରଭୁ ଏଥିରେ ସମ୍ମତ ହେବାରୁ ଭୃତ୍ୟ ସେହିପରି କଲେ । ଅଶ୍ୱଟିକୁ ପ୍ରାପ୍ତ ହେବାମାତ୍ରେ ସେ ହିଂସ୍ରଜନ୍ତଚମାନେ ଭୀଷଣ ଗର୍ଜ୍ଜନ ସହ ଆକ୍ରମଣ କରି ଖଣ୍ତ-ବିଖଣ୍ତ କରି ପକାଇଥିଲେ ଏବଂ ତାହାର ହକ୍ତପାନ କରିସାରି ସେହି ରକ୍ତାକ୍ତ ମୁଖରେ ଅଧିକ କ୍ରୋଧରେ ଶକଟ ଅଭିମୁଖରେ ଧାବମାନ ହେଲେ । ଶକଟ ତେତେବେଳେ ଅନେକ ଦୂର ଅଗ୍ରସର ହୋଇଥିଲେହେଁ ନଗର ନିକଟରେ ପହଞ୍ଚି ପାରି ନ ଥିଲା । ଏପରି ସମୟରେ ବିଷମ ସଙ୍କଟ ଦେଖି ସେ ଭୃତ୍ୟ ପୁଣି ପ୍ରଭୁଙ୍କୁ ଏହି କଥା ଜଣାଇଲେ, ‘‘ଯଦି ମୋହର ସ୍ତ୍ରୀ-ପୁତ୍ରଙ୍କୁ ପାଳନ କରିବାକୁ ଆପଣଙ୍କର ଆପତ୍ତି ନ ଥାଏ, ତାହାହେଲେ ମୁଁ ବ୍ୟାଘ୍ରମାନଙ୍କ ସମ୍ମୁଖକୁ ଯିବି । ସେମାନେ ଯେତେବେଳେ ମୋତେ ଆକ୍ରମଣ କରି ହତ୍ୟାକରିବେ, ସେହି ଅବସରରେ ଆପଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ନିରାପଦରେ ନଗରରେ ଉପସ୍ଥିତ ହୋଇପାରିବେ ।’’ ପ୍ରଭୁ ଏ କଥାରେ ପ୍ରଥମେ ସମ୍ମତି ପ୍ରକାଶ କରୁ ନ ଥିଲେ; କିନ୍ତୁ ଯେତେବେଳେ ଦେଖିଲେ ଯେ, ତାହା ନ କଲେ କାହାରି ପ୍ରାଣ ରକ୍ଷା ହେବ ନାହିଁ, ସେତେବେଳେ ଅତିକଷ୍ଟରେ ଅନିଚ୍ଛାସତ୍ତ୍ୱେ ସମ୍ମତି ଜଣାଇଲେ । ଭୃତ୍ୟ ତତ୍‌କ୍ଷଣାତ୍‌ ଶକଟରୁ ଅବତରଣକରି ନରରକ୍ତପିପାସୁ ବ୍ୟାଘ୍ରମାନଙ୍କ ସମ୍ମୁଖରେ ଦଣ୍ତାୟମାନ ହେଲେ । ତାହାଙ୍କୁ ଆକ୍ରମଣ କରିବା ଅବକାଶରେ ସେହି ଧନାଢ୍ୟ କାଉଣ୍ଟ ପଡ଼ସ୍କି ବେଗରେ ଗାଡ଼ି ଦଉଡ଼ାଇ ନଗରରେ ସସ୍ତ୍ରୀକ ପହଞ୍ଚିଥିଲେ । ଭୃତ୍ୟଟି ପ୍ରଭୁଙ୍କ ଲାଗି ପ୍ରାଣଦାନ କରି ନ ଥିଲେ ସେ ଦିନ କାଉଣ୍ଟ ଏବଂ ତାଙ୍କ ସ୍ତ୍ରୀଙ୍କ ପ୍ରାଣରକ୍ଷା ହୋଇ ନ ଥୀନ୍ତା । ଏହି ପ୍ରଭୁପରାୟଣତା ଗୁଣରୁ ଭୃତ୍ୟଟି ପୃଥିବୀରେ ଚିରସ୍ମରଣୀୟ ହୋଇଅଛନ୍ତି । ଯେଉଁ ସବୁ ଗୁଣଯୋଗେ ଲୋକ ମୃତ୍ୟଉତ୍ତାରେ ସୁନାମ ରଖେ, ସେହିସବୁ ଗୁଣ ଅର୍ଜନ କରିବା ପ୍ରତ୍ୟେକ ଲୋକର ବାଞ୍ଚ୍ଥନୀୟ ।

Image

 

ହାଜି ମହମ୍ମଦ ମୋସୀନ୍‌

 

ଏହି ପରୋପକାରୀ ମହାତ୍ମା ୧୭୩୨ ଖ୍ରୀଷ୍ଟାବ୍ଦରେ ବଙ୍ଗ ପ୍ରଦେଶର ହୁଗ୍‌ଲି ନଗରରେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତାଙ୍କର ପିତାମହ ପାରସ୍ୟ ଦେଶରୁ କରିଥିଲେ । ତାହାଙ୍କର ପିତାମହ ପାରସ୍ୟ ଦେଶରୁ ହୁଗ୍‌ଲିକୁ ଆସି ସେଠାରେ ଏବଂ ମୁର୍ଶିଦାବାଦ ନଗରରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ଏବଂ ତହାଙ୍କର ପିତା ହାଜି ପୈଜୁଲ୍ଲା ମଧ୍ୟ ଉଭୟ ସ୍ଥାନରେ ବାଣିଜ୍ୟ-ବ୍ୟବସାୟ ଦ୍ୱାରା ବହୁ ସମ୍ପଦ ଉପାର୍ଜ୍ଜନ କରିଥିଲେ । କାଳକ୍ରମେ ହାଜି ପୈଜୁଲ୍ଲା ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇ ଦରିଦ୍ର ହୋଇଗଲେ ଏବଂ ସାମାନ୍ୟ ପ୍ରକାର ବାଣିଜ୍ୟ କାର୍ଯ୍ୟଦ୍ୱାରା ଜୀବିକା ଅର୍ଜନକରି ଦିନାତିପାତ କରିବାକୁ ଲାଗିଲେ ।

 

ଆଗା ମୋତାହର ନାମକ ଆଉ ଜଣେ ପାରସ୍ୟବାସୀ କିଛିକାଳ ସମ୍ରାଟ୍‌ ଆଉରଙ୍ଗଦେବଙ୍କ ଅଧୀନରେ କାର୍ଯ୍ୟ କରି ତାଙ୍କର ପ୍ରିୟପାତ୍ର ହୋଇଥିଲେ । ବାଦଶାହ ତାଙ୍କୁ ବଙ୍ଗଦେଶର ବିସ୍ତୀର୍ଣ୍ଣ ଭୂ-ସମ୍ପତ୍ତି ଜାୟଗିରି ରୂପେ ପ୍ରଦାନ କରିବାରୁ, ସେ ସମ୍ପତ୍ତିର ରକ୍ଷଣାବେକ୍ଷଣ ନିମିତ୍ତ ହୁଗ୍‌ଲିକୁ ଆସି ସେହିଠାରେ ବାସ କରିବାକୁ ଲାଗିଲେ । ମନ୍ନୂଜାନ୍‌ ନାମରେ ତାହାଙ୍କର ଏକମାତ୍ର କନ୍ୟା ଥିଲେ । ସେ ସେହି କନ୍ୟାକୁ ଅତିଶୟ ସ୍ନେହ କରୁଥିଲେ । ମୃତ୍ୟୁର କିଛିଦିନ ପୂର୍ବେ ମୋତାହର ଦୁହିତାଙ୍କୁ ଗୋଟିଏ ବୃହତ୍‌ ସ୍ୱର୍ଣ୍ଣପଦକ ବା ତାବିଜ ଦେଇ କହିଲେ, ମୋର ମୃତ୍ୟୁପରେ ଏହି ତାବିଜକୁ ଫିଟାଇ ଦେଖିବ; ସେଥିପୂର୍ବେ ତାହାକୁ ଫିଟାଇବ ନାହିଁ । ମୃତ୍ୟୁପରେ ତାବିଜକୁ ଫିଟାଇବାରୁ ଦେଖାଗଲା ଯେ, ସେଥିମଧ୍ୟରେ ଖଣ୍ତେ ଦାନପତ୍ର ଅଛି ଏବଂ ଉକ୍ତ ଦାନପତ୍ରଦ୍ୱାରା ସେ ତାଙ୍କର ସମସ୍ତ ସମ୍ପତ୍ତି ପ୍ରାଣସମା ଦୁହିତାଙ୍କୁ ଦାନ କରିଅଛନ୍ତି । ତାଙ୍କର ବିଧବାପତ୍ନୀ ସମସ୍ତ ସମ୍ପତ୍ତିରୁ ବଞ୍ଚିତହୋଇ ପୂର୍ବକଥିତ ହାଜ ଫୈଜୁଲ୍ଲାଙ୍କୁ ବିବାହ କଲେ । ହାଜି ମହମ୍ମଦ ମୋସୀନ୍‌ ଏହି ବିବାହରୁ ଜାତ ଏକମାତ୍ର ସନ୍ତାନ ।

 

ମହମ୍ମଦ ମୋସୀନ୍‌ ଏବଂ ମନ୍ନୂଜାନ୍‌ ଏକ ମାତାଙ୍କ ଗର୍ଭରୁ ପ୍ରସୂତ ହୋଇଥିବାରୁ ପରସ୍ପର ସମ୍ବନ୍ଧରେ ଭାଇ-ଭଗିନୀ ଥିଲେ । ଉଭୟଙ୍କର ପରସ୍ପର ସମ୍ବନ୍ଧରେ ଭାଇ-ଭଗିନୀ ଥିଲେ-। ଉଭୟଙ୍କର ପରସ୍ପର ପ୍ରତି ପ୍ରଗାଢ ସ୍ନେହ ଥିଲା ଏବଂ ଉଭୟେ ଏକ ଶିକ୍ଷକଙ୍କ ନିକଟରେ ଆରବୀ ଓ ପାର୍ଶୀ ଭାଷା ଶିକ୍ଷା କରିଥିଲେ । ହୁଗ୍‌ଲିରେ କେତେକ ବର୍ଷ ଅଧ୍ୟୟନ କରି ମହମ୍ମଦ ମୋସୀନ୍‌ ମୁର୍ଶିଦାବାଦର ବିଖ୍ୟାତ ମଦ୍ରାସାରେ କୋରାନ୍‌ ଓ ଅନ୍ୟାନ୍ୟ ଶାସ୍ତ୍ର ଅଧ୍ୟୟନ କଲେ । ହୁଗ୍‌ଲିକୁ ପ୍ରତ୍ୟାବର୍ତ୍ତନ କରି ଦେଖିଲେ ଯେ, କେତେଗୁଡ଼ିଏ ଦୁଷ୍ଟ ଲୋକ ତାହାଙ୍କର ଭଗିନୀ ମନ୍ନୂଜାନ୍‌ଙ୍କର ବୁଦ୍ଧି-କୌଶଳରେ ଉକ୍ତ ଷଡ଼ଯନ୍ତ୍ର ବ୍ୟର୍ଥ ହୋଇଗଲା । ମୋସୀନ୍‌ ଅବିବାହିତ ଥିଲେ-। ଏହି ଘଟଣା ପରେ ତାଙ୍କ ହୃଦୟରେ ବୈରାଗ୍ୟଭାବ ଉଦିତ ହେବାରୁ ସେ ଦେଶଭ୍ରମଣାର୍ଥ ବାହାରି ପ୍ରଥମେ ଭାରତବର୍ଷର ନାନା ସ୍ଥାନ ଦର୍ଶନକରି ପରେ ଆରବ, ପାରସ୍ୟ, ତୁରସ୍କ, ମିଶର ପ୍ରଭୃତି ନାନାଦେଶରେ ଭ୍ରମଣ କରି ୨୭ ବର୍ଷ କାଳ ଅତିବାହିତ କଲେ । ସେକାଳରେ ଦେଶଭ୍ରମଣ ନିତାନ୍ତ ବିପଜ୍ଜନକ ଥିଲା ।

 

ସେତେବେଳେ ରେଳଗାଡ଼ି ବା ବାଷ୍ପୀୟ ତରଣୀ ନ ଥିଲା ଏବଂ ନାନାସ୍ଥାନରେ ଦସ୍ୟୁମାନେ ପର୍ଥକର ଧନାପହରଣ ଓ ପ୍ରାଣନାଶ କରୁଥିଲେ । ମୋସୀନ୍‌ ଅନେକ ବିପଦରୁ ଉତ୍ତୀର୍ଣ୍ଣ ହୋଇ ମକ୍‌କା ଓ ମଦିନା ଦେଖିଥିବାରୁ ହାଜି ଉପାଧି ପାଇ ପ୍ରାୟ ଷାଠିଏ ବର୍ଷ ବୟସରେ ଭାରତବର୍ଷକୁ ବାହୁଡ଼ି ଆସି ଲଖ୍‌ନୋ ନଗରରେ ତାଙ୍କର ଧର୍ମନିଷ୍ଠା ଓ ପାଣ୍ତିତ୍ୟ ନିମିତ୍ତ ନବାବ୍‌ଙ୍କଠାରୁ ବହୁ ସମ୍ମାନ ଲାଭକରି ସେଠାରେ ଅବସ୍ଥାନ କରୁଥିଲେ । ମୋସୀନ୍‌ ବିଦେଶରେ ଭ୍ରମଣ କରୁଥିବା ସମୟରେ ମନ୍ନୁ ଜାନ୍‌ ବିବାହ କରିଥିଲେ; କିନ୍ତୁ ତାହାଙ୍କର ହେଲେ ଏବଂ କିଛକାଳ ନିଜେ ସମ୍ପତ୍ତିର ତତ୍ତ୍ୱାବଧାନ କରି ରୁଗ୍‌ଣ ହୋଇପଡ଼ିବାରୁ ମୋସୀନ୍‌ଙ୍କ ହସ୍ତରେ ସମ୍ପତ୍ତି ରକ୍ଷଣାବେକ୍ଷଣର ଭାର ଦେବା ନିମିତ୍ତ ତାହାଙ୍କୁ ବାରମ୍ବାର ଅନୁରୋଧ କରି ଅଣାଇଲେ । ଅଳ୍ପ କାଳ ପରେ ମନ୍ନୁ ଜାନ୍‌ ପରଲୋକ ଗମନ କଲେ । ମୃତ୍ୟୁ ପୂର୍ବେ ସେ ସମୁଦାୟ ସମ୍ପତ୍ତି ମୋସୀନ୍‌ଙ୍କୁ ଦାନ କରିଥିଲେ । ଉକ୍ତ ସମ୍ପତ୍ତିର ବାର୍ଷିକ ଆୟ ପ୍ରାୟ ୫୦,୦୦୦ ଟଙ୍କା ଥିଲା ।

 

ମହମ୍ମଦ ମୋସୀନ୍‌ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ ସତ୍ୟ; କିନ୍ତୁ ତାହାଙ୍କର କିଛି ମାତ୍ର ଭୋଗସୁଖାସକ୍ତି ନ ଥିଲା । ସେ ଯେପରି ଜ୍ଞାନୀ, ସେହିପରି ଧର୍ମ୍ମପରାୟଣ ଓ ପରାର୍ଥପର ଥିଲେ । ତେଣୁ ସେ ନିଜ ସୁଖଭୋଗରେ ସମ୍ପତ୍ତିକୁ ନ ଲଗାଇ ମୃତ୍ୟୁପୂର୍ବରେ ତାହାକୁ ନାନା ସତ୍କାର୍ଯ୍ୟରେ ବ୍ୟୟ କରିବାର ବ୍ୟବସ୍ଥା କଲେ । ତାଙ୍କରି ସମ୍ପତ୍ତିର ଆୟରୁ ହୁଗ୍‌ଲିର ବିଖ୍ୟାତ କଲେଜ ପ୍ରତିଷ୍ଠତ ହୋଇ ବହୁବର୍ଷ ସେହି ଅର୍ଥ-ସାହାଯ୍ୟଦ୍ୱାରା ସୁରକ୍ଷିତ ହୋଇଥିଲା । ପରେ ସେହି ଟଙ୍କାରେ ମୋସୀନ୍‌-ବୃତ୍ତିନାମରେ ଅନେକ ବୃତ୍ତି ସ୍ଥାପତ ହେଲା ଏବଂ ତଦ୍ଦ୍ୱାରା ଅନେକାନେକ ମୁସଲମାନ ଛାତ୍ର ବଙ୍ଗପ୍ରଦେଶର ସ୍କୁଲ ଓ କଲେଜମାନଙ୍କରେ ନିର୍ଦ୍ଦିଷ୍ଟ ବେତନର ଏକତୃତୀୟାଂଶ ମାତ୍ର ଦେଇ ବିଦ୍ୟାଧ୍ୟୟନ କରିଆସୁଅଛନ୍ତି । ଏହା ଛଡ଼ା ଢାକା ପ୍ରଭୃତି କେତେକ ପ୍ରସିଦ୍ଧ ସ୍ଥଳରେ ମୋସୀନ୍‌ଙ୍କ ପ୍ରଦ୍ରାସାମାନ ସ୍ଥାପିତ ହୋଇଅଛି ଏବଂ ହୁଗ୍‌ଲିର ପ୍ରସିଦ୍ଧ ଧର୍ମମନ୍ଦିର ଇମାମ୍‌ବାଡ଼ା ରକ୍ଷିତ ହେଉଅଛି । ଇମାମ୍‌ବାଡ଼ା ଭଜନାଳୟରେ ସହସ୍ର ସହସ୍ର ମୁସଲମାନ ନମାଜ କରନ୍ତି । ତାହାର ପ୍ରାଚୀରମାନଙ୍କରେ କୋରାନ୍‌ର ଶ୍ଲୋକ ଏବଂ ମୋସୀନ୍‌ଙ୍କର ବିପୁଳ ଦାନକୀର୍ତ୍ତିର ବିବରଣୀ ଲିଖିତ ରହିଅଛି । ମହମ୍ମଦ ମୋସୀନ୍‌ ଜୀବିତ ଥିବା ସମୟରେ ଅତି ଗୋପନରେ ଶତ ଶତ ଦରିଦ୍ରର ଦୁଃଖ ମୋଚନ କରିଥିଲେ । ସେ ବଦାନ୍ୟତା ଓ ଧର୍ମ୍ମପରାୟଣତାଦ୍ୱାରା ଦେଶର ଏବଂ ମୁସଲମାନ ସମ୍ପ୍ରଦାୟର ମହାକଲ୍ୟାଣ ସାଧନ କରିଯାଇଅଛନ୍ତି । ମହମ୍ମଦ ମୋସୀନ୍‌ ୧୪୦୬ ଖ୍ରୀଷ୍ଟାବ୍ଦରେ ପରଲୋକ ଗମନ କରିଥିଲେ । ହୁଗ୍‌ଲି ନଗରରେ ତାଙ୍କ ଭଗିନୀ ମନ୍ନୁ ଜାନଙ୍କର ଏବଂ ତାହାଙ୍କର ସମାଧି ବିଦ୍ୟମାନ ରହିଅଛି।

Image

 

ମହାରାଣୀ ଭିକ୍‌ଟୋରିୟା

 

୧୮୧୯ ଖ୍ରୀଷ୍ଟାବ୍ଦରେ ମହାରାଣୀ ଭିକ୍‌ଟୋରିୟା ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ଜନ୍ମଦିବସ ସହିତ ମୃତ୍ୟୁଦିବସର ତୁଳନା କଲେ କଣ ଦେଖାଯାଏ ? ଯେଉଁଦିନ ସେ ଏହି ପୃଥିବୀକୁ ଆଗମନ କରିଥିଲେ, ସେଦିନ କେବଳ ତାହାଙ୍କର ପିତାଙ୍କର ପିତାମାତା ଓ ଆତ୍ମୀୟ ସ୍ୱଜନବର୍ଗ ଆନନ୍ଦିତ ହୋଇଥିଲେ । କିନ୍ତୁ ଯେଉଁ ଦିନ’‘ମହାରାଣୀ ଭିକ୍‌ଟୋରିୟା ଆଉ ଏ ଜଗତରେ ନାହାନ୍ତି’’ ଏହି ସମ୍ବାଦ ଦେଖୁ ଦେଖୁ ସର୍ବତ୍ର ବ୍ୟାପ୍ତ ହୋଇଗଲା, ରାଜା, ମହାରାଜା, ଧନୀ, ନିର୍ଦ୍ଧନ, ଦୁଃଖୀ, ଦରିଦ୍ର ଅଗଣ୍ୟ ନରନାରୀ ହାୟ ହାୟ କରିବାକୁ ଲାଗିଲେ । ଧନୀର ପ୍ରାସାଦ ଓ ଦରିଦ୍ରର କୁଟୀର ସର୍ବତ୍ର ମହାରାଣୀଙ୍କର ପବିତ୍ର ନାମ ଧ୍ୱନିତ ହେବାକୁ ଲାଗିଲା । ଜାତି, ଦେଶ ଓ ଧର୍ମର ପ୍ରଭେଦ ପାସୋରି ସମଗ୍ର ପୃଥିବୀର ଅଧିବାସୀମାନେ ମହାରାଣୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ । ଜଣେ ନାରୀର ମୃତ୍ୟୁରେ ସମଗ୍ର ପୃଥିବୀ ଶୋକାର୍ତ୍ତ, ଏଥିର କାରଣ କଣ ? ମହାରାଣୀ କେବଳ ବିଶାଳ ସାମ୍ରାଜ୍ୟରେ ଅଧୀଶ୍ୱରୀ ଥିଲେ ବୋଲି କି ଏପରି ଶୋକପ୍ରକାଶ ଦେଖାଗଲା ? ନା, କେବଳ ସେଥିପାଇଁ ନୁହେଁ; ଏହାଙ୍କ ପରି ସତୀ, ପତିପ୍ରାଣା, ଦୟାଶୀଳା ଓ ସର୍ବଗୁଣ-ସମନ୍ୱିତା ନାରୀ ଏ ଯୁଗରେ ଜନ୍ମଗ୍ରହଣ କରିନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସଂକ୍ଷେପରେ ତାହାଙ୍କର ଜୀବନବୃତ୍ତାନ୍ତ ନିମ୍ନରେ ବିବୃତ ହେଉଅଛି ।

 

ମହାରାଣୀ ଭିକ୍‌ଟୋରିୟା ଇଂଲଣ୍ଡର ରାଜା ଚତୁର୍ଥ ଜର୍ଜ୍ଜଙ୍କର ଚତୁର୍ଥ ପୁତ୍ରଙ୍କର ଏକମାତ୍ର କନ୍ୟା । ମହାରାଣୀ ଶୈଶବରୁ ପିତୃହୀନା ହୋଇଥିଲେ । ପିତୃବ୍ୟମାନଙ୍କର ସନ୍ତାନ ନ ଥିବାରୁ ସେ ରାଜସିଂହାସନର ଅଧିକାରିଣୀ ହେଲେ । ଭିକ୍‌ଟୋରିୟା ବାଲ୍ୟକାଳରେ ତାହାଙ୍କର ବୁଦ୍ଧିମତୀ ଓ ଗୁଣବତୀ ଜନନୀଙ୍କର ଯତ୍ନରେ ସୁଶିକ୍ଷିତା ହୋଇଥିଲେ । ୧୮୩୭ ଖ୍ରୀଷ୍ଟାବ୍ଦରେ ତାହାଙ୍କର ପିତୃବ୍ୟ ରାଜା ଚତୁର୍ଥ ଉଇଲିୟମ୍‌ଙ୍କର ମୃତ୍ୟୁ ହେଲା । ସେଦିନର ଗୋଟିଏ ଘଟନା ଏକାନ୍ତ ହୃଦୟସ୍ପର୍ଶିନୀ ଅଟେ । ରାତ୍ରିର ଶେଷ ଭାଗରେ ଉଇଲିୟମ୍‌ଙ୍କର ମୃତ୍ୟୁ ହେବାରୁ ସେହିକ୍ଷଣି ଇଂଲଣ୍ଡର ପ୍ରଧାନ ଧର୍ଧଯାଜକ ଓ ଜଣେ ପ୍ରଧାନ ରାଜପୁରୁଷ ଏହି ସମ୍ୱାଦ ଶୁଣାଇବାପାଇଁ ଭିକ୍‌ଟୋରିୟାଙ୍କ ନିକଟକୁ ଗମନ କଲେ । ସେତେବେଳେ ଭିକ୍‌ଟୋରିୟା ନିଜର ଶୟନାଗାରରେ ନିଦ୍ରିତା ଥିଲେ । ପରିଚାରିକା ତାହାଙ୍କୁ ଉଠାଇ ଧର୍ମଯାଜକ ଓ ପ୍ରଧାନ ରାଜକର୍ମଚାରୀଙ୍କର ଆଗମନ ବାର୍ତ୍ତା ଜଣାଇଲାରୁ ସେ ସେମାନଙ୍କର ନିକଟରେ ଉପସ୍ଥିତ ହୋଇ ଶୁଣିଲେ ଯେ, ସେ ବ୍ରିଟିଶ୍‌ ରାଜାଙ୍କ ବ୍ରିଟିଶ୍‌ ରାଜ୍ୟର ଅଧୀଶ୍ୱରୀ ହୋଇଅଛନ୍ତି । ଏହି କଥା ଶୁଣିଲାକ୍ଷଣି ସେ ଧର୍ମଯାଜକଙ୍କ ଆଡ଼କୁ ଅଶ୍ରୁପୂର୍ଣ୍ଣ ନୟନରେ ଅନାଇ କହିଲେ, ‘‘ଆପଣ ମୋ ନିମନ୍ତେ ଈଶ୍ୱର ନିକଟରେ ପ୍ରର୍ଥନା କରନ୍ତୁ ।’’ ଧର୍ମଯାଜକ ସେହିକ୍ଷଣି ପ୍ରାର୍ଥନା କଲେ ଓ ଭିକ୍‌ଟୋରିୟା ଭକ୍ତିପୂର୍ଣ୍ଣ ଚିତ୍ତରେ ଜାନୁପାତପୂର୍ବକ ସେ ପ୍ରାର୍ଥନାରେ ଯୋଗଦେଲେ । ସପ୍ତଦଶବର୍ଷିୟା ବାଳିକା ପକ୍ଷରେ ନିଜ ନୂତନ ଜୀବନର ମହାଦାୟିତ୍ୱ ଏପରି ଗମ୍ଭୀରଭାବରେ ହୃଦୟଙ୍ଗମ କରି ଈଶ୍ୱରଙ୍କର ଶରଣାପନ୍ନ ହେବା କି ଅତି ସୁନ୍ଦର ଓ ମନୋହର କଥା ନୁହେଁ ।

 

ଭିକ୍‌ଟୋରିୟା ଏତେ ଅଳ୍ପ ବୟସରେ ରାଜ୍ୟଭାର ଗ୍ରହଣ କଲେ ଦେଖି ଅନେକେ ଆଶଙ୍କା ପ୍ରକାଶ କରିଥିଲେ । କିନ୍ତୁ ଭିକ୍‌ଟୋରିୟା ଏପରି ସୁଚାରୁରୂପେ ରାଜକାର୍ଯ୍ୟ ନିର୍ବାହ କରିବାକୁ ଲାଗିଲେ ଯେ, ଅତ୍ୟଳ୍ପ ଦିନମଧ୍ୟରେ ସମସ୍ତଙ୍କର ଆଣଙ୍କା ଦୂରୀଭୂତ ହେଲା ।

 

ମହାରାଣୀ ଭିକ୍‌ଟୋରିୟା ଏକ ବର୍ଷ ରାଜତ୍ୱ କରିବା ଉତ୍ତାରୁ ତାହାଙ୍କର ରାଜ୍ୟାଭିଷେକ ହୋଇଥିଲା । ଓୟେଷ୍ଟମିନିଷ୍ଟର ଏବି ନାମକ ଗିର୍ଜାରେ ବିଧିମତେ ଅଭିଷେକ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରୁ ମହାରାଣୀଙ୍କୁ ସିଂହାସନରେ ବସାଇ ରାଜ୍ୟର ପ୍ରଧାନ ପ୍ରଧାନ ବ୍ୟକ୍ତିମାନେ ଏକେ ଏକେ ଆସି ତାହାଙ୍କୁ ଅଭିବାଦନ କରିଥିଲେ । ଜଣେ ନବତିବର୍ଷ ବୟସ୍କ ବୃଦ୍ଧ କୁଳୀନ ସେହି ସମୟରେ ଅଭିବାଦନ କରିବାକୁ ଯାଇ ଗୋଡ଼ ଖସିଯିବାରୁ ପଡ଼ିଗଲେ । ମହାରାଣୀ ନିଜେ ସିଂହାସନରୁ ଉଠି ବୃଦ୍ଧଙ୍କର ହାତ ଧରି ତାହାଙ୍କୁ ସମାଦରପୂର୍ବକ ଉଠାଇ ଦେଇଥିଲେ । ତାହାଙ୍କର ଏହିପ୍ରକାର ସହୃଦୟତା ହେଖି ସମସ୍ତେ ମୁଗ୍‌ଧ ହୋଇଥିଲେ ।

 

୧୮୪୦ ଖ୍ରୀଷ୍ଟାବ୍ଦରେ ସେକ୍‌ସକୋବର୍ଗ ନାମକ ସ୍ଥାନର ସର୍ବଗୁଣାନ୍ୱିତ ରାଜକୁମାର ଆଲବାର୍ଟଙ୍କ ସଙ୍ଗରେ ମହାରାଣୀଙ୍କର ବିବାହ ହୋଇଥିଲା । ଏହି ବିବାହରେ ନିଜେ ମହାରାଣୀ ଏବଂ ତାହାଙ୍କର ଆତ୍ମୀୟ ସ୍ୱଜନ ଓ ପ୍ରଜାସାଧାରଣ ସମସ୍ତେ ସୁଖୀ ହୋଇଥିଲେ । ମହାରାଣୀ ସ୍ୱାମୀଙ୍କର ପରାମର୍ଶ ଅନୁସାରେ ରାଜକାର୍ଯ୍ୟ ନିର୍ବାହ କରି ଦେଶର ଅନେକ ଉପକାର କରିଥିଲେ । ଆଲବାର୍ଟ ସକଳ ବିଷୟରେ ମହାରାଣୀଙ୍କର ଉପଯୁକ୍ତ ପତି ହୋଇଥିଲେ । ଏହି ସୁଖୀ ରାଜଦମ୍ପତି ଚାରି ପୁତ୍ର ଓ ପାଞ୍ଚ କନ୍ୟାର ପିତା-ମାତା ହୋଇ ୨୧ ବର୍ଷ ସୁଖରେ ବାସ କଲେ । ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଗୁରୁତର ଦାୟିତ୍ୱଜ୍ଞାନ ଓ ପ୍ରଗାଢ ଈଶ୍ୱରନିଷ୍ଠାର ପରିଚୟ ପ୍ରଦାନ କରେ । ମହାରାଣୀ ଏତେ ବଡ଼ ବିସ୍ତୀର୍ଣ୍ଣ ସାମ୍ରାଜ୍ୟର ସର୍ବଦା ତାହାର ମଙ୍ଗଳସାଧନରେ ଯତ୍ନବତୀ ଥିଲେ । ରାଜକାର୍ଯ୍ୟରେ ତାହାଙ୍କର ପ୍ରଗାଢ ମନୋଯୋଗ ଥିଲା ଅଥଚ ପାରିବାରିକ କର୍ତ୍ତବ୍ୟସାଧନରେ କିଛିମାତ୍ର ତ୍ରୁଟି ହେଉ ନ ଥିଲା । ଅଧିକାଂଶ ସ୍ଥାନରେ ଦେଖାଯାଏ ଯେ, ଧନୀ ପରୀବାରର ରମଣୀମାନେ ଭୋଗ-ବିଳାସ-ଆମୋଦ-ପ୍ରମୋଦରେ ମାତି ପାରିବାରିକ କର୍ତ୍ତବ୍ୟ ପାଳନରେ ଅବହେଳା କରନ୍ତି । କିନ୍ତୁ ମହାରାଣୀ ଗୃହକାର୍ଯ୍ୟର ଏପରି ସୁବ୍ୟବସ୍ଥା କରିଥିଲେ ଯେ, ଇଉରୋପର ଅପରାପର ଦେଶର ରାଜାମାନେ ଇଂଲଣ୍ତକୁ ବୁଲିବାକୁ ଆସି ତାହାଙ୍କର ଗୃହର ଶୃଙ୍ଖଳା ଓ ଶୋଭା ଏବଂ ତାହାଙ୍କର ପତିଭକ୍ତି ଓ ସନ୍ତାନବାତ୍ସଲ୍ୟ ଦେଖି ମୁଗ୍‌ଧ ହୋଇ ଯାଉଥିଲେ। ମହାରାଣୀ ତାହାଙ୍କର ସନ୍ତାନମାନଙ୍କଠାରୁ ଯେପରି ଶ୍ରଦ୍ଧାଭକ୍ତି ପାଇଥିଲେ, ଏପରି ପ୍ରାୟ ଦେଖାଯାଏ ନାହିଁ । ଏପରି ମାତୃଭକ୍ତିର ପ୍ରଧାନ କାରଣ ଏହି ଯେ, ନିଜେ ମହାରାଣୀ ପୂତ୍ରକନ୍ୟାମାନଙ୍କର ପାଳନ ଓ ସୁଶିକ୍ଷା ବିଷୟରେ ସର୍ବଦା ଯତ୍ନବତୀ ଥିଲେ ।

 

ଏହିପରି ମହାରାଣୀ ରାଜ୍ୟର ମଙ୍ଗଳ ସାଧନ କରି ସ୍ୱାମୀ ଓ ସନ୍ତାନମାନଙ୍କୁ ନେଇ ପରମ ସୁଖରେ ବହୁବର୍ଷ ଯାପନ କଲେ । କିନ୍ତୁ ତାହାଙ୍କୁ ମଧ୍ୟ-ଜୀବନରେ ଶୋକ ଉପରେ ଶୋକର ଦାରୁଣ ଦୁଃଖ ଭୋଗକରିବାକୁ ହୋଇଥିଲା । ୧୮୬୧ ଖ୍ରୀଷ୍ଟାବ୍ଦରେ ତାହାଙ୍କର ପରମାରାଧ୍ୟା ମାତୃଦେବୀ ମାତୃଦେବୀ ଭବଧାମ ପରିତ୍ୟାଗ କରିଥିଲେ । ଭିକ୍‌ଟୋରିୟା ଶୈଶବରୁ ପିତୃହୀନା; ସୁତରାଂ ପିତୃସ୍ନେହ କିପରି ଜାଣିନଥିଲେ । ମାତାଙ୍କୁ ହରାଇ ସେ ଅତ୍ୟନ୍ତ କାତର ହୋଇପଡ଼ିଲେ । ପୁଣି ଅଳ୍ପ ଦିନପରେ ତାହାଙ୍କର ଜୀବନବ୍ୟାପୀ ସର୍ବପ୍ରଧାନ ଦୁଃଖର ଆରମ୍ଭ ହେଲା । ତାହାଙ୍କର ପ୍ରିୟତମ ସ୍ୱାମୀ ରାଜକୁମାର ଆଲବାର୍ଟ ମଧ୍ୟ ଇହଲୋକ ପରିତ୍ୟାଗ କରି ଗଲେ । ମହାରାଣୀଙ୍କର ଜୀବନ ସେହିଦିନୁଁ ଶୋକର ଛାୟାରେ ଆଚ୍ଛାନ୍ନ ରହିଲା । ସେହିଦିନୁଁ ଜୀବନର ଶେଶମୁହୂର୍ତ୍ତ ପର୍ଯ୍ୟନ୍ତ ମହାରାଣୀ ପବିତ୍ର ବୈଧବ୍ୟ ବ୍ରତ ଅତି ପବିତ୍ରଭାବରେ ପାଳନ କରିଥିଲେ । ପତିଙ୍କର ବିୟୋଗ ଦିନରୁ ସେ କୌଣସି ପ୍ରକାର ଆମୋଦ-ପ୍ରମୋଦରେ ଯୋଗଦେଇ ନ ଥିଲେ । ଏପରିକି ତାହାଙ୍କର ଜ୍ୟେଷ୍ଠପୁତ୍ର, ଆମ୍ଭମାନଙ୍କର ଭୂତପୂର୍ବ ରାଜା ସପ୍ତମ ଏଡ଼ଉଆର୍ଡ଼ଙ୍କ ବିବାହର ଆମୋଦରେ ସୁଦ୍ଧା ସେ ଯୋଗ ଦେଇ ନ ଥିଲେ । ତାହାଙ୍କର ସୁହୋଗ୍ୟ ପୁତ୍ରବଧୂଙ୍କ ପ୍ରତି ଆମୋଦ ପ୍ରମୋଦରେ ଯୋଗ ଦେବାର ଭାର ଦେଇ ନିଜେ ଗମ୍ଭୀର ବୈରାଗ୍ୟବ୍ରତ ଅବଲମ୍ବନ କରିଥିଲେ । ସେ ପ୍ରତିଦିନର ଘଟଣାବଳୀ ଦୈନିକ ଲିପିରେ ଲେଖି ରଖୁଥିଲେ । ସେହି ଦୈନିକଲିପି ଦେଖିଲେ ଜଣାଯାଏ ଯେ, ସେ ଦିନକ ପାଇଁ ସୁଦ୍ଧା ତାହାଙ୍କର ପତିଙ୍କୁ ବିସ୍ମୃତ ହୋଇ ନ ଥିଲେ ।

 

ଆମ୍ଭମାନଙ୍କର ଦେଶ ମହାରାଣୀଙ୍କର ସ୍ୱଦେଶ ନୋହିଲେହେଁ ସେ ଆମ୍ଭମାନଙ୍କ ପ୍ରତି ସର୍ବଦା ସ୍ନେହଦୃଷ୍ଟି ହଖିଥିଲେ । ଭାରତବାସୀ ପ୍ରଜାମାନଙ୍କ ପ୍ରତି ସେ ଜନନୀ ପ୍ରାୟ ସର୍ବଦା ବାତ୍ସଲ୍ୟ ପ୍ରକାଶ କରୁଥିଲେ । ୧୮୫୮ ଖ୍ରୀଷ୍ଟବ୍ଦରେ ମହାରାଣୀ ସାକ୍ଷାଦ୍‌ଭାବରେ ଭାରତର ଶାସନ ଭାର ଗ୍ରହଣ କରି ଯେଉଁ ଘୋଷଣାପତ୍ର ପ୍ରଚାର କରିଥିଲେ, ତାହାର ପ୍ରତ୍ୟେକ ପଂକ୍ତିରେ ତାହାଙ୍କର ଧର୍ମଭାବ, ପ୍ରଜାବାତ୍ସଲ୍ୟ ଓ ଉଦାରତା ଜାଜ୍ୱଲ୍ୟମାନ ରହିଅଛି ।

 

ଇଂଲଣ୍ତର ପ୍ରଚଳିତ ରାଜବିଧାନ ଅନୁସାରେ ଇଂଲଣ୍ତର ରାଜା ବା ରାଣୀଙ୍କୁ ପ୍ରାଣଦଣ୍ତରେ ଦଣ୍ତିତ ଅପରାଧୀମାନଙ୍କର ଦଣ୍ତାଜ୍ଞାପତ୍ରରେ ସ୍ୱାକ୍ଷର କରିବାକୁ ହେଉଥିଲା । ମହାରାଣୀ ଅପରାଧୀମାନଙ୍କୁ ପ୍ରାଣଦଣ୍ତରେ ଦଣ୍ତିତ କରିବାକୁ ଅତ୍ୟନ୍ତ କ୍ଲେଶ ବୋଧକରି ଦଣ୍ତତ ବ୍ୟକ୍ତିମାନଙ୍କୁ କ୍ଷମା କରିବାରୁ ପାର୍ଲେମେଣ୍ଟ ମହାସଭା ରାଜକୀୟ ବିଧିପ୍ରଣୟନକରି ପ୍ରାଣଦଣ୍ତାଜ୍ଞାପତ୍ରରେ ମହାରାଣୀର ସ୍ୱାକ୍ଷର କରିବାର ପ୍ରଥା ରହିତ କରିହେଇଥିଲେ ।

 

ମହାରାଣୀ ଅନେକ ସମୟରେ ରାଜଧାନୀ ପରିତ୍ୟାଗ କରି ନିର୍ଜନ ସ୍ଥାନମାନଙ୍କରେ ବାସ କରୁଥିଲେ ।ସେହି ସବୁ ସ୍ଥାନରେ ନିରାଡ଼ମ୍ବର ଭାବରେ ରହି ନିକଟବର୍ତ୍ତୀ ଗ୍ରାମମାନଙ୍କରେ ଥିବା ଦୁଃଖୀ ପ୍ରଜାମାନଙ୍କର ଗୃହକୁ ନିଜେ ଯାଇ ସେମାନଙ୍କର ଦୁଃଖ ହରଣ କରୁଥିଲେ । ଇତର ଜନ୍ତୁମାନେ ମଧ୍ୟ ମହାରାଣୀଙ୍କ ଦୟାରୁ ବଞ୍ଚିତ ନ ଥିଲେ । ଗୃହପାଳିତ ଜନ୍ତୁଗୁଡ଼ିକ ବୃଦ୍ଧ ଓ ଅକର୍ମଣ୍ୟ ହୋଇଗଲେ, ସେ ସେମାନଙ୍କର ସେବା ନିମିତ୍ତ ବିହିତ ବ୍ୟବସ୍ଥା କରିଦେଉଥିଲେ ।

 

ଏପରି ସୁଦୀର୍ଘକାଳ ନ୍ୟାୟ ଓ ଦୟାରା ରାଜତ୍ୱ କରି ମହାରାଣୀ ଭିକ୍‌ଟୋରିୟା ୧୯୦୧ ଖ୍ରୀଷ୍ଟାବ୍ଦର ଜାନୁୟାରୀ ୨୨ ତାରିଖ ଦିନ ସ୍ୱର୍ଗାରୋହଣ କଲେ । ଆଜି ପର୍ଯ୍ୟନ୍ତ କୌଣସି ରାଜା ଏତେ ଦୀର୍ଘକାଳ ରାଜତ୍ୱ କରିନାହାନ୍ତି । ସିଂହାସନର ଅଧିକାରିଣୀ ହୋଇଅଛନ୍ତି, ଏହି ସଂବାଦ ପାଇଲାକ୍ଷଣି ମହାରାଣୀ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରଭୁଙ୍କ ଆଶୀର୍ବାଦରୁ ତାହାଙ୍କର ରାଜତ୍ୱରେ ସମସ୍ତେ ସୁଖୀ ହୋଇଥିଲେ । ତାହାଙ୍କର ବିଶାଳ ସାମ୍ରାଜ୍ୟ ମଧ୍ୟରେ ତାହାଙ୍କର ଶାସନ ସମୟରେ ଅଶେଷ ପ୍ରକାର ଉନ୍ନତି ସାଧିତ ହୋଇଅଛି । ଜ୍ଞାନ, ବିଜ୍ଞାନ, ଶିଳ୍ପ ପ୍ରଭୃତିର ଯେପରି ଉନ୍ନତି ହୋଇଅଛି, ସେପରି ଉନ୍ନତି ପୂର୍ବେ କେବେ ଦେଖାଯାଇ ନାହିଁ । ରେଲ୍‌ମାର୍ଗରେ ବାଷ୍ପୀୟ ରଥର ଚାଳନା, ତାର ଯୋଗେ ମୁହୂର୍ତ୍ତ ମଧ୍ୟରେ ସହସ୍ର ସହସ୍ର କ୍ରୋଶ ଦୂରକୁ ସମ୍ବାଦ ପ୍ରେରଣ ପ୍ରଭୃତି ଅଦ୍ଭୁତ ବ୍ୟାପାରମାନ ମହାରାଣୀଙ୍କ ରାଜତ୍ୱ ସମୟରେ ଏ ସଂସାରରେ ପ୍ରତିଷ୍ଠିତ ହେଲା । ମହାଦେବୀ ଭିକ୍‌ଟୋରିୟାଙ୍କର ଜୀବନ ଚରିତ ନାନା ଘଟନାରେ ପରିପୂର୍ଣ୍ଣ; ତେଣୁ ବିଚିତ୍ର ଓ ମନୋହର ଅଟେ । ସେ ସବୁ ବିଷୟରେ ଆଦର୍ଶ ନାରୀ ଥିଲେ । କନ୍ୟାରୂପେ, ପତ୍ନୀରୂପେ, ଜନନୀରୂପେ ଏବଂ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱରୀରୂପେ ସେ ଜଗତର ମୁଖ ଉଜ୍ଜ୍ୱଳ କରିଯାଇଅଛନ୍ତି ।

Image

 

ଜୀବଜନ୍ତୁ

 

ଏହି ପୃଥିବୀରେ ଚକ୍ଷୁର ଅଗୋଚର ଅତି କ୍ଷୁଦ୍ର କୀଟାଣୁଠାରୁ ପ୍ରକାଣ୍ତକାୟ ତିମି ପର୍ଯ୍ୟନ୍ତ ନାନାବିଧ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ କେତେକ ଜଳରେ, କେତେକ ସ୍ଥଳରେ, କେତେକ ବୃକ୍ଷୋପରି ନିର୍ମିତ ନୀଡ଼ରେ, କେତେକ ବା ଗର୍ତ୍ତରେ ବାସ କରନ୍ତି । କେତେକ ତୃଣ, ପତ୍ର, ଫଳ, ମୂଳ ଭକ୍ଷଣ କରନ୍ତି; କେତେକ ଅନ୍ୟ ଜୀବର ରକ୍ତ ଓ ମାଂସ ଖାଆନ୍ତି । କେତେକ ଦ୍ୱିପଦ, କେତେକ ଚତୁଷ୍ପଦ, କେତେକ ବହୁପଦ ଏବଂ କେତେକ ନିଷ୍ପଦ । କାହାରି ଦେହ ଲୋମାଚ୍ଛାଦିତ, ଖାହାରି ହେହ ପର ଅଥବା କାତିଦ୍ୱାରା, କାହାରି ବା କଠିନ ଆବରଣ ଦ୍ୱାରା ଆଚ୍ଛାଦିତ । ଏହିପରି କେତେ ଆକାରର, କେତେ ପ୍ରକାରର, କେତେ ବର୍ଣ୍ଣର କେତେ ପ୍ରାଣୀ ଅଛନ୍ତି ତାହା କିଏ କହିପାରିବ ?

 

ଗୋ, ଛାଗ, ମେଷ, ଘୋଟକ, ମାର୍ଜାର, କୁକୁରାଦି ଗୃହପାଳିତ ଜନ୍ତୁମାନଙ୍କ ବିଷୟରେ ଏବଂ ସିଂହ, ବ୍ୟାଘ୍ର, ଭଲ୍ଲକାଦି ଶ୍ୱାପଦମାନଙ୍କ ବିଷୟରେ, ବାୟସାଦି ବିହଙ୍ଗ, ଭ୍ରମରାଦି ପତଙ୍ଗ ଏବଂ ସର୍ପାଦି ସରୀସୃପମାନଙ୍କ ବିଷୟରେ ଅନେକେ କିଛି କିଛି ଜାଣନ୍ତି; କିନ୍ତୁ ସେମାନଙ୍କର ଦେହଗଠନ, ବୁଦ୍ଧି, କୌଶଳ, ଅନୁରାଗ ପ୍ରଭୃତି ବିଷୟରେ ସମସ୍ତଙ୍କର ଅନେକ ଶିଖିବାର ଅଛି ।

 

ପୃଥିବୀରେ ଜୀବନଧାରଣ ନିମିତ୍ତ ସବୁ ଜନ୍ତୁମାନଙ୍କୁ ଶତ୍ରୁ ସଙ୍ଗେ ଯୁଝିବାକୁ ହୁଏ । ବଳବାନ୍‌ ଜନ୍ତୁ ଦୁର୍ବଳ ଜନ୍ତୁକୁ ମାରି ପକାଇବାକୁ ବା ତଡ଼ିଦେବାକୁ ଚେଷ୍ଟା କରେ । ଦୁର୍ବଳ ଜନ୍ତୁ ବୁଦ୍ଧିର ଚାତୁରୀଦ୍ୱାରା ବଳବାନ୍‌ ଜନ୍ତୁର ହିଂସାରୁ ଆପଣାକୁ ରକ୍ଷା କରିବାକୁ ଚେଷ୍ଟା କରେ । ଏହି ପ୍ରକାରେ ପ୍ରାଣରକ୍ଷାର୍ଥ ଶତ୍ରୁମାନଙ୍କ ସଙ୍ଗେ ଯୁଝିବା– ଅର୍ଥାତ୍‌ ଜୀବନ ନିମିତ୍ତ ସଂଗ୍ରାମ ଜୀବସଂସାରରେ ସର୍ବଦା ଲାଗିରହିଛି ।

 

ପକ୍ଷୀ ପୋକ ଖାଏ; ପକ୍ଷୀର ଗ୍ରାସରୁ ଆପଣାକୁ ରକ୍ଷାକରିବା ପାଇଁ ଯେଉଁ ପୋକମାନେ ପତ୍ର ଖାନ୍ତି, ସେହି ପତ୍ରର ଅନୁରୂପ ବର୍ଣ୍ଣ ଧାରଣ କରି ପତ୍ରପରି ଦିଶିବାକୁ ଚେଷ୍ଟା କରିନ୍ତି । ହରିଣର ଦେହଗଠନ ଏପରି ଯେ ସେ ସିଂହ ବା ବ୍ୟାଘ୍ର ନିକଟରେ ଥିବାହ ଜାଣିପାରିଲେ, ଏମନ୍ତ ଦ୍ରୁତବେଗରେ ଦୌଡ଼େ ଯେ, ତାହାକୁ ଧରିବା ଅସମ୍ଭବ । ପଳାଇବାର ଉପାୟ ନ ଥିଲେ କେତେକ ଜୀବ ମରିଯାଇଥିବାର ବାହାନା କରନ୍ତି, ଅର୍ଥାତ୍‌ ମଲାପରି ପଡ଼ିରହନ୍ତି; ଯଥା : ତେଲୁଣୀପୋକ । ସମୁଦ୍ରବାସୀ କୌଣସି କୌଣସି ଜୀବ ଶତ୍ରୁର ଆକ୍ରମଣରୁ ରକ୍ଷା ପାଇବାପାଇଁ ଦେହରୁ ଏକପ୍ରକାର କଳାରସ ବାହାରକରି ଜଳକୁ ଏପରି କଳା କରିଦିଅନ୍ତି ଯେ, ଶତ୍ରୁ କିଛି ଦେଖି ନ ପାରି ସେମାନଙ୍କୁ ଆକ୍ରମଣ କରିପାରେ ନାହିଁ ।

 

ଅଭିଧାନ ପୁସ୍ତକରେ ଶବ୍ଦଗୁଡ଼ିକ ଅକ୍ଷର ଅନୁସାରେ ନାନା ଶ୍ରେଣୀରେ ବିଭକ୍ତ ହୋଇ ଲେଖାଯାଇଥାଏ ବୋଲି ଅନାୟାସରେ ଶବ୍ଦର ଅର୍ଥ ଖୋଜି ବାହାର କରାଯାଏ । ସେହିପାରି ପ୍ରାଣୀମାନଙ୍କ ଶ୍ରେଣୀବିଭାଗ କରି ସେମାନଙ୍କ ବିଷୟ ଆଲୋଚନା କଲେ ସେମାନଙ୍କ ସମ୍ବନ୍ଧରେ ଜ୍ଞାନଲାଭର ସୁବିଧା ହୁଏ ।

 

ସ୍ଥୂଳରେ ପ୍ରାଣୀମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ–ଅସ୍ଥିମାନ୍‌ ପ୍ରାଣୀ ଓ ଅସ୍ଥିହୀନ ପ୍ରାଣୀ । ଆମ୍ଭେମାନେ ଅସ୍ଥିମାନ୍‌ ପ୍ରାଣୀ; କିନ୍ତୁ ମାଛି, ବିଛା, ବୁଢିଆଣୀ ଏମାନେ ଅସ୍ଥିହୀନ ପ୍ରାଣୀ । ଅସ୍ଥିବାନ୍‌ ଜୀବମାନଙ୍କ ଶରୀରରେ ଗୋଟିଏ ମେରୁଦଣ୍ତ ବା ଦୀର୍ଘ ଅସ୍ଥିମାଳା ଥାଏ । ମନୁଷ୍ୟ, ବାନର, ଘୋଟକ, ମାର୍ଜାର, ସର୍ପ, ପକ୍ଷୀ ପ୍ରଭୃତି ଜନ୍ତୁମାନଙ୍କର ପୃଷ୍ଠଦେଶରେ ଥିବା ମଝିହାଡ଼ ମେରୁଦଣ୍ତ ଅଟେ । ଅସ୍ଥିମାନ୍‌ ଅର୍ଥାତ୍‌ ମେତୃସ୍ତନରୁ ଦୁଗ୍‌ଧ ପାନକରି ଜୀବନଧାରଣ କରନ୍ତି । ସେମାନେ ସ୍ତନ୍ୟପାନ କରନ୍ତି ବୋଲି ସେମାନଙ୍କ ସ୍ତନ୍ୟପାୟୀ ବୋଲାଯାଏ । କେତେକ ପ୍ରାଣୀ ଅଣ୍ତାରୁ ଜନ୍ମି ସ୍ତନ୍ୟପାନ କରନ୍ତି ନାହିଁ, ଯେପରି ପକ୍ଷୀ ଏବଂ କୁମ୍ଭୀର, ମତ୍ସ୍ୟ, କଚ୍ଛପ, ଭେକ, ସର୍ପାଦି ସରୀସୃପ । ଆମ୍ଭେମାନେ ସ୍ତନ୍ୟପାୟୀ ଶ୍ରେଣୀର ଅନ୍ତର୍ଗତ । ସ୍ତନ୍ୟପାୟୀ ଶ୍ରେଣୀର ଜୀବମାନଙ୍କୁ ନାନା କ୍ଷୁଦ୍ର ଶ୍ରେଣୀରେ ବିଭାଗ କରାଯାଏ; ଯଥା–ବାନରବଂଶ, ବିଡ଼ାଳବଂଶ, କୁକୁରବଂଶ ଇତ୍ୟାଦି । ଅସ୍ଥିମାନ୍‌ ଓ ଅସ୍ଥିହୀନ କେତେକ ପ୍ରାଣୀଙ୍କର ଚିତ୍ର ପୂର୍ବପତ୍ରରେ ଦିଆଗଲା ।

Image

 

ସମ୍ରାଟ୍‌ ସପ୍ତମ ଏଡ଼ଉଆର୍ଡ଼

 

ଖ୍ରୀଷ୍ଟାବ୍ଦ ୧୯୦୧ ସାଲର ଜାନୁଆରୀ ୨୨ ତାରିଖ ଦିନ ଭାରତ-ସାମ୍ରାଜ୍ଞୀ ଇଂଲଣ୍ତେଶ୍ୱରୀ ମହାରାଣୀ ଭିକ୍‌ଟୋରିୟା ପରଲୋକ ଗମନ କଲେ । ସେହି ଦିନ ତାହାଙ୍କର ଜ୍ୟେଷ୍ଠ ପୁତ୍ର ଆଲବର୍ଟ ଏଡ୍‌ଉଆର୍ଡ଼ ବ୍ରିଟିଶ ସାମ୍ରାଜ୍ୟର ଅଧିପତି ବୋଲି ଗଣ୍ୟ ହେଲେ । କିନ୍ତୁ ତାହାଙ୍କର ଅଭିଷେକୋତ୍ସବ ସେହି ବର୍ଷର ଜୁନ୍‌ ମାସର ୨୬ ତାରିଖ ଦିନ ହେବା ବୋଲି ଧାର୍ଯ୍ୟ ହୋଇଥିଲା । ଏସିଆ, ଇଉରୋପ, ଆଫ୍ରିକା, ଆମେରିକା, ଅଷ୍ଟେଲିଆ ପ୍ରଭୃତି ପୃଥିବୀର ସର୍ବ ଅଞ୍ଚଳରୁ ଅନେକ ରାଜା ଓ ରାଜପ୍ରତିନିଧିମାନେ ନିମନ୍ତ୍ରିତ ହୋଇ ଇଂଲଣ୍ତକୁ ଆସିଥିଲେ ଏବଂ ବହୁସଂଖ୍ୟକ ସୈନ୍ୟସାମନ୍ତ ମଧ୍ୟ ନାନା ସ୍ଥାନରୁ ଆନୀତ ହୋଇଥିଲେ; କିନ୍ତୁ ହଠାତ୍‌ ସମ୍ରାଟ୍‌ କଠିନ ରୋଗକ୍ରାନ୍ତ ହେଲେ ଏବଂ ଅଭିଷେକୋତ୍ସବ ହଠାତ୍‌ ସ୍ଥଗିତ ହୋଇଗଲା । ଚିକିତ୍ସକ ଡାକ୍ତରମାନେ ସମ୍ରାଟଙ୍କୁ ଔଷଧଦ୍ୱାରା ଅଜ୍ଞାନ କରି ଅସ୍ତ୍ରକ୍ରିୟା କଲେ ଏବଂ କହିଲେ ଯେ, ଅସ୍ତ୍ରକ୍ରିୟା ହୋଇ ନ ଥିଲେ ଆଉ ଦୁଇ ତିନି ଘଣ୍ଟା ମଧ୍ୟରେ ସମ୍ରାଟ୍‌ଙ୍କର ମୃତ୍ୟୁ ଘଟିବାର ଆଶାଙ୍କା ଥିଲା । ସମ୍ରାଟ୍‌ ଅସ୍ତ୍ରକ୍ରିୟା ପରେ ଚୈତନ୍ୟ ଲାଭ କଲାକ୍ଷଣି କହିଲେ, ‘‘ମୋ ପ୍ରଜାମାନେ କି ମୋତେ କ୍ଷମା କରିବେ- ?’’ ଆହା, ପ୍ରଜାମାନେ ପ୍ରତି କି ଗଭୀର ଅନୁରାଗ ! ତାହାଙ୍କର ବିଶାଳ ସାମ୍ରାଜ୍ୟର ସର୍ବାଞ୍ଚଳରେ ପ୍ରଜାମାନେ ତାଙ୍କ ପୀଡ଼ାର ବାର୍ତ୍ତା ଶୁଣି ତାଙ୍କର ଆରୋଗ୍ୟ ପ୍ରାର୍ଥନା କରିବାକୁ ଲାଗଲେ ଏବଂ ସୌଭାଗ୍ୟକ୍ରମେ ସେ ଆରୋଗ୍ୟଲାଭ କରି ଯଥାବିଧି ସମ୍ରାଟ୍‌ ପଦରେ ଅଭିଷିକ୍ତ ହେଲେ ।

 

କୁମାର ଏଡ୍‌ଉଆର୍ଡ଼ ୧୮୪୧ ଖ୍ରୀଷ୍ଟବ୍ଦର ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ରାଜକୁମାର ଆଲବାର୍ଟ ସର୍ବଗୁଣାନ୍ୱତ, ସୁଶିକ୍ଷିତ ଓ ଧାର୍ମିକ ପୁରୁଷ ଥିଲେ । ତାହାଙ୍କର ଜନନୀ ମହାଦେବୀ ଭିକ୍‌ଟୋରିୟାଙ୍କର ଗୁଣରାଶି ଜଗତ୍‌ପ୍ରସିଦ୍ଧ । ପିତା ମାତା ଉଭୟେ କୁମାର ଏଡ୍‌ଉଆର୍ଡଙ୍କର ସୁଶିକ୍ଷା ବିଷୟରେ ଏକାନ୍ତ ମନୋଯୋଗୀ ଥିଲେ । ତାଙ୍କର ଅଷ୍ଟାଦଶ ବର୍ଷ ବୟସ ପର୍ଯ୍ୟନ୍ତ ପିତାମାତା ତାହାଙ୍କୁ କଠିନ ଶାସନରେ ରଖିଥିଲେ । ବିଷୟଲାଳସା ବା କୌଣସି ପ୍ରକାର ଦୁଷ୍ପ୍ରବୃତ୍ତି ଯେପରି ତାଙ୍କ ମନରେ ପ୍ରବେଶ ନ କରେ, ସେ ବିଷୟରେ ସେମାନଙ୍କର ତୀକ୍ଷ୍‌ଣ ଦୃଷ୍ଟି ଥିଲା । ସପ୍ତବର୍ଷ ବୟସ ସମୟରୁ କୁମାର ଉଦ୍ୟାନରେ ଭୂମିକର୍ଷଣ, ବୃକ୍ଷରୋପଣ, ବୃକ୍ଷରେ ଜଳସେଚନ ପ୍ରଭୃତି କାର୍ଯ୍ୟ କରିବାକୁ ଶିଖିଥିଲେ । ପରେ ସେ ଅକ୍‌ସଫୋର୍ଡ ଓ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍ୟାନ୍ୟ ଛାତ୍ରମାନଙ୍କ ସଙ୍ଗରେ ନାନା ବିଦ୍ୟା ଅଧ୍ୟୟନ କଲେ । ୧୮୬୧ ଖ୍ରୀଷ୍ଟବ୍ଦରେ ତାହାଙ୍କୁ ପିତୃବିୟୋଗ ଶୋକ ସହିବାକୁ ହୋଇଥିଲା । ୧୮୬୩ ଖ୍ରୀଷ୍ଟବ୍ଦରେ ଡେନ୍‌ମାର୍କ ଦେଶର ରାଜତନୟା ଆଲେକଜାଣ୍ତ୍ରାଙ୍କ ସହିତ ମହା- ସମାରୋହରେ ତାହାଙ୍କର ପରିଣୟକ୍ରିୟା ସମ୍ପନ୍ନ ହେଲା । ବିବାହ ପରେ ସେ ପୃଥିବୀରେ ଅନେକ ଦେଶ ଭ୍ରମଣ କରିଥିଲେ । ୧୮୭୬ ଖ୍ରୀଷ୍ଟାବ୍ଦରେ ଯୁବରାଜ ଏଡ୍‌ଉଆର୍ଡ ଭାରତବର୍ଷକୁ ଭ୍ରମଣାର୍ଥ ଆସିଥିଲେ । ତାହାଙ୍କର ଆଗମନରେ ସମଗ୍ର ଭାରତବର୍ଷରେ ଉତ୍ସବାନନ୍ଦର ମହାତରଙ୍ଗ ଉଠିଥିଲା ।

 

ସମ୍ରାଟ୍‌ ଏଡ୍‌ଉଆର୍ଡଙ୍କର ପତ୍ନୀ ଆଲେକ୍‌ଜାଣ୍ତ୍ରାଙ୍କ ପରି ରୂପବତୀ, ଗୁଣବତୀ ନାରୀ ପୃଥିବୀରେ ଅତି ବିରଳ । ତାହାଙ୍କର ପିତୃମାତୃଭକ୍ତି, ପତିସେବା, ସନ୍ତାନବାତ୍ସଲ୍ୟ, ପ୍ରଜାନୁରାଗ ଏବଂ ଜୀବଦୟା ବିଷୟରେ ଅନେକ ସୁନ୍ଦର କଥା ବର୍ଣ୍ଣିତ ଅଛି ।

 

ସିଂହାସନ ଆରୋହଣ କଲା ଦିନୁ ସମ୍ରାଟ୍‌ ଏଡ୍‌ଉଆର୍ଡ ପୃଥିବୀରେ ଯୁଦ୍ଧ ପରିବର୍ତ୍ତରେ ସର୍ବତ୍ର ଶାନ୍ତି ପ୍ରତିଷ୍ଠିତ ହେବାଲାଗି ଏବଂ ନାନା ଜନହିତକର କାର୍ଯ୍ୟଦ୍ୱାରା ପ୍ରଜାମାନଙ୍କର କଲ୍ୟାଣସାଧନ ନିମିତ୍ତ ସର୍ବଦା ଚେଷ୍ଟା କରୁଥିଲେ ।

 

ହାୟ ! ହାୟ ! ତାହାଙ୍କର ରାଜତ୍ୱର ଦଶମବର୍ଷ ପୂର୍ଣ୍ଣ ନୋହୁଣୁ ସେ ୧୯୧୦ ସାଲ ମେ ମାସ ୬ ତାରିଖରେ ପରଲୋକପ୍ରାପ୍ତ ହେଲେ । ତାଙ୍କର ବିୟୋଗବାର୍ତ୍ତା ପ୍ରଚାରିଚ ହେଲାକ୍ଷଣି ସମସ୍ତ ପୃଥିବୀ ମହାଶୋକରେ ନିମଜ୍ଜିତ ହେଲା । ତାଙ୍କ ଅନ୍ତେ ତାଙ୍କର ପୁତ୍ର ମହାନୁଭବ ଜର୍ଜ (ପଞ୍ଚମ) ସୁବିଶାଳ ବ୍ରିଟିଶ୍‌ ସାମାଜ୍ର୍ୟର ସମ୍ରାଟ୍‌ରୂପେ ପ୍ରତିଷ୍ଠିତ ହୋଇଅଛନ୍ତି ।

Image

 

ଆକବର

 

ମୁସଲମାନ ରାଜାମାନଙ୍କ ମଧ୍ୟରେ ଆକବର ସର୍ବଶ୍ରେଷ୍ଠ । ଆକବରଙ୍କ ଜନନୀ ସୁଲତାନା ହାମିଦା ଯେତେବେଳେ ଆସନ୍ନପ୍ରସବା, ସେତେବେଳେ ତାଙ୍କର ସ୍ୱାମୀ ବାଦସାହ ହୁମାୟୁନ ଘୋର ବିପଦରେ ପଡ଼ିଥିଲେ । ଶତ୍ରୁ ଶେରସାହଙ୍କଦ୍ୱାରା ପରାସ୍ତ ହୋଇ ସେ କତିପୟ ବିଶ୍ୱସ୍ତ ଅନୁଚରଙ୍କ ସଙ୍ଗରେ ପଳାଇ ଯାଇ ସିନ୍ଧୁନଦୀତଟବର୍ତ୍ତୀ ଅମରକୋଟ ନାମକ ସ୍ଥାନରେ ଆଶ୍ରୟ ନେଇଥିଲେ । ଦୁର୍ଗମ ପଥ ଓ ମରୁଭୂମି ମଧ୍ୟରେ ଯାଉ ଯାଉ ମାର୍ଗରେ ଅନେକ ଅନୁଚର ପ୍ରାଣତ୍ୟାଗ କଲେ ।

 

୧୫୪୨ ଖ୍ରୀଷ୍ଟାବ୍ଦରେ, ୧୫ ତାରିଖ ଅକ୍‌ଟୋବର ରବିବାରରେ ଆକବର ଅମରକୋଟ୍‌ରେ ଭୂମିଷ୍ଠ ହୋଇଥିଲେ । ହୁମାୟୁନ ପୁତ୍ରମୁଖ ଦେଖି ସୁଖୀ ହୋଇପାରିଲେନାହିଁ; କାରଣ ଶତ୍ରୁମାନେ ସେଠାରେ ମଧ୍ୟ ଉପସ୍ଥିତ ହେଲେ । ତହିଁ ନିରୁପାୟ ହୋଇ ସଦ୍ୟପ୍ରସୂତ ସନ୍ତାନକୁ କରିତ୍ୟାଗକରି ପଳାୟନ କଲେ । ତତ୍‌ପରେ ଶିଶୁ ଆକବର ହୁମାୟୁନଙ୍କ ଭାଇ କାମରାନ୍‌ଙ୍କ ହସ୍ତରେ ପତିତ ହେଲେ । କାମରାନ୍‌ ଭାଇ ହୋଇ ସୁଦ୍ଧା ଭଗାରି ହୋଇଥିଲେ । ସେ ଅନେକ ଥର ଆକବରଙ୍କୁ ବିନାଶ କରିବାପାଇଁ ଚେଷ୍ଟା କରିଥିଲେ; କିନ୍ତୁ ସେ ଚେଷ୍ଟା ସଫଳ ହେଲା ନାହିଁ ।

 

ଏଣେ ହୁମାୟୁନ ପାରସ୍ୟକୁ ଯାଇ ପାରସ୍ୟ ରାଜାଙ୍କ ଶରଣ ନେଲେ । ପାରସ୍ୟ ରାଜା ହୁମାୟୁନଙ୍କୁ ଯଥେଷ୍ଟ ସୈନ୍ୟସାମନ୍ତ ଦେଇ ସାହାଯ୍ୟ କରିବାରୁ ହୂମାୟୁନ୍‌ କିଛିକାଳ ପରେ କାବୁଲ, କାନ୍ଦାହାର ଏବଂ ଗଜନୀ ଅଧିକାର କଲେ । ହୁମାୟୁନ ଯେତେବେଳେ କାବୁଲ୍‌ ଅବରୋଧ କଲେ, ସେତେବେଳେ ତାଙ୍କ ଭାଇ କାମରାନ୍‌ ଶିଶୁ ଆକବରଙ୍କୁ ଦେଖାଇ କହିଲେ- ‘‘ଦେଖ, ଅଗ୍ନିକୁଣ୍ତ ଜଳୁଅଛି; ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଅଗ୍ରସର ହୁଅ, ତାହାହେଲେ ନିଶ୍ଚୟ ମୁଁ ଏ ଶିଶୁକୁ ଅଗ୍ନିକୁଣ୍ତରେ ନିକ୍ଷେପ କରିବି ।’’ ହୁମାୟୁନ ତହିଁରେ କିଛିମାତ୍ର ଭୀତ ହେଲେନାହିଁ; ସାହସ ସହିତ ଯୁଦ୍ଧରେ ଅଗ୍ରସରହୋଇ ପୁତ୍ରକୁ ଉଦ୍ଧାର କଲେ । ଏହି ଘଟନାର କିଛିକାଳ ପରେ ଦିଲ୍ଲୀରୁ ହୁମାୟୁନଙ୍କର ପୂର୍ବତନ ଅନୁଚରମାନେ ଲେଖିପଠାଇଲେ,’‘ଆପଣଙ୍କର ଶତ୍ରୁମାନେ ଆଉ ଜୀବିତ ନାହାନ୍ତି । ବର୍ତ୍ତମାନ ଅଳ୍ପସଂଖ୍ୟକ ସୈନି ଘେନି ଦିଲ୍ଲୀରେ ଉପସ୍ଥିତ ହେଲେ ଆପଣ ପୁଣି ଭାରତସମ୍ରାଟ୍‌ ହୋଇପାରିବେ ।’’ ହୁମାୟୁନ ଏ ସମ୍ବାଦ ପାଇ ଭାରତବର୍ଷ ଆଡ଼କୁ ଅଗ୍ରସର ହେଲେ-। ଲାହୋରଠାରେ ଏକ ତୁମୁଳ ସଂଗ୍ରାମ ହେଲେ; ତହିଁରେ ତ୍ରୟୋଦଶବର୍ଷୀୟ ବାଳକ ଆକବର ପିତାଙ୍କ ସହିତ ଯୁଦ୍ଧକ୍ଷେତ୍ରରେ ଅଦ୍ଭୁତ ସାହସ ଓ ବଳ ଦେଖାଇଲେ । ତତ୍‌ପରେ ହୁମାୟୁନ ପୁତ୍ରସହ ଦିଲ୍ଲୀରେ ଉପସ୍ଥିତ ହୋଇ ଶତ୍ରୁମାନଙ୍କୁ ପରାଜିତ କରି ସିଂହାସନ ଅଧିକାର କଲେ । ହୁମାୟୁନ ରାଜ୍ୟଲାଭ କରିବାର ଅତ୍ୟଳ୍ପ ଦିନପରେ ଉପାସନା କରୁ କରୁ ପ୍ରସ୍ତରନିର୍ମିତ ମସୃଣ ସୋପାନରୁ ଗୋଡ଼ ଖସି ପଡ଼ିଯାଇ ଦାରୁଣ ଆଘାତ ପାଇଲେ ଏବଂ ସେହି ଆଘାତଯୋଗୁଁ କିଛି ଦିନ ପରେ ତାହାଙ୍କର ମୃତ୍ୟୁ ହେଲା ।

 

୧୫୫୬ ଖ୍ରୀଷ୍ଟାବ୍ଦରେ ଆକବର ଦିଲ୍ଲୀର ସମ୍ରାଟ୍‌ପଦରେ ଅଧିରୂଢ ହେଲେ । ସେତେବେଳେ ସେ ଅପ୍ରାପ୍ତବୟସ୍କ ବାଳକ ଥିବାରୁ ପିତାଙ୍କର ପ୍ରିୟମନ୍ତ୍ରୀ ବୈରାମ ଖାଁ ସମସ୍ତ ରାଜକାର୍ଯ୍ୟ ବୁଝିବାକୁ ଲାଗିଲେ । ଆକବର କିଛିକାଳ ପରେ ନିଜେ ସାମ୍ରାଜ୍ୟଶାସନର ଭାର ଗ୍ରହଣ କରି କ୍ରମେ କ୍ରମେ ବଳ ଓ କୌଶଳ ପ୍ରୟୋଗ କରି ପୂର୍ବରେ ବଙ୍ଗ ଓ ଆସାମ, ଦକ୍ଷିଣରେ ଆହମ୍ମଦ ନଗର, ମଧ୍ୟଭାରତରେ ରାଜପୁତାନା, ପଶ୍ଚିମରେ କାବୁଲ, କାନ୍ଦାହାର ତାହାଙ୍କର ସାମ୍ରାଜ୍ୟଭୁକ୍ତ କଲେ । ମୁସଲମାନ ସମ୍ରାଟ୍‌ମାନଙ୍କ ମଧ୍ୟରେ ଆକବର ସର୍ବଶ୍ରେଷ୍ଟ ଥିଲେ । ତାଙ୍କ ସ୍ୱଭାବରେ କଠୋର ବୀରଭାବ ଓ କୋମଳ ସ୍ନେହ-ଦୟା ଉଭୟ ସମଭାବରେ ଥିଲା । ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ପ୍ରଭୃତି ସବୁ ପ୍ରଜାଙ୍କୁ ସମାନ ଭାବରେ ଦେଖିଥିଲେ । ସବୁ ସମ୍ପ୍ରଦାୟର ଧର୍ମଶାସ୍ତ୍ରକୁ ସମ୍ମାନ କରୁଥିଲେ । ପୂର୍ବବର୍ତ୍ତୀ ସମ୍ରାଟ୍‌ମାନେ ହିନ୍ଦୁମାନଙ୍କ ଉପରେ ଜିଜିୟା କର ବସାଇଥିଲେ; ଆକବର ତାହା ଉଠାଇ ଦେଇଥିଲେ । ଯହିଁରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସଦ୍ଭାବ ଜନ୍ମିପାରେ, ସେ ବିଷୟରେ ଆକବରଙ୍କର ବିଶେଷ ଯତ୍ନ ଥିଲା । ଈଶ୍ୱରଙ୍କର ଆରାଧନା, ସତ୍ୟପ୍ରତି ଆଦର, ସଦନୁଷ୍ଠାନରେ ଉତ୍‌ସାହ-ଦାନ ତାଙ୍କ ଜୀବନର ଦୈନିକ ବ୍ରତ ଥିଲା । ଧନୀ, ନିର୍ଦ୍ଧନ ସମସ୍ତ ପ୍ରଜା ତାଙ୍କର ସାକ୍ଷାତ୍‌ଲାଭ କରିପାରୁଥିଲେ । ସେ ଇନ୍ଦ୍ର ତୁଲ୍ୟ ଐଶ୍ୱର୍ଯ୍ୟର ଅଧୀଶ୍ୱର ହୋଇ ସୁଦ୍ଧା ଅହଙ୍କାରୀ ନ ଥିଲେ । ଆକାବର ତାହାଙ୍କାର ପୁସ୍ତକାଗାରରେ ଆରବୀ, ପାରସୀ, ସଂସ୍କୃତ, ହିନ୍ଦୀ, ଗ୍ରୀକ୍‌ ପ୍ରଭୃତି ବିଭିନ୍ନ ଭାଷାର ପୁସ୍ତକସମୂହ ପୃଥକ ପୃଥକ ସ୍ଥାନରେ ସୁସଜ୍ଜିତ କରି ରଖିଥିଲେ । ରାଜକାର୍ଯ୍ୟ ଶେଷ କରି ଅବସରକ୍ରମେ ପୁସ୍ତକପାଠ ଶ୍ରବଣ କରୁଥିଲେ ଏବଂ ପାଠ ସମାପ୍ତି ପରେ ପାଠକମାନଙ୍କୁ ସ୍ୱର୍ଣ୍ଣରୌପ୍ୟାଦି ପୁରସ୍କାର ଦେଉଥିଲେ । ଆକାବରଙ୍କ ସମୟରେ ଚିତ୍ରବିଦ୍ୟାର ମହୋନ୍ନତି ହୋଇଥିଲା । ସେ ସ୍ୱୟଂ ଚିତ୍ର କରିବାକୁ ଭଲ ପାଉଥିଲେ ଏବଂ ଚିତ୍ରକାରମାନଙ୍କୁ ପାରତୋଷିକ ଦାନକରି ଉତ୍ସାହ ଦେଉଥିଲେ । ଶିଳ୍ପକାର୍ଯ୍ୟରେ ମଧ୍ୟ ତାଙ୍କର ଅନୁରାଗ ଥିଲା ଏବଂ ସେ ନିଜେ କେତେଗୁଡ଼ିଏ କୌଶଳପୂର୍ଣ୍ଣ ଯନ୍ତ୍ର ନିର୍ମାଣ କରିଥିଲେ । ତାଙ୍କ ରାଜସଭାରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ପ୍ରଭୃତି ଧର୍ମାବଲମ୍ବୀମାନେ ନିଜର ମତ ନିର୍ଭୟରେ ବ୍ୟକ୍ତ କରିବାର ପାଇଥିଲେ । ଦୁର୍ଦ୍ଧର୍ଷ ରାଜପୁତ ରାଜାମାନଙ୍କୁ ବନ୍ଧୁତାସୂତ୍ରରେ ବାନ୍ଧି ସେ ଶତ୍ରୁମାନଙ୍କୁ ପରମବନ୍ଧୁ କରିନେଲେ । ସେ ନିଜେ ରାଜପୁତ ରାଜକୁମାରୀଙ୍କୁ ବିବାହ କରିଥିଲେ ଏବଂ ନିଜ ପୁତ୍ରଙ୍କୁ ରାଜପୁତ୍ର କନ୍ୟା ସହିତ ବିବାହ କରାଇଥିଲେ । ରାଜା ମାନସିଂହ ଓ ରାଜା ତୋଡ଼ରମଲ୍ଲ ରାଜପୁତଦ୍ୱୟ ସେନାପତି ଓ ରାଗସ୍ୱମନ୍ତ୍ରୀ ପଦରେ ନିଯୁକ୍ତ ହୋଇ ରାଜ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲେ ।

 

ଆକବରଙ୍କ ଧର୍ମାନୁଷ୍ଠାନ ମଧ୍ୟରୁ ନିମ୍ନଲିଖିତ ଅନୁଷ୍ଠାନଟି ସ୍ମରଣୀୟ । ସୂର୍ଯ୍ୟ ମେଷରାଶିସ୍ଥ ହେବାର ଊନବିଂଶ ଦିବସରେ ସେ ସୌରାଗ୍ନି ଆହରଣ କରୁଥିଲେ । ଦିବା ଦ୍ୱିପ୍ରହର ସମୟରେ ଅନୁଚରମାନେ ସୂର୍ଯ୍ୟକାନ୍ତମଣି ରୌଦ୍ରରେ ରଖି ସେଥିରେ ଉଦ୍‌ଭୂତ ଅଗ୍ନିଦ୍ୱାରା ତୁଳା ଜାଳି ନିଅନ୍ତୁ । ବର୍ଷଯାକ ଅଗ୍ନିପାତ୍ରରେ ସେହି ଅଗ୍ନି ରକ୍ଷାକରିବା ପାଇଁ କେତେଗୁଡ଼ିଏ ବିଶ୍ୱାସୀ ଲୋକ ନିଯୁକ୍ତ ରହୁଥିଲେ । ସମ୍ରାଟ୍‌ଙ୍କର ରନ୍ଧାନାଦି କାର୍ଯ୍ୟ ସେହି ଅଗ୍ନିରେ ହେଉଥିଲା ।

Image

 

ସାବିତ୍ରୀ

 

ପୁରାକାଳରେ ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ଧାର୍ମିକ ରାଜା ଥିଲେ । ସେ ଅପୁତ୍ରିକ ଥିଲେ; କିନ୍ତୁ ସାବିତ୍ରୀ ନାମ୍ନୀ ତାହାଙ୍କର ଗୋଟିଏ ପରମା ସୁନ୍ଦରୀ କନ୍ୟା ଥିଲା । ସାବିତ୍ରୀ ବାଲ୍ୟକାଳରୁ ଧର୍ମନିଷ୍ଠା, ପିତୃଭକ୍ତି ଏବଂ ପୁଣ୍ୟ ଚରିତ୍ରଦ୍ୱାରା ସମସ୍ତଙ୍କର ଶ୍ରଦ୍ଧା ଓ ପ୍ରୀତି ଆକର୍ଷଣ କରିଥିଲେ । କ୍ରମେ କ୍ରମେ ସେ ବାଲ୍ୟକାଳ ଅତିକ୍ରମ କରି ଯୌବନରେ ପଦାର୍ପଣ କଲେ । ଦିନେ ସେ ସ୍ନାନାନ୍ତେ ଈଶ୍ୱରାଧନା କରି ଭକ୍ତିନମ୍ର ଚିତ୍ତରେ ପିତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତକରି ତାଙ୍କ ନିକଟରେ ଦଣ୍ତାୟମାନ ହୁଅନ୍ତେ ଅଶ୍ୱପତି ଆନନ୍ଦାଶ୍ରୁପୂର୍ଣ୍ଣ-ନୟନରେ ସାବିତ୍ରୀଙ୍କର ପୁଣ୍ୟତେଜରେ ସମୁଜ୍ଜ୍ୱଳ ସୁନ୍ଦର ମୁଖପଦ୍ମ ନିରୀକ୍ଷଣ କରି କହିଲେ, ‘‘ବତ୍ସେ ! ତୁମ୍ଭର ପୁଣ୍ୟଚରିତ୍ରଦ୍ୱାରା ଏହି ରାଜବଂଶ ଉଜ୍ଜ୍ୱଳ ହୋଇଅଛି ଏବଂ ମୋର ଜୀବନ ସାର୍ଥକ ହୋଇଅଛି । ଏବେ ସୁଯୋଗ୍ୟ ସତ୍‌ପାତ୍ର ସଙ୍ଗରେ ତୁମ୍ଭର ପରିଣୟ ହେଲେ ମୁଁ ସୁଖୀ ହେବି । ତୁମ୍ଭର ଅଦ୍ଭୁତ ପୁଣ୍ୟତେଜ ଦେଖି କେହି ରାଜପୁତ୍ର ତୁମ୍ଭଙ୍କୁ ବିବାହ କରିବାର ପ୍ରସ୍ତାବ ଉତ୍‌ଥାପନ କରିବାକୁ ସାହସୀ ହେଉନାହାନ୍ତି; ଅତଏବ, ମୁଁ ତୁମ୍ଭଙ୍କୁ ସୁଯୋଗ୍ୟ ପତି ଅନ୍ୱେଷଣ କରିବା ନିମିତ୍ତ ଅନୁମତି ଦେଉଅଛି । ତୁମ୍ଭେ ବୃଦ୍ଧ ମନ୍ତ୍ରୀମାନଙ୍କ ସଙ୍ଗରେ ୠଷିମାନଙ୍କର ତପୋମତ ଏବଂ ନାନା ତୀର୍ଥ ଭ୍ରମଣ କରି ତୁମ୍ଭର ମନୋମତ ପତି ନିରୂପଣ କରି ମୋତେ ଜଣାଇଲେ ମୁଁ ଯଥାବିଧି ତୁମ୍ଭର ବିବାହର ଆୟୋଜନ କରିବି ।’’
 

ପିତାଙ୍କର ଆଦେଶ ଅନୁସାରେ ସାବିତ୍ରୀ ବହୁକାଳ ନାନା ଜନପଦ ଭ୍ରମଣ କରି ସତ୍ୟବାନ୍‌ ନାମଧେୟ ଶାଲ୍ୱ ଦେଶର ରାଜା ଦ୍ୟୁମତ୍‌ସେନଙ୍କର ଏକମାତ୍ର ପୁତ୍ରକୁ ମନୋନୀତ କଲେ । ଦିନେ ଅଶ୍ୱପତି ରାଜସଭାରେ ବସି ଦେବର୍ଷି ନାରଦଙ୍କ ସଙ୍ଗେ ଆଳାପ କରୁଅଛନ୍ତି, ଏମନ୍ତ ସମୟରେ ସାବିତ୍ରୀ ଦେଶାଟନରୁ ବାହୁଡ଼ି ଭକ୍ତିଭରେ ପିତା ଓ ନାରଦଙ୍କ ଚରଣବନ୍ଦନା କଲେ । ଅଶ୍ୱପତି ଜିଜ୍ଞାସା କଲେ, ‘‘ବତ୍ସେ ! ତୁମ୍ଭେ କାହାକୁ ମନୋନୀତ କଲ ?’’ ସାବିତ୍ରୀ ଲଜ୍ଜାରେ ମସ୍ତକ ଅବନତ କରି କହିଲେ, ‘‘ଶାଲ୍ୱ ଦେଶର ରାଜା ଦ୍ୟୁମତ୍‌ସେନ ଅନ୍ଧ ହୋଇଯିବାରୁ ଶତ୍ରୁମାନେ ତାହାଙ୍କର ରାଜ୍ୟ ଅପହରଣ କରି ତାହାଙ୍କୁ ତଡ଼ିହେଇଥିବାରୁ ସେ ତାହାଙ୍କର ପୁତ୍ର ସତ୍ୟବାନ୍‌ଙ୍କୁ ସଙ୍ଗରେ ଘେନି ଗୋଟିଏ ତପୋବନରେ ୠଷିଜୀବନ ଅବଲମ୍ବନ କରି ସେଠାରେ ଅଛନ୍ତି । ସତ୍ୟବାନ୍‌ ରାଜବଂଶରେ ଜାତ ହୋଇ ୠଷିକୁମାରରୂପେ ଶିକ୍ଷାଲାଭ କରି ପିତାଙ୍କର ସେବାରେ ନିଯୁକ୍ତ ଅଛନ୍ତି । ମୁଁ ତାହାଙ୍କୁ ମନେ ମନେ ବରଣ କରିଅଛି ।’’

 

ନାରଦ ସାବିତ୍ରୀଙ୍କର କଥା ଶୁଣି କହିଲେ, ‘‘ହେ ରାଜନ୍‌, ସାବିତ୍ରୀ ଯାହାଙ୍କୁ ବିବାହ କରିବାର ଅଭିଳାଷ କରିଅଛନ୍ତି, ସେ ସର୍ବଗୁଣାନ୍ୱତ, ସତ୍ୟବାଦୀ, ଦୟାଳୁ ଏବଂ ବିଦ୍ୱାନ୍‌ ହେଲେହେଁ ଅଳ୍ପାୟୁ ଅଟନ୍ତି । ଆଜିଠାରୁ ଯେଉଁ ଦିନ ଏକ ବର୍ଷ ପୂର୍ଣ୍ଣ ହେବ, ସେହି ଦିନ ତାହାଙ୍କର ମୃତ୍ୟୁ ହେବା-। ଏପରି ଅଳ୍ପାୟୁ ପୁରୁଷକୁ କିପରି କନ୍ୟା ସମ୍ପ୍ରଦାନ କରିବେ ?’’ ଏକଥା ଶୁଣି ଅଶ୍ୱପତି ସାବିତ୍ରୀଙ୍କୁ କହିଲେ ତାହା ତ ଶୁଣିଲ । ଏପରି ଅଳ୍ପାୟୁ ପୁରୁଷକୁ ବିବାହ କଲେ ତୁମ୍ଭେ ଚିରବୈଧବ୍ୟ-ଦୁଃଖାଗ୍ନିରେ ଦଗ୍‌ଧ ହେବ । ମୁଁ ତୁମ୍ଭର ଏପରି ଚିରଜୀବନବ୍ୟାପୀ ଦୁଃଖ ଦେଖି କେମନ୍ତ ବଞ୍ଚିବି ? ତୁମ୍ଭେ ଅନ୍ୟ ଉପଯୁକ୍ତ ରାଜକୁମାରଙ୍କୁ ବରଣ କର ।’’ ସାବିତ୍ରୀ ଉତ୍ତର କଲେ, ‘‘ମୁଁ ଯାହାଙ୍କୁ ମନେ ମନେ ବରଣ କରିଅଛି ସେ ଅଳ୍ପାୟୁ ହେଲେହେଁ ମୁଁ ଅନ୍ୟ କାହାକୁ ବିବାହ କରିପାରିବି ନାହିଁ ।’’

 

ସାବୀତ୍ରୀଙ୍କର ଧର୍ମନିଷ୍ଠ ମନ କୌଣସି ପ୍ରକାରେ ଟଳିବାର ନୁହେଁ ଜାଣି ଅଶ୍ୱପତି ଅଗତ୍ୟା ସତ୍ୟବାନ୍‌ଙ୍କ ସଙ୍ଗରେ ସାବିତ୍ରୀଙ୍କର ବିବାହ ଯଥାବିଧି ଅନୁଷ୍ଠାନ କଲେ । ସାବିତ୍ରୀ ପତି ସଙ୍ଗେ ତପୋବନକୁ ଯାଇ ସେଠାରେ ଶ୍ୱଶୁର ଓ ଶ୍ୱଶ୍ରୁଙ୍କର ସେବାଦ୍ୱାରା ଏବଂ ଆଶ୍ରମବାସୀ ୠଷି, ୠଷିପତ୍ନୀ, ୠଷିକୁମାର ଓ ୠଷିକୁମାରୀମାନଙ୍କ ସହିତ ପବିତ୍ର ଓ ମିଷ୍ଟ ବ୍ୟବହାରଦ୍ୱାରା ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିଲେ । କ୍ରମେ ସତ୍ୟବାନ୍‌ଙ୍କର ମୃତ୍ୟୁଦିନ ଉପସ୍ଥିତ ହେଲା । ସତ୍ୟବାନ୍‌ ପ୍ରତିଦିନ କାଷ୍ଟ ଆହାରଣ କରିବାପାଇଁ ବନକୁ ଯା’ନ୍ତି । ସେଦିନ ମଧ୍ୟ ବନକୁ ଯିବାପାଇଁ ବାହାରନ୍ତେ ସାବିତ୍ରୀ ଶ୍ୱଶୁର ଶ୍ୱଶ୍ରୁଙ୍କଠାରୁ ବନର୍ଦଶନ ନିମିତ୍ତ ଅନୁମତି ଗ୍ରହଣ କରି ପତିଙ୍କ ସଙ୍ଗରେ ଗମନ କଲେ । ମାର୍ଗରେ ସତ୍ୟବାନ୍‌ ସାବିତ୍ରିଙ୍କୁ ପତ୍ରପୁଷ୍ପଫଳଶୋଭିତ ବନ, କଳକଣ୍ଠ ନାନା ବିହଙ୍ଗ ଓ ନିର୍ମଳ ଜଳପୂର୍ଣ୍ଣ ନିର୍ଝରିଣୀ ଦେଖାଇବାକୁ ଲାଗିଲେ । କୀନ୍ତୁ ସାବିତ୍ରୀଙ୍କର ହୃଦୟ ପତିଙ୍କର ଆସନ୍ନ ମୃତ୍ୟୁକଥା ଭାଳି ଏପରି ଦୁଃଖପୂର୍ଣ୍ଣ ଥିଲା ଯେ, ସେ ପତିଙ୍କର ଅନୁରୋଧ ଅନୁସାରେ ଚାରିଆଡ଼କୁ ଅନାଇ ସୁଦ୍ଧା ଅନ୍ୟମନସ୍କା ଥିବାରୁ କିଛି ଦେଖିପାରି ନ ଥିଲେ ।

 

ଏଥିଉତ୍ତାରେ ସତ୍ୟବାନ୍‌ କୁଠାର ହସ୍ତରେ ଘେନି ଗୋଟିଏ ବୃକ୍ଷ ଆରୋହଣ କରି ଶୁଷ୍କ କାଷ୍ଠ କାଟୁ କାଟୁ ମସ୍ତକରେ ଭୟଙ୍କର ବେଦନା ଅନୁଭବ କରି ତଳକୁ ଓହ୍ଲାଇ ଆସି କହିଲେ, ‘‘ପ୍ରିୟେ, ମୋର ଶରୀର ଅବଶ ହୋଇ ଆସିଅଛି ମୋତେ ଧର ।’’ ସାବିତ୍ରୀ ସେହି ନିର୍ଜନ ବନରେ ପତିଙ୍କର ବହୁ ଶୁଶ୍ରୂଷା କଲେ ଏବଂ ରାତ୍ରିକାଳରେ ଘୋର କୃଷ୍ଣଚତୁର୍ଦ୍ଦଶୀର ଗାଢ ଅନ୍ଧାକାର ମଧ୍ୟରେ ସତ୍ୟବାନ୍‌ଙ୍କ ମସ୍ତକ କ୍ରୋଡ଼ରେ ରଖି ଏକାକିନୀ ବସିରହିଲେ । ସହସା ଜଣେ ଦୀର୍ଘକାୟ ଦିବ୍ୟକାନ୍ତି ପୁରୁଷ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ସାବିତ୍ରୀ ସସମ୍ଭ୍ରମେ ତାହାଙ୍କ ପଦତଳେ ପ୍ରଣାମ କରି କହିଲେ, ‘‘ଭଗବାନ୍‌, ଆପଣ କିଏ, କାହିଁକି ଆସିଛନ୍ତି ?’’ ଦିବ୍ୟ ପୁରୁଷ ଉତ୍ତର କଲେ, ‘‘ମୁଁ ଯମରାଜ, ସତ୍ୟବାନ୍‌ଙ୍କର ଆୟୁଷ ଶେଷ ହେବାରୁ ତାହାଙ୍କୁ ନେବାପାଇଁ ଆସିଅଛି ।’’ ଏହା କହି ଯମରାଜ ସତ୍ୟବାନ୍‌ଙ୍କ ଆତ୍ମାକୁ ଘେନି ପ୍ରସ୍ଥାନ କରନ୍ତେ ସାବିତ୍ରୀ ତାହାଙ୍କର ପଛେ ପଛେ ଯିବାକୁ ଲାଗିଲେ । ସାବିତ୍ରୀ ତାଙ୍କର ଅନୁଗମନ କରୁଥିବାର ଦେଖି ଯମରାଜ କହିଲେ, ‘‘ତୁମ୍ଭେ ଗୃହକୁ ଲେଉଟି ନଯାଇ ମୋ ସଙ୍ଗେ ଆସୁଅଛି ।’’ ସାବିତ୍ରି କହିଲେ, ‘‘ମୋ ସ୍ୱାମୀ ଯେଉଁଠାକୁ ଯିବେ, ମୁଁ ମଧ୍ୟ ସେହିଠାକୁ ଯିବି । ମୋତେ ନିବାରଣ କରନ୍ତୁ ନାହିଁ । ଯମରାଜ କହିଲେ, ‘‘ମୁଁ ତୁମ୍ଭର ଧର୍ମନିଷ୍ଟା ଓ ପତିପରାୟଣତା ଦେଖି ପ୍ରୀତ ହୋଇଅଛି, ତୁମେ ପତିଙ୍କ ଜୀବନଛଡ଼ା ଆଉ ଯେଉଁ ବର ମାଗିବ ତାହା ଦେବି ।’’ ସାବିତ୍ରୀ କହିଲେ, ‘‘ମୋର ଶ୍ୱଶୁର ଅନ୍ଧ ଓ ରାଜ୍ୟହୀନ ହୋଇ ବନରେ ବାସ କରୁଅଛନ୍ତି । ତାହାଙ୍କୁ ରାଜ୍ୟ ଓ ଚକ୍ଷୁ ଦାନ କରନ୍ତୁ ।’’ ଯମରାଜ କହିଲେ, ‘‘ଏ ଦୁଇ ବର ଦେଲି । ଏବେ ଫେରିଯାଅ; ନୋହିଲେ ପଥଶ୍ରମରେ ବହୁ କଷ୍ଟ ପାଇବ ।’’ ସାବିତ୍ରୀ କହିଲେ, ‘‘ଭଗବାନ୍‌, ଆପଣ ମୋ ପତିଙ୍କି ଘେନି ଯାଉଅଛନ୍ତି । ଆପଣଙ୍କ ସଙ୍ଗରେ ଆସି ପତିସଙ୍ଗ ଲାଭ କରୁଅଛି । ଆଉ କେଣେ ଯିବି ନାହିଁ ।’’ ଯମରାଜ କହିଲେ, ‘‘ଆଉ କି ବର ମାଗୁଅଛ ?’’ ସାବିତ୍ରୀ କହିଲେ, ‘‘ମୋର ପିତା ଅପୁତ୍ରିକ । ତାହାଙ୍କର ବହୁପୁତ୍ର ଲାଭ ହେଉ ।’’ ଯମରାଜ ‘ତଥାସ୍ତୁ’ କହି ପୁଣି ଫେରିଯିବା ନିମିତ୍ତ ଅନୁରୋଧ କଲେ । ସାବିତ୍ରୀ କହିଲେ, ‘‘ଆପଣ ଧର୍ମରାଜ, ଆପଣଙ୍କର ଶାସନରେ ମୋ ସ୍ୱାମୀ ଅଛନ୍ତି । ମୁଁ ତାଙ୍କାର ନିକଟରେ ଅଛି । ମୁଁ ଅନ୍ୟତ୍ର ଯିବି ନାହିଁ । ଯମରାଜ ପ୍ରୀତ ହୋଇ କହିଲେ, ‘‘ସତ୍ୟବାନ୍‌ଙ୍କ ଜୀବନ ଛଡ଼ା ଅନ୍ୟ ବର ପ୍ରାର୍ଥନା କର ।’’ ସାବିତ୍ରୀ କହିଲେ, ‘‘ମୋର ଶତପୁତ୍ର ହେଉ, ଏହି ବର ପ୍ରଦାନ କରନ୍ତୁ ।’’ ଯମରାଜ କହିଲେ, ‘‘ତଥାସ୍ତୁ, ଏବେ ଫେରିଯାଅ ।’’ ତହିଁ ସାବିତ୍ରୀ କହିଲେ, ‘‘ହେ ଧର୍ମରାଜ, ପତି ଛଡ଼ା ମୋର ଆଉ ଅନ୍ୟ ପ୍ରାର୍ଥନାର ବସ୍ତୁ ନାହିଁ । ମୁଁ ପତି ଛଡ଼ା ଧନ, ପୁତ୍ର ବା ସ୍ୱର୍ଗ କିଛି ପ୍ରାର୍ଥନା କରୁନାହିଁ । ମୋତେ ମୋ ସ୍ୱାମୀଙ୍କି ଫେରାଇ ଦିଅନ୍ତୁ ।’’ ଯମରାଜ ସାବିତ୍ରୀଙ୍କର ଅଲୌକିକ ପବିତ୍ରତା ଓ ପାତିବ୍ରତ୍ୟ ଦେଖି ପ୍ରସନ୍ନ ହୋଇ କହିଲେ, ‘‘ତଥାସ୍ତୁ, ତୁମ୍ଭର ଅଦ୍ଭୁତ, ଅକ୍ଷୟ ସ୍ନେହର ପୁରସ୍କାର ପାଇଲ । ପତି ସଙ୍ଗରେ ତୁମ୍ଭର ଯୋଗ କଦାପି ବିଚ୍ଛିନ୍ନ ନହେଉ ।’’

Image

 

Unknown

ରଙ୍ଗନାଥ ଶାସ୍ତ୍ରୀ

 

ମାନ୍ଦ୍ରାଜ ଅଞ୍ଚଳରେ ଗୋଟିଏ ଗ୍ରାମରେ ୧୮୧୯ ଖ୍ରୀଷ୍ଟାବ୍ଦରେ ପଣ୍ତିତ ରଙ୍ଗନାଥ ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଅତି ଦରିଦ୍ର ବ୍ରାହ୍ମଣ ଥିଲେ; କିନ୍ତୁ ସେ ବହୁଶାସ୍ତ୍ରରେ ପଣ୍ତିତ ଥିଲେ । ତେଣୁ ଶୈଶବରେ ରଙ୍ଗନାଥଙ୍କର ସଂସ୍କୃତ ଶିକ୍ଷାର ସୁବିଧା ହୋଇଥିଲା । ପ୍ରବାଦ ଅଛି ଯେ, ରଙ୍ଗନାଥ ବାଲ୍ୟକାଳରେ ସଂସ୍କୃତରେ ଅଳ୍ପ ଅଳ୍ପ କଥାବାର୍ତ୍ତା କରିପାରୁଥିଲେ । ଦଶ ବର୍ଷ ବୟସରେ ତାଙ୍କର ଗୁଣ ଚାରିଆଡ଼େ ଜଣାଗଲା । ଗୋଟିଏ ବିଶେଷ ଘଟନାରେ ତାହାଙ୍କର ଜୀବନର ମାର୍ଗ ଉଜ୍ଜ୍ୱଳ ହୋଇଯାଇଥିଲା ।

 

ଉକ୍ତ ଘଟନା ଏହି ଯେ, ତାହାଙ୍କର ପିତା ସହକାରଙ୍କଠାରୁ କିଛି ଜମି ଇଜାରା ନେଇଥିଲେ । ନିର୍ଦ୍ଦିଷ୍ଟ ସମୟରେ ତହିଁର ରାଜସ୍ୱ ଦେଇ ନ ପାରବାରୁ ସରକାରୀ ନିୟମ ଅନୁସାରେ ତାହାକୁ କାରାବାସ ଦଣ୍ତ ଭେଗ କରିବାକୁ ହୋଲା । ସେହି କାରାବାସ ସମୟରେ ରଙ୍ଗନାଥଙ୍କର ପିତାମହଙ୍କ ଶ୍ରାଦ୍ଧଦିନ ପଡ଼ିଲା । ଶ୍ରାଦ୍ଧର ପୂର୍ବଦିନ ଶ୍ରାଦ୍ଧକାରୀଙ୍କି ଉପସ୍ଥିତ ନ ଦେଖି ରଙ୍ଗନାଥଙ୍କର ଜନନୀ ଶୋକରେ ବିଳାପ କରିବାକୁ ଲାଗିଲେ । ମାତାଙ୍କ ନେତ୍ରରୁ ଅବିରଳ ଅଶ୍ରୁପାତ ଦେଖି ବାଳକ ରଙ୍ଗନାଥ ଆଉ ଧୌର୍ଯ୍ୟ ଧରି ପାରଲେ ନାହିଁ । ସେ ତତ୍‌କ୍ଷଣାତ୍‌ ପିତାଙ୍କର କାରାମୁକ୍ତି ବିଷୟରେ କୃତସଂକଳ୍ପ ହୋଇ ନିକଟବର୍ତ୍ତୀ ନଗର ଅଭିମୁଖରେ ଧାବମାନ ହେଲେ । ନଗରରେ ପ୍ରବେଶକରି ସର୍ବପ୍ରଥମେ ସେ ଜଜ୍‌ସାହେବଙ୍କ କୋଠ ଠାରେ ଉପସ୍ଥିତ ହେଲେ ଏବଂ ଶ୍ରାଦ୍ଧଦିନ ପାଇଁ ପିତାଙ୍କୁ ମୁକୁଳାଇ ଦେବା ନିମନ୍ତେ ସାହେବଙ୍କୁ ବହୁତ ବିନୟ କରି କହିଲେ । ସେ ଜଜ୍‌ସାହେବ ବଡ଼ ଦୟାଳୁଥିବାରୁ ଜଣେ ବାଳକର ଏ ପ୍ରକାର କାକୁତିମିନତିରେ ସନ୍ତୁଷ୍ଟ ହୋଇ କହିଲେ, ‘‘ମୁଁ ତୁମ୍ଭ ପିତାଙ୍କୁ ମୁକ୍ତ କରିଦେଇପାରେ; କିନ୍ତୁ ନିୟମାନୁସାରେ ଜଣେ ପ୍ରତିଭୂ ଆବଶ୍ୟକ-। ତୁମ୍ଭ ପିତା ଫେରି ନ ଆସିଲା କଣ ହେବ ?’’

 

ରଙ୍ଗନାଥ ତତ୍‌କ୍ଷଣାତ୍‌ ଉତ୍ତର ହେଲେ, ‘‘ମୁଁ ସତ୍ୟ କରୁଅଛି ଯଦି ମୋହର ପିତା ନ ଆସନ୍ତି, ତାହାହେଲେ ମୁଁ କୟେଦରେ ରହିବି ।’’ ଜଣେ ଦଶ ବର୍ଷ ବୟସ୍କ ବାଳକର ଏ ପ୍ରକାର ପ୍ରତିଜ୍ଞା ଶୁଣି ସାହେବଙ୍କୁ ବଡ଼ ଆଶ୍ଚର୍ଯ୍ୟ ବୋଧହେଲା । ସେ ରଙ୍ଗନାଥଙ୍କ କଥାରେ ପରିତୋଷ ଲାଭ କରି ତାଙ୍କ ପିତାଙ୍କୁ କାରାମୁକ୍ତ କରିଦେଲେ ଏବଂ ପୂତ୍ରଙ୍କୁ କହିଲେ, ‘‘କାଲି ସକାଳେ ତୁମ୍ଭେ ମୋତେ ଆସି ଦେଖାଦେବ ।’’ ରଙ୍ଗନାଥ ମହାନନ୍ଦରେ ପିତାଙ୍କୁ ଘେନି ରାତ୍ରି ଦ୍ୱପହର ସମୟରେ ଆସି ଗୃହରେ ଉପସ୍ଥିତ ହେଲେ । ଉଭୟଙ୍କୁ ଦେଖି ଜନନୀଙ୍କର ଆଉ ଆନନ୍ଦର ସୀମା ରହିଲା ନାହିଁ । ପିତା ମାତେ ଦୁହେଁ ଯୋଗ୍ୟପୁତ୍ରର ବହୁତ ପ୍ରଶଂସା କରିବାକୁ ଲାଗିଲେ । ମାତ୍ର ତହିଁ ଆରଦିନ ଅତି ପ୍ରତ୍ୟୁଷରେ ରଙ୍ଗନାଥ ସହରକୁ ଯିବାପାଇଁ ବାହାରିବାରୁ ମାତାଙ୍କ ମୁଖ ବିଷଣ୍ଣ ହୋଇଗଲା । କିନ୍ତୁ ରଙ୍ଗନାଥ ଆଜି ସେଥିପ୍ରତି ଦୃଷ୍ଟିପାତ ନ କରି; କୌଣସି ଆପତ୍ତି ନ ଶୁଣି ନିଜ ପ୍ରତିଜ୍ଞା ପାଳନ ନିମନ୍ତେ ଜଜ୍‌ସାହେବଙ୍କ ନିକଓକୁ ଯାତ୍ରାକଲେ ଏବଂ ତାହାଙ୍କ କୋଠିର କବାଟ ନ ଫିଟୁଣୁ ବାରଣ୍ତାରେ ଯାଇ ଉପସ୍ଥିତ ହେଲେ ।

 

ସାହେବ ପ୍ରଥମେ ଆସି ଦେଖିଲେ ଯେ, ବାରଣ୍ତାରେ ବାଳକଟି ଦଣ୍ତାୟମାନ । ଦେଖିଲାକ୍ଷଣି ସେ ପ୍ରୀତହୋଇ କହିଲେ, ‘‘ତୁମ୍ଭେ ବଡ଼ ସତ୍ୟବାଦୀ ବାଳକ । ମୁଁ ବଡ଼ ସନ୍ତୁଷ୍ଟ ହୋଇଅଛି । ତୁମ୍ଭେ ଇଂରାଜୀ ଲେଖାପଢା ଶିଖୁନାହିଁ କାହିଁକି ? ତୁମ୍ଭର ସବୁ ବ୍ୟୟ ଚଳାଇଲେ ପଢିବ ତ ?’’ ରଙ୍ଗନାଥ ଉତ୍ତର ଦେଇ, ‘‘ପିତାମାତାଙ୍କୁ ନ ପଚାରି କିଛି ସାହେବ ଆହୁରି ସନ୍ତୁଷ୍ଟ ହୋଇଗଲେ ।

 

ପିତାମାତାଙ୍କ ଅନୁମତି ପାଇ ରଙ୍ଗନାଥ ଇଂରାଜୀ ପଢିବାକୁ ଲାଗିଲେ । ଅବସରକ୍ରମେ ନିଜେ ଜଜ୍‌ସାହେବ ମଧ୍ୟ ତାହାଙ୍କୁ ପଢାଇବାକୁ ଆରମ୍ଭ କଲେ । ରଙ୍ଗନାଥଙ୍କର ସ୍ମରଣଶକ୍ତି ଏପରି ପ୍ରବଳ ଥିଲା ଯେ, କେତେ ମାସ ମଧ୍ୟରେ ସେ ଇଂରାଜୀ ଲେଖିପଢିପାରିଲେ । ସେଠା ସ୍କୁଲର ଶିକ୍ଷା ସମାପ୍ତ ହେବାରୁ ଉଚ୍ଚ ଶିକ୍ଷା ନିମିତ୍ତ ସାହେବ ତାହାଙ୍କୁ ମାନ୍ଦ୍ରାଜ ସହାରକୁ ପଠାଇଦେଲେ । ମାନ୍ଦ୍ରାଜକୁ ଯାଇ ସେ ଇଂରାଜୀ ଶିକ୍ଷାରେ ବିଶେଷ ଉନ୍ନତି ଲାଭକଲେ ଏବଂ ତତ୍କାଳୀନ ସର୍ବୋଚ୍ଚ ପରୀକ୍ଷାରେ ପ୍ରଶଂସା ପାଇ ଉତ୍ତୀର୍ଣ୍ଣ ହୋଇଥିଲେ । ରାଜଭାଷା ଶିକ୍ଷା ସଙ୍ଗେ ସଙ୍ଗେ ସେ ଅନ୍ୟାନ୍ୟ ଦେଶୀୟ ଭାଷା ମଧ୍ୟ ଶିକ୍ଷା କରୁଥିଲେ । ଅବସରକ୍ରମେ ଏହିପରି ଶିକ୍ଷା କରୁ କରୁ ସେ ତେଲୁଗୁ, ତାମିଲ, କର୍ଣ୍ଣାଟ, ମହାରାଷ୍ଟ୍ରୀ, ପାରସୀ ପ୍ରଭୃତି ଅନେକ ଭାଷା ଜାଣିପାରିଥିଲେ । ତାହାରି ଫଳରେ ସେ ମାନ୍ଦ୍ରାଜ ହାଇକୋର୍ଟର ଇଣ୍ଟରପ୍ରିଟର୍‌ ବା ବିଭିନ୍ନ ଭାଷାର ମୌଖିକ ଅନୁବାଦକର କାର୍ଯ୍ୟ ପ୍ରାପ୍ତ ହୋଇଥିଲେ; ଅର୍ଥାତ୍‌ ଅଦାଲତର ଆସାମୀ ଏବଂ ସାକ୍ଷୀମାନେ ନାନା ଭାଷାରେ କଥା କହିଲେ ସେ ତାହା ବିଚାରପତିଙ୍କୁ ଇଂରାଜୀରେ ବୁଝାଇ ଦେଉଥିଲେ । ଏ କାର୍ଯ୍ୟ ସେ ଏପରି ସୁଚାରୁରୂପେ ଚଳାଇ ଥିଲେ ଯେ, ସମସ୍ତ ବିଚାରପତି ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇଥିଲେ । ଅବଶେଷରେ ସରକାର ବାହାଦୁର ତାହାଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରୀତ ହୋଇ ସାନ ଅଦାଲତର ଜଜ୍‌ କାର୍ଯ୍ୟରେ ତାହାଙ୍କୁ ନିଯୁକ୍ତ କଲେ । ସେ କାର୍ଯ୍ୟରେ ରଙ୍ଗନାଥ ଏପରି ବିଚକ୍ଷଣ ଭାବରେ ବିଚାର କରିବାକୁ ଲାଗିଲେ ଯେ, ଲୋକେ ଦେଖି ଅବାକ୍‌ ହୋଇଗଲେ । ତାହାଙ୍କର ଅପକ୍ଷପାତ ବିଚାର ଦେଖି ସବୁ ଶ୍ରେଣୀର ଲୋକେ ସନ୍ତୁଷ୍ଟ ହୋଇ ଯାଉଥିଲେ ।

 

ପଣ୍ତିତ ରଙ୍ଗନାଥ ଟିକିଏ ସମୟ ପାଇଲାକ୍ଷଣି ପୁସ୍ତକ ଅଧ୍ୟୟନ କରୁଥିଲେ । ତେତେବେଳେ ପ୍ରାୟ ଚୌଦଟା ଭାଷାରେ ତିନିହଜାର ଉତ୍କୃଷ୍ଟ ପୁସ୍ତକ ଥିଲା । ସେ ସମସ୍ତ ପୁସ୍ତକ ରଙ୍ଗନାଥ ଯେ କେବଳ ଅଧ୍ୟୟନ କରିଥିଲେ ତାହା ନୁହେଁ; ସେଗୁଡ଼ିକ ଆମୂଳ ପଢିଯାଇ ପୃଷ୍ଠାଦାଢରେ ଆପଣାର ମତାମତ ପେନ୍‌ସିଲରେ ଲେଖିଥିଲେ ।

 

ଏହିରୂପେ ପ୍ରଶଂସିତ ଭାବରେ ସ୍ୱକାର୍ଯ୍ୟ ସମ୍ପାଦନକରି ରଙ୍ଗନାଥ ୧୮୮୦ ଖ୍ରୀଷ୍ଟାବ୍ଦରେ ଅବସର ଗ୍ରହଣକଲେ । ଅବସର ପାଇ ସେ ମାନ୍ଦ୍ରାଜ ଲାଟ୍‌ଙ୍କ ମନ୍ତ୍ରିସଭାର ସଭ୍ୟ ହୋଇଥିଲେ ଏବଂ ଗଭର୍ଣ୍ଣମେଣ୍ଟଙ୍କୁ ଅନେକ ସୁପରାମର୍ଶ ଦେଇ ଦେଶର ବହୁ ଉପକାର କରିବାର ଚେଷ୍ଟା କରିଥିଲେ । କିନ୍ତୁ ଏ କାର୍ଯ୍ୟ ସେ ଅଧିକ କାଳ କରିପାରି ନ ଥିଲେ । ୧୮୮୧ ଖ୍ରୀଷ୍ଟାବ୍ଦରେ ରଙ୍ଗନାଥ ଇହଧାମ ପରିତ୍ୟାଗ କରି ପରଲୋକ ପ୍ରସ୍ଥାନ କରିଅଛନ୍ତି ।

 

ତାହାଙ୍କାର ପାଣ୍ତିତ୍ୟ, କାର୍ଯ୍ୟଦକ୍ଷତା ଏବଂ ସୁଚରିତ୍ରତା ବିଷୟ ଆଲୋଚନା କଲେ ଅବାକ୍‌ ହେବାକୁ ହୁଏ । ତେତେବେଳେ ଶିକ୍ଷା ଲାଗି ଆଜିକାଲି ପରି ଉଚ୍ଚ ବିଦ୍ୟାଳୟ ବା ସଙ୍ଗ ନିମିତ୍ତ ଯୋଗ୍ୟ ସଭ୍ୟସମାଜ ନ ଥିଲା । ଚରିତ୍ରଗଠନ ଲାଗି କୌଣସି ଶିକ୍ଷା ସୁବିଧା ଥିବା ଦୂରକୁ ଥାଉ; ବରଂ କୁସଙ୍ଗର ଆଶଙ୍କା ପୂର୍ଣ୍ଣମାତ୍ରାରେ ଥିଲା । ତଥାପି ରଙ୍ଗନାଥ ଯେ କି ପ୍ରକାରେ ଏତେ ବଡ଼ ହୋଇଥିଲେ ଏହା ଜାଣିବାର ବିଷୟ । ତାହାଙ୍କର ଜୀବନୀ ଆଲୋଚନା କଲେ ଦେଖାଯିବ ଚାରୋଟି ସଦ୍‌ଗୁଣ ତାହାଙ୍କୁ ଏତେ ଉନ୍ନତ କରିପାରିଥିଲା ।

 

ପ୍ରଥମରେ ଉଲ୍ଲେଖଯୋଗ୍ୟ ଏହି, ସେ ବାଲ୍ୟକାଳରୁ ସତ୍ୟବାଦୀ ଥିଲେ । ସେ ଅତି ଦରିଦ୍ରର ସନ୍ତାନ ଥିଲେହେଁ ଏହି ସତ୍ୟବାଦିତା ଗୁଣରୁ ଜଜ୍‌ସାହେବଙ୍କର ପ୍ରିୟ ହୋଇ ଉଚ୍ଚଶିକ୍ଷା ପାଇବାର ସୁବିଧା ପାଇଥିଲେ । ତେଣୁ ଏ ସତ୍ୟକଥନକୁ ସେ ଆଜୀବନ ଦୃଢ ରଖିଥିଲେ । ଦ୍ୱିତୀୟତଃ ସେ ଯାହା ପ୍ରତିଜ୍ଞା କରୁଥିଲେ ତାହା ପାଳନ କରୁଥିଲେ ଏବଂ ଉତ୍କୃଷ୍ଟଟ ପୁସ୍ତକମାନେ ପଢିବାକୁ ବଡ଼ ଭଲ ପାଉଥିଲେ । ଅନ୍ୟମାନେ ଯେଉଁ ସମୟ ଆମୋଦପ୍ରମୋଦରେ କଟାଉଥିଲେ, ସେ ସମୟରେ ରଙ୍ଗନାଥ ଭଲ ଭଲ ପୁସ୍ତକ ପଢି ଆନନ୍ଦଲାଭ କରୁଥିଲେ । ତୃତୀୟ ଗୁଣ ଏହି ଥିଲା, ସେ ନିୟମିତ ଭାବରେ ସବୁ କାର୍ଯ୍ୟ କରୁଥିଲେ । ତେଣୁ ସମସ୍ତ ବୈଷ୍ୟିକ କାର୍ଯ୍ୟ କରେ ପଢାଶୁଣା କରିବାକୁ ସେ ଯଥେଷ୍ଟ ସମୟ ପାଉଥିଲେ । ଚତୁର୍ଥ କଥା, ତାଙ୍କର ସ୍ୱାସ୍ଥ୍ୟପ୍ରତି ବିଶେଷ ଦୃଷ୍ଟି ଥିଲା । ସର୍ବଦା ମାନସିକ ପରିଶ୍ରମ ଅନୁପାତରେ ଶାରୀରିକ ଶ୍ରମ କରୁଥିଲେ । ପ୍ରତ୍ୟହ ସେ ବ୍ୟାୟାମ ଏବଂ ଅଶ୍ୱାରୋହଣାଦି ଦ୍ୱାରା ଯଥେଷ୍ଟ ଶାରୀରିକ ଶ୍ରମ କରୁଥିଲେ । ତେଣୁ ସେ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ବେଶ୍‌ ସୁସ୍ଥକାୟ ଥିଲେ ଏବଂ ସର୍ବଦା ସୁସ୍ଥ ଥିବାରୁ ସେପରି କାର୍ଯ୍ୟକ୍ଷମ ଥିଲେ । ତାହାଙ୍କର ଏହି ଗୁଣମାନ ସମସ୍ତଙ୍କର ଅନୁକରଣୀୟ ।

Image

 

ସର୍‌ ସୟଦ୍‌ ଅହମ୍ମଦ୍‌

 

ଯେଉଁ ମହାତ୍ମାଙ୍କର ନାମ ଉପରେ ଲେଖା-ହୋଇଅଛି ଏବଂ ଯାହାଙ୍କର ଛବି ନିମ୍ନରେ ଦିଆଯାଉଅଛି, ସେ ଦିଲ୍ଲୀ ନଗରୀରେ ୧୮୧୭ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ମୁସଲମାନଙ୍କ ମଧ୍ୟରେ ସେ ବିଦ୍ୟା, ବୁଦ୍ଧି, ଚରିଲୁ, ଦେଶହିତୈଷିତା ଓ ରାଜଭକ୍ତି ବିଷୟରେ ଜଣେ ଶ୍ରେଷ୍ଠ ପୁରୁଷ ଥିଲେ ।

 

ସର୍‌ ସୟଦ୍‌ ଉଚ୍ଚକୁଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କାର ପିତାମହ ଦିଲ୍ଲୀର ବାଦଶାହଙ୍କର ଜଣେ ପ୍ରଧାନ ଅମାତ୍ୟ ଥିଲେ ଏବଂ ତାହାଙ୍କର ମାତାମହ ପାରସ୍ୟ ଦେଶର ରାଜଦରବାରରେ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କର ପ୍ରତିନିଧି ପଦରେ ଅଧିଷ୍ଠିତ ଥିଲେ । ତାହାଙ୍କର ପିତା ଜଣେ ସଦାଶୟ ଧାର୍ମିକ ଲୋକ ଥିଲେ ଏବଂ ତାହାଙ୍କର ମାତା ମଧ୍ୟ ପରମଗୁଣବତୀ ଥିଲେ ।

 

ସୟଦ୍‌ ଅହମ୍ମଦ୍‌ ଦ୍ୱାଦଶବର୍ଷ ବୟସ ପର୍ଯ୍ୟନ୍ତ ନିଜ ଜନନୀଙ୍କ ନିକଟରେ ଶିକ୍ଷା ଲାଭ କରିଥିଲେ । ବାଲ୍ୟକାଳରୁ ତାହାଙ୍କର ଅନେକ ସଦ୍‌ଗୁଣର ପରିଚୟ ମିଳିଥିଲା । ସେ ବାଲ୍ୟକାଳରୁ ସତ୍ୟବାଦୀ ଓ ଦୃଢପ୍ରତିଜ୍ଞ ଥିଲେ । ଯେଉଁ ଲୋକ ଭୟ ବିପଦରେ ସୁଦ୍ଧା ଭୀତ ନ ହୋଇ ସତ୍ୟ କଥା କହେ ଏବଂ ଚାରିଆଡ଼େ ଲୋକେ ଦନ୍ୟାୟ ଓ ସତ୍ୟର ପାଳନ ବିଷୟରେ ଅଟଳ ରହି ନିଜର ସତ୍‌ସଙ୍କଳ୍ପକୁ କାର୍ଯ୍ୟରେ ପରିଣତ କରେ, ସେହି ଲୋକ ପ୍ରକୃତ ବୀର ଅଟେ ।

 

ସୟଦ୍‌ ଅହମ୍ମଦ୍‌ ୪୦ ବର୍ଷ କାଳ ଇଂରେଜ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ୧୮୫୭ ସାଲରେ ସେ ବିଜନୁର ନାମକ ସ୍ଥାନରେ ସବ୍‌-ଜଜ୍‌ କର୍ମରେ ଥିଲାବେଳେ, ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ମଧୀନ ଅନେକ ଦେଶୀୟ ସିପାହିସେନା କୁପରାମର୍ଶରେ ପଡ଼ି ଗଭର୍ଣ୍ଣମେଣ୍ଟଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ବିଜ୍‌ନୁରରେ ଯେଉଁ ଇଂରେଜମାନେ ଥିଲେ, ସେମାନଙ୍କୁ ହତ୍ୟା କରିବା ଆଶୟରେ ଏକ ଦଳ ବିଦ୍ରୋହୀ ସେ ସ୍ଥାନକୁ ଆକ୍ରମଣ କଲେ । ସୟଦ୍‌ଙ୍କ ଯତ୍ନରେ ସେ ସ୍ଥାନର ଇଂରେଜମାନେ ଦିପଦରୁ ଉଦ୍ଧାର ପାଇଲେ । ସେ ଇଂରେଜମାନଙ୍କ ସପକ୍ଷ ହେବାରୁ ବିଦ୍ରୋହୀମାନେ ତାହାଙ୍କର ଗୃହ ଓ ସମ୍ପତ୍ତି ବିନଷ୍ଟ କରି ଏବଂ ତାହାଙ୍କର କେତେକ ମଧ କରିବାପାଇଁ ଚେଷ୍ଟା କରିଥିଲେ; କିନ୍ତୁ ସେ ଭାଗ୍ୟକ୍ରମେ ଅତି କଷ୍ଟରେ ପଳାଇଗଲେ । ସିପାହି ବିଦ୍ରୋହର ଦମନ ଉତ୍ତାରେ ଗଭର୍ଣ୍ଣମେଣ୍ଟ ତାହାଙ୍କୁ ବହୁ ପୁରସ୍କାର ଦେଇଥିଲେ ।

 

ସିପାହି-ବିଦ୍ରୋହ ସମୟରେ ଭାରତବର୍ଷର ମୁସଲମାନମାନେ ବିଦ୍ୟା ବିଷୟରେ ଅତ୍ୟନ୍ତ ଅନୁନ୍ନତ ଥିଲେ । ସେମାନଙ୍କ ଜ୍ଞାନୋନ୍ନତି ନିମିତ୍ତ ସୟଦ୍‌ ଅହମ୍ମଦ୍‌ ଅନେକ ଇଂରାଜୀ ବିଦ୍ୟାଳୟ ସ୍ଥାପନ କଲେ ଏବଂ ମୁସଲମାନ ସମ୍ପ୍ରଦାୟର କଲ୍ୟାଣ ନିମିତ୍ତ ତାହାଙ୍କର ସମୟ, ଧନ ଓ ଜୀବନ ଉତ୍ସର୍ଗ କରିଦେଲେ । ଜ୍ଞାନ ମନୁଷ୍ୟର ପାରମ ଧନ । ଅନ୍ନଦାତା ଓ ଧନଦାତାଙ୍କ ଅପେକ୍ଷା ଜ୍ଞାନଦାତାଙ୍କର ଗୌରବ ଅଧିକ । ସୟଦ୍‌ ମୁସଲମାନମାନଙ୍କୁ ଜ୍ଞାନ ଦାନ କରି ଧନ୍ୟ ହୋଇଅଛନ୍ତି । ଆଲିଗଡ଼ ନାମକ ସ୍ଥାନରେ ମୁସଲମାନମାନଙ୍କ ଉଚ୍ଚ ଶିକ୍ଷା ନିମିତ୍ତ ସେ ଗୋଟିଏ ଆଦର୍ଶ କଲେଜ ସ୍ଥାପନ କରିଯାଇଅଛନ୍ତି । ସେହି କଲେଜରେ ଶତ ଶତ ମୁସଲମାନେ ଯୁବକ ସୁଶିକ୍ଷା ଲାଭକରି ଦାଶରେ ଏବଂ ନିଭ ସମ୍ପ୍ରଦାୟର ମୁଖ ଊଜ୍ଜ୍ୱଳ କରୁଅଛନ୍ତି। ତାହାଙ୍କର ଏହି ସବୁ ଦେଶକଲ୍ୟାଣକର କାର୍ଯ୍ୟନିମିତ୍ତ ଗଭର୍ଣ୍ଣମେଣ୍ଟ ଶେଷରେ ତାହାଙ୍କୁ ‘ସର’ ଉପାଧି ପ୍ରଦାନ କରିଥିଲେ-

 

ସୟଦ୍‌ ଅହମ୍ମଦ୍‌ ୧୮୯୮ ଖ୍ରୀଷ୍ଟାବ୍ଦରେ ପରଲୋକ ଗମନ କଲେ । ସେ ଜଣେ ଉଦାର ଓ ମହାମନା ବ୍ୟକ୍ତ ଥିଲେ । ସେ ଥରେ ଗୋଟିଏ ସଭାରେ କହିଲେ, ‘‘ଭାରତବର୍ଷ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ଦେଶ । ହିନ୍ଦୁ ଓ ମୁସଲମାନ ଏକ ଦେହର ଦୁଇ ଚକ୍ଷୁ ପରି । ଗୋଟିଏ ଚକ୍ଷୁ ଅନ୍ଧ ହେଲେ ଅନ୍ୟ ଚକ୍ଷୁର ଓ ସର୍ବ ଶରୀରର କ୍ଷତି ହୁଏ । ଅତଏବ ହିନ୍ଦୁ ଓ ମୁସଲମାନ ଉଭୟେ ଜ୍ଞାନଲାଭ କରି, ପରସ୍ପରକୁ ଭ୍ରାତୃବତ୍‌ ସ୍ନେହ କରି ପ୍ରୀତି ଓ ସଦ୍ଭାବରେ ପରସ୍ପରର କଲ୍ୟାଣସାଧନ କରନ୍ତୁ, ଏହାହିଁ ମୋର ଆନ୍ତରିକ କାମନା ।’’

Image

 

ସଫଳ ସ୍ୱପ୍ନ

 

ଏକଦା ଜଣେ ଅଶ୍ୱାରୋହୀ ଯୁବାପୁରୁଷ ମୃଗୟା ନିମିତ୍ତ ଗାନ୍ଧାର ଦେଶର ଗୋଟିଏ ନିବିଡ଼ ବନରେ ଭ୍ରମଣ କରୁଥିଲେ । ବହୁକ୍ଷଣ ବନମଧ୍ୟରେ ଭ୍ରମଣ କଲାଉତ୍ତାରେ ଗୋଟିଏ ବିସ୍ତୀର୍ଣ୍ଣ ପ୍ରାନ୍ତର ତାହାଙ୍କର ନୟନଗୋଚର ହେଲା । ସେ କିଛି ଦୂର ଅଗ୍ରସର ହୋଇ ଦେଖିଲେ ଯେ, ପ୍ରନ୍ତର ମଧ୍ୟରେ ଗୋଟିଏ ହରିଣୀ ତାହାର ଶାବକ ସହିତ ତୃଣ ଭକ୍ଷଣ କରୁଅଛି । ସେ ଦ୍ରୁତପଦରେ ଯାଇ କ୍ଷୁଦ୍ର ହରଣଶିଶୁଟିକୁ ଧରିପକାଇଲେ । ହରିଣୀ ଭୟରେ କିଛି ଦୂର ପଳାଇଗଲେ । ଆଜି ଉତ୍ତମ ଆହାର ମିଳିଅଛି, ଏହା ମନରେ ଭାବି ଅଶ୍ୱାରୋହୀ ହୃଷ୍ଟଚିତ୍ତରେ ମୃଗଶାବକକୁ ଘୋଟକ ଉପରେ ଥୋଇ ଅଗ୍ରସର ହେବରକୁ ଲାଗିଲେ । ଏମନ୍ତେ ସମୟରେ ଦେଖିଲେ ଯେ, ହରିଣୀ ଦୂରରେ ଛିଡ଼ା ହୋଇ ଊର୍ଦ୍ଧ୍ୱମୁଖରେ ଅଶ୍ରୁପୂର୍ଣ୍ଣ ଲୋଚନରେ ସେହି ପଥିକ ଏବଂ ତାହାର ଶାବକ ପ୍ରତି ବାରମ୍ବାର ବ୍ୟାକୁଳ ଦୃଷ୍ଟିପାତ କରୁଅଛି । ପଶୁପ୍ରାଣରେ ସନ୍ତାନ ପ୍ରତି ଏପରି ବାତ୍ସଲ୍ୟ ଥିବାର ଦେଖି ସେହି ଯୁବା ପୁରୁଷଙ୍କର ହୃଦୟ ଦୟାରେ ବିଗଳିତ ହେଲା ଏବଂ ସେ ମୃଗଶିଶୁର ବନ୍ଧନ ମୋଚନ ନ କରି ରହିପାରିଲେ ନାହିଁ । ଶାବକକୁ ପୁନଃ ପ୍ରାପ୍ତ ହୋଇ ହରିଣୀ ପଥିକ ଆଡ଼କୁ ଆନନ୍ଦାଶ୍ରୁପୂର୍ଣ୍ଣ ନୟନରେ ଅନାଇ ବନ ମଧ୍ୟକୁ ଚାଲିଗଲା । ପଥିକ ମଧ୍ୟ ନିଜ ହୃଦୟମଧ୍ୟରେ ପୁଣ୍ୟକର୍ମର ପବିତ୍ର ଆନନ୍ଦ ଅନୁଭବ କରିବାକୁ ଲାଗିଲେ । କିଛିକ୍ଷଣ ଉତ୍ତାରେ ସେହି ବନମଧ୍ୟରେ ରାତ୍ରି ଉପସ୍ଥିତ ହେବାରୁ ଅଶ୍ୱାରୋହୀ ଗୋଟିଏ ବୃକ୍ଷମୂଳରେ ଆଶ୍ରୟ ଗ୍ରହଣ କରି ସେହିଠାରେ ନିଦ୍ରାଗଲେ। ନିଦ୍ରାବସ୍ଥାରେ ସେ ଗୋଟିଏ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଗୋଟିଏ ଜ୍ୟୋତିର୍ମ୍ମୟ ଦେବମୂର୍ତ୍ତି ତାହାଙ୍କ ସମ୍ମୁଖରେ ଉଭା ହୋଇ ପ୍ରସନ୍ନ ନୟନରେ ତାଙ୍କ ଆଡ଼କୁ ଅନାଇ କହିଲେ, ‘‘ହେ ବତ୍ସ, ତୁମ୍ଭେ ଆଜି ଯେଉଁ ସୁକୃତ କରିଅଛି, ସେଥି ନିମିତ୍ତ ପରାତ୍ପର ପରମେଶ୍ୱର ତୁମ୍ଭ ପ୍ରତି ତୁଷ୍ଟ ହୋଇଅଛନ୍ତି ଏବଂ ତାଙ୍କ କୃପାରେ ତମ୍ଭେ ଅଳ୍ପକାଳମଧ୍ୟରେ ଗଜନୀ ନଗରର ଅଧିପତି ହେବ । ସାବଧାନ, ସାବଧାନ, ଐଶ୍ୱର୍ଯ୍ୟମଦରେ ମତ୍ତ ହୋଇ ଜୀବମାନଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବ ନାହିଁ ।’’ ଏହା କହି ଦେବମୂର୍ତ୍ତି ଅନ୍ତର୍ହିତ ହୂଅନ୍ତେ ତାହାଙ୍କର ନିଦ୍ରା ଭାଙ୍ଗିଗଲା ।

 

ପରଦିନ ପ୍ରାତଃକାଳରେ ସେ ପୁନର୍ବାର ବନମଧ୍ୟରେ ଗମନ କରିବାକୁ ଲାଗିଲେ । ଯାଉଁ ଯାଉଁ ବାଟରେ ଦେଖିଲେ ଏକ ସ୍ଥାନରେ ଅନେକଗୁଡ଼ିଏ ଭୀଷଣାକୃତି ଲୋକ ବସି ରହିଅଛନ୍ତି-। ସେମାନେ ପଥିକକୁ ଅସହାୟ ଦେଖି ତାହାଙ୍କୁ କହିଲେ, ‘‘ତୋ ନିକଟରେ ଯାହା ଅଛି ଦେଇଯା ନ ଦେଲେ ତୋର ପ୍ରାଣନାଶ କରିବୁଁ ।’’ ପଥିକ କିଛିମାତ୍ର ଭୀତ ନ ହୋଇ ଉତ୍ତର କଲେ, ‘‘କି ଭୟ ଦେଖାଉଅଛ ? ମୁଁ ମୃତ୍ୟୁକୁ ସୁଦ୍ଧା ଭୟ କରେ ନାହିଁ !’’ ଏହା ଶୁଣି କ୍ରୋଧାନ୍ଧ ହୋଇ ସେହି ଦୁଷ୍ଟ ଦସ୍ୟୁମାନେ ତାହାଙ୍କୁ ଆକ୍ରମଣ କଲେ । ତହିଁ ସେ ପଥିକ ନିଜ ତରବାରି ଦ୍ୱାରା ଆତ୍ମରକ୍ଷା କରିବାକୁ ଲାଗିଲେ । କିନ୍ତୁ ଦସ୍ୟୁମାନଙ୍କର ସଂଖ୍ୟା ଅନେକ ଥିବାରୁ ସେ ଅବଶେଷରେ ବାହୁରେ ଆଘାତପ୍ରାପ୍ତ ହୋଇ ଆଉ ଶସ୍ତ୍ରଚାଳନା କରି ପାରିଲେ ନାହିଁ । ଦସ୍ୟୁମାନେ ତାହାଙ୍କୁ ବାନ୍ଧି ନିଜ ଘରକୁ ନେଇଗଲେ ଏବଂ କହିଲେ, ‘‘ତୁମ୍ଭର ସାହସ ଏବଂ ବଳ ଦେଖି ଆମ୍ଭେମାନେ ସନ୍ତୁଷ୍ଟ ହୋଇଅଛୁଁ । ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ମିଶି ଦସ୍ୟୁବୃତ୍ତି ଅବଲମ୍ୱନ କର ।’’ ପଥିକ ଏପରି ନୀଚ ଓ ନିଷ୍ଠୁର କର୍ମ କରିବାକୁ ଅସମ୍ମତ ହେବାରୁ ସେମାନେ ଜଣେ ଦାସକ୍ରେତାଠାକୁ କିଛି ମୂଲ୍ୟ ଦେଇ ତାହାଙ୍କୁ ବିକ୍ରୟ କରିଦେଲେ । ଊକ୍ତ ଦାସକ୍ରେତା କିଛିଦିନ ଉତ୍ତାରେ ତାହାଙ୍କୁ ଗଜନୀ ଅଧିପତି ଅଲପ୍ତଗୀନ୍‌ଙ୍କଠାରେ ବିକ୍ରୟ କଲା । ଦାସ କିଛିକାଳ ଉକ୍ତ ରାଜାଙ୍କର ଆଶ୍ରୟରେ ରହି ତାହାଙ୍କୁ ନିଜ ଧର୍ମପରାୟଣତା ଓ କର୍ମଠତା ପ୍ରଭୃତି ଗୁଣଦ୍ୱାରା ସନ୍ତୁଷ୍ଟ କରିବାରୁ ସେ ତାହାଙ୍କୁ ଦାସତ୍ୱରୁ ମୁକ୍ତ କରି କ୍ରମେ କ୍ରମେ ଉଚ୍ଚ ପଦମାନଙ୍କରେ ନିଯୁକ୍ତ କଲେ । ଅବଶେଷରେ ସେ ରାଜାଙ୍କର ମନ୍ତ୍ରୀ ଏବଂ ବ୍ୟକ୍ତି ସହାୟସମ୍ପତ୍ତିହୀନ ହୋଇ ବନରେ ଭ୍ରମଣ କରୁ କରୁ ଦାସରୂପେ ବିକ୍ରୀତ ହୋଇଥିଲେ, ସେ ବର୍ତ୍ତମାନ ଗୋଟିଏ ବିପୁଳ ରାଜ୍ୟର ସୈନ୍ୟାଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀରୂପେ ପ୍ରତିଷ୍ଠିତ ହେଲା ! କିଛିକାଳ ପରେ ବିଧାତା ତାହାଙ୍କୁ ଆହୁରି ଉଚ୍ଚପଦ ପ୍ରଦାନ କଲେ । ଅଲପ୍ତଗୀନ୍‌ ରାଜାଙ୍କର ଗୋଟିଏ ପରମାସୁନ୍ଦରୀ କନ୍ୟା ଥିଲା ଏବଂ ସେହି କନ୍ୟାଟି ରାଜାଙ୍କର ଏକମାତ୍ର ଅପତ୍ୟ ଥିଲା । ରାଜା ଅନୁସନ୍ଧାନ ଦ୍ୱାରା ଜାଣିଲେ ଯେ ତାହାଙ୍କର ନୂତନ ମନ୍ତ୍ର ଏବଂ ସୈନ୍ୟାଧ୍ୟକ୍ଷ ଉଚ୍ଚବଂଶରେ ଜାତ । ଇତିପୂର୍ବେ ରାଜା ତାଙ୍କର ବଳବୀର୍ଯ୍ୟ, ରୂପ ଓ ଗୁଣରେ ମୁଗ୍‌ଧ ହୋଇଥିଲେ । ବର୍ତ୍ତମାନ ତାହାଙ୍କର ଉଚ୍ଚକୁଳରେ ପ୍ରସୁତ ହୋଇଥିବାରୁ ଜାଣି ତାହାଙ୍କୁ ନିଜ କନ୍ୟା ସମ୍ପ୍ରଦାନ କରିବାର ଇଚ୍ଛା ପ୍ରକାଶ କଲେ ଏବଂ କିଛି ଦିନ ଉତ୍ତାରେ ମହା-ସମାରୋହରେ ନିଜ କନ୍ୟାର ବିବାହ ସମ୍ପନ୍ନ କଲେ- ! ରାଜା ଅଲପ୍ତଗୀନଙ୍କର ମୃତ୍ୟୁପରେ ତାହାଙ୍କର ଜୀମାତା ରାଜ୍ୟଧିପତି ହୋଇ ସବକ୍ତଗୀନ୍‌ ନାମରେ ବିଖ୍ୟାତ ହେଲେ । ଏହି ପ୍ରକାରେ ତାହାଙ୍କର ସ୍ୱପ୍ନ ସଫଳ ହେଲା ।

Image

 

ଚିଲିକା ହ୍ରଦ

 

ଆମ୍ଭମାନଙ୍କର ଜନ୍ମଭୂମି ଓଡ଼ିଶାର ଦକ୍ଷିଣ-ପୂର୍ବ କୋଣରେ ଚିଲିକା ନାମରେ ଗୋଟିଏ ବୃହତ୍‌ ହ୍ରଦ ଅଛି । ଓଡ଼ିଶାର ପୂର୍ବ ସୀମାରେ ଯେଉଁ ବଙ୍ଗୋପସାଗର ଅଛି, ସେଥିର କିୟଦଂଶ ଗୋଟିଏ ସଜଦୀର୍ଘ ବାଲୁକାପ୍ରାଚୀନ ଦ୍ୱାରା କାଳକ୍ରମେ ସମୁଦ୍ରରୁ ବୀଚ୍ଛିନ୍ନ ହୋଇ ଚିଲିକା ହ୍ରଦ ରୂପରେ ପରିଣତ ହୋଇଅଛି । ଏହି ବାଲୁକାପ୍ରାଚୀରର ପ୍ରସ୍ଥ ଚାରିଶହ ହସ୍ତରୁ ଅଧିକ ଅଟେ । ପଶ୍ଚମରେ ପର୍ବତଶ୍ରେଣୀ କାହିଁ ହ୍ରଦର ତଟ ଉପରେ ଲମ୍ବଭାବରେ ଦଣ୍ତାୟମାନ ରହିଅଛି, କାହିଁ ଅବା ବହୁ ଦୂର ପର୍ଯ୍ୟନ୍ତ ବିସ୍ତୃତ ହୋଇ ହ୍ରଦର ଗର୍ଭକୁ ଭେଦ କରୁଅଛି । ହ୍ରଦର ଦକ୍ଷିଣରେ ଅଳ୍ପୋଚ୍ଚ ପର୍ବତମାନ ଓଡ଼ିଶା ଓ ମାନ୍ଦ୍ରାଜ ପ୍ରଦେଶର ସୀମାନ୍ତରୂପେ ବିରାଜତ । ଉତ୍ତର ଦିଗରେ ବିଲ, ନଲବନ, କ୍ଷୁଦ୍ର କ୍ଷୁଦ୍ର ଉଦ୍ଭିଦପୂର୍ଣ୍ଣ ଲୋକାଳୟ-ଶୂନ୍ୟ ଦ୍ୱୀପମାନ ରହିଅଛି । ଯେଉଁ ବାଲୁକାପ୍ରାଚୀର କଥା ଉଲ୍ଲିଖିତ ହୋଇଅଛି, ତାହାମଧ୍ୟରେ ଗୋଟିଏ ସଂକୀର୍ଣ୍ଣ ପଥ ବା ମୁହାଣ ଅଛି । ସେହି ମୁହାଣ ଚିଲିକକୁ ସମୁଦ୍ର ସଙ୍ଗରେ ସଂଯୁକ୍ତ କରିଅଛି । ସେହି ମୁହାଣବାଟେ ସମୁଦ୍ରରୁ ଜୁଆରପାଣି ଅତ୍ୟୁଚ୍ଚ ପ୍ରବାହାକାରରେ ଚିଲିକା ମଧ୍ୟରେ ମହାବେଗରେ ପ୍ରବେଶ କରେ ।

 

ଚିଲିକାର ଉତ୍ତର ଦିଗର ବିସ୍ତାର, ଦକ୍ଷିଣ ଦିଗର ବିସ୍ତାର ଅପେକ୍ଷା ଅତ୍ୟନ୍ତ ଅଧିକ । ଉତ୍ତର ପ୍ରାନ୍ତରେ ଏହାର ବିସ୍ତାର ପ୍ରାୟ ୨୦ କ୍ରୋଶ; ଦକ୍ଷିଣ ପ୍ରାନ୍ତର ବିସ୍ତାର ୩ କ୍ରୋଶରୁ ଅଧିକ ହେବ ନାହିଁ । ବର୍ଷା-କାଳରେ ଏହାର ଆୟତନ ପ୍ରାୟ ୮୮୦ ବର୍ଗମାଇଲ; କିନ୍ତୁ ଗୀଷ୍ମକାଳରେ ତାହା ପ୍ରାୟ ୧୦୦ ବର୍ଗମାଇଲ କମିଯାଏ । ଚିଲିକା ଗଭୀର ହ୍ରଦ ନୁହେଁ । ଦୁଇ ତିନୋଟି ଗଣ୍ତ ବା ଗଭୀର ପ୍ରଦେଶ ଛାଡ଼ିଦେଲେ ଏହାର ଗଭୀରତା ଚାରି ହାତରୁ ଅଧିକ ହେବ ନାହିଁ । ଶୀତ, ବସନ୍ତ ଓ ଗ୍ରୀଷ୍ମ କାଳରେ ଚିଲିକାର ଜଳ ସମୁଦ୍ର ଜଳପରି ଲୁଣିଆ ଥାଏ; କିନ୍ତୁ ବର୍ଷାକାଳରେ ଦୟା, ଭାର୍ଗବୀ ନଦୀର ଜଳ ସେଥିମଧ୍ୟରେ ମହାପ୍ରବାହରେ ମହାପ୍ରବାହରେ ପ୍ରବେଶ କରି ଲୁଣିଆ ଜଳକୁ ମଧୁର କରିଦିଏ ।

 

ଚିଲିକାର ଦୃଶ୍ୟ ଅତି ବିଚିତ୍ର ଓ ସୁନ୍ଦର । ପଶ୍ଚିମ ଦିଗରେ ପ୍ରାଚୀରାକୃତି ଭାଲେରୀ ପର୍ବତର ନାସି କ୍ରମନିମ୍ନ ହୋଇ ଚିଲିକାର ଜଳରାଶି ଭେଦ କରୁଅଛି ଏବଂ ଜଟିଆ ନାମକ ସୁଶ୍ୟାମାଳ ଗିରି ଜଳମଧ୍ୟରେ ଉଭା ରହିଅଛି । ସୋଲରୀ ନାମକ ବିମାନାକୃତି ବିଶାଳ ଗିରି ଆପଣାର ସୁନୀଳ ଉଦାର ଶୋଭା ପ୍ରକାଶ କରୁଅଛି । ପାରିକୁଦ, ମାଲୁଦ ପ୍ରଭୃତି ଜଳମଧ୍ୟସ୍ଥିତ ଦ୍ୱୀପପୁଞ୍ଜ ନଳବନ ଓ ଶସ୍ୟକ୍ଷେତ୍ରର ଶୋଭାରେ ଶୋଭିତ । ହଂସ, ବଳ, ହଂସରାଳି, କାଦମ୍ବ, ଚକ୍ରବାକ ପ୍ରଭୃତି ଲକ୍ଷ ଲକ୍ଷ ବିହଙ୍ଗ ଚିଲିକାର ତରଙ୍ଗ ଉପରେ ଭାସୁଅଛନ୍ତି, ଅଥବା ଊର୍ଦ୍ଧ୍ୱରେ ଉଡ଼ି ହ୍ରଦକୁ ସେମାନଙ୍କର ନିସ୍ୱନ-ଦ୍ୱାରା ଶବ୍ଦାୟମାନ କରୁଅଛନ୍ତି । ଲକ୍ଷ ଲକ୍ଷ ଶୁଭ୍ରବର୍ଣ୍ଣ ମତ୍ସ୍ୟ ଚିଲିକାର ଜଳରେ ଆନନ୍ଦରେ ସନ୍ତରଣ କରୁଅଛନ୍ତି । ମଗର, ଶିଶୁମାର, ସାଙ୍କୁଚ ପ୍ରଭୃତି ଜଳବାସୀ ଜୀବମାନେ ଚିଲିକାର ସଲିଳରେ ଏଣେତେଣେ ବିଚରଣ କରୁଅଛନ୍ତି । ଚିଲିକା ଏହିପରି ନାନା ଶୋଭାର ଆଧାର ହୋଇ ଦର୍ଶକର ମନହରଣ କରୁଅଛି । ନାରୀକେଳ, ଗୁବାକ, ପନସ, ଆମ୍ର, ତମାଳ, ନାଗେଶ୍ୱର, ଚମ୍ପକ, ଅଶୋକ, କଦମ୍ବ, ବଟ, ଅଶ୍ୱତ୍‌ଥ, ଶାଳ୍ମଳୀ ଓ ବିଲ୍ୱ ପ୍ରଭୃତି ବୃକ୍ଷମାଳାରେ ଶୋଭିତ ହୋଇ ତଟବର୍ତ୍ତୀ ଗ୍ରାମମରନ ସୁଶ୍ୟାମଳ ଓ ସ୍ନିଗ୍‌ଧ ଦିଶୁଅଛି । କବିବର ରାଧାନାଥ ଚିଲିକାକୁ ଶୋକପାସୋରା ଅପ୍‌ସରାଭୁବନ ଓ ପ୍ରକୃତିର ଚାରୁ ଚିତ୍ରଶାଳା ବୋଲି ବର୍ଣ୍ଣନା କରିଅଛନ୍ତି ।

Image

 

ପ୍ୟାରୀମୋହନ ଆଚାର୍ଯ୍ୟ

 

ଦରିଦ୍ର ହୋଇ ସୁଦ୍ଧା ଲୋକ କିପରି ମହତ୍‌ କାର୍ଯ୍ୟ ସାଧନ କରିପାରେ ପ୍ୟାରୀମୋହନ ଆଚାର୍ଯ୍ୟ ତାହାର ଉଦାହରଣ। କଟକ ନଗରରେ ପ୍ୟାରୀମୋହନ ଏକାଡେମୀ ନାମରେ ଯେଉଁ ବିଖ୍ୟାତ ଉଚ୍ଚ ଇଂରାଜୀ ବିଦ୍ୟାଳୟଟି ଅଛି, ତାହା ଏହି ମହାତ୍ମାଙ୍କ ଦ୍ୱାରା ସ୍ଥାପିତ । କଟକ ଜିଲ୍ଲା ଅନ୍ତର୍ଗତ କୁଆଁପାଳ ଅଞ୍ଚଳରେ ବ୍ରାହ୍ମଣକୁଳରେ ପ୍ୟାରୀମୋହନ ଜନ୍ମଗ୍ରହଣ କରିଥିଲେ। ତାହାଙ୍କର ପିତା କଟକରେ ଜଣେ ମୋକ୍ତାର ଥିଲେ । ବାଲ୍ୟକାଳରେ ପ୍ୟାରୀମୋହନ କୁଆଁପାଳର ପାଠଶାଳାରେ ବାଲ୍ୟଶିକ୍ଷା ସମାପ୍ତ କରି ବାରବର୍ଷ ବୟସରେ (୧୮୬୩ ଖ୍ରୀଷ୍ଟାବ୍ଦରେ) କଟକ ଆସିଲେ ଏବଂ ଏଠା ଜିଲ୍ଲାସ୍କୁଲରେ ଅଧ୍ୟୟନ କଲେ । ପଠନ ସମୟରେ ସହପିଠୀମାନଙ୍କ ମଧ୍ୟରେ ଏପରି ଧାରଣା ଜନ୍ମିଥିଲା ଯେ, ପ୍ୟାରୀମୋହନ ବଡ଼ ଅନ୍ୟମନସ୍କ ଏବଂ ଖିଆଲବାଗୀ । କିନ୍ତୁ ତାଙ୍କର ସ୍ମରଣଶକ୍ତି ଏପରି ପ୍ରବଳ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ସେ ସମସ୍ତ ପଢା ଶେଷ କରି ଦେଉଥିଲେ । ବିଶ୍ରାମ ସମୟରେ ବନ୍ଧୁମାନଙ୍କ ସହିତ ବସି ନାନା ବିଷୟରେ ତର୍କ-ବିତର୍କ କରୁଥିଲେ-। ବାଲ୍ୟକାଳରୁ ତାହାଙ୍କୁ ସମସ୍ତେ ସତ୍ୟପ୍ରିୟ ଏବଂ ସ୍ପଷ୍ଟବକ୍ତା ବୋଲି ଜାଣିପାରିଥିଲେ । ୧୮୬୯ ଖ୍ରୀଷ୍ଟାବ୍ଦରେ ସେ ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏଫ୍‌.ଏ ଶ୍ରେଣୀରେ ଅଧ୍ୟୟନ କରିଥିଲେ । ଏହି ସମୟରେ ସେ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ଧର୍ମପୁସ୍ତକମାନ ଆଲୋଚନା କରିଥିଲେ ।

 

ଏହି ଛାତ୍ରାବସ୍ଥାରେ ସେ ‘ଉତ୍କଳପୁତ୍ର’ ନାମକ ଖଣ୍ତିଏ ସମ୍ବାଦପତ୍ର ବାହାର କରିଥିଲେ । ସେଥିରେ ଖଣ୍ଡିଏ ସମ୍ବାଦପତ୍ର ବାହାର କରିଥିଲେ । ସେଥିରେ ନାନା ପ୍ରୟୋଜନୀୟ ବିଷୟର ଆଲୋଚନା ହେଉଥିଲା । କୌଣସି ଗୋଟିଏ ଲେଖାଯୋଗୁଁ ସେ କର୍ତ୍ତୃପକ୍ଷଙ୍କ ବିଷଦୃଷ୍ଟିରେ ପଡ଼ି ସ୍କୁଲରୁ ବହିଷ୍କୃତ ହେଲେ । ସରକାରୀ ସ୍କୁଲରୁ ବାହାରି ଆସି ତାହାଙ୍କ ମନରେ ଏହି ଧାରଣା ଦୃଢ଼ ହେଲା ଯେ, ଆଉ ଗୋଟିଏ ସ୍କୁଲ ଏ ସହରରେ ରହିଲେ ଏ ପ୍ରକାର କର୍କଶ ବ୍ୟବହାର ଆଉ ରହିବ ନାହିଁ । ତହୁଁ ସେ ଗୋଟିଏ ନୂତନ ବିଦ୍ୟାଳୟ ସ୍ଥାପନ କରିବାର ସଂକଳ୍ପ କରି ପ୍ରିୟ ବନ୍ଧୁମାନଙ୍କୁ ତାହା ଜଣାଇଲେ । ଦରିଦ୍ର ଯୁବକଙ୍କର ଏକଥା ଶୁଣି ଅନେକ ଉପହାସ କରିଥିଲେ ସତ୍ୟ; ମାତ୍ର ମନ ଥିଲେ ଉପାୟ ଆପେ ଆସିବ, ଏହା ଦୃଢ଼ ଜାଣି ସେ ଆପଣାର ପ୍ରତିଜ୍ଞା ପାଳନ କରିବାକୁ ବଦ୍ଧପରିକର ହେଲେ । ପ୍ରଥମେ ଗୋଟିଏ ପାଠଶାଳା ସ୍ଥାପନ କରି ସେଥିରେ ଜଣେ ଦୁଇଜଣ ବନ୍ଧୁଙ୍କୁ ଘେନି ନିଜେ ଶିକ୍ଷା ଦେବାକୁ ଲାଗିଲେ । ତାହାଙ୍କ ଶିକ୍ଷାଦାନ ଗୁଣରେ ଅନେକ ଛାତ୍ର ଆସିବାରୁ କ୍ରମେ ତାହାର ଉନ୍ନତି ଦେଖାଗଲା । ପ୍ୟାରୀମୋହନ ପରେ ଅଳ୍ପ ଟଙ୍କା ବେତନରେ ଗୋଟିଏ କିରାଣୀ କର୍ମ ଗ୍ରହଣ କରି ତହିଁରୁ ଲବ୍‌ଧ ଧନରେ ସ୍କୁଲକୁ ସାହାର୍ଯ୍ୟ କରିବାକୁ ଲାଗିଲେ । ଦେଖୁ ଦେଖୁ ଚାରି ପାଞ୍ଚ ବର୍ଷ ପରେ ୧୮୭୯ ଖ୍ରୀଷ୍ଟାବ୍ଦରେ ଏହି ସ୍କୁଲଟି ହାଇସ୍କୁଲରେ ପରିଣତ ହେଲା ବର୍ତ୍ତମାନ ଅଧିକ ସଂଖ୍ୟକ ଶିକ୍ଷକ ହେବାରୁ ସେମାନଙ୍କୁ ବେତନ ଯୋଗାଇଦେବା ଲାଗି ଧନ ନଥିଲା ସତ୍ୟ; କିନ୍ତୁ ମନ ଯଥେଷ୍ଟ ମାତ୍ରାରେ ଥିବାରୁ ଧନର ଅଭାବ ରହିଲା ନାହିଁ । ସତ୍କାର୍ଯ୍ୟରେ ଈଶ୍ୱର ସର୍ବଦା ସହାୟ । ବର୍ତ୍ତମାନ ସେହି ସ୍କୁଲ ବୃହତ ଆକାର ଧାରଣ କରିଅଛି ଏବଂ ପ୍ରତିବର୍ଷ ବହୁସଂଖ୍ୟକ ଛାତ୍ର ସେଥିରୁ ଉତ୍ତୀର୍ଣ୍ଣ ହେଉଅଛନ୍ତି । ପ୍ରତିଷ୍ଠାତାଙ୍କ ନାମାନୁସାରେ ବିଦ୍ୟାଳୟର ନାମ ‘ପ୍ୟାରୀମୋହନ ଏକାଡେମୀ’ ହୋଇଅଛି ।

 

ପ୍ୟାରୀମୋହନ ବଡ଼ ସ୍ୱାଧୀନଚେତା ଥିଲେ । ତାହାଙ୍କର ନିର୍ଭୀକ ସ୍ୱଭାବ ଏବଂ ତେଜସ୍ୱୀଭାବ ଦେଖି ଅନେକ ବଡ଼ଲୋକ ମନେ ମନେ ଭାରୀ ଭୟ କରୁଥିଲେ । ଦେଶରେ କୌଣସି ପ୍ରକାର ଅତ୍ୟାଚାର ଦେଖାଗଲେ ସେ ତାହା ନିବାରଣ କରିବା ପାଇଁ ଆଗରୁ ବାହାରି ପଡୁଥିଲେ । କଟକ ନଗରରେ ସେ ଅନେକ ସମୟରେ ଶିକ୍ଷା, ସମାଜ ସଂସ୍କାର ଓ ଧର୍ମନୀତି ବିଷୟରେ ବକ୍ତୃତାମାନ ପ୍ରଦାନ କରୁଥିଲେ । ପରୋପକାରରେ ଆପଣାର ଧନ ବ୍ୟୟ କରିବାକୁ ସେ ଅଧିକ ସୁଖ ପାଉଥିଲେ । ତାହାଙ୍କର ଆଉ ଗୋଟିଏ କାର୍ଯ୍ୟ ଅତି ମହତ୍‌ ଗୁଣ ଥିଲା । ମୃତ୍ୟୁର କିଛିକାଳ ପୂର୍ବେ ପୁରୀରେ ବିସୂଚିକା ରୋଗ ପ୍ରବଳ ହେବାରୁ ଅନେକ ଯାତ୍ରୀ ଧରାଶାୟୀ ହେବାକୁ ଲାଗିଲେ । ପ୍ୟାରୀମୋହନ ଯେତେବେଳେ ଶୁଣିଲେ ଯେ, ଶତ ଶତ ଯାତ୍ରୀ ଅସହାୟ ଅବସ୍ଥାରେ ପ୍ରାଣ ହରାଉଅଛନ୍ତି, ତେତେବେଳେ ସେ ଅପୂର୍ବ ସାହସରେ କଟକରୁ ବାହାରି କିଛି ସାଗୁ ଏବଂ କେତୋଟି ଔଷଧ ଶିଶି ଘେନି ଜଗନ୍ନାଥ ସଡ଼କରେ ପୁରୀ ଅଭିମୁଖରେ ଯାତ୍ରା କରିଥିଲେ । ତାଙ୍କର ଅଭିପ୍ରାୟ ଏହି ଥିଲା, ସଡ଼କରେ ଯେଉଁଠାରେ ଉକ୍ତ ରୋଗଗ୍ରସ୍ତ ଲୋକ ଦେଖିବେ ତାହାକୁ ଉପଯୁକ୍ତ ଔଷଧ ଦେବେ ଏବଂ ତାହାର ଆତ୍ମୀୟ ସ୍ୱଜନଙ୍କୁ ସାଗୁରେ ପଥ୍ୟ ପ୍ରସ୍ତୂତ କରିବାକୁ ଉପଦେଶ ଦେବେ । କି ଉଚ୍ଚ ହୃଦୟ ! ଏହିପରି କାର୍ଯ୍ୟରୁ ମନୁଷ୍ୟ-ହଦୟର ସ୍ୱର୍ଗ ପାତାଳ ପ୍ରଭେଦ ଜଣାପଡ଼େ ।

 

୧୮୮୧ ଖ୍ରୀଷ୍ଟାବ୍ଦରେ ପ୍ୟାରୀମୋହନ ତିରିଶ ବର୍ଷ ବୟସରେ ଅକାଳରେ ପରଲୋକଗମନ କରିଅଛନ୍ତି । ତାହାଙ୍କୁ ହରାଇ ଏ ଦେଶରେ ବହୁତ କ୍ଷତି ହୋଇଅଛି । ଉତ୍କଳରେ ଶିକ୍ଷାବିସ୍ତାର ଓ ପରୋପକାର ଲାଗି ତାହାଙ୍କର ପ୍ରାଣ ସର୍ବଦା ବ୍ୟାକୁଳ ଥିଲା । ଜନ୍ମଭୂମିର ଗୌରବ ସମସ୍ତଙ୍କୁ ଜଣାଇବାପାଇଁ ସେ ଓଡ଼ିଶାର ଗୋଟିଏ ସୁନ୍ଦର ଇତିହାସ ଲେଖିଯାଇଅଛନ୍ତି । ଏହି ଉତ୍କୃଷ୍ଟ ପୁସ୍ତକଖଣ୍ଡି ପାଠକରି ପାଠକମାନେ ଉପକୃତ ହେଉଅଛନ୍ତି ।

Image

 

ସିଂହ

 

ସିଂହର ବେକ ଉପରେ ଯେଉଁ ଲମ୍ବା ଓ ଘନ ଲୋମ ଦେଖାଯାଏ, ତାହାକୁ କେଶର ବୋଲାଯାଏ । କେଶର ଥିବାରୁ ସିଂହର ନାମ କେଶରୀ ହୋଇଅଛି ଏବଂ ସେହି କେଶରୀ ଯୋଗୁଁ ସିଂହ ବଡ଼ ଭୟଙ୍କର ଦିଶେ । ସିଂହୀମାନଙ୍କର କେଶର ହୁଏ ନାହିଁ ।

 

ଆଫ୍ରିକା ମହାଦେଶରେ ପ୍ରାୟ ସମୁଦାୟ ଅଞ୍ଚଳରେ ଏବଂ ଏସିଆ ମହାଦେଶରେ ଦକ୍ଷିଣ-ପଶ୍ଚିମ ଅଂଶରେ ସିଂହମାନଙ୍କର ବାସ କରିବାର ଦେଖାଯାଏ । ଏସିଆର ଆରବ ଓ ପାରସ୍ୟ ଦେଶରେ ଏବଂ ଭାରତବର୍ଷର ଗୁଜୁରାଟ ଓ ରାଜପୁତନା ଅଞ୍ଚଳରେ ସିଂହ ବାସକରେ ।

 

ସିଂହ ପ୍ରାୟ ଦଶଫୁଟ ଳମ୍ବା ଥିବାର ଦେଖାଯାଏ । ବ୍ୟାଘ୍ର ଅପେକ୍ଷା ସିଂହ ବଡ଼ ନୁହେଁ; କିନ୍ତୁ କେଶର ଥିବାର ବଡ଼ ବୋଲି ବୋଧହୁଏ । ସିଂହ ପରାକ୍ରମରେ ସବୁ ଜନ୍ତୁ ଅପେକ୍ଷା ଶ୍ରେଷ୍ଠ । ସେଥିପାଇଁ ତାହାକୁଚ ପଶୁରାଜ ବୋଲାଯାଏ ।

 

ସିଂହ ଛାୟାଯୁକ୍ତ ଶୀତଳ ସ୍ଥାନରେ ନଦୀ ଓ ନିର୍ଝରମାନଙ୍କ ତଟରେ ବାସକରେ । ସେଠାକୁ ହରିଣ, ମହିଷ ପ୍ରଭୃତି ଜନ୍ତୁ ଜଳପାନ କରିବାକୁ ଆସିଲେ ସିଂହ ନିଃଶବ୍ଦେ ଲୁଚି ଶିକାର ଆଡ଼କୁ ଅଗ୍ରସର ହୋଇ ଏବଂ ତାହାକୁ ଆକ୍ରମଣ କରି ତାହାର ପ୍ରାଣନାଶ କରେ । ଯେଉଁ ସିଂହ ଥରେ ଗ୍ରାମ ନିକଟକୁ ଆସି ଛେଳି, ଗୋରୁ ବା ମନୁଷ୍ୟ ଧରି ଖାଏ, ସେ ବାରମ୍ବାର ଗ୍ରାମକୁ ଆସି ଭୟାନକ ଉପଦ୍ରବ କରେ ।

 

ସିଂହ ଏକ ସମୟରେ ଦୁଇ, ତିନି ବା ଚାରିଗୋଟି ଶାବକ ପ୍ରସବ କରେ । ଜନ୍ମ ହେବାର ଦଶ ପନ୍ଦର ଦିନପରେ ଶାବକର ଚକ୍ଷୁ ଫିଟେ । ସିଂହସାବକ ଦେଖିବାକୁ ବିରାଡ଼ି ପରି । ବର୍ଷକର ହେଲେ ସିଂହ ଶିଶୁ ଶିକାର କରିଶିଖେ ।

 

ସିଂହର ବିକ୍ରମ ଓ ସାହସ କଥା ଅନେକ ଶୁଣାଯାଏ । ଗୋଟିଏ ମାତ୍ର ସିଂହ ୫୦ ବା ୭୦ ଜଣ ଅସ୍ତ୍ରଧାରୀ ଶିକାରୀଙ୍କ ଅସ୍ତ୍ରଘାତରେ ଜର୍ଜରିତ ହୋଇ ସୁଦ୍ଧା ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ ଓ ଆହାତ କରି ଏବଂ ସେମାନଙ୍କର ଦଳ ଭାଙ୍ଗି ପଳାଇଯାଏ । ପଳାଇ ନ ପାରିଲେ ନିଜେ ଧରାପଡ଼ିବା ବା ମାରିବାପୂର୍ବେ ଅନେକଙ୍କୁ ମାରିପକାଏ । ଅନେକ ସମୟରେ ସିଂହର ଦୟା ଓ ଅନୁରାଗର ପରିଚୟ ମିଳେ ।

 

କେତକ ବର୍ଷପୂର୍ବେ ଲଣ୍ଡନ ନଗରର କୌଣସି ପଶୁଶାଳାରେ ଜଣେ ଦର୍ଶକ କୌତୁକ ଦେଖିବା ଲାଗି ସିଂହର ପିଞ୍ଜର ଭିତରେ ଗୋଟାଏ କୁକୁର ପକାଇଦେଲା । ସେହି ଦର୍ଶକ ମନେକରିଥିଲେ ଯେ, ସିଂହ ତତ୍‌କ୍ଷଣାତ୍‌ କୁକୁରକୁ ଖଣ୍ଡ ଖଣ୍ଡ କରି ଖାଇ ପକାଇବ ଏବଂ ସେ ଲୋକ ସେହି କୌତୁକ ଦେଖିବ । କୁକୁରଟି ସିଂହ ସମ୍ମୁଖରେ ପଡ଼ି ଭୟରେ କମ୍ପିବାକୁ ଲାଗିଲା । ପଶୁରାଜ ତାହା ଦେଖି କୁକୁରରଦେହକୁ ଥରେ ଦୁଇଥର ଆଘାତ କରି ତାହା ନିକଟରେ ବସିରହିଥିଲା । ନିଷ୍ଠୁର ଦର୍ଶକ ସିଂହକୁ ଉତ୍ତେଜିତ କରିବା ପାଇଁ ଖଣ୍ଡେ ମାଂସ ତାହା ଆଡ଼କୁ ପକାଇଦେଲା; କିନ୍ତୁ ସିଂହ ସେ ମାଂସ ସ୍ପର୍ଶକଲା ନାହିଁ । ଏଣେ କୁକର ଦେଖିଲା ଯେ, ସିଂହ ତାହାର କୌଣସି ଅନିଷ୍ଟ କରୁନାହିଁ । ତହୁଁ ତାହାର ସାହାସ ହେବାରୁ ସେ ଧୀରେ ଧୀରେ ମାଂସଖଣ୍ଡର ନିକଟକୁ ଯାଇ ତାହାକୁ ଖାଇବାକୁ ଲାଗିଲା । ଏଥିଉତ୍ତାରେ ସିଂହ ମଧ୍ୟ କୁକୁରସହିତ ମାଂସ ଖାଇବାକୁ ଲାଗିଲା । ସେହିଦିନୁ ସେହି ସିଂହ ଓ କୁକୁର ମଧ୍ୟରେ ଅତ୍ୟନ୍ତ ପ୍ରଣୟ ଜନ୍ମିଲା । ସିଂହ ଯେପରି ସ୍ନେହରେ କୁକୁର ଦେହ ଚାଟିଦିଏ, କୁକର ମଧ୍ୟ ସିଂହର ମୁଖ ଚକ୍ଷୁ ଚାଟିଦିଏ ଏବଂ ସମୟେ ସମୟେ ସିଂହର କୋଳରେ ଶୋଇପଡ଼େ । ଏହିରୁପେ ସିଂହ ଓ କୁକର ଏକ ପିଞ୍ଜରରେ ବର୍ଷେ ରହିଲା ପରେ କୁକୁରଟିଏ ରୁଗୁଣ୍‌ ହୋଇଗଲା ଏବଂ କିଛିଦିନ ପରେ ମରିଗଲା । କୁକୁର ନିଦ୍ରିତ ରହିଅଛି ମନେରି ସିଂହ ତାହାର ଦେହ ଚାଟି ତାହାକୁ ଜାଗରିତ କରିବାପାଇଁ କେତକ ଚେଷ୍ଟା କଲା; କିନ୍ତୁ ସେ ନ ଉଠିବାରୁ ସିଂହ ଶୋକରେ ଅଧୀର ମହାଶବ୍ଦରେ ରଡ଼ି ଛାଡ଼ିବାକୁ ଲାଗିଲା । ଲୋକେ ମୃତ କକୁରକୁ ବାହାରକୁ କାଢ଼ି ନେବାପାଇଁ ଆଙ୍କୁଶିଦ୍ୱାରା ଟାଣିଲାକ୍ଷଣି ସିଂହ କୁଦାମରି ଭୟରେ ଗର୍ଜ୍ଜନ କରିବାକୁ ଲାଗିଲା । ଏଥିଉତ୍ତାରେ ସିଂହ ମଲା କୁକୁର ନିକଟରେ ବସିରହି ସମ୍ପୂର୍ଣ୍ଣ ଅନାହାରରେ ଦିନାନିପାତ କରନ୍ତେ ଲୋକେ ଭାବିଲେ ଯେ, ଆଉ ଗୋଟିଏ କୁକର ପାଇଲେ ସେ ଶାନ୍ତ ହେବ । ଅତଏବ ସେମାନେ ଆଉ ଗୋଟାଏ କୁକୁର ସିଂହ ସମ୍ମୁଖରେ ପକାଇଦେଲେ; କିନ୍ତୁ ସେ ତାହାକୁ ଖଣ୍ଡ ଖଣ୍ଡ କରି ବିଦୀର୍ଣ୍ଣ କରିପକାଇଲା ଏବଂ କ୍ରମେ କ୍ରମେ ଶୋକରେ ଓ ଅନାହାରରେ ଅତ୍ୟନ୍ତ କ୍ଷୀଣ ହୋଇ ଅବଶେଷରେ ପ୍ରାଣତ୍ୟାଗ କଲା ।

Image

 

ବ୍ୟାଘ୍ର

 

ଆସିୟା ମହାଦେଶରେ ବ୍ୟାଘ୍ରର ନିବାସ । ତିବ୍‌ବତ, ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ଏହି ତିନୋଟି ଦେଶ ଛଡ଼ା ଆସିୟାର ଆଉ ସବୁ ଦେଶରେ ବାଘ ଦେଖାଯାଏ । ଭାରତବର୍ଷରୂ ସବୁ ପ୍ରଦେଶରେ, ବଙ୍ଗଳା, ଓଡ଼ିଶା ଓ ମଧ୍ୟପ୍ରଦେଶରେ ଏବଂ ହିମାଳୟର ନିମ୍ନ ଜଙ୍ଗଲମାନଙ୍କରେ ବ୍ୟାଘ୍ର ଦେଖାଯାଏ । ଦୀର୍ଘ ତୃଣମୟ ଜଙ୍ଗଲ ଓ ନିବିଡ଼ ଅରଣ୍ୟ ସେମାନଙ୍କର ବାସସ୍ଥାନ । ବର୍ତ୍ତମାନ କାଳରେ ବ୍ୟାଘ୍ରର ସଂଖ୍ୟା କ୍ରମେ କମିଯାଉଅଛି । ଯେଉଁଠାରେ ଅଧିକ ଲୋକଙ୍କର ବସତି ଏବଂ ଯେଉଁ ଅଞ୍ଚଳରେ ରେଳ ଗାଡ଼ିର ଯାତାୟାତ ହେଉଅଛି, ସେହିଠାରୁ ବ୍ୟାଘ୍ର ଲୁପ୍ତ ହୋଇଯାଉଅଛି ।

 

ବାଘୁଣୀ ସାଧାରଣତଃ ଥରକେ ଦୁଇରୁ ପାଞ୍ଚ ପର୍ଯ୍ୟନ୍ତ ଶାବକ ପ୍ରସବ କରେ । ଶାବକଗୁଡ଼ିକ ପ୍ରଥମଥର ଖୁବ୍‌ ସାନ ହୁଅନ୍ତି । କାଳେ ବ୍ୟାଘ୍ର ଶାବକଗୁଡ଼ିକ ଖାଇପକାଇବ, ଏହି ଭୟରେ ବ୍ୟାଘ୍ରୀ ସେମାନଙ୍କୁ ଲୁଚାଇ ରଖେ । ଯେଉଁ ବାଘୁଣୀ ଶାବକ ପ୍ରସବ କରିଥାଏ, ସେ ଅତ୍ୟନ୍ତ ଭୟଙ୍କାରୀ । ଶାବକର ବିପଦ ଆଶଙ୍କାକରି ସେ ଯାହାକୁ ସମ୍ମୁଖରେ ପାଏ ତାହାକୁ ବଧ କରେ । ବ୍ୟାଘ୍ରୀ ଅତି ସ୍ନେହରେ ଶାବକମାନଙ୍କୁ ପାଳନ କରେ ଏବଂ ସର୍ବଦା ସଙ୍ଗେ ସଙ୍ଗେ ଘେନି ବୁଲେ ଓ ଶିକାର କରିବାକୁ ଶିଖାଏ ।

 

ବ୍ୟାଘ୍ରର ଶରୀର କ୍ଷୁଦ୍ର କ୍ଷୁଦ୍ର ଘନ ଲୋମରେ ଆବୃତ ଏବଂ ତାହାର ଦେହର ବର୍ଣ୍ଣ ହଳଦିଆ । ସେହି ହଳଦିଆ ରଙ୍ଗ ଉପରେ କୃଷ୍ଣବର୍ଣ୍ଣର ଲମ୍ବା ଲମ୍ବା ରେଖା ଅଙ୍କିତ ହୋଇଥାଏ । ସମୁଦାୟ ଲାଙ୍ଗୁଳଟା କୃଷ୍ଣରଙ୍ଗ ରେଖାଦ୍ୱାରା ବେଷ୍ଟିତ । ବାଘର ତଳ ପେଟର ବର୍ଣ୍ଣ ଧବଳ, କର୍ଣ୍ଣର ବର୍ହିଭାଗ କୃଷ୍ଣବର୍ଣ୍ଣ । ଶୀତପ୍ରଧାନ ଦେଶର ବାଘମାନଙ୍କର ଗାତ୍ରଲୋମ ଅଧିକ ଘନ ଓ ଦୀର୍ଘ । ଧଳା ଓ କଳା ରଙ୍ଗର ବାଘ କ୍ୱଚିତ ଦେଖାଯାଆନ୍ତି ।

 

ବ୍ୟାଘ୍ରମାନେ ସାଧାରଣତଃ ଏକାକୀ ବାସ କରନ୍ତି । ବର୍ଷର କୌଣସି କୌଣସି ଋତୁରେ ବ୍ୟାଘ୍ର ଓ ବ୍ୟାଘ୍ରୀ ଏକତ୍ର ବିଚରଣ କରିବାର ଦେଖାଯାଏ । ବ୍ୟାଘ୍ର ସିଂହପରି ରାତ୍ରିଚର ଅଟେ । ସନ୍ଧ୍ୟାକାଳରେ ସେ ଆହାରର ଅନ୍ୱେଷର ନିମିତ୍ତ ବାହାରି ସମୁଦାୟ ରାତ୍ର ବୁଲି ବୁଲି ପ୍ରଭାତ ସମୟକୁ ନିଜ ବାସସ୍ଥାନକୁ ଲେଉଟି ଆସେ ।

 

ବ୍ୟାଘ୍ରମାନେ ସନ୍ତରଣପଟୁ । ବ୍ରହ୍ମପୁତ୍ର, ଗଙ୍ଗା ଏବଂ ମାନଦୀରେ ଅନେକ ଜଙ୍ଗଲମୟ ଚୂଡ଼ା ଅଛି । ସେମାନେ ନଦୀତୀରରୁ ପହଁରିଯାଇ ସେହି ଜଡ଼ାମାନଙ୍କରେ ଆହାର ଅନ୍ୱେଷଣ କରନ୍ତି ଏବଂ ସମୟେ ସମୟେ ନଦୀରେ ଥିବା ନୌକାମାନଙ୍କରେ ଚଢ଼ି ମନୁଷ୍ୟ ମାରି ତାହାକୁ ମୁଖରେ ଧରି ନଦୀ ପାରୁହୁଅନ୍ତି । ବ୍ୟାଘ୍ର ବୃକ୍ଷାରୋହଣପଟୁ ନ ହେଲେ ହେଁ ସମସୟେ ସମୟେ ମନୁଷ୍ୟକୁ ମାରିବାପାଇଁ ବୃକ୍ଷ ଉପରେ ଆଠ ନ’ ହାତ ଚଢ଼ିଯିବାର ଦେଖାଯାଇଅଛି ।

 

ଅନ୍ୟାନ୍ୟ ଶିକାରୀ ଜନ୍ତୁପରି ବ୍ୟାଘ୍ର ଅନେକ ଦିନ କ୍ଷୁଧା ତୃଷା ସହି ରହିପାରେ । ଜଳପାନ ନ କରି ଆଠ ଦଶ ଦିନ ଏବଂ ଅନାହାରରେ ପନ୍ଦର କୋଡ଼ିଏ ଦିନ ଅନାୟାସରେ ରହିପାରେ । ବାଘ ସାଧାରଣତଃ ମୃଗ, ବରାହ ପ୍ରଭୃତି ଜନ୍ତୁ ଶିକାର କରେ; କିନ୍ତୁ ମଣିଷ ପଲରେ ପଶିବାକୁ ଡରେ । ସୁବିଧା ପାଇଲେ ବ୍ୟାଘ୍ର ହସ୍ତୀ, ଭଲ୍ଲକୁ ଓ କୁମ୍ଭୀରକୁ ଆକ୍ରମଣ କରେ । ବ୍ୟାଘ୍ର ସଙ୍ଗରେ ଏହି ଜନ୍ତୁମାନଙ୍କର ଯୁଦ୍ଧ ବଡ଼ ଭୟଙ୍କର ଅଟେ । ଅନେକ ସମୟରେ ବ୍ୟାଘ୍ରର ଜୟ ହୁଏ ଏବଂ କେତେ କେତେ ବେଳେ ହସ୍ତୀ, ଭଲ୍ଲୁକ ବା କୁମ୍ଭୀରର ଜୟ ହୁଏ । ବ୍ୟାଘ୍ରର ଦେହରେ ଏତେ ବଳ ଅଛି ଯେ, ସେ ବଡ଼ ବଡ଼ ଗୋରୁ, ମହିଷମାନଙ୍କୁ ଅନାୟାସରେ ମୁଖରେ ଧରି ବହୁଦୂର ଘେନିଯାଏ ।
 

ବ୍ୟାଘ୍ର ସ୍ୱଭାବତଃ ମନୁଷ୍ୟକୁ ଭୟ କରେ; କିନ୍ତୁ କୌଣସି କାରଣରୁ ଥରେ ଭାଙ୍ଗିଗଲେ ସେ ମନୁଷ୍ୟକୁ ଡରେ ନାହିଁ । ଥରେ ମନୁଷ୍ୟର ରକ୍ତମାଂସର ସ୍ୱାଦ ପାଇଲେ ସେ ଅନ୍ୟ ଜନ୍ତୁ ଶିକାର କରିବାକୁ ଚାହେଁ ନାହିଁ । ମନୁଷ୍ୟ ଖାଦକ ବ୍ୟାଘ୍ରମାନେ ଏପରି ରତୁର ଯେ, ସେମାନେ ସହଜରେ ଧରା ପଡ଼ନ୍ତି ନାହିଁ । ଗଭର୍ଣ୍ଣମେଣ୍ଟଙ୍କ ରିପୋର୍ଟରୁ ଜଣାଯାଏ ଯେ, ଗୋଟିଏ ବ୍ୟାଘ୍ର ବର୍ଷକ ମଧ୍ୟରେ ଅଶୀ ଜଣ ଲୋକ ମାରିଥିଲା ।

 

ବିପଦ ସମୟରେ ବାଘର ଜିଘାଂସା ବୃତ୍ତି ନଥାଏ । ଥରେ ମହାନଦୀର ପ୍ରବଳ ବନ୍ୟାରେ ଜଣେ ଯୁବା ଜଳରେ ଭାସିଗଲା । ଭାଗ୍ୟକ୍ରମେ ସେ ଭାସିଯାଉଥିବା ଗୋଟିଏ ବୃହତ୍ ବୃକ୍ଷକୁ ଧରି ତାହା ଉପରେ ବସିଲା । କିଛିକ୍ଷଣ ପରେ ସେ ଦେ‌ଖିଲା ଯେ, ଗୋଟାଏ ପ୍ରକାଣ୍ଡ ବ୍ୟାଘ୍ର ସେହି ବୃକ୍ଷକୁ ଧରି ତାହା ଉପରେ ବସିଲା । ତାହା ଦେଖି ସେ ଭୟବିହ୍ୱଳ ହୋଇ, କଣ କରିବ କିଛି ସ୍ଥିର କରି ନ ପାରି ବାଘ ଆଡ଼କୁ ଅନାଇ ବସିରହିଲା । ବାଘ ମଧ୍ୟ ପ୍ରାଣ ଭୟର ଅସ୍ଥିର ହୋଇ କିଛି କଲା ନାହିଁ । ଏହିପରି ବ୍ୟାଘ୍ର ଓ ମନୁଷ୍ୟ ୧୨ ଘଣ୍ଟାକାଳ ଏକତ୍ର ରହି କଟକ ନଗର ପର୍ଯ୍ୟନ୍ତ ଭାସି ଆସିଲାରୁ ଲୋକେ ନୌକାଦ୍ୱାରା ମନୁଷ୍ୟକୁ ଉଦ୍ଧାର କଲେ ଏବଂ ଗୁଳିଦ୍ୱାରା ବାଘକୁ ମାରି ପକାଇଲେ ।

 

ଶାବକ ଅବସ୍ଥାରେ ପୋଷିଲେ ବ୍ୟାଘ୍ର ପୋଷା ମାନେ; ତଥାପି ତାହାକୁ ବିଶ୍ୱାସ କରାଯାଇନପାରେ । ଏକଦା ଗୋଟିଏ ସକର୍ସ ବା କ୍ରୀଡ଼ାଚକ୍ରରେ ବ୍ୟାଘ୍ରର କ୍ରୀଡ଼ା ପ୍ରଦର୍ଶିତ ହେଉଥିଲା । ଜଣେ ସ୍ତ୍ରୀଲୋକ ବ୍ୟାଘ୍ରର ପିଞ୍ଜରମଧ୍ୟରେ ପ୍ରବେଶ କରି ବାଘକୁ ଚାବୁକ ମାରିଲାକ୍ଷଣି ସେ ନାନା ପ୍ରକାର କୌତୁକ ଦେଖାଏ । ଏହିପରି ତିନି ବର୍ଷଯାଏ ସେ ସ୍ତ୍ରୀଲୋକ ପ୍ରାୟ ପ୍ରତ୍ୟେହ ବ୍ୟାଘ୍ର ସଙ୍ଗେ କ୍ରୀଡ଼ା କରିଥିଲା । ୩ ବର୍ଷ ପରେ ଦିନେ ସ୍ତ୍ରୀଲୋକ ପିଞ୍ଜର ଭିତରକୁ ଯାଇ ଚାବୁକ ମାରିଲା; କିନ୍ତୁ ବ୍ୟାଘ୍ର ଗମ୍ଭୀର ହୋଇ ବସିରହିଲା । ଆଉ ଥରେ ଚାବୁକ ମାରିଲାକ୍ଷଣି ବ୍ୟାଘ୍ର ସ୍ତ୍ରୀଲୋକ ଉପରକୁ କୁଦିପଡ଼ି ତାହାର ପ୍ରାଣନାଶ କଲା ।

 

ମନୁଷ୍ୟ ନାନାପ୍ରକାର ଶିକାର କରି ବାଘକୁ ମାରନ୍ତି । ବନମଧ୍ୟରେ ବଡ଼ ବୃକ୍ଷ ଉପରେ ଭାଡ଼ି ବାନ୍ଧି ନିକଟସ୍ଥ ଗୋଟାଏ ବୃକ୍ଷରେ ଗୋଟାଏ ଛେଳି ବା ମେଣ୍ଢା ବା ଅନ୍ୟ ପଶୁ ବାନ୍ଧି ଶିକାରୀ ବନ୍ଧୁକରେ ଗୁଳି ବାରୁଦ ଭରି ବସିଥାଏ ଏବଂ ବାଘ ଆସିଲେ ଲକ୍ଷ୍ୟକରି ଗୁଳି ମାରେ । ଦୀର୍ଘ ତୃଣମୟ ଜଙ୍ଗଲରେ ହସ୍ତୀ ଉପରେ ବସି ଶିକାର କରାଯାଏ । କେତେଗୁଡ଼ିଏ ଶିକାରୀ ହାତୀ ଉପରେ ବସି ଏକ ଆଡ଼େ ବନରେ ପଶନ୍ତି ଏବଂ ଅନେକ ଲୋକ ଅନ୍ୟଆଡ଼ୁ ମହାଶବ୍ଦ କରି ବାଘକୁ ତଡ଼ନ୍ତି । ତାଡ଼ିତ ବ୍ୟାଘ୍ର ପଦାକୁ ବାହାରିଲାକ୍ଷଣି ଶିକାରୀମାନେ ହାତୀ ଉପରୁ ଗୁଳି ମାରନ୍ତି-। ସମୟେ ସମୟେ ବାଘ ଆହାତ ହୋଇ ହାତୀକୁ ଆକ୍ରମଣ କରି ତାହା ଉପରକୁ ଚଢ଼ିଯାଏ ଏବଂ ହାତୀ ଦେହ ଝାଡ଼ି ବାଘକ ପକାଇଦେବାକୁ ଚାଷ୍ଟା କରେ । ଯନ୍ତା ମଧ୍ୟ ବାଘ ଶିକାର କରାଯାଏ ।

Image

 

କାଗଜ

 

ପୂର୍ବକାଳରେ ଆମ୍ଭ ଦେଶରେ କାଗଜର ବ୍ୟବହାର ନଥିଲା; ବୃକ୍ଷପତ୍ର ଓ ବୃକ୍ଷ ବଳ୍‌କଳରେ ଲୋକେ ଲେଖାଲେଖି କରୁଥିଲେ । ସମୁଦ୍ରର ଉପକୂଳବର୍ତ୍ତୀ ଦେଶମାନଙ୍କରେ ତାଳପତ୍ର ଓ ଅନ୍ୟତ୍ର ଭୂର୍ଜପତ୍ରର ବ୍ୟବହାର ଅଧିକ ଥିଲା । ଇଂରାଜମାନଙ୍କ ଆଗମନ ଉତ୍ତାରେ ଏ ଦେଶକୁ କାଗଜ ଆସିଲା । ବର୍ତ୍ତମାନ ଘରେ ଘରେ କାଗଜର ବ୍ୟବହାର ହେଉଅଛି । ଲିଖନ-ପଠନବିଷୟକ ପ୍ରତ୍ୟେକ କାର୍ଯ୍ୟରେ ଆମ୍ଭମାନଙ୍କର କାଗଜର ପ୍ରୟୋଜନ ହେଉଅଛି । କାଗଜଯୋଗୁଁ ଯଥେଷ୍ଟ ସୁବିଧା ହୋଇଅଛି । କାଗଜ ଏବେ ଆମ୍ଭମାନଙ୍କର ଏପରି ଦରକାରରେ ଆସୁଛି ଯେ, ତାକୁ ଛାଡ଼ି ମୁହୂର୍ତ୍ତେ ଚଳି ହେବ ନାହିଁ । ଏହି କାଗଜ କିପରି ହୁଏ, ତାହା ବୋଧହୁଏ ତୁମ୍ଭେମାନେ ଜାଣିନାହଁ ।

 

ସର୍ବପ୍ରଥମେ ଚୀନ ଦେଶରେ କାଗଜ ପ୍ରସ୍ତୁତ ହୋଇଥିଲା ପ୍ରସ୍ତୁତ ହେଲା । ବର୍ତ୍ତମାନୟୁରୋପର ପ୍ରତ୍ୟେକ ଦେଶରେ କାଗଜ ପ୍ରସ୍ତୁତ ହୁଏ । ଏ ଦେଶରେ ମଧ୍ୟ କେତକ ପ୍ରସିଦ୍ଧ ସ୍ଥାନରେ କାଗଜ କାରଖାନା ସ୍ଥାପିତ ହୋଇ ବାଲି, ଶ୍ରୀରାମପୁରୀ ପ୍ରଭୃତି କାଗଜ ତିଆରି ହେଉଅଛି-। ଯେଉଁ କାଗଜ ଏଡ଼େ ଦରକାରୀ, ସେ ଅତି ସାମାନ୍ୟ ପଦାର୍ଥରେ ତିଆରି ହୁଏ । ଝୋଟ, କୁଟା, ଘାସ, ନଡ଼ା, ଛିଣ୍ଡାକନା, ଛିଣ୍ଡା କାଗଜ ପ୍ରଭୃତି ଯେଉଁସବୁ ପଦାର୍ଥକୁ ଆମେମାନେ ଅତି ତୁଚ୍ଛ ମନେକରି ଚାହୁଁ ନାହୁଁ, ସେଥିରେ କାଗଜ ତିଆରି ହୁଏ । ପୂର୍ବେ ଛାଞ୍ଚରେ ପକାଇ ହାତରେ କାଗଜ ତିଆରି କରୁଥିଲେ । ଏବେ ଯନ୍ତ୍ର ସାହାଯ୍ୟରେ ହେଊଥିବାରୁ ଅଳ୍ପକାଳ ମଧ୍ୟରେ ବହୁତ କାଗଜ ଉତ୍କୃଷ୍ଟ ଆକାରରେ ବାହାରୁଅଛି । ଏହି ଯନ୍ତ୍ରରେ ପ୍ରଥମେ ଉକ୍ତ ପଦାର୍ଥଗୁଡ଼ିକୁ ଭଲରୂପେ ପରିଷ୍କାର କରି ଚୂନା କରିବାକୁ ହୁଏ । ଚୂନାର ହୋଇଗଲେ ସେଥିରେ ଜଳ ମିଶାଇ ମଣ୍ଡ ପ୍ରସ୍ତୁତ କରାଯାଏ । ଏହି ମଣ୍ଡକୁ ଏକପ୍ରକାର ଚାଲୁଣିରେ ଅଳ୍ପ ଛାଣିନେଇ, ଚାରିକୋଣିଆ ବଡ଼ ବଡ଼ ଛାଞ୍ଚ ଉପରେ ଖେଳାଇଦେବାକୁ ହୁଏ । ସବୁ ଛାଞ୍ଚରେ ଖେଳାହୋଇଯିବା ପରେ ପ୍ରତ୍ୟେକ ଛାଞ୍ଚକୁ ତାହା ଉପରେ ରଖି ଶେଷରେ ଖୁବ୍‌ ଟାଣରେ ଏପରି ଯନ୍ତିଦେବାକୁ ହୁଏ ଯେ, ତହିଁରୁ ଜଳୀୟ ଅଂଶ ଏକାବେଳକେ ବାହାରିଯାଏ । ପାଣି ନିଗିଡ଼ି ଯିବାପରେ ଛାଞ୍ଚମାନ ଶୁଖାଇବାକୁ ହଏ । ତତ୍‌ପରେ ତହିଁରେ ପୁଣି ଭାତର ମଣ୍ଡ, କାହିଁରେ ବା ଆଳୁମଣ୍ଡ ବା ସାରୁମଣ୍ଡ ଦେଇ ଶୁଖାଇବାକୁ ହୁଏ । ଏସବୁ ଶୁଖିଗଲେ ଚାରିଆଡ଼ର ବଳକା ଅଂଶ କାଟିଦେଇ, ସମାନ ଚୌରସ କାଗଜ ବାହାର କରାଯାଏ । କାଗଜକୁ ରଙ୍ଗ କରିବାକୁ ହେଲେ ଉକ୍ତ ମଣ୍ଡକୁ ଆଗ ରଙ୍ଗ ଦେଇ ରଙ୍ଗାଇ ନିଅନ୍ତି । ସ୍ଥାନେ ସ୍ଥାନେ କାଗଜକଳ ବସିଲେୁ ଆମ୍ଭ ଦେଶରେ କାଗଜ ଆହୁରି ଶସ୍ତାରେ ମିଳିବାର ସୁବିଧା ହେବ ।

Image

 

ଗୁରୁଭକ୍ତି

 

ପୂର୍ବକାଳରେ ଗୁରୁମାନେ ଶିଷ୍ୟଟିଏ ପାଇଲେ ପ୍ରଥମେ ତାହାର ଚିତ୍ତ ପରୀକ୍ଷା କରୁଥିଲେ; ପରେ ଉପଯୁକ୍ତ ଦେଖିଲେ ତାହାକୁ ଉପଦେଶ ପ୍ରଦାନ କରୁଥିଲେ । ଏଠାରେ ସେହିପରି ଗୋଟିଏ ଶିଷ୍ୟପରୀକ୍ଷାର କଥା ଲେଖାଯାଉଅଛି । ଜଣେ ମୁନିଙ୍କର ଉପମନ୍ୟୁ ନାମରେ ଗୋଟିଏ ଶିଷ୍ୟ ଥିଲେ । ଗୁରୁ ତାଙ୍କ ଉପରେ ଆପଣାର ଗୋରୁ ଜଗିବା ଭାର ଦେଲେ । ଉପମନ୍ୟୁ ପ୍ରତିଦିନ ଗୋରୁ ଚରାଇ ସନ୍ଧ୍ୟାବେଳକୁ ଆସି ଗୁରୁଙ୍କ ପାଦବନ୍ଦନା କରନ୍ତି । ଦିନେ ଗୁରୁ ପଚାରିଲେ- ‘‘ବତ୍ସ ! ମୁଁ ତୁମ୍ଭଙ୍କୁ କେବଳ ଗୋରୁ ଜଗିବାକୁ କହିଥିଲି; ତୁମ୍ଭେ ପୁଷ୍ଟ ହେଲ କିପରି ?’’

 

ଶିଷ୍ୟ- ‘‘ମୁଁ ଭିକ୍ଷାବୃତ୍ତି କରି ଜୀବନଧାରଣ କରିଅଛି ।

 

ଗୁରୁ- ‘‘ମୁଁ ତ ତୁମ୍ଭକୁ ଭିକ୍ଷା କରିବାକୁ ଅନୁମତି ଦେଇନାହିଁ । ଆଉ ଭିକ୍ଷା କଲେ ମୋତେ ନ ଜାଣଇ ଖାଇବା ତୁମ୍ଭର ଉଚିତ ନୁହେଁ ।’’

 

ତହୁଁ ଶିଷ୍ୟ ପ୍ରତ୍ୟେହ ସନ୍ଧ୍ୟା ସମୟରେ ଗୋରୁ ଜଗି ଆସି ଯାହା ଭିକ୍ଷାକରି ଆଣନ୍ତି, ଗୁରୁଙ୍କୁ ସମର୍ପଣ କରନ୍ତି । କିଛିଦିନ ଉତ୍ତାରେ ଗୁରୁ ପୁଣି ଶିଷ୍ୟକୁ ପୁଷ୍ଟ ଦେଖି ପଚାରିଲେ- ‘‘ବତ୍ସ ! ତୁମର ଭିକ୍ଷାଲ୍‌ବଧ ତଣ୍ଡୁଳ ସବୁ ତ ମୁଁ ନେଇଥାଏଁ, ତୁମ୍ଭେ ପୁଣି ପୁଷ୍ଟ ହେଲ କିପରି ?’’

 

ଶିଷ୍ୟ- ‘‘ମହାଭାଗ ! ଭିକ୍ଷାକରି ଆଣି ଦେବାପରେ ପୁଣି ଥରେ କେତକ ଘରୁ ଭିକ୍ଷାକରି ପ୍ରାଣରକ୍ଷା କରିଥାଏ ।’’

 

ଗୁରୁ- ‘‘ଏପରି କରିବାକୁ ମୁଁ ତୁମ୍ଭକୁ ଅନୁମତି ଦେଇନାହିଁ । ଦୁଇଥର ଭିକ୍ଷା ଆଣିବା ଅଧର୍ମ ଏବଂ ଏହା ଭଦ୍ରଲୋକର କାର୍ଯ୍ୟ ନୁହେଁ । ଆଉ ମଧ୍ୟ ଏପରି କରିବାଦ୍ୱାରା ଅନ୍ୟ ଲୋକର ବୃତ୍ତିରେ ବାଧା ପଡୁଛି ।’’

 

ଉପମନ୍ୟୁ ବିନୀତ ଭାବରେ ଗୁରୁଙ୍କ କଥା ଶ୍ରବଣ କଲେ । ସେହି ଦିନଠାରୁ ଆଉ ସେପରି କଲେନାହିଁ । କିଛିକାଳ ପରେ ପୁଣି ପାଦବନ୍ଦନା ସମୟରେ ଗୁରୁ ତାହାଙ୍କୁ ପୁଷ୍ଟ ଦେଖି ପଚାରିଲେ- ‘‘ବତ୍ସ ! ମୁଁ ତୁମ୍ଭର ଖାଇବାର ବାଟ ସମସ୍ତ ବନ୍ଦକରି ଦେଇଅଛି । ତୁମ୍ଭେ ପୁଣି କିପରି ପୁଷ୍ଟିଲାଭ କଲ ? ବୋଧହୁଏ କୌଣସି ଅନ୍ୟାୟ ବୃତ୍ତି କରିଅଛ ?’’

 

ଶିଷ୍ୟ ବିନୀତ ଭାବରେ ଉତ୍ତର କଲେ- ‘‘ଗୋରୁ ! ମୁଁ ଧେନୁମାନଙ୍କର ଦୁଗ୍‌ଧ ପାନକରି ପ୍ରାଣରକ୍ଷା କରିଅଛି ।’’

 

ଗୁରୁ- ‘‘ମୋହର ବିନା ଅନୁମତିରେ ତୁମ୍ଭର ଏପରି କାର୍ଯ୍ୟ କରିବା ଉଚିତ ହୋଇନାହିଁ । ଆଉ ତୁମ୍ଭେ ଗୋବତ୍ସମାନଙ୍କର ଆହାର ହରଣ କରି ଅଧର୍ମ କରିଅଛ ।’’

 

ଶିଷ୍ୟ ସେହିଦିନଠାରୁ ଦୁଗ୍‌ଧପାନରୁ ମଧ୍ୟ ନିବୃତ୍ତ ହେଲେ ଏବଂ ଗୁରୁଙ୍କ ଆଦେଶ ମାନି ସବୁ ବିଷୟରେ ସାବଧାନ ହେଲେ । ଆଉ ଦିନେ ସେ ଆସି ଗୁରୁଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଗୁରୁ ତାହାଙ୍କୁ ଦେଖି ସନ୍ଦେହ କରି ପଚାରିଲେ- ‘‘ବତ୍ସ ! ମୋହର ଆଦେଶକ୍ରମେ ତୁମ୍ଭର ବର୍ତ୍ତମାନ ପ୍ରାଣରକ୍ଷାର କୌଣସି ବୃତ୍ତି ନାହିଁ । ତେବେ କଣ ଆହାର କରି ତୁମ୍ଭ ଦେହର ପୁଷ୍ଟି ହୋଇଅଛି ? ସଙ୍କୋଚ ନକରି ପ୍ରକାଶ କର ।’’

 

ଶିଷ୍ୟ- ‘‘ବାଛୁରୀମାନେ ଦୁଧ ପିଇ ସାରିଲାପରେ ସେମାନଙ୍କ ମୁହଁରେ ଯେଉଁ ଫେଣ ଲାଗିଥାଏ, ତାହାକୁ ଖାଇ ମୋହର ପ୍ରାଣରକ୍ଷା କରିଅଛି ।’’

 

ଗୁରୁ- ‘‘ଏପରି କାର୍ଯ୍ୟ କରିବା ତୁମ୍ଭର ଅନ୍ୟାୟ । ତାହା କରିବାଦ୍ୱାରା ତୁମ୍ଭେ ବାଛୁରୀଙ୍କୁ କଷ୍ଟ ଦେଇଅଛ । ଅତଏବ, ଆଉ ଏଣିକି ଏପରି କାର୍ଯ୍ୟ କରିବ ନାହିଁ ।’’

 

ଗୁରୁଙ୍କ ଆଦେଶ ଅନୁସାରେ ଉପମନ୍ୟୁ ପରଦିନ କୌଣସି ପଦାର୍ଥକୁ ଆଉ ଆଖି ନ ଦେଇ ଗୋଚାରଣ କରିବାକୁ ଲାଗିଲେ । ଦିନ ଶେଷ ବେଳକୁ ତାହାଙ୍କର କ୍ଷୁଧା କ୍ରମଶଃ ପ୍ରବଳ ହୋଇଉଠିଲା । ସେ ଆଉ ସମ୍ଭାଳି ନପାରି ଅର୍କ ଗଛର ପତ୍ରରେ ଖୀର ଥିବାର ଦେଖି ତାହାକୁ ଭକ୍ଷଣ କଲେ । ସେ କଟୁତିକ୍ତ ମିଶ୍ରିତ ବିସ୍ୱାଦପତ୍ର ଖାଉଁ ଖାଉଁ ତାଙ୍କର ଚକ୍ଷୁଦୋଷ ଘଟିଲା ଏବଂ ସେ ଅନ୍ଧପ୍ରାୟ ହୋଇଗଲେ । ସନ୍ଧ୍ୟା ଉପସ୍ଥିତ ହେବାରୁ ଆଉ କିଛି ପଥ ଦେଖାଗଲା ନାହିଁ । ସେ ପଥ ବାରି ବାରି ଯାଉ ଯାଉ ଗୋଟିଏ ଗଭୀର କୂପ ମଧ୍ୟରେ ପଡ଼ିଗଲେ ଏବଂ ସେହିଠାରେ ଗୁରୁଙ୍କୁ ସ୍ମରଣ କରି ଚିତ୍କାର କରିବାକୁ ଲାଗିଲେ ।

 

ଏଣେ ମୁନି ସନ୍ଧ୍ୟାପରେ ଶିଷ୍ୟଙ୍କୁ ଉପସ୍ଥିତ ନଦେଖି ଅନ୍ୟାନ୍ୟ ଶିଷ୍ୟମାନଙ୍କୁ କହିଲେ, ‘‘ଉପମନ୍ୟୁ ଏ ପର୍ଯ୍ୟନ୍ତ ଆସିଲା ନାହିଁ । ବୋଧହୁଏ ଆଜି ମୁଁ ତାହାକୁ ସବୁ ଖାଇବାକୁ ମନାକରି ଦେଇଥିବାରୁ ସେ କ୍ରୋଧରେ କେଉଁଠାରେ ରହିଅଛି । ଚାଲ, ସମସ୍ତେ ତାକୁ ଅନ୍ୱେଷଣ କରିବା ।’’ ଏହା କହି ମୁନି ଶିଷ୍ୟମାନଙ୍କ ସହିତ ଉପମନ୍ୟୁକୁ ଉଚ୍ଚସ୍ୱରରେ ଡାକି ଡାକି ଖୋଜିବାକୁ ଲାଗିଲେ । ଗୁରୁଙ୍କ ସ୍ୱର ଶୁଣିବା ମାତ୍ରେ ଉପମନ୍ୟୁ କୂପ ମଧ୍ୟରୁ ଉତ୍ତର ଦେଇ ନିଜର ଦର୍ଦ୍ଦଶା ଜଣାଇଲେ । ତାହାର ଚକ୍ଷୁଯୋଡ଼ିକ ନଷ୍ଟ ହୋଇଥିବାର ଶୁଣି ଗୁରୁ କହିଲେ, ‘‘ବତ୍ସ ! ତୁମ୍ଭେ ଦେବବୈଦ୍ୟ ଅଶ୍ୱିନୀକୁମାରଙ୍କୁ ସ୍ତୁତି କର । ତାଙ୍କ କୃପା ହେଲେ ତୁମ୍ଭେ ଚକ୍ଷୁ ପାଇବ ।’’ ଉପମନ୍ୟୁ କୂପ ମଧ୍ୟରେ ବ୍ୟାକୁଳଭାବରେ ସେହି ଇଷ୍ଟଦେବଙ୍କୁ ସ୍ତୁତି କରିବାକୁ ଲାଗିଲେ ଏବଂ ତାଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ଦେବବୈଦ୍ୟ ଉପମନ୍ୟୁଙ୍କୁ ସେଠାରେ ଦେଖାଦେଇ କହିଲେ- ‘‘ଏହି ପିଷ୍ଟକ ଭକ୍ଷଣ କର, ତୁମ୍ଭର ଚକ୍ଷୁ ପୁନଃ ପ୍ରାପ୍ତ ହେବ ।’’ ଉପମନ୍ୟୁ କହିଲେ- ‘‘ଗୁରୁଙ୍କ ବିନା ଆଦେଶରେ ଏହା ଭକ୍ଷଣ କରିପାରିବି ନାହିଁ ।’’

 

ଦେବ- ‘‘ତୁମ୍ଭର ଗୁରୁ ଗେ ଆମ୍ଭଙ୍କୁ ସ୍ମରଣ କରି ତୁମ୍ଭପାଇଁ ପ୍ରାର୍ଥନା କରିଅଛନ୍ତି । ଅତଏବ, ସେ କିଛି ମନେକରିବେ ନାହିଁ । ତୁମ୍ଭେ ଆପତ୍ତି ନକରି ଏହା ଭକ୍ଷଣ କର ।’’

 

ଉପ- ‘‘ଦେବ ! କ୍ଷମାକରନ୍ତୁ, ଗୁରୁଙ୍କ ଅନୁମତି ନ ପାଇଲେ ଏହା ଭକ୍ଷଣ କରିପାରିବି ନାହିଁ ।’’ ଦେବବୈଦ୍ୟ ତାହାଙ୍କର ଏପରି ଅସାଧାରଣ ଗୁରୁଭକ୍ତି ଦେଖି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ- ‘‘ବତ୍ସ ! ତୁମ୍ଭର ଗୁରୁଭକ୍ତି ଦେଖି ଅତ୍ୟନ୍ତ ସନ୍ତୁଷ୍ଟ ହୋଇଅଛୁଁ । ଆମ୍ଭ ବରରେ ତୁମ୍ଭେ ବର୍ତ୍ତମାନ ଦୃଷ୍ଟିଶକ୍ତି ଲାଭ କର ଏବଂ ସର୍ବଶାସ୍ତ୍ରରେ ଜ୍ଞାନଲାଭ କର । ତୁମ୍ଭର ମଙ୍ଗଳ ହେଉ ।’’ ଏହା କହି ସେ ଅନ୍ତର୍ହିତ ହୋଇଗଲେ । ଉପମନ୍ୟୁ ଚକ୍ଷୁଲାଭ କରି ଆନନ୍ଦରେ କୂପରୁ ଉଠି ଗୁରଙ୍କ ନିକଟରେ ଉପସ୍ଥିତ ହୋଇ ପାଦବନ୍ଦନା କଲେ ଏବଂ ଦେବବୈଦ୍ୟଙ୍କ ଅନୁଗ୍ରହ କଥାସବୁ କହିଗଲେ । ଗୁରୁ ତାହା ଶ୍ରବଣ କରି ଆନନ୍ଦରେ କହିଲେ ! ‘‘ବତ୍ସ ! ଆଜିଠାରୁ ତୁମ୍ଭର ପରକ୍ଷା ଶେଷ ହେଲା । ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଅଛି । ଦେବବୈଦ୍ୟ ଯେଉଁ ବର ପ୍ରଦାନ କରିଅଛନ୍ତି ତାହା ସଫଳ ହେବ । ତୁମ୍ଭେ ଆମ୍ଭ ପ୍ରସାଦରେ ସର୍ବଶାସ୍ତ୍ରରେ ପାରଦର୍ଶୀ ହୁଅ ।’’

 

ଏହି ଗୁରୁଭକ୍ତି ଗୁଣରେ ଉପମନ୍ୟୁ ମୁନିଙ୍କର ପ୍ରିୟତମ ଶିଷ୍ୟ ହୋଇଥିଲେ ଏବଂ ତାହାଙ୍କ ଅନୁଗ୍ରହରେ ସରର୍ବଶାସ୍ତ୍ରରେ ପାରଗ ହୋଇଥିଲେ । ତାହାଙ୍କ ଗୁରୁଭକ୍ତି ଅସାଧାରଣ । ତେଣୁ ସେ ପୃଥିବୀରେ ଚିରସ୍ମରଣୀୟ ହୋଇଅଛନ୍ତି ।

Image

 

ଓଡ଼ିଶାର ପ୍ରାଚୀନ କୀର୍ତ୍ତି

 

ପ୍ରାୟ ଦୁଇସହସ୍ର ଦୁଇଶତ ବର୍ଷ ହେଲା, ଏହି ଉତ୍କଳ ପ୍ରଦେଶ ଭାରତବର୍ଷ ମଧ୍ୟରେ ଗୋଟିଏ ପ୍ରଧାନ ତୀର୍ଥଭୂମିରୂପେ ପରିଗଣିତ ହୋଇଆସୁଅଛି । ପ୍ରଥମେ ପ୍ରାୟ ଏକ ସହସ୍ର ବର୍ଷକାଳ ଏହା ବୌଦ୍ଧମାନଙ୍କର ଧର୍ମକ୍ଷେତ୍ର ଥିଲା ଏବଂ ସେମାନେ ଓଡ଼ିଶାର ନାନା ସ୍ଥାନରେ କୀର୍ତ୍ତିସମୂହ ସ୍ଥାପନ କରିଥିଲେ । ତହିଁଉତ୍ତାରୁ ଶୈବ ରାଜାମାନେ ଅନେକ ବୌଦ୍ଧକୀର୍ତ୍ତି ବିନାଶ କରି ନାନା ସ୍ଥାନରେ ଶିବମନ୍ଦିରମାନ ନିର୍ମାଣ କରାଇଲେ । ତହିଁଉତ୍ତାରୁ ଶୈବ ରାଜାମାନେ ଅନେକ ବୌଦ୍ଧକୀର୍ତ୍ତି ବିନାଶ କରି ନାନା ସ୍ଥାନରେ ବୈଷ୍ଣବଧର୍ମାବଲମ୍ବୀ ରାଜାମାନେ ସ୍ଥାନେ ସ୍ଥାନେ ବିଷ୍ଣୁମନ୍ଦିର ନିର୍ମାଣ କରାଇଲେ । ଏହି କୀର୍ତ୍ତିମାନଙ୍କ ମଧ୍ୟରୁ କେତେ କଳାପାହାଡ଼ ନାମକ ଜଣେ ନିଷ୍ଠୁର ମୁସଲମାନ ସେନାପତିର କ୍ରୂର ଆଦେଶରେ ବିନିଷ୍ଟ ହୋଇଯାଇଅଛି ଏବଂ ଆହୁରି କେତେ କାଳର ଧ୍ୱସଂକାରୀ ପ୍ରଭାବରେ ଭଗ୍ନ ବା ବିଲୁପ୍ତ ହୋଇଅଛି, ତାହା କିଏ କହିପାରିବ ? ତଥାପି ଶତ ଶତ ମନ୍ଦିର, ମୂର୍ତ୍ତି, ଗୁମ୍ଫା ଓ ଜଳାଶୟମାନ ଅଦ୍ୟାପି ଉତ୍କଳବକ୍ଷରେ ବିରାଜିତ ରହି ଉତ୍କଳର ପ୍ରାଚୀନ ଗୌରବର ପରିଚୟ ପ୍ରଦାନ କରୁଅଛି ।

 

ଏକ ସମୟରେ ପୁରୀ ବୌଦ୍ଧମାନଙ୍କର ଗୋଟିଏ ପ୍ରଧାନ ତୀର୍ଥକ୍ଷେତ୍ର ଥିଲା । କାରଣ ସେଠାରେ ବୁଦ୍ଧଦେବଙ୍କର ଦନ୍ତ ରକ୍ଷିତ ଥିଲା; କିନ୍ତୁ ହିନ୍ଦୁ ରାଜାମାନଙ୍କ ସମୟରୁ ସେଠାରେ ସମସ୍ତ ବୌଦ୍ଧକୀର୍ତ୍ତି ଲୁପ ହୋଇଅଛି । ପୁରୀ ଜିଲ୍ଲାରେ ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରି ଏହି ତିନୋଟି କ୍ଷୁଦ୍ର ପର୍ବତରେ ଏବଂ କଟକ ଜିଲ୍ଲାର ନରାଜ ପାହାଡ଼, ନଳତିଗିରି ଓ ଉଦୟଗିରି ପ୍ରଭୃତି କେତକ ସ୍ଥାନରେ ବୌଦ୍ଧମାନଙ୍କର କୀର୍ତ୍ତିମାନ ଦୃଷ୍ଟିଗୋଚର ହୁଏ ।

 

ଦ୍ୱିସହସ୍ରାଧିକ ବର୍ଷ ପୂର୍ବରୁ ତତପ୍ୱୀମାନଙ୍କର ତପସ୍ୟା ନିମିତ୍ତ ଅନେକାନେକ ଗୁମ୍ଫା ଓ ରାଣୀହଂସପୁର ନାମକ ଗୋଟିଏ ଦ୍ୱିତଳ ପ୍ରାସାଦ ଖଣ୍ଡଗିରି ଓ ଉଦୟଗିରି ଗାତ୍ରରେ ଖୋଦିତ ହୋଇଥିଲା । ସେଗୁଡ଼ିକ ଅଦ୍ୟାପି ବିରାଜିତ ରହିଅଛି । ଖଣ୍ଡଗିରିର ଶିଖର ଦେଶରେ ଗୋଟିଏ ଜୈନମନ୍ଦିର ଅଛି; କିନ୍ତୁ ଏହା କେବଳ ତିନି ଚାରି ଶତ ବର୍ଷ ପୂର୍ବରେ ନିର୍ମିତ ହୋଇଥିଲା । ସେହି ମନ୍ଦିର ନିକଟରେ ଦଣ୍ଡାୟମାନ ହୋଇ ଅନାଇଲେ ପ୍ରକୃତିର ବିଚିତ୍ର ସୌନ୍ଦର୍ଯ୍ୟ ଦୃଷ୍ଟିଗୋଚର ହୁଏ । ଉଦୟଗିରିର ଗୋଟିଏ ଗୁମ୍ଫାର ଶିରୋଭାଗରେ ଯେଉଁ ଖୋଦିତ ଲିପି ଦେଖାଯାଏ, ସେଥିରେ ଜଣେ ବୌଦ୍ଧରାଜାଙ୍କର କୀର୍ତ୍ତି ବର୍ଣ୍ଣିତ ହୋଇଅଛି ।

 

ଦୟା ନଦୀର ତୀରବର୍ତ୍ତୀ ଧଉଳିଗିରିରେ ମଧ୍ୟ କେତେଗୁଡ଼ିଏ ଗୁମ୍ଫା ଅଛି । ଏହି ଗିରିସ୍ଥିତ ଅଶ୍ୱତ୍‌ଥାମା ନାମକ ଶୈଳକଣ୍ଡରେ ଭୁବନବିଖ୍ୟାତ ବୌଦ୍ଧନରପତି ଅଶୋକଙ୍କର ଅନୁଶାସନ ବା ଆଜ୍ଞାମାନ ଖୋଦିତ ରହିଅଛି । କଟକଜିଲ୍ଲାର ନଳତିଗିରି ଓ ଉଦୟଗିରିରେ ଅନେକାନେକ ବୌଦ୍ଧମୂର୍ତ୍ତି ଥିଲା; କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଷ୍ଟ ବା ସ୍ଥାନଭ୍ରଷ୍ଟ ହୋଇଅଛି ।

 

ଓଡ଼ିଶାର ହିନ୍ଦୁକୀର୍ତ୍ତିମାନଙ୍କ ମଧ୍ୟରେ ଭୁବନେଶ୍ୱର ମନ୍ଦିର ପ୍ରାଚୀନତମ । ଦ୍ୱାଦଶଶତ-ବର୍ଷ ପୂର୍ବରେ କେଶରୀବଂଶୀୟ ରାଜାମାନଙ୍କ ରାଜତ୍ୱ ସମୟରେ ଏହା ନିର୍ମିତ ହୋଇଥିଲା । ଏହାର ଶିଳ୍ପନୈପୁଣ୍ୟ ଅତୀବ ପ୍ରଶଂସନୀୟ । ମନ୍ଦିରଟି ଆମୂଳଚୂଳ ବିଚିତ୍ର କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ମନ୍ଦିରର ତିନିପାର୍ଶ୍ୱରେ ସଂଲଗ୍ନ ତିନୋଟି କ୍ଷୁଦ୍ର ମନ୍ଦିରରେ ଯେଉଁ ଗଣେଶ, କାର୍ତ୍ତିକ ଓ ପାର୍ବତୀଙ୍କର ମୂର୍ତ୍ତି ଦେଖାଯାଏ, ସେଥିରେ ଅସାଧାରଣ ଶିଳ୍ପନୈପୁଣ୍ୟ ପ୍ରକଟିତ ହୋଇଅଛି । ମନ୍ଦିରର ଏକମପାର୍ଶ୍ୱରେ ରାମାୟଣ ଓ ଅପରପାର୍ଶ୍ୱରେ ମହାଭାରତର ଘଟନାବଳୀ ବିଚିତ୍ରରୂପେ ଖୋଦିତ ହୋଇଅଛି । ଏତଦ୍‌ବ୍ୟତୀତ ଚତୁର୍ଦ୍ଦିଗରେ ଦେବତା, ଗନ୍ଧର୍ବ, ନାଗକନ୍ୟା, ରାଜା, ଋଷି, ଗାୟକ, ବାଦକ, ନର୍ତ୍ତକ, ନର୍ତ୍ତକୀ,ନାନାବିଧ ପଶୁପକ୍ଷୀ ଓ ବୃ୪ଳତା, ପଷ୍ପ ପ୍ରଭୃତିର ଅସଂଖ୍ୟ ଚିତ୍ର କଳେବରକୁ ମଣ୍ଡିତ କରୁଅଛି ।

 

ପୂର୍ବକାଳୀନ ଲୋକମାନେ କିପରି ବସ୍ତ୍ର, ଅଳଙ୍କାର ଓ ଅସ୍ତ୍ରଶସ୍ତ୍ର ପ୍ରଭୃତି ବ୍ୟବହାର କରୁଥିଲେ ତାହା ପୂର୍ବୋକ୍ତ ନାନାପ୍ରକାର ଚିତ୍ରମାନଙ୍କରେ ପ୍ରଦର୍ଶିତ ହୋଇଅଛି । ଏହି ମହାମନ୍ଦିର ଗୋଟିଏ ବୃହତ୍‌ ପ୍ରାଚୀରଦ୍ୱାରା ବେଷ୍ଟିତ । ସେଥିମଧ୍ୟରେ ଅନେକ ଦେବାଦେବୀର ମନ୍ଦିର ବିରାଜିତ-। ତନ୍ମଧ୍ୟରେ ପାର୍ବତୀ ମନ୍ଦିରର ଶିଳ୍ପକାର୍ଯ୍ୟ ବିଶେଷରୂପେ ପ୍ରଶଂସନୀୟ । ପୂର୍ବକାଳରେ ଭୁବନେଶ୍ୱର ଗୋଟିଏ ସମୃଦ୍ଧଶାଳୀ ନଗର ଏବଂ କେଶରୀବଂଶୀୟ ରଜାମାନଙ୍କର ରାଜଧାନୀ ଥିଲା । ସେମାନେ ସହସ୍ର ସହସ୍ର ମନ୍ଦିର ନିର୍ମାଣ କରି ନଗରର ଶୋଭା ବର୍ଦ୍ଧିତ କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ମନ୍ଦିର ଭଗ୍ନ ଓ ନଷ୍ଟ ହୋଇଯାଇଅଛି । ତଥାପି ଅଦ୍ୟାପି ରାଜାରାଣୀ ଦେଉଳ, ବ୍ରହ୍ମେଶ୍ୱର ଦେଉଳ, ସିଦ୍ଧେଶ୍ୱର ଦେଉଳ ପ୍ରଭୃତି ବିରାଜିତ ରହି ଶିଳ୍ପନୈପୁଣ୍ୟର ପରକାଷ୍ଠା ପ୍ରଦର୍ଶନ କରୁଅଛି । ସେ ସମସ୍ତ ପରିଦର୍ଶନ କରି ଚିନ୍ତାକଲେ ବିସ୍ମୟାନ୍ୱିତ ହେବାକୁ ହୁଏ ।

 

ଯାଜପୁରରେ ମଧ୍ୟ ଅନେକ ପ୍ରାଚୀନ କୀର୍ତ୍ତି ଅଛି । ଭୁବନେଶ୍ୱର ପରି ପୂର୍ବେ ଯାଜପୁର ଅସଂଖ୍ୟ ମନ୍ଦିର ଓ ଦେବମୂର୍ତ୍ତିରେ ବିଭୂଷିତ ହୋଇ ଶୋଭା ପାଉଥିଲା । ବର୍ତ୍ତମାନ ତାହାର ଶତାଂଶର ଏକାଂଶ ସୁଦ୍ଧା ଦୃଷ୍ଟିଗୋଚର ଅୁଅଇ ନାହିଁ । ମୁସଲମାନମାନଙ୍କ ସମୟରେ ଅନେକ ମନ୍ଦିର ଓ ମୂର୍ତ୍ତି ବିଧ୍ୱସ୍ତ ହୋଇଥିଲା । ବର୍ତ୍ତମାନ ଯେଉଁ କୀର୍ତ୍ତିମାନ ଅଛି, ସେଥିମଧ୍ୟରେ ଗୋଟିଏମାତ୍ର ପ୍ରସ୍ତରରେ ଗଢ଼ା ଗରୁଡ଼ସ୍ତମ୍ଭ ଏବଂ ସପ୍ତମାତୃକା ପ୍ରଭୃତି ମୂର୍ତ୍ତି ସର୍ବଶ୍ରେଷ୍ଠ । ଏପରି ରମଣୀୟ ସ୍ତମ୍ଭ ଏବଂ ସୂକ୍ଷ୍ମଶିଳ୍ପବିଶିଷ୍ଠ ମୂର୍ତ୍ତି ସମଗ୍ର ଭାରତବର୍ଷରେ ବିରଳ ଅଟେ । ଯାଜପରରେ ଅନ୍ୟ ପ୍ରାଚୀନ କୀର୍ତ୍ତିମାନଙ୍କ ମଧ୍ୟରେ ବିରଜା ଓ ବରାହନାଥ ମନ୍ଦିର ଗଣନୀୟ ଅଟେ । ବୈତରଣୀତଟରେ ମୁସଲମାନଙ୍କର ଯେଉଁ ସୁଦୃଶ୍ୟ ମସଜିଦ୍‌ ଦୃଷ୍ଟିଗୋଚର ହୁଏ, ତାହା ହିନ୍ଦୁ ମନ୍ଦିରମାନଙ୍କର ଉପାଦାନରେ ନିର୍ମିତ ।

 

ଭୁବନବିଖ୍ୟାତ ପୁରୀର ଜଗନ୍ନାଥ ମନ୍ଦିର ପ୍ରାୟ ୮୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା-। ଏହା ଗଙ୍ଗବଂଶୀୟ ରାଜାମାନଙ୍କର କୀର୍ତ୍ତି । ଏହା ଯେଉଁ ପ୍ରାଚୀର ଦ୍ୱାରା ପରିବେଷ୍ଟିତ, ତାହାର ଦୈର୍ଘର ସମଷ୍ଟି ପ୍ରାୟ ୯୦୦ ହାତ । ବେଢ଼ାମଧ୍ୟରେ ଅନେକ ଦେବଦେବୀଙ୍କର ମନ୍ଦିର ଅଛି । ଜଗନ୍ନାଥ ମନ୍ଦିର ସୁଦୃଶ୍ୟ ହେଲେହେଁ ଭୁବନେଶ୍ୱର ମନ୍ଦିର ନିକଟରେ କାରୁକାର୍ଯ୍ୟରେ ପରାସ୍ତ ହୋଇଅଛି । ପୁରୀର ନାନା ସ୍ଥାନରେ ଅନେକ ମନ୍ଦିର, ବୃହତ୍‌ ବୁଷ୍କରିଣୀମାନ ଦୃଷ୍ଟିଗୋଚର ହୁଅଇ-

 

ପୁରୀଠାରୁ ୧୦ କ୍ରୋଶ ଦୂରରେ ସମୁଦ୍ରତଟର ଦୂରରେ କୋଣାର୍କ ନାମକ ପରମୋତ୍କୃଷ୍ଟ ଶିଳ୍ପଶୋଭିତ ମହାମନ୍ଦିର ଗଙ୍ଗବଂଶୀୟ ନୃପତି ବୀର ଶ୍ରୀ ନରସିଂହ ଦେବଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । କିନ୍ତୁ ହାୟ, ଉକ୍ତ ମନ୍ଦିରର ମୁଖଶାଳା ଚଡ଼ା ଅବଶିଷ୍ଟ ସମୁଦାୟ ଗୋଟିଏ ପର୍ବକାର ଗଭ୍ନସ୍ତୂପରେ ପରିଣତ ହୋଇଅଛି । ଏହି ସ୍ଥାନର ବିଂଶତି କ୍ରୋଶ ମଧ୍ୟରେ କୌଣସି ପର୍ବତ ବା ପ୍ରସ୍ତର ଖଣି ନାହିଁ; ତଥାପି ପ୍ରକାଣ୍ଡ ପ୍ରସ୍ତରମାନ ଅଦ୍ଭୁତ ଉପାୟରେ ବହୁ ଦୂରରୁ ଆନୀତ ହୋଇ ମନ୍ଦିର-ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଏଠାରେ ସୁବୃହତ୍‌ ହସ୍ତୀ, ଅଶ୍ୱ ଓ ସିଂହର ବିଶାଳ ମୂର୍ତ୍ତିମାନ, ଅଶ୍ୱାରୂଢ଼ ଯୋଦ୍ଧାମାନଙ୍କର ଏବଂ ରାକ୍ଷସ ଓ କିନ୍ନରମାନଙ୍କର ବିଶାଳଓ ବିଚିତ୍ର ମୂର୍ତ୍ତିମାନ ନୟନଗୋଚର ହୁଅଇ । ପୂର୍ବୋକ୍ତ ମୁଖଶାଳାର କଳେବରରେ ତରୁଲତା, କୁସୁମ, ଗଜ, ଅଶ୍ୱ, ପଦାତି ଏବଂ ବିଚିତ୍ରଭୂଷା ସୁନ୍ଦରୀ ନାଗକନ୍ୟା ମାନଙ୍କର ପରମସୁନ୍ଦର ମୂର୍ତ୍ତିମାନ ଖୋଦିତ ହେଶଇଅଛି । ଏହି ମୁଖଶାଳାର ଖଣ୍ଡିଏ ସୁବୃହତ୍‌ ପ୍ରସ୍ତରରେ ଅତି ଅଦ୍ଭୁତ ନୈପୁଣ୍ୟ ସହକାରେ ଖୋଦିତ ନବଗ୍ରହମୂର୍ତ୍ତି ବିରାଜିତ । ସେ ପ୍ରସ୍ତର ଖଣ୍ଡିକ ମୁଖଶାଳାରୁ ଅପସାରିତ ହୋଇ କିଛି ଦୂରରେ ଇଂରେଜ-ଗବର୍ଣ୍ଣମେଣ୍ଟ କର୍ତ୍ତୃକ ଅବସ୍ଥାପିତ ହୋଇଅଛି । କେବଳ ମୁଖଶାଳାର କାରୁକାର୍ଯ୍ୟ ତ ଏପରି ବିଚିତ୍ର ଏବଂ ରମଣୀୟ; ଆହା, ତେବେ ପର୍ବତକାର ଭଗ୍ନସ୍ତୂପରେ ପରିଣତ କୋଣାର୍କର ପ୍ରଧାନ ମନ୍ଦିର ଭାଙ୍ଗିଯିବା ପୂର୍ବରେ କି ଅପୂର୍ବ ଶୋଭାଧାରଣ କରିଥିଲା । ତାହା କିଏ କଳିପାରିବ ? ଅଳ୍ପକାଳ ହେଲା ଗଭର୍ଣ୍ଣମେଣ୍ଟ କେଣାର୍କ ମନ୍ଦିରରେ ବେଢ଼ା କୋଳାଇବାରୁ ଗୋଟିଏ ବିଶାଳ ମଣ୍ଡପ, ପ୍ରଧାନ ମନ୍ଦିର ଓ ଅନେକଗୁଡ଼ିଏ ରମଣୀୟ ପ୍ରସ୍ତର ମୂର୍ତ୍ତି ବାହାରିଅଛି ।

 

କୀର୍ତ୍ତିଶାଳିନୀ ଓଡ଼ିଶାରେ ଆହୁରି ଅନେକ କୀର୍ତ୍ତିର ଭଗ୍ନାବଶେଷ ରହିଅଛି । ସେଥିମଧ୍ୟରେ ଚଉଦୁଆର ଦୁର୍ଗ ଏବଂ ତନ୍ମଧସ୍ଥିତ ଶିବମନ୍ଦିରମାନ, କଟକର ବାରବାଟୀ ଦୁର୍ଗ, କାଠଯୋଡ଼ି ନଦୀର ପଶ୍ଚିମରେ ଥିବା ସାରଙ୍ଗ ଗଡ଼, ଚୁଡ଼ଙ୍ଗ ଗଡ଼, ବାଲେଶ୍ୱର ଜିଲ୍ଲାରେ ଥିବା କୁପାରି ଦେବମନ୍ଦିର ଓ ମୂର୍ତ୍ତି ପ୍ରଭୃତି ଏବଂ ପାଲିଆ ଗ୍ରାମର ବିରଞ୍ଚି ଦେଉଳ ପ୍ରଦାନ କାଠଯୋଡ଼ିର ବିଖ୍ୟାତ ପଥର ବନ୍ଧ ମଧ୍ୟ ଗୋଟିଏ ପ୍ରାଚୀନ କୀର୍ତ୍ତି ଅଟେ ।

Image

 

ରାଣୀ ଅହଲ୍ୟା ବାଈ

 

ପୁଣ୍ୟମୟୀ ରାଣୀ ଅହଲ୍ୟାଙ୍କର ଜୀବନରଚିତ ଆଲୋଚନା କଲେ ହୃଦୟ ପବିତ୍ର ଆନନ୍ଦରେ ପୂର୍ଣ୍ଣ ହୁଏ । ତାହାଙ୍କର ପୁଣ୍ୟକୀର୍ତ୍ତି ଭାରତବର୍ଷର ନାନା ତୀର୍ଥସ୍ଥାନରେ ବର୍ତ୍ତମାନ ରହିଅଛି । ହିନ୍ଦୁମାନେ ଅଦ୍ୟାପି ତାହାଙ୍କୁ ଦେବୀଜ୍ଞାନ କରି ଭକ୍ତି କରନ୍ତି ।

 

ଅହଲ୍ୟା ବାଈ ମାଳବ ପ୍ରଦେଶ ଅନ୍ତର୍ଗତ ଗୋଟିଏ ସାମନ୍ୟ ଗ୍ରାମରେ ମରହଟ୍ଟା ବଂଶରେ ୧୭୩୫ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ଅହଲ୍ୟାଙ୍କର ପିତା ଆନନ୍ଦରାଓ ଧନୀ ନ ଥିଲେ; କିନ୍ତୁ ସେ ଧାର୍ମିକ, ପରୋପକାରୀ ଓ ଆତିଥ୍ୟପରୟଣ ଥିଲେ । ତାହାଙ୍କର ମାତା ମଧ୍ୟ ସେହିପରି ଧର୍ମପରାୟଣା ଥିଲେ । ଅହଲ୍ୟା ବାଲ୍ୟକାଳରେ ଗ୍ରାମର ପାଠଶାଳାରେ ସାମାନ୍ୟ ଲେଖାପଢ଼ା ଶିଖିଥିଲେ । ପାଠଶାଳାର ଶିକ୍ଷକ ବଡ଼ ସାଧୁଲୋକ ଥିଲେ; ଏବଂ ତାଙ୍କଠାରୁ ଅହଲ୍ୟା ରାମାୟଣ ଓ ମହାଭାରତର ମନୋହର କଥାମାନ ଶୁଣି ଧର୍ମଆଡ଼କୁ ଆକୃଷ୍ଟ ହୋଇଥିଲେ ।

 

ଅହଲ୍ୟାଙ୍କର ନବମ ବର୍ଷ ବୟସ ସମୟରେ ହୋଲ୍‌କାର୍‌ ରାଜ୍ୟର ଅଧିପତି ମହାରାଜା ମଲ୍ଲାର ରାଓ ଓ ତାହାଙ୍କର ପୁତ୍ର ସୈନ୍ୟସହ ସେହି ଗ୍ରାମବାଟେ ରାଜଧାନୀ ଆଡ଼କୁ ଯାଉଥିଲେ । ସେହି ଗ୍ରାମରେ ବିଶ୍ରାମ କରିବା ସମୟରେ ମଲ୍ଲାର ରାଓ ଅହଲ୍ୟାଙ୍କୁ ଦେଖିପାରିଥିଲେ । ଅହଲ୍ୟାଙ୍କର ସୁନ୍ଦର ମୁଖମଣ୍ଡଳରେ ମଲ୍ଲାର ରାଓ ଏକ ପ୍ରକାର ଅପୂର୍ବ ପୁଣ୍ୟତେଜ ଦର୍ଶନ କରି ଏବଂ ତାଙ୍କର କୁଳ ପରିଚୟ ପାଇ ତାଙ୍କୁ ନିଜର ପୁତ୍ରବଧୂ କରିବାର ଇଚ୍ଛା ପ୍ରକାଶ କଲେ । ଅହଲ୍ୟାଙ୍କର ପିତାମାତା ଆନନ୍ଦରେ ସେହ ବିବାହ-ପ୍ରସ୍ତାବରେ ସମ୍ମତ ହେଲେ । କିଛିକାଳ ପରେ ମଲ୍ଲାର ରାଓଙ୍କ ଏକମାତ୍ର ପୁତ୍ର ଖଣ୍ଡେ ରାଓଙ୍କ ସଙ୍ଗେ ଅହଲ୍ୟାଙ୍କର ବିବାହ ରାଜୋଚିତ ସମାରୋହରେ ସମ୍ପନ୍ନ ହେଲା ।

 

ବିବାହ ପରେ ଅହଲ୍ୟା ଶ୍ୱଶୁରାଳୟକୁ ଯାଇ ଶ୍ୱଶୁର ଓ ଶାଶୁଙ୍କର ସେବାରେ ଏବଂ ଗୃହକାର୍ଯ୍ୟରେ ସର୍ବଦା ନିଯୁକ୍ତ ଥାଇ ସମସ୍ତଙ୍କର ସ୍ନେହାଦର ଲାଭ କରିଥିଲେ । ତାଙ୍କ ଶ୍ୱଶୁର ମଲ୍ଲାର ରାଓ ମହାପ୍ରଚଣ୍ଡ ପ୍ରତାପୀ ରାଜା ଥିଲେ; କିନ୍ତୁ ଅହଲ୍ୟାଙ୍କ ପ୍ରତି ତାଙ୍କର ଅସାଧାରଣ ସ୍ନେହ ଥିଲା । ଦୁର୍ଭାଗ୍ୟକ୍ରମେ ୧୭୫୩ ଖ୍ରୀଷ୍ଟାବ୍ଦରେ ଅହଲ୍ୟାଙ୍କ ସ୍ୱାମୀ ଗୋଟିଏ ଶତ୍ରୁ-ଦୁର୍ଗ ଅବରୋଧ କରିବା ସମୟରେ ନିହିତ ହେବାରୁ, ଅଷ୍ଟାଦଶବର୍ଷୀୟା ଅହଲ୍ୟା ଏକମାତ୍ର ପୁତ୍ର ଓ ଏକମାତ୍ର କନ୍ୟାକୁ ଶ୍ୱଶୁରଙ୍କୁ ପଦତଳେ ସମର୍ପଣ କରି ସହମରଣ ଦ୍ୱାରା ପତିଙ୍କ ଅନୁଗମନ କରିବାର ସଂକଳ୍ପ ତାଙ୍କୁ ଜଣାଇଲେ । ତାଙ୍କ ଶ୍ୱଶୁର ଅଶ୍ରୁପୂର୍ଣ୍ଣନୟନରେ ତାଙ୍କୁ କହିଲେ, ‘‘ମା, ଖଣ୍ଡୁ ମୋତେ ମହାଶୋକସାଗରରେ ଭସାଇ ଦେଇଗଲା; ମୁଁ ତୁମ୍ଭର ମୁଖ ଦେଖିବାକୁ ପାଇଲେ ଖଣ୍ଡୁ ଜୀବିତ ଅଛି ବୋଲି ମନେକରିବି । ମା, ମୋତେ ତୋର ସନ୍ତାନ ଜାଣି ଏହି ଦୁଇ ଶିଶୁଙ୍କ ସଙ୍ଗେ ନ ପାଳିଲେ ମୋର ଗତି କାହିଁ ?’’ ଏହା କହି ଶୋକବିକଳ ହୃଦୟରେ କାନ୍ଦିବାକୁ ଲାଗିଲେ । ଅହଲ୍ୟା ବୃଦ୍ଧ ଶ୍ୱଶୁରଙ୍କ ଦୁଃଖ ଦେଖି, ତାଙ୍କୁ ପରମ-ପୁଜ୍ୟ ମଣି, ତାଙ୍କ କଥା ଅନୁସାରେ ଚିତାରୋହଣର ସଂକଳ୍ପ ତ୍ୟାଗ କଲେ ।

 

ଅହଲ୍ୟାଙ୍କର ବୁଦ୍ଧି ଓ ଧର୍ମଜ୍ଞାନ ଅସାଧାରଣ ଥିବାର ଜାଣି ମଲ୍ଲାର ରାଓ ତାଙ୍କ ହସ୍ତରେ ରାଜ୍ୟର ନାନା କାର୍ଯ୍ୟଭାର ଅର୍ପଣ କଲେ । ଅହଲ୍ୟା ରାଜସ୍ୱ ସଂଗ୍ରହ କରି ସମସ୍ତ ଆୟବ୍ୟୟର ସୁବ୍ୟବସ୍ଥା କରୁଥିଲେ । ତାହାଙ୍କର କାର୍ଯଦକ୍ଷତା ଦେଖି ଶ୍ୱଶୁର ତାଙ୍କ ହସ୍ତରେ ସମସ୍ତ ରାଜ୍ୟଭାର ଅର୍ପଣ କଲେ । ଅହଲ୍ୟ ରାଜ୍ୟର ସମସ୍ତ କ୍ଷମତା ପାଇଲେହେଁ ଦିନେ ସୁଦ୍ଧା ହୃଦୟରେ ଅହଙ୍କାରକୁ ସ୍ଥାନ ଦେଇ ନ ଥିଲେ । ସେ ପ୍ରତ୍ୟେହ ରାଜକାର୍ଯ୍ୟ ସାରି ପୂଜା ଓ ଦାନଧର୍ମରେ କାଳତିପାତ କରୁଥିଲେ ।

 

୧୭୬୫ ଖ୍ରୀଷ୍ଟାବ୍ଦରେ ତାହାଙ୍କର ଶ୍ୱଶୁର ପରଲୋକ ଗମନ କରନ୍ତେ ଅହଲ୍ୟାଙ୍କର ପୁତ୍ର ମାଲେ ରାଓ ରାଜସିଂହାସନ ଆରୋହଣ କଲେ । ଦୁର୍ଭାଗ୍ୟକ୍ରମେ ମାଲେ ରାଓ ଅତ୍ୟନ୍ତ ଦୁର୍ମତି ଓ ଅସତ୍‌ ପ୍ରକୃତି ହୋଇଥିବାରୁ ଅହଲ୍ୟାଙ୍କୁ ଘୋର ମନସ୍ତାପ ଭୋଗକରିବାକୁ ହେଉଥିଲା । ଏକଦା ମାଲେ ରାଓ ହଠାତ୍‌ କ୍ରୁଦ୍ଧ ହୋଇ ଗୋଟିଏ ନିର୍ଦ୍ଦୋଷ ଲୋକର ପ୍ରାଣ ବିନାଶ କଲେ; କିନ୍ତୁ ଅଳ୍ପ ଦିନ ପରେ ସେ ବ୍ୟକ୍ତି ନିରପରାଧ ଥିବାର ଜାଣି ଘୋର ଅନୁତାପରେ ପଡ଼ି ଦିନକୁ ଦିନ ରୁଗ୍‌ଣ ହୋଇଗଲେ । ମାଲେ ରାଓ ରୋଗାଯ୍ୟାରେ ପଡ଼ି ବାରମ୍ବାର କହୁଥିଲେ ଯେ, ନିହିତ ବ୍ୟକ୍ତିର ପ୍ରେତାତ୍ମା ତାଙ୍କର ପ୍ରାଣନାଶ କରିବାକୁ ଆସିଅଛି । ଜନନୀ ଅହଲ୍ୟା ପୁତ୍ରର ଆରୋଗ୍ୟ ନିମିତ୍ତ କେତେ ଉପାୟ କଲେ; କିନ୍ତୁ କାହିଁରେ କିଛି ହେଲାନାହିଁ । ମାଲେ ରାଓ ଅପୁତ୍ରିକ ହୋଇ ସେହି ରୋଗରେ ପ୍ରାଣତ୍ୟାଗ କଲେ ଏବଂ ତାଙ୍କର ପତ୍ନୀ ତାଙ୍କ ସଙ୍ଗେ ସହମୃତା ହେଲେ ।

 

ଏହିପରି ପତି, ଶ୍ୱଶୁର ଓ ପୁତ୍ର ହରାଇ ଅହଲ୍ୟା ଶୋକରେ କାଳାତିପାତ କରୁଥିଲେ । ଏଣେ ପୁଣି ଜଣେ କୁଚକ୍ରୀ ମନ୍ତ୍ରୀ ଅହଲ୍ୟାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ହୋଲ୍‌କାରରାଜ୍ୟକୁ ଆକ୍ରମଣ କରିବାପାଇଁ ରାଘୋବା ନାମକ ଜଣେ ମହାରାଷ୍ଟ୍ରୀୟ ସେନାପତିଙ୍କୁ ଗୁପ୍ତଭାବରେ ନିମନ୍ତ୍ରଣ କରିବାରୁ ରାଘୋବା ହୋଲ୍‌କାର୍‌ ରାଜ୍ୟକୁ ଆକ୍ରମଣ କରିବାର ଉଦ୍‌ଯୋଗ କଲେ । ଅହଲ୍ୟା ବାଈ ଏହି ବିପଦକାଳରେ ଯେପରି ବୁଦ୍ଧି, ଧୈର୍ଯ୍ୟ ଓ ତେଜ ପ୍ରଦର୍ଶନ କରିଥିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ରାଘୋବା ପଞ୍ଚାଶ ସହସ୍ର ସୈନ୍ୟ ଘେନି ହୋଲ୍‌କାର ରାଜ୍ୟ ଆକ୍ରମଣ କରିବାକୁ ବାହାରିଲାରୁ ଅହଲ୍ୟା ତୁକୋଜୀ ନାମକ ନିକଟ ସମ୍ପର୍କୀୟ ସେନାପତିଙ୍କୁ ସସୈନ୍ୟେ ରାଘୋବା ବିରୁଦ୍ଧରେ ପ୍ରେରଣ କଲେ । ଅହଲ୍ୟାଙ୍କର ସମରସଜ୍ଜା ଦେଖି ରାଘୋବା ଭୀତ ହୋଇ ଯୁଦ୍ଧ-ସଂକଳ୍ପ ତ୍ୟାଗ କରିବାକୁ ବାଧ୍ୟ ହେଲେ । ଏହିପରି କିଛିମାତ୍ର ରକ୍ତପାତ ନକରି ଅହଲ୍ୟା ଶତ୍ରୁଙ୍କୁ ଦମନ କଲେ ଏବଂ ହୋଲ୍‌କାର୍‌ ରାଜ୍ୟକୁ ନିଷ୍କଣ୍ଟକ କରି ତାହାର ପ୍ରତିଷ୍ଠା ବଢ଼ାଇଲେ ।

 

ଏଥିଉତ୍ତାରେ ଅହଲ୍ୟା ସୁଯୋଗ୍ୟ ସେନାପତି ତୁକୋଜୀ ହୋଲ୍‌କାର୍‌ଙ୍କ ହସ୍ତରେ ସନ୍ଧିବିଗ୍ରହାଦି ରାଜକାର୍ଯ୍ୟର ଭାର ସମର୍ପଣ କରି ଧର୍ମାନୁଶୀଳନ ଓ ପ୍ରଜାଙ୍କର କଲ୍ୟାଣ ସାଧନରେ ଆପଣାକୁ ନିଯୁକ୍ତ କଲେ । ତୁକୋଜୀ ରାଣୀଙ୍କର ଆଜ୍ଞାନୁବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟ କରୁଥିଲେ ଏବଂ ଅହଲ୍ୟାଙ୍କଠାରୁ ବୟୋଜ୍ୟେଷ୍ଠ ହେଲେହେଁ ତାଙ୍କୁ ମା’ ବୋଲି ଡାକୁଥିଲେ । ରାଣୀ ନିଜେ ରାଜ୍ୟରେ ଆୟବ୍ୟୟ ସମ୍ବନ୍ଧୀୟ ସମସ୍ତ ବିଷୟ ବୁଝୁଥିଲେ ଏବଂ ତାଙ୍କର ସୁଶାସନ ଓ ସୁବ୍ୟବସ୍ଥା ଯୋଗୁଁ ହୋଲ୍‌କାର୍‌ ରାଜ୍ୟ ଗୋଟିଏ ପ୍ରଧାନ ସମୃଦ୍ଧିଶାଳୀ ରାଜ୍ୟ ହେଲା । ସେ ପ୍ରଜାମାନଙ୍କର କଲ୍ୟାଣସାଧନ ନିମିତ୍ତ ସର୍ବଦା ଯତ୍ନ କରୁଥିଲେ । ସେ ରାଜସଭାରେ ବସି ରାଜକାର୍ଯ୍ୟ ବୁଝୁଥିଲେ ଏବଂ ପ୍ରଜାମାନଙ୍କର ଗୁହାରି ଶୁଣି ସମୋନଙ୍କର ଦୁଃଖମୋଚନ କରୁଥିଲେ; ଅପରାହ୍‌ଣରେ ରାଜସଭାର କାର୍ଯ୍ୟ ସାରି ସେ ତିନିଘଣ୍ଟା କାଳ ଈଶ୍ୱରଙ୍କ ପୂଜାରେ ନିଯୁକ୍ତି ରହୁଥିଲେ । ତହିଁ ଉତ୍ତାରେ ପୁଣି କିଛି କାଳ ରାଜକାର୍ଯ୍ୟ ଆଲୋଚନା କରି ପ୍ରାୟ ଦ୍ୱିପ୍ରହର ରାତ୍ରିକାଳରେ ଶୟନ କରୁଥିଲେ ଏବଂ ଦେଢ଼ ପ୍ରହର ମାତ୍ର ନିଦ୍ରାଗଲାପରେ ଶେଷ ରାତ୍ରିରେ ଜାଗି ପ୍ରାତଃକାଳପୂର୍ବରୁ ସ୍ନାନପୂଜାଦି ନିତ୍ୟକ୍ରିୟା ସମାପ୍ତ କରୁଥିଲେ ।

 

ଅହଲ୍ୟା ପ୍ରାୟ ୩୦ ବର୍ଷକାଳ ରାଜ୍ୟ ଶାସନ କରିଥିଲେ । ତାଙ୍କର ଶାସନକାଳରେ ରାଜଧାନୀ ଇନ୍ଦୋର ସମୃଦ୍ଧଶାଳୀ ନଗରରେ ପରିଣତ ହେଲା ଏବଂ ନାନା ଦେଶରୁ ବଣିକମାନେ ଆସି ସେଠାରେ ବାସ କରିବାକୁ ଲାଗିଲେ । ତାଙ୍କଠାରେ କୋମଳ ସ୍ନେହ, ଦୟାଭାବ ଏବଂ କଠୋର ନ୍ୟାୟପରତା ଉଭୟ ସମ୍ମିଳିତ ଥିଲା । ଦୁଃଖୀ ଓ ବିପନ୍ନ ପ୍ରତି ଅତୁଲ୍ୟ ଦୟାର ଓ ପ୍ରଜାମାନଙ୍କ ପ୍ରତି ଅନୁପମ ସ୍ନେହର ବ୍ୟବହାର କରୁଥିଲେ ହେଁ ଦୁଷ୍ଟ ଲୋକମାନଙ୍କର ସମୁଚିତ ଶାସନ ବିଷୟରେ କଦାପି ହଳା କରୁ ନଥିଲେ । ଅହଲ୍ୟା ଭାରତବର୍ଷର ଅନ୍ୟାନ୍ୟ ରାଜାମାନଙ୍କ ସହିତ ପତ୍ର ବ୍ୟବହାର କରି ସେମାନଙ୍କ ସଙ୍ଗରେ ମିତ୍ରତା ରକ୍ଷାକରୁଥିଲେ । ସେ ନିଜ ରାଜ୍ୟମଧ୍ୟରେ ଅନେକ ଦୁର୍ଗ, ଦେବମନ୍ଦିର, କୂପ ଓ ପାନ୍‌ଥନିବାସ ନିର୍ମାଣ କରାଇଥିଲେ ଏବଂ ଭାରତବର୍ଷର ନାନା ସ୍ଥାନରେ ପ୍ରାୟ ବିଂଶତି କୋଟି ଟଙ୍କା ବ୍ୟୟ କରି ଅନେକ ମନ୍ଦିର, ରାଜପଥ, ଧର୍ମଶାଳା ପ୍ରଭୃତି ନିର୍ମାଣ କରାଇଥିଲେ । ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରୀମାନଙ୍କର ଗମନାଗମନର ସୁବିଧା ନିମିତ୍ତ ସେ ଯେଉଁ ପ୍ରଶସ୍ତ ରାଜପଥ ନିର୍ମାଣ କରାଇଥିଲେ ତାହା ଏବେ ବ୍ରିଟିଶ ଗବର୍ଣ୍ଣମେଣ୍ଟଙ୍କ ଦ୍ୱାରା ପୁନଃନିର୍ମିତ ହୋଇ ସହସ୍ର ସହସ୍ର ପଥିକର ଉପକାର ସାଧନ କରୁଅଛି । ପ୍ରତିଦିନ ଦରିଦ୍ରଙ୍କୁ ଦାନ, ଶୀତକାଳରେ ରୋଗୀ ଓ ବୃଦ୍ଧମାନଙ୍କୁ ଶୀତବସ୍ତ୍ର ଦାନ, ଗ୍ରୀଷ୍ମକାଳରେ ତୃଷାର୍ତ୍ତ ପଥିକମାନଙ୍କୁ ଜନଦାନ ଏବଂ ଗେମହିଷାଦିଙ୍କୁ ଜଳପାନ କରାଇବା ପାଇଁ ସେ ଅନେକ ଲୋକ ନଯୁକ୍ତି । ପଥିକମାନଙ୍କ ଉପକାର ନିମିତ୍ତ ପଥପାର୍ଶ୍ୱରେ ଛାୟାପ୍ରଦ ବୃକ୍ଷରୋପଣ, ଆକାଶର ପକ୍ଷୀମାନଙ୍କ ନିମିତ୍ତ ପ୍ରକାଣ୍ଡ ଶସ୍ୟକ୍ଷେତ୍ର ବିତରଣ, ମତ୍ସ୍ୟମାନଙ୍କ ନିମିତ୍ତ ନଦୀଜଳରେ ସକ୍ତୁନିକ୍ଷେପ ପ୍ରଭୃତି ଏପରି ଅନୁପମ ଦୟାର କାର୍ଯ୍ୟଦ୍ୱାରା ସେ ସକଳପ୍ରକାର ଜୀବମାନଙ୍କରୀ ସେବାରେ ନିଯୁକ୍ତି ରହୁଥିଲେ । ଅହଲ୍ୟ ଧର୍ମପରାୟଣା ଥିଲେ; କିନ୍ତୁ ହିନ୍ଦୁ ମୁସଲମାନ ଉଭୟ ଧର୍ମାବଲମ୍ବୀ ପ୍ରଜାମାନଙ୍କ ପ୍ରତି ସମାନ ବ୍ୟବହାର କରୁଥିଲେ ।

 

ପୁର୍ବୋକ୍ତ ତୁକୋଜୀଙ୍କୁ ରାଜସିଂହାସନରେ ଅଧିକାର ପ୍ରଦାନ କରି ଅହଲ୍ୟା ବାଈ ୧୭୯୫ ଖ୍ରୀଷ୍ଟାବ୍ଦରେ ଶ୍ରାବଣ ମାସର କୃଷ୍ଣ-ଚତୁର୍ଦ୍ଦଶୀ ତିଥିରେ ପରଲୋକ ଗମନ କଲେ । ତାଙ୍କପରି ରାଣୀ ପୃଥିବୀର ଇତିହାସରେ ଅତ୍ୟନ୍ତ ବିରଳ । ନିଷ୍କଳଙ୍କ ଚରିତ୍ର, ଈଶ୍ୱରଭକ୍ତି, ସର୍ବଜୀବପ୍ରତି ଦୟା, ବିନୟ, ବୈରାଗ୍ୟ ପ୍ରଭୃତି ଗୁଣରେ ସେ ସର୍ବଜନପୂଜ୍ୟା ହୋଇଥିଲେ । ଗୟାର ଗୋଟିଏ ଦେବମନ୍ଦିରରେ ଅହଲ୍ୟାଙ୍କର ଶ୍ୱେତ ପ୍ରସ୍ତରମୂର୍ତ୍ତି ବର୍ତ୍ତମାନ ଅଛି ଏବଂ ତାହା ଭକ୍ତିସହ ଅଦ୍ୟାପି ପୂଜିତ ହେଉଅଛି ।

Image

 

ଚାରିବନ୍ଧୁ

 

ଗୋଟିଏ ଗ୍ରାମରେ ଚାରିଜଣ ଲୋକ ବାଲ୍ୟକାଳରୁ ପରସ୍ପରର ସଙ୍ଗୀ ଥିଲେ । ତନ୍ମଧ୍ୟରେ ତିନିଜଣ ପଣ୍ଡିତ ଆଉ ଜରେ ମୂର୍ଖ ଥିଲା । ପଣ୍ଡିତ ତିନିଜଣ ବୁଦ୍ଧିହୀନ; କିନ୍ତୁ ମୂର୍ଖଟି ବୁଦ୍ଧିମାନ୍‌ ଥିଲା । ଦିନେ ସେମାନେ ବିଚାର କଲେ ଆମ୍ଭମାନଙ୍କର ଏତେ ବିଦ୍ୟା ପଢ଼ିବା ଅକାରଣ ହେଲା ବିଦେଶକୁ ନ ଗଲେ ଧନଲାଭ ହେବ ନାହିଁ । ତାହାହେଲେ ସମସ୍ତେ ପ୍ରବାସ କରିବା; ମାତ୍ର ଏ ମୂର୍ଖଟାକୁ ସାଙ୍ଗରେ ନେବା ନାହିଁ । ଏହା ପେଟରେ ତ ବିଦ୍ୟା ନାହିଁ, ଏହାକୁ ଧନ କାହୁଁ ମିଳିବ ? ଏହା ଶୁଣି ଆଉ ଜଣେ ବନ୍ଧୁ କହିଲା, ‘‘ଭାଇ, ତିାହା ହେବ ନାହିଁ । ବାଲ୍ୟକାଳରୁ ଆମ୍ଭେମାନେ ଏହା ସଙ୍ଗରେ ଖେଳିବୁଲି ବଢ଼ି ଆସିଅଛୁଁ । ଏହାକୁ ଛାଡ଼ିଦେଇ ଯିବା ଉଚିତ ନୁହେଁ । ଏ ଅର୍ଜନ କରି ନ ପାରିଲେ ଆମ୍ଭେମାନେ ନିଜ ଧନରୁ କିଛି କିଛି ପଛକେ ଦେବା, ଯେପରି ହଷଉ ଏହାକୁ ସଙ୍ଗରେ ନେବାକୁ ହେବ ।’’ ଏ କଥାରେ ସମସ୍ତେ ସମ୍ମତ ହୋଇ ବିଦେଶକୁ ଯାତ୍ରାକଲେ । କିଛି ଦୂର ଅଗ୍ରସର ହେବା ପରେ ଗୋଟିଏ ଅରଣ୍ୟ ପଡ଼ିଲା । ସେହି ଅରଣ୍ୟମାର୍ଗରେ ଯାଉଁ ଯାଉଁ ସେମାନେ ଗୋଟିଏ ମୃତ ଜନ୍ତୁର କଙ୍କାଳ ଦେଖିଲେ । ଜଣେ ସେ ସବୁ ଅସ୍ଥିମାଳା ନିରୀକ୍ଷଣ କରି କହିଲା, ‘‘ଏହା ଗୋଟିଏ ସିଂହର କଙ୍କାଳ ହେବ । ତାହାହେଲେ ଏହିଠାରେ ଆମ୍ଭମାନଙ୍କର ବିଦ୍ୟାର କରାମତି ଦେଖାଇବା ।’’ ତହୁଁ ଜଣେ କହିଲା, ‘‘ମୁଁ ବିଦ୍ୟାବଳରେ ସବୁ ହାଡ଼ଯାକ ଯୋଡ଼ି ଏହାକୁ ଠିଆ କରି ଦେବି ।’’ ଆଉ ଜଣେ କହିଲା, ‘‘ମୁଁ ବିଦ୍ୟାବଳରେ ତାହା ଦେହରେ ରକ୍ତମାଂସ ଳଗାଇ ଦେବି ।’’ ଏହା କହି ସେ ଦୁହେଁ ସେହିପରି କରିଦେଲେ । ତହୁଁ ତୃତୀୟ ଜଣକ କହିଲା, ‘‘ତାହାହେଲେ ମୁଁ ଜୀବନ୍ୟାସ କରିଦେବି ।’’ ଏହା କହି ସେ ଯେପରି ବଞ୍ଚାଇବାକୁ ବାହାରିଲା, ତହୁଁ ସେ ବୁଦ୍ଧିମନ୍ତ ମୂର୍ଖଟି କହିଲା, ‘‘ଭାଇ ! ଏ କଅଣ କରୁଅଛ ? ସେ ସିଂହ ବଞ୍ଚିଲେ ଏହିକ୍ଷଣି ଆମ୍ଭ ସମସ୍ତଙ୍କୁ ଭକ୍ଷଣ କରିବ । ତାକୁ ବଞ୍ଚାଅ ନାହିଁ ।’’ ଏହା ଶୁଣି ସେ ତିନିଜଣ କହିଲେ, ‘‘ଦୂର ହୋ ମୂର୍ଖ ! ତୋ କଥାରେ ଆମ୍ଭେ ଆପଣା ବିଦ୍ୟାର ଫଳ ଦେଖଇବୁ ନାହିଁ ?’’ ସମାନଙ୍କର ଏ ପ୍ରକାର କଥା ଶୁଣି ମୂର୍ଖଟି କହିଲା, ‘‘ତାହାହେଲେ ଟିକିଏ ଅପେକ୍ଷା କର, ମୁଁ ଏ ଗଛରେ ଚଢ଼ିଯାଏଁ ।’’ ଏହା କହି ସେ ତତ୍‌କ୍ଷଣାତ୍‌ ଗଛରେ ଚଢ଼ିଗଲା । ସେ ଜଣକ ଯେପରି ମନ୍ତ୍ରବଳରେ ସିଂହକୁ ବଞ୍ଚାଇଛି, ସିଂହ ଜିଇଁଉଠି ଗୋଟି ଗୋଟି କରି ସେ ତିନିଜଣଙ୍କୁ ମାରି ରକ୍ତପାନ କଲା । ଚତୁର୍ଥ ଜଣକ ଗଛ ଉପରେ ତାଇ ବନ୍ଧୁଙ୍କ ମରଣ ଦେଖୁଥିଲା ଏବଂ ସିଂହ ସେଠାରୁ ଚାଲିଯିବା ପରେ ମନୋଦୁଃଖରେ ନିଜ ଗ୍ରାମକୁ ଫେରିଗଲା ।

 

ଏ କଥାଟିରୁ ତୁମ୍ଭେମାନେ ବେଶ୍‌ ବୁଝିପାରୁଥିବ ଯେ, ବୁଦ୍ଧି ନଥିଲେ କେବଳ ବିଦ୍ୟାରେ ଫଳ ହୁଏ ନାହିଁ । ଦେହରେ ବଳ ନଥିଲେ ମଧ୍ୟ ବୁଦ୍ଧିଦ୍ୱାରା ଲୋକ ପ୍ରବଳ ହସ୍ତରୁ ରକ୍ଷାପାଇପାରେ-

Image

 

ଆଗ୍ନେୟଗିରି

 

ପୃଥିବୀର ଉପରିଭାଗ ଶୀତଳ, କିନ୍ତୁ ତାହାର ଅଭ୍ୟନ୍ତର ଅର୍ଥାତ ଭିତର ଅଂଶ ଏପରି ଗରମ ଯେ, ପ୍ରସ୍ତର ପରି କଠିନ ପଦାର୍ଥ ତାହାର ଉତ୍ତାପରେ ତରଳିଯାଏ । ଅନେକ ସ୍ଥାନରେ ଦେଖାଯାଏ ଯେ, ମୃତ୍ତିମା ଭେଦକରି ପୃଥବୀର ଗୀର ପ୍ରଦେଶରୁ ଉଷ୍ମଜଳ ଉପରକୁ ଉଠୁଅଛି । ପୁରୀ ଜିଲ୍ଲାରେ ଖୋର୍ଦ୍ଧା ସହରରୁ ପ୍ରାୟ ତିନି କ୍ରୋଶ ଦୂରରେ ଅଟ୍ରି ନାମକ ଗୋଟି, ଉଷ୍ମପ୍ରସବଣ ଅଛି । ସେଥିରୁ ସର୍ବଦା ତପ୍ତ ଜଳ ବାହାରୁଅଛି ।

 

ପୃଥିବୀର ଗଭୀର ପ୍ରଦେଶରେ ଯେଉଁ ପଦାର୍ଥମାନ ତରଳ ଅବସ୍ଥାରେ ଥାଏ, ତାହା ଆଗ୍ନେୟଗିରିବାଟେ ବାହାରିଆସେ । ଆଗ୍ନେୟଗିରିର ମସ୍ତକ ଗୋଟିଏ ଗହ୍ୱର ପରି । ସେହିଠାରୁ ପୃଥିବୀର ଭିତର ଆଡ଼କୁ ଗୋଟାଏ ନଳାକର ପଥ ଅଛି । ସେହି ପଥବାଟେ ପୃଥିବୀର ଅଭ୍ୟନ୍ତରସ୍ଥ ତରଳ ପଦାର୍ଥ ଓ ବାଷ୍ପ ପ୍ରବଳ ବେଗରେ ଉପରକୁ ଉତ୍‌ଥିତ ହୁଏ ।
 

ଆଗ୍ନେୟଗିରିରୁ ପ୍ରବଳ ବେଗରେ ଉଷ୍ମ ଜଳ ପ୍ରଭୃତିର ଉଦ୍‌ଗାରକୁ ଆଗ୍ନେୟଗିରିର ଉତ୍ପାତ ବୋଲାଯାଏ । ଉଦ୍‌ଗାର ପୂର୍ବରୁ ଘଡ୍‌ ଘଡ୍‌ ଶବ୍ଦ ବାହାରି ଏବଂ ଭୂମିକମ୍ପ ହୋଇ ନିକଟସ୍ଥ ଲୋକମାନଙ୍କୁ ସାବଧାନ କରାଇଦିଏ । ଲୋକେ ସାବଧାନ ନ ହେଲେ ମୃତ୍ୟୁମୁଖରେ ପଡ଼ନ୍ତି ।

 

ଆଗ୍ନେୟଗିରିର ଉତ୍ପାତ ହେଲେ ବହୁକ୍ରୋଶ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ଦେଶ ବିଧ୍ୱସ୍ତ ହୋଇଯାଏ । ଅଗ୍ନିମୟ ତରଳ ପଦାର୍ଥର ସ୍ରୋତ ବାହାରି ଗ୍ରାମ, ନଗର, ଉଦ୍ୟାନ, ବନ ସମୁଦାୟକୁ ବୁଡ଼ାଇ ଦିଏ ।

 

ଇଉରୋପ ମହାଦେଶରେ; ଇଟାଲୀ ନାମକ ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ବିସୁଭିୟସ୍‌ ନାମକ ଗୋଟିଏ ଆଗ୍ନେୟ ପର୍ବତ ଅଛି । ପ୍ରାୟ ୧୮୦୦ ବର୍ଷ ପୂର୍ବେ ଦିନେ ରାତ୍ରିକାଳରେ ଉକ୍ତ ପର୍ବତର ଶିଖରରୁ ଅଗ୍ନିଶିଖା ଜଳିଉଠିଲା । ବଜ୍ରଧ୍ୱନିରେ ପୃଥିବୀ ବାରମ୍ବାର କମ୍ପିତ ହେବାକୁ ଲାଗିଲା । ପର୍ବତଗହ୍ୱରରୁ ମହାଭୟଙ୍କର ବେଗରେ ଜ୍ୱଳନ୍ତ ପ୍ରସ୍ତରମିଶା ତରଳ ସ୍ରୋତ ଉଦ୍‌ଗୀର୍ଣ୍ଣ ହେଲା ଏବଂ ଅଗ୍ନିମୟ ଭସ୍ମ ବୃଷ୍ଟିହେବାକୁ ଳାଗିଲା । ପମ୍ପେ ଓ ହର୍କୁଲେନିର୍ମ୍‌ ନାମକ ଦୁଇଗୋଟି ନଗରର ଲୋକେ ଭୀତ ହୋଇ ପଳାଇବାକୁ ଚେଷ୍ଟା କଲେ; କିନ୍ତୁ ଦେଖୁଁ ଦେଖୁଁ ସ୍ମରାଶି ସମସ୍ତଙ୍କୁ ପୋତିପକାଇଲା ଏବଂ ଉକ୍ତ ନଗରଦ୍ୱୟ ଏକାବେଳକେ ବିଲୁପ୍ତ ହୋଇଗଲା । ସେହି ନଗରଦ୍ୱୟ ଯେ ପୂର୍ବେ ଥିଲା, ତାହା ଲୋକେ କାଳକ୍ରମେ ପାସୋରି ପକାଇଥିଲେ । ସଂପ୍ରତି ମାଟି ଖୋଳୁ ଖୋଳୁ ୧୮୦୦ ବର୍ଷ ପୂର୍ବେ ପୋତି ପଡ଼ିଥିବା ଗୋଟିଏ ଘର ବାହାରିବାର ଦେଖି ସେ ଦେଶର ରାଜା ବହୁ ଖନନ କରାଇବାରୁ ପୁର୍ବର ସେହି ନଗରଦ୍ୱୟ ବାହାରି ଅଛି । ପୂର୍ବର ରାଜମାର୍ଗ, ବଜାର, ଦେବମନ୍ଦିର, ଗୃହ, ଗୃହସାମଗ୍ରୀ, ଅଳଙ୍କା ପ୍ରଭୃତି ପୂର୍ବପରି ରହିଅଛି । ସ୍ଥାନେ ସ୍ଥାନେ ମନୁଷ୍ୟମାନଙ୍କର ମୃତ ଦେହ ପଡ଼ିରହିଅଛି । କାହିଁ ବା ମାତା ଶିଶୁକୁ ଦୁଇହାତରେ ଊର୍ଦ୍ଧ୍ୱକୁ ଟେକି ଛିଡ଼ାହୋଇ ରହିଅଛି ।

Image

 

ଶୃଗାଳର ଲୋଭ

 

ଏକଦା ଗୋଟିଏ ବ୍ୟାଧ ମୃଗୟା କରିବା ନିମିତ୍ତ ଅରଣ୍ୟ ମଧ୍ୟରେ ପ୍ରବେଶ କରି ଗୋଟିଏ ମୃଗ ବଧ କଲା । ତାହାକୁ ଘେନି ଆସୁଥିବା ସମୟରେ ଗୋଟିଏ ଭୀଷଣାକୃତି ବରାହ ଦେଖି; ମୃଗକୁ ଭୂତଳରେ ରଖିଦେଇ ବରାହକୁ ଲକ୍ଷ୍ୟକରି ଶର ନିକ୍ଷେପ କଲା । ବରାହ ବାଣବିଦ୍ଧ ହେବାରୁ କ୍ରୋଧରେ ଉନ୍ନତ୍ତ ହୋଇ ଘୋର ଗର୍ଜନ କରି ବ୍ୟାଧକୁ ଆକ୍ରମଣ କଲା । ବରାହର ଆକ୍ରମଣରେ ବ୍ୟାଧ ଛିନ୍ନଦ୍ରୁମ ପ୍ରାୟ ଭୂତଳରେ ପଡ଼ି ପ୍ରାଣତ୍ୟାଗ କଲା ଏବଂ କିଛିକାଳ ପରେ ବ୍ୟାଧ ଶରାହତ ବରାହ ମଧ୍ୟ ମରିଗଲା । ସଂଘର୍ଷ ସମୟରେ ସେମାନଙ୍କର ପଦାଘାତରେ ଗୋଟାଏ ସର୍ପ ମଧ୍ୟ ସେଠାରେ ପ୍ରାଣ ହରାଇଲା ।

 

ଇତିମଧ୍ୟରେ ଗୋଟାଏ ଶୃଗାଳ ସେହି ଅରଣ୍ୟ ମଧ୍ୟରେ ଆହାର ଅନ୍ୱେଷଣାର୍ଥେ ଭ୍ରମଣ କରୁ କରୁ ସେଠାରେ ଆସି ପହଞ୍ଚିଲା ଏବଂ ମୃଗ, ବ୍ୟାଧ, ବରାହ ଓ ସର୍ପର ମୃତ ଦେହ ଦେଖି ଆଜି ପ୍ରଚୁର ଖାଦ୍ୟ ମିଳିଅଛି ବୋଲି ମନେ ମନେ ଆହ୍ଲାଦିତ ହବୋକୁ ଲାଗିଲା । ଏତେଗୁଡ଼ିଏ ମୃତ ଦେହ ଦେଖି ସେ ବିଚାରିଲା, ଆଜି ମୁଁ କ’ଣ ଖାଇବି । ଏମାନଙ୍କର ମାଂସରେ ମୋର ତନିମାସ ଚାଲିଯିବ; ତେବେ ଆଉ ଚିନ୍ତା କ’ ଣ ?

 

ଆଜି ଏହି ଧନୁର ଗୁଣକୁ ଖାଇବି, ଏହିପରି ବିଚାରି ସେ ସେହି ଧନୁର ଗୁଣକୁ ଛିନ୍ନ କରିବା ମାତକେ ଧନୁର ଅଗ୍ରଭାଗ ତାହାର ବକ୍ଷସ୍ଥଳରେ ବାଜିବାରୁ ବକ୍ଷ ବିଦୀର୍ଣ୍ଣ ହୋଇ ତାହାର ମୃତ୍ୟୁ ହେଲା । ଅତି ଲୋଭ ବିନାଶର ହେତୁ ଅଟେ । ବିଜ୍ଞ ଲୋକେ ଲୋଭକୁ ଦମନକରି ନିରାପଦ ହୁଅନ୍ତି; ଆଜ୍ଞାନୀମାନେ ଲୋଭପରବେଶ ହୋଇ ନାନା ଆପଦରେ ପଡ଼ି ସମୟେ ସମୟେ ହୋଇ ନାନା ଆପଦରେ ପଡ଼ି ସମୟେ ସମୟେ ଆପଣାର ଜୀବନ ସୁଦ୍ଧା ହରାନ୍ତି ।

Image

 

ସର୍‌ ଫିଲିପ୍‌ ସିଡ୍‌ନି

 

ପୁରାକାଳରେୁ ସର୍‌ ଫିଲିପ୍‌ ସିଡ୍‌ନି ନାମରେ ଜଣେ ଇଂଲଣ୍ଡୀୟ ଉଚ୍ଚବଂଶୀୟ ଯୋଦ୍ଧା କ୍ଷେତ୍ରରେ ଆହାତ ହେବାରୁ ଶିବିରକୁ ଆନୀତ ହୋଇଥିଲେ । ତାହାଙ୍କର ଅତ୍ୟନ୍ତ ପିପାସା ହେବାରୁ ସେ ଜଳ ମାଗିଲେ । ସେ ସମୟରେ ଶିବିରରେ ଅତ୍ୟଳ୍ପମାତ୍ର ଜଳ ଥିଲା ଏବଂ ନିକଟରେ ଜଳାଶୟ ନ ଥିବାରୁ ଜଳ ଏକାନ୍ତ ଦୁର୍ଲ୍ଲଭ ହୋଇଥିଲା । ଶିବିରରେ ଯେଉଁ ଅତ୍ୟଳ୍ପ ପରିମାଣ ଜଳ ଥିଲା, ଜଣେ ପରିଚାରକ ତାହାକୁ ଗୋଟିଏ କ୍ଷୁଦ୍ର ପାତ୍ରରେ ଢାଳି ସଡ୍‌ନଙ୍କୁ ପାନାର୍ଥ ଦେଲା । ସିଡ୍‌ନି ହସ୍ତରେ ଜଳପାତ୍ର ଧରି ଜଳ ପାନ କରିବାକୁ ଉଦ୍ୟତ ହେଉଅଛନ୍ତି, ଏମନ୍ତ ସମୟରେ ଜଣେ ସାମାନ୍ୟ ସୈନିକ ମଧ୍ୟ ଆହତ ହୋଇ ଶିବିରକୁ ଆନୀତ ହେଲା । ସେ ମଧ୍ୟ ତୃଷିତ ହୋଇ ଜଳ ମାଗିଲା ଏବଂ ସିଡ୍‌ନିଙ୍କ ହସ୍ତସ୍ଥିତ ପାତ୍ର ଆଡ଼କୁ ବ୍ୟାକୁଳ ଭାବ ଦେଖି, ସିଡ୍‌ନି ଦୟାରେ ବିଗଳିତ ହୋଇ ନିଜେ ସେହି ଜଳ ପାନ ନ କରି, ‘ଏ ଜଳ ମୋ ଅପେକ୍ଷା ତୁମ୍ଭର ବେଶି ଲୋଡ଼ା’ ଏହା କହି ତତ୍‌କ୍ଷଣାତ୍‌ ସେହି ଜଳପାତ୍ର ଆହତ ସୈନିକର ହସ୍ତରେ ଦେଲେ ଏବଂ କିଛିକ୍ଷଣ ପରେ ୩୩ ବର୍ଷ ମାତ୍ର ବୟସରେ ପ୍ରାଣତ୍ୟାଗ କଲେ । ତାହାଙ୍କର ଏହି ଦୟା ନିମିତ୍ତ ସେ ଚିରସ୍ମରଣୀୟ ହୋଇଅଛନ୍ତି ।

Image

 

ମାର୍ଜାରବଂଶ

 

ବିରାଡ଼ିର ଦେହର ଗଠନ ଯେପରି, ବାଘର ମଧ୍ୟ ସେହିପରି; ଏହି ହେତୁରୁ ଆମ୍ଭମାନଙ୍କ ଦେଶର ବୃଦ୍ଧାମାନେ କାହାଣୀ କହିଲାବେଳେ ବିରାନିକୁ ବାଘର ମାଉସୀ ବୋଲି କହିଥାନ୍ତି । ବ୍ୟାଘ୍ରର ମୁଣ୍ଡ, ଚକ୍ଷୁ, କର୍ଣ୍ଣ, ମୁଖ, ଉଦର ଓ ଲାଙ୍ଗୁଳ ଯେପରି; ବିଡ଼ାଳର ମଧ୍ୟ ସେହିପରି । ଦୁହିଁଙ୍କର ଚକ୍ଷୁର ତାରା ଗୋଲାକାର, ହୁହିଁଙ୍କର ଲାଙ୍ଗୁଳ ଦୀର୍ଘ ଓ ଅଳ୍ପ ଲୋମଯୁକ୍ତ । ଦୁହିଁଙ୍କର ଦାଢ଼ି ଓ ନିଶ ଅଛି, ଦୁହିଁଙ୍କର ଅସ୍ଥିସଂସ୍ଥାନ ଏକପ୍ରକାର । ଉଭୟର ପାଦତଳରେ କୋମଳ ମାଂସପିଣ୍ଡ ଓ ବଙ୍କା ତୀକ୍ଷ୍‌ଣ ନଖ ଅଛି । କ୍ରୋଧର ଅବସ୍ଥାରେ ଦୁହିଁଙ୍କର ଆକୃତି ଏକପ୍ରକାର ଦେଖାଯାଏ, ଶରୀର ଫୁଲିଉଠେ ଓ ତୀକ୍ଷ୍‌ଣ ନଖଗୁଡ଼ିକ ପଞ୍ଝାଭିତରୁ ବାହାରିପଡ଼େ । ମାର୍ଜାର ପରି ଶାର୍ଦ୍ଦୂଳ ମଧ୍ୟ ପାଦର ପଞ୍ଝାକୁ ଭୂମିରେ ଆଘାତ କରି ଲାଙ୍ଗୁଳହଲାଇ ଲମ୍ପପ୍ରଦାନପୂର୍ବକ ଶିକାର କରେ । ଏମାନଙ୍କର ଆଗ ଗୋଡ଼ରେ ପାଞ୍ଚୋଟି ଓ ପଛ ଗୋଡ଼ରେ ଚାରୋଟି ନଖ ଥାଏ । ଏମାନଙ୍କ ତଳ ଉପର ଦୁଇ ପାଟିରେ ୩୦ ଗୋଟି ଦାନ୍ତ; ସେଥିମଧ୍ୟରୁ ସମ୍ମୁଖରେ ଛେଦନ କରିବାର ମୁନିଆ ଦାନ୍ତ ଛଅଟି ଳେଖାଏଁ ବାରଗୋଟି । ଉଭୟେ ଜିହ୍ୱାଦ୍ୱାରା ଚାରି ଚାଟି ଜଳ ପାନ କରନ୍ତି । ତୁମ୍ଭମାନଙ୍କ ମଧ୍ୟରୁ ଅନେକ ବାଘ ଦେଖିଥିବ । ଅତଏବ, ବାଘର ଶରୀରଗଠନ ବିରାଡ଼ିର ଶରୀର ଗଠନ ପରି, ଏହା ସୟଜରେ ବୁଝିପାରିବ; କିନ୍ତୁ ସିଂହ ମଧ୍ୟ ଯେ ବିଡ଼ାଳବଂଶୀୟ ଓ ବିରାଡ଼ିର ଦେହଗଠନ ଯେପରି, ତାହାର ମଧ୍ୟ ସେହିପରି, ଏ କଥା ଅନେକ ଜାଣନ୍ତି ନାହିଁ । ପରୀକ୍ଷା କରି ଦେଖିଲେ ଏହି ତିନିପ୍ରକାର ଜନ୍ତୁର ଶରୀରଗଠନ ଯେ ଏକପ୍ରକାର ଏବଂ ସେମାନେ ଯେ ମାର୍ଜାର ବଂଶୀୟ ତାହା ସହଜରେ ବୁଝିପାରିବେ ।

 

ମାର୍ଜାର ଜାତୀ ଜନ୍ତୁମାନେ ଦେଖିବାକୁ ସୁନ୍ଦର । ଦେହ କୋମଳ ଲୋମରେ ଆବୃତ । ଦିନବେଳେ ଆଲୁଅରେ ସେମାନଙ୍କର ଚକ୍ଷୁର ତାରା ଛୋଟ ହୋଇଯାଏ; ରାତ୍ରିକାଳରେ ଅନ୍ଧକାରରେ ଚକ୍ଷୁର ତାରା ବଡ଼ ହୋଇଯାଏ । ବିଡ଼ାଳଜାତୀୟ ପ୍ରାଣୀମାନେ ମାଂସପ୍ରିୟ ଓ ଶିକା କରିବାରେ ନିପୁଣ । ସେମାନଙ୍କ ମଧ୍ୟରୁ ଅଣ୍ଡିରାମାନେ ସମୟେ ସମୟେ ଛୁଆ ମାରି ପକାନ୍ତି ବୋଲି ମା’ମାନେ ଛୁଆଗୁଡ଼ିକ ଲୁଚାଇ ରଖନ୍ତି । ମାତାର ଅପତ୍ୟ ସ୍ନେହ ଅତ୍ୟନ୍ତ ପ୍ରବଳ ଥିବାର ଦେଖାଯାଏ । ସିଂହ, ବ୍ୟାଘ୍ର, ମାର୍ଜାର ଏମାନଙ୍କର ଶରୀରଗଠନାଦିର ସାଦୃଶ୍ୟ ଦେଖି ପଣ୍ତିତମାନେ ସେମାନଙ୍କୁ ମାର୍ଜରବଂଶୀୟ ଜନ୍ତୁ ବୋଲି ସ୍ଥିର କରିଅଛନ୍ତି । ଏକଜାତୀୟ ହେଲେହଁ ଦେହର ପ୍ରମାଣ ଓ ବଳ ବିଷୟରେ ସମୋନଙ୍କର ଅନେକ ପାର୍ଥକ୍ୟ ଦେଖାଯାଏ ।

Image

 

କୁଠାର ଓ ଜଳଦେବତା

 

ଜଣେ ଦୁଃଖୀ ଲୋକ କୌଣସି ନଦୀର ତଟରେ ଗୋଟାଏ ବୃକ୍ଷ କାଟୁଥିଲା । ହଠାତ୍‌ ତାହାର କୁଠାର ଖଣ୍ଡିକ ହାତରୁ ଖସିଯାଇ ନଦୀର ଗଭୀର ଜଳରେ ପଡ଼ିଗଲା । କୁଠାର ଖଣ୍ଡିକ ଆଉ ମିଳିବ ନାହିଁ ବୋଲି ଭାଳି ଭାଳି ସେହି ଦୁଃଖୀ ଉଚ୍ଛସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା । ତାହାର କ୍ରନ୍ଦନ ଶୁଣି ସେହି ନଦୀର ଅଧିଷ୍ଠାତ୍ରୀଦେବତାଙ୍କର ଅତିଶୟ ଦୟା ହେଲା । ସେ ତାହା ସମ୍ମୁଖରେ ଉପସ୍ଥିତ ହେଇ ପଚାରିଲେ, ‘‘ତୁମ୍ଭେ କାହିଁପାଇଁ କ୍ରନ୍ଦନ କରୁଅଛି ?’’ ସେ ସମୁଦାୟ କଥା ଜଣାଇଲାରୁ ଜଳଦେବତା ତତ୍‍କ୍ଷଣାତ୍‍ ନଦୀରେ ମଗ୍ନ ହେଲେ ଏବଂ ଗୋଟିଏ ସ୍ୱର୍ଣ୍ଣନିର୍ମିତ କୁଠାର ଦାତରେ ଧରି ତାହା ନିକଟକୁ ଆସି ପଚାରିଲେ, ‘‘ଏଇଟା କ’ଣ ତୁମ୍ଭର କୁଠାର ?’’ ସେ କହିଲା, ‘‘ନା, ଏଇଟା ମୋର ନୁହେଁ ।’’ ତହୁଁ ସେ ପୁଣି ଜଳରେ ବୁଡ଼ି, ଗୋଟିଏ ରଜତନିର୍ମିତ କୁଠାର ହାତରେ ଧରି ତାହାର ସମ୍ମୁଖରେ ଉପସ୍ଥିତ ହୋଇ ଜିଜ୍ଞାସା କଲେ, ‘‘ଏଇଟା କ’ଣ ତୁମ୍ଭର କୁଠାର-।’’ ସେ କହିଲା, ‘‘ନା, ଏ ମଧ୍ୟ ମୋର ନୁହେଁ ।’’ ସେ ପୁନର୍ବାର ଜଳରେ ବୁଡ଼ିଲେ ଏବଂ ତାହାର ଲୈହନିର୍ମିତ କୁଠାରଖଣ୍ଡିକ ହସ୍ତରେ ଧରି ତାହାକୁ ପଚାରିଲେ, ‘‘ଏଇଟା କି ତୁମ୍ଭର କୁଠାର-?’’ ସେ ନିଜର କୁଠାର ଦେଖି ଅତ୍ୟନ୍ତ ଆହ୍ଲାଦିତ ହୋଇ କହିଲା, ‘‘ହଁ ମହାପ୍ରଭୁ, ଏଇ ମୋର କୁଠାର । ମୁଁ ଅତି ଦୁଃଖୀ, ମୋର ଆଉ ଏ ଆଶା ନଥିଲା; କେବଳ ଆପଣଙ୍କର ଦୟରୁ ପାଇଲି ।’’

 

ଜଳଦେବତା ପ୍ରଥମେ ତାହାର ନିଜର କୁଠାରା । ଖଣ୍ଡିକ ତାହା ହସ୍ତରେ ଦେଲେ; ପରେ ତୁମେ ନିର୍ଲୋଭ, ସତ୍ୟନିଷ୍ଠ ଓ ଧର୍ମପରାୟଣ, ଏଥିପାଇଁ ମୁଁ ତୁମ୍ଭ ଉପରେ ଅତିଶୟ ସନ୍ତୁଷ୍ଟ ହୋଇଅଛି । ଏହା କହି ତାହାର ସାଧୁତାର ପୁରସ୍କାର ସ୍ୱରୂପ ସେହି ସ୍ଵର୍ଣ୍ଣନିର୍ମିତ ଓ ରଜତନିର୍ମିତ କୁଠାର ଦୁଇଖଣ୍ଡି ମଧ୍ୟ ତାହାକୁ ଦେଇ ଅନ୍ତର୍ହିତ ହେଲେ । ସେହି ଦୁଃଖୀ ବ୍ୟକ୍ତି ଅବାକ୍‍ ହୋଇ କିଛିକ୍ଷଣ ସେହି ସ୍ଥାନରେ ଛିଡ଼ାହୋଇ ରହିଲା । ଅନନ୍ତର ଗୃହକୁ ଯାଇ ପ୍ରତିବେଶୀମାନଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା; ସମସ୍ତେ ଶୁଣି ବିସ୍ମୟାପନ୍ନ ହେଲେ ।

 

ଏହି ଅଭୁତ ବୃତ୍ତାନ୍ତ ଶୁଣି ଜଣେ ବ୍ୟକ୍ତି ଅତିଶୟ ଲୋଭ ହେଲା । ସେ ତହିଁ ଆରଦିନ ପ୍ରାତଃକାଳରେ । କୁଠାର ଖଣ୍ଡିଏ ଧରି ନଦୀତୀରରେ ଉପସ୍ଥିତ ହେଲା ଏବଂ ଗୋଟିଏ ବୃକ୍ଷ ମୂଳରେ ଦୁଇ ତିନି ଚୋଟ ମାରି, ସତେ ଯେମନ୍ତେ ହଠାତ୍ ତା ହାତରୁ ଖସିଗଲା ଏହିପରି ଛଳନା କରି ତାହାକୁ ଜଳରେ ପକାଇଦେଲା ଏବଂ ହାୟ, ‘ମୁଁ କି କରିବି ବୋଲି ଉଚ୍ଚ ସ୍ୱରରେ ରୋଦନ କରିବାକୁ ଲାଗିଲା । ଜଳଦେବତା ତାହାର ସମ୍ମୁଖରେ ଉପସ୍ଥିତ ହୋଇ ରୋଦନର କାରଣ ପଚାରିଲେ । ‘ମୁଁ ଅତି ଦୁଃଖୀ, ମୋର କୁରାଢ଼ି ଖଣ୍ଡିକ ହାତରୁ ଖସି ପାଣିରେ ପଡ଼ିଗଲା, ମୁଁ କ’ଣ କରିବି ?' ଏହିପରି କହି ସେ ବ୍ୟକ୍ତି ଦୁଃଖ ପ୍ରକାଶ କରିବାକୁ ଲାଗିଲା ।

 

ଜଳଦେବତା ପୂର୍ବବତ୍‌ ଜଳରେ ମଗ୍ନ ହୋଇ ଗୋଟିଏ ସ୍ୱର୍ଣ୍ଣ-ନିର୍ମିତ କୁଠାର ହାତରେ ଧରି ତାହା ନିକଟରେ ଉପସ୍ଥିତ ହେଲେ ଏବଂ ପଚାରିଲେ, ‘‘ଏଇଟା କଅଣ ତୁମ୍ଭର କୁଠାର ?’’ ସ୍ୱର୍ଣ୍ଣ-ନିର୍ମିତ କୁଠାର ବ୍ୟଗ୍ର ହୋଇ କୁଠାର ଧରିବାକୁ ଗଲା । ତାହାକୁ ଏପରି ଲୋଭୀ ଓ ମିଥ୍ୟାବାଦୀ ଦେଖି ଜଳଦେବତା ଅତିଶୟ ଅସନ୍ତୁଷ୍ଟ ହେଲେ ଏବଂ କହିଲେ, ‘‘ତୁ ଅତି ଲୋଭୀ ଓ ମିଥ୍ୟାବାଦୀ । ତୁ ଏହି କୁଠାର ପାଇବାର ଯୋଗ୍ୟ ପାତ୍ର ନୋହୁଁ ।’’ ଏହି ପ୍ରକାର ଭର୍ତ୍ସନା କରି ସେହି ସ୍ୱର୍ଣ୍ଣନିର୍ମିତ କୁଠାର ଖଣ୍ଡି ପାଣିରେ ପକାଇ ଦେଇ ଜଳଦେବତା ଅନ୍ତର୍ହିତ ହେଲେ । ସେ ହିତବୁଦ୍ଧି ହୋଇ ନଦୀତଟରେ ବସି ଗାଲରେ ହାତ ଦେଇ ଭାଳିବାକୁ ଲାଗିଲା । ଅନନ୍ତର ମୋର ଯେପରି ଆଚରଣ ତାର ଉପଯୁକ୍ତ ଫଳ ପାଇଲି- ଏହା କହି ବିଷଷ୍ଣ ମନରେ ଲେଉଟିଗଲା ।

 

ଲୋଭୀ, ଶଠ, ମିଥ୍ୟାବାଦୀ ଅଟଇ ଯେ ଜନ,

ହୁଅଇ ବିନିଷ୍ଟ, ଏହା ଧର୍ମର ଶାସନ ।

Image

 

ଜଣେ ଲୋକ ଓ ଗୋଟିଏ ଓଟ

 

ଏକଦା ଶୀତ କାଳରେ ଜଣେ ଲୋକ ଗୋଟିଏ କ୍ଷୁଦ୍ର ତମ୍ବୁରେ ଶୟନ କରିଥିଲା । ଏପରି ସମୟରେ ଗୋଟିଏ ଉଷ୍ଟ୍ର ତମ୍ବୁ ଦୁଆର ନିକଟକୁ ଅଗ୍ରସର ହେଶି, ଭିତରକୁ ଚାହିଁ କହିଲା, ‘‘ପ୍ରଭୁ,ବାହାରେ ବଡ଼ ଶୀତ, ଦୟାକରି ମୋର ମୁଣ୍ଡଟି ତମ୍ବୁ ଭିତରେ ରଖିବାପାଇଁ ଅନୁମତି ଦିଅନ୍ତୁ-।’’ ଉକ୍ତ ବ୍ୟକ୍ତି ଉଷ୍ଟ୍ରର ବିନୟ କଥା ଶୁଣି ଆନନ୍ଦିତ ହୋଇ କହିଲା, ‘‘ହଉ, ତୋର ମୁଣ୍ହଯି ତମ୍ବୁ ଭିତରେ ରଖ ।’’ ଉଷ୍ଟ୍ର ତମ୍ବୁ ମଧ୍ୟରେ ମସ୍ତକ ସ୍ଥାପନ କରି, କ୍ଷଣକାଳ ପରେ କହିଲା, ‘‘ମୋର ବେକକୁ ଥଣ୍ଡା ଲାଗିବାରୁ ବଡ଼ କଷ୍ଟ ହେଉଅଛି । ବେକଟାକୁ ଟିକିଏଭିତରକକୁ ବଢ଼ାଇବାର ଆଜ୍ୟା କରନ୍ତୁ ।’’ ସେହି ଲେକ ଉତ୍ତର କଲା, ‘ଆଚ୍ଛା ହେଉ ।’’

 

ପୁଣି କ୍ଷଣକାଳ ଉତ୍ତାରେ ଉଷ୍ଟ୍ର ତମ୍ବୁର ଭିତରକୁ ଅନାଇ କହିଲା, ‘‘ମୋତେ ଆଉ ଅଳ୍ପ। ଟିକିଏ ସ୍ଥାନ ଦେଲେ ଚାରୋଟି ପାଦ ତାହା ମଧ୍ୟରେ ରଖନ୍ତି । ଶୀତରେ ପାଦଗୁଡ଼ିକ କାଲ ହୋଇଗଲାଣି । ତମ୍ବୁଟି କ୍ଷୁଦ୍ର ହେଲେହେଁ ଉଷ୍ଟ୍ରର ଏ କଥା ଶୁଣି ପ୍ରୋକ୍ତ ବ୍ୟକ୍ତି ପଛକୁ ଗୁଞ୍ଚିଯାଇ କହିଲା, ‘‘ହଉ, ତୋର ଗୋଡ଼ ଭିତରକୁ ଆଣ ।’’ ପାଦ ଚାରିଟା ଭିତରେ ପ୍ରବିଷ୍ଟ କରାଇ ଦୁଷ୍ଟ ଉଷ୍ଟ୍ର ସେଗୁଡ଼ାକ ଏପରି ଲମ୍ବାଇ ଦେଲା ଯେ, ତାହା ସେହି ଲୋକର ଦେହରେ ବାଜିଲା । ଲୋକଟି କ୍ରୁଦ୍ଧ ହୋଇ କହିଲା, ‘‘ଆରେ ବାହାପିଆ ଓଟ, ତୋର ଏଡ଼େ ଗର୍ବ ! ତୁ ଏଠାରୁ ଦୂର ହୋଇଯା ।’’ ତହୁଁ ଉଷ୍ଟ୍ର କହିଲା, ‘‘ଏଠାରେ ଦୁଇଜଣଙ୍କୁ ସ୍ଥାନ ହେବ ନାହିଁ । ମୋତେ କିପରି କାଢ଼ି ଦେବୁ ଦେ ତ । ତୁ ବାହାରି ଯା । ମୁଁ ଏଠାରୁ ଯିବି ନାହିଁ ।’’

 

ଏ ପାଠର ତାତ୍ପର୍ଯ୍ୟ ଏହି ଯେ, ପ୍ରଥମେ ହୃଦୟରେ ପାପକୁ ଟିକିଏ ମାତ୍ର ସ୍ଥାନ ଦେଲେ, ସେ ପରିଶେଷରେ ସମସ୍ତ ହୃଦୟକୁ ଅଧିକାର କରି ମନୁଷ୍ୟ ମନରୁ ସଦ୍‌ଗୁଣ ସବୁକୁ ତଡ଼ିଦିଏ ।

Image

 

ବ୍ୟାଧ ଓ କପୋତ କଥା

 

ପୂର୍ବକାଳରେ ଗୋଟିଏ ଦୁର୍ବୃତ୍ତ ବ୍ୟାଧ ଯମଦୂତ ପରି ବନେ ବନେ ବୁଲୀ ପକ୍ଷୀ ଧରୁଥିଲା । ତାହାର ଆକାର ଦେଖିବାକୁ ଯେପରି କୁତ୍ସିତ ଓ ଭୟଙ୍କର ଥିଲା, ମନ ମଧ୍ୟ ସେହିପରି ନିଷ୍ଠୁର ଥିଲା । ସେ ନିର୍ଦ୍ଦୋଷ ପକ୍ଷୀମାନଙ୍କୁ ବଧ କରି ବଜାରରେ ବିକ୍ରୟ କରୁଥିଲା । ଦିନେ ସେହି ବ୍ୟାଧ ଜାଲ ଓ ଧନୁ ହାତରେ ଧରି କୌଣସି ବନରେ ବୁଲିବା ସମୟରେ, ଆକାଶକୁ ଅନ୍ଧକାରମୟ କରି ଘୋର ଶବ୍ଦରେ ଝଟିକା ଓ ବୃଷ୍ଟି ଆରମ୍ଭ ହେଲା । ଦେଖୁ ଦେଖୁ ବଡ଼ ବଡ଼ ବୃକ୍ଷମାନ ଭାଙ୍ଗି ପଡ଼ିବାରୁ ବନର ଅତ୍ୟନ୍ତ ଭୟାନକ ଅବସ୍ଥା ଘଟିଲା । ସେଥି ସଙ୍ଗେ ସଙ୍ଗେ ରାତ୍ରକାଳ ଉପସ୍ଥିତ ହେବାରୁ ବ୍ୟାଧର ଦୁର୍ଦ୍ଦଶାର ଆଉ ସୀମା ରହିଲା ନାହିଁ । ସେ ଜଳରେ ତିନ୍ତି ଶୀତାର୍ତ୍ତ ହୋଇ ଭାଳିବାକୁ ଲାଗିଲା, ‘‘ହାୟ ହାୟ ! ଏବେ ବାଟ କିପରି ପାଇବି। କିପରି ଏ ପ୍ରାଣ ବଞ୍ଚାଇ ଘରକୁ ଫେରିଯିବି ।’’

 

କିନ୍ତୁ ଏହି ଦୁଃଖ ସମୟରେ ତାର ଦୁଷ୍ଟ ବୁଦ୍ଧି ତାହାକୁ ଛାଡ଼ିଲା ନାହିଁ । ସେ ଅନ୍ଧକାରରେ ଅଣ୍ଡାଳୁ ଅଣ୍ଡାଳୁ ଦେଖିଲା ଯେ, ଗୋଟିଏ କପୋତୀ ଜଳରେ ତିନ୍ତି ଶୀତରେ ଅର୍ଦ୍ଧମୃତ ହୋଇ ପଡ଼ିଅଛି । ଦୁଷ୍ଟ ବ୍ୟାଧ ନିଜର ଦୁର୍ଗତି ଭୁଲିଯାଇ କପୋତୀକୁ ପିଞ୍ଜରାରେ ପୂରାଇଲା । କ୍ରମେ ଆକାଶ ନିର୍ମଳ ହେଲା; କିନ୍ତୁ ସେହି ଘୋର ରାତ୍ରିରେ ବ୍ୟାଧ ଘରକୁ ଫେରିଯାଇ ପାରିଲା ନାହିଁ । ନିକଟରେ ଗୋଟିଏ ପ୍ରକାଣ୍ଡ ବୃକ୍ଷ ଥିଲା, ତାହାରି ତଳେ ରାତ୍ରିଯାପନ କରିବାର ସ୍ଥିର କଲା ।

 

ସେହି ବୃକ୍ଷରେ ଗୋଟିଏ କପୋତ କପୋତୀ ସପୁଟୁମ୍ବ ସୁଖରେ ବାସ କରୁଥିଲେ । ସେଦିନ ସକାଳେ କପୋତୀ ଆହାର ଅନ୍ୱେଷଣାର୍ଥ ବାହାରି ଆଉ ଘରକୁ ଫେରି ଆସି ନଥିଲା । ସେହି ହେତୁରୁ କପୋତ ଦୁଃଖରେ କ୍ରନ୍ଦନ କରି କହୁଥିଲା, ‘‘ହାୟ, ମୋର ପ୍ରିୟା କପୋତୀ ଏତେବେଳେଯାଏ ଘରକୁ ପେରିଆସିଲା ନାହିଁ । କେ ଜାଣେ, ଏହି ଭୟଙ୍କର ଝଟିକାରେ ତାହାର କି ବିପଦ ଘଟିଅଛି ! ତାହାର କଥା କି ମଧୁର ! ମୁଁ କ୍ରୋଧ କଲେ ସେ କିପରି ସ୍ନେହର ସହିତ ମତେ ଶାନ୍ତ କରେ ! ମୁଁ ତାହାକୁ ହରାଇ କିପରି ବଞ୍ଚିବି !’’ ସେ ଜାଣି ନଥିଲା ଯେ, କପୋତୀ ବୃକ୍ଷତଳେ ବ୍ୟାଧହସ୍ତରେ ପଡ଼ି ଏହିପରି କପୋତର କଥା ଭାଳୁଅଛି । କପୋତର କଥା ଶୁଣି ଏହି ଦୁଃଖ ମଧ୍ୟରେ ସୁଦ୍ଧା କପୋତୀର ବଡ଼ ଆନନ୍ଦ ହେଲା । ସେ ପିଞ୍ଜରାମ ମଧ୍ୟରୁ ତାହାକୁ ଡାକି କହିଲା, ‘‘ଆହେ, ମୋ ଲାଗି ଦୁଃଖ କର ନାହିଁ । ଏହି ଲୋକଟି ଶୀତ ଓ କ୍ଷୁଧାରେ କାତର ହୋଇ ଆମ୍ଭ ଘରକୁ ଆସିଅଛି । ବର୍ତ୍ତମାନ ଏହାର ଦୁଃଖ ଦୂର କରିବାହିଁ ମ୍ଭର ପ୍ରଧାନ କାର୍ଯ୍ୟ ଅଟେ ।’’

 

କପୋତ କହିଲା, ‘‘ଠିକ୍‌ କଥା, ଏହି ବ୍ୟାଧ ମୋହର ଅତିଥି । ଏହାର ସେବା କରିବା ମୋର କର୍ତ୍ତବ୍ୟ ।’’ ଏହା କହି ସେ ବ୍ୟାଧକୁ କହିଲା, ‘‘ଆପଣ ମୋର ଅତିଥି, ଆପଣଙ୍କର ସେବା କରିବା ମୋର ଉଚିତ । କହନ୍ତୁ, ଆପଣଙ୍କ ଲାଗି ମୁଁ କ’ଣ କରିବି ?’’ ତାହାର କଥାରେ ବ୍ୟାଧ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଶୀତରେ ମୋର ଅତ୍ୟନ୍ତ କ୍ଳେଶ ହେଉଅଛି; ମୋର ଏହି କଷ୍ଟ ଦୂର କରି ପାରିଲେ ବଡ଼ ଉପକୃତ ହେବି ।’’ ଦେଖୁଦେଖୁ କପୋତ କେତେଗୁଡ଼ିଏ ଶୁକ୍ଳପତ୍ର ଗୋଟାଇ ଆଣିଲା । ପୁଣି ଉଡ଼ିଯାଇ ଚଞ୍ଚୁରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଘେନି ଉପସ୍ଥିତ ହେଲା । ପତ୍ର ଉପରେ ଅଙ୍ଗାର ଖଣ୍ଡିକ ରଖି କପୋତ ତାହାର ପକ୍ଷରେ ବିଞ୍ଚିବାରୁ ଅଗ୍ନି ଦାଉଦାଉ ହୋଇ ବ୍ୟାଧ କହିଲା, ‘‘ଆହା ବିଞ୍ଚିଲି । କିନ୍ତୁ ମୋର ବଡ଼ କ୍ଷୁଧା ହୋଇଅଛି ।’’

 

ଏହି କଥାରେ କପୋତ ଅତିଶୟ ଚିନ୍ତିତ ହେଲା; କାରଣ ସେମାନଙ୍କର ଯେଉଁଦିନ ଯାହା ପ୍ରୟୋଜନ ହୁଏ, ସେଦିନ ତାହା ଖୋଜି ଆଣନ୍ତି । ସେମାନେ ସଞ୍ଚୟ କରି ରଖନ୍ତି ନାହିଁ । ସୁତରାଂ ସେତେବେଳେ ତାହା ନିକଟରେ ଖାଦ୍ୟଦ୍ରବ୍ୟ କିଛି ନ ଥିଲା । ଏଣୁ ସେ ଅତିଥିକୁ କଣ ଖାଇବାକୁ ଦେବ ।

 

ଟିକିଏ ଚିନ୍ତାକରି ସେ ବ୍ୟାଧକୁ କହିଲା, ‘‘ଆପଣ ଟିକିଏ ଅପେକ୍ଷା କରନ୍ତୁ ।’’ ଏହା କହି ପୁଣି କେତେଗୁଡ଼ିଏ ପତ୍ର ଆଣି ଅଗ୍ନି ଜାଳି ବ୍ୟାଧକୁ କହିଲା, ‘‘ଆପଣ ଦୟାକରି କିଛି ନ ଥିଲା । ଏଣୁ ସେ ଅତିଥିକୁ କଣ ଖାଇବାକୁ ଦେବ ।

 

ଟିକିଏ ଚିନ୍ତାକରି ସେ ବ୍ୟାଧକୁ କହିଲା, ‘‘ଆପଣ ଟିକିଏ ଅପେକ୍ଷା କରନ୍ତୁ ।’’ ଏହା କହି ପୁଣି କେତେଗୁଡ଼ିଏ ପତ୍ର ଆଣି ଅଗ୍ନି ଜାଳି ବ୍ୟାଧକୁ କହିଲା, ‘‘ଆପଣ ଦୟାକରି ମୋତେ ଆହାର କରି କ୍ଷୁଧା ଦୂର କରନ୍ତୁ ।’’ ଏହା କହୁଁ କହୁଁ ସେ ଅଗ୍ନି ଭିତରକୁ ଡେଇଁପଡ଼ିଲା । ବ୍ୟାଧ ଏହି ଘଟଣା ଦେଖି ବିସ୍ମୟରେ ସ୍ତବ୍‌ଧ ହୋଇଗଲା । କପୋତ ଅଗ୍ନିମଧ୍ୟରେ ଝାସ ଦେଲା ମାତ୍ରକେ ସେ କହିବାକୁ ଲାଗିଲା, ‘‘ହାୟ ! ମୁଁ କି କଲି ! ମୋପରି ମହାପାପୀ ବୋଧହୁଏ ଆଉ ସଂସାରରେ ନାହିଁ-। ଆଜି ଏହି ପୁଣ୍ୟବନ୍ତ ପକ୍ଷୀଟି ମୋତେ ମହାଶିକ୍ଷା ଦେଲା । ମୁଁ ଇଚ୍ଛା କରିଥିଲେ କେତେ ସତ୍‌କର୍ମ କରି ପାରିଥାନ୍ତି; କିନ୍ତୁ ମୁଁ କେବଳ ପକ୍ଷୀବଧ କରି ବୁଲୁଅଛି । ମୋତେ ଧିକ୍‌ ! ମୋର ବଞ୍ଚିବାର କି ଫଳ ?’’ ଏହା କହି ସେ କପୋତୀକୁ ଛାଡ଼ିଦେଲା । ନିତାନ୍ତ ବିରକ୍ତ ଭାବରେ ତୀର, ଧନୁ, ଜାଲ ପ୍ରଭୃତି ନିକ୍ଷେପ କରି, କାନ୍ଦି, କାନ୍ଦି ଚାଲିଗଲା ।

 

ଏଣେ କପୋତୀ କପୋତର ଶୋକ ସହି ନ ପାରି, ମୁକ୍ତି ପାଇଲାକ୍ଷଣି ଅଗ୍ନିମଧ୍ୟରେ ଝାସ ଦେଲା । ସେହି ସମୟରେ ବ୍ୟାଧ ଅଗ୍ନିମଧ୍ୟରେ ଏକ ମହାଶ୍ଚର୍ଯ୍ୟ ବ୍ୟାପାର ଦେଖିବାକୁ ପାଇଲା । ସେ ଦେଖିଲା, ତାହାର କପୋତ ପରମସୁନ୍ଦର ଦେହ ଧାରଣକରି ଦିବ୍ୟ ଅଳଙ୍କାର, ମାଳା,ଚନ୍ଦନ ଓ ଉଜ୍ଜ୍ୱଳ ବସନରେ ଶୋଭିତ ହୋଇ ସୁବର୍ଣ୍ଣ ରଥରେ ବସିଅଛି। ଆଉ ସ୍ୱର୍ଗରୁ ସାଧୁମାନେ ଆସି ତାହାର ସ୍ତବ କରୁଅଛନ୍ତି । କପୋତୀ ତାହା ସଙ୍ଗରେ ସେହି ରଥରେ ଚଢ଼ି ହସି ହସି ସ୍ୱର୍ଗକୁ ଚାଲିଗଲା ।

 

ବ୍ୟାଧ କପୋତ କପୋତୀଙ୍କର ସେହି ସୁନ୍ଦର ରଥ ଦେଖିବାକୁ ପାଇ ଭାବିଲା, ‘‘ଯେଉଁ ପୁଣ୍ୟକାର୍ଯ୍ୟ କଲେ ଏପରି ସୁଖ ମିଳେ, ମୁଁ ସେହିପରି ପୁଣ୍ୟକାର୍ଯ୍ୟ ଛଡ଼ା ଆଉ କିଛି କରିବି ନାହିଁ ।’’ ସେହି ଦିନଠାରୁ ସେ ବ୍ୟାଧ ପରମ ଧାର୍ମିକ ତପସ୍ୱୀ ହେଲା । ସେ ଏକମନରେ ଏକପ୍ରାଣରେ ଭଗବାନ୍‌ଙ୍କୁ ଚିନ୍ତାକରି ବନେ ବନେ ବୁଲୁଥିଲା । ଦିନେ ସେହି ବନ ମଧ୍ୟରେ ଭୀଷଣ ଦାବାଗ୍ନି ଜଳିଉଠିଲା । ତପସ୍ୱୀଙ୍କ ଚତୁର୍ଦ୍ଦିଗ ଅଗ୍ନବେଷ୍ଟିତ ହେଲେ ମଧ୍ୟ ସେ ଭୀତ ହେଲେ ନାହିଁ । ସେ ଭଗବାନ୍‌ଙ୍କର ଘେନି ସେହି ଅଗ୍ନିମଧ୍ୟରେ ଝାସ ଦେଲେ । ତାହାଙ୍କ ଭକ୍ତିରେ ତୁଷ୍ଟ ହୋଇ ଦେବବୃନ୍ଦ ଆଦର କରି ତାହାଙ୍କୁ ସ୍ୱର୍ଗକୁ ନେଇଗଲେ । ସେ ଏକ ସମୟରେ ବ୍ୟାଧ ଥିଲା ବୋଲି ଘୃଣା କଲେ ନାହିଁ ।

Image

 

ଆକାଶମଣ୍ଡଳ

 

ଆମ୍ଭମାନଙ୍କ ମସ୍ତକ ଉପରେ ଏହି ଯେ ଆକାଶମଣ୍ଡଳ ସର୍ବଦା ବିସ୍ତାରିତ ରହିଅଛି, ତାହା କି ପ୍ରକାଣ୍ଡ ! ଏହାର ଆଦିଅନ୍ତ କାହିଁ ? ଏହି ଯେ ଦିବସରେ ସୂର୍ଯ୍ୟ, ରଜନୀରେ ଚନ୍ଦ୍ର, ତାରା ଆମ୍ଭମାନଙ୍କର ଦୃଷ୍ଟିଗୋଚର ହେଉଅଛନ୍ତି, ଏଗୁଡ଼ିକ କି ବସ୍ତୁ ? କିପରି ଆକାଶମଧ୍ୟରେ ଏଗୁଡ଼ିକ ସ୍ଥାପିତ ରହିଅଛି ? ଏହି ପ୍ରଶ୍ନଗୁଡ଼ିକ ମାନବ ମନରେ ବାରମ୍ବାର ଉପସ୍ଥାପିତ ହୁଏ । ଆମ୍ଭମନଙ୍କର ବାସସ୍ଥାନ ଏହି ପୃଥିବୀ କି ବୃହତ୍‌, କେଉଁଠାରେ ଉତ୍ତୁଙ୍ଗ ପର୍ବତମାଳା, କେଉଁଠାରେ ଗଭୀର ନିର୍ଘୋଷକାରୀ ମହାସମୁଦ୍ର, କେଉଁଠାରେ ଭୟଙ୍କର ଆଗ୍ନେୟଗିରି, କେଉଁଠାରେ ନଦୀ ବା ହ୍ରଦ, କାହିଁ ଅବା ତରୁ-ଲତା ଶୋଭିତ ସମତଳ ଭୂମି ଏହାର ସୌନ୍ଦର୍ଯ୍ୟ ସମ୍ପାଦନ କରୁଅଛନ୍ତି । କେବଳ ଏହି ପୃଥିବୀର ବିଶାଳତା ଓ ବିଚିତ୍ର ଶୋଭାର ବିଷୟ ଚିନ୍ତାକଲେ ବିସ୍ମୟାଭିଭୂତ ହେବାକୁ ହୁଏ । ପୁଣି ଯେତେବେଳେ ପୃଥିବୀଠାରୁ କୋଟି ଗୁଣରେ ବୃହତ୍ତର ଲକ୍ଷ ଲକ୍ଷ ପଦାର୍ଥ ଆକାଶମଣ୍ହଳରେ ରହିଅଛି ବୋଲି ଆମ୍ଭେମାନେ ଜାଣିପାରୁ, ସେତେବେଳେ ଆକାଶମଣ୍ଡଳ କି ପ୍ରକାଣ୍ହ, ତାହା ଭାବି ଆମ୍ଭେମାନେ ଆଶ୍ଚର୍ଯ୍ୟୁ ଭାବରେ ସ୍ତବ୍‌ଧ ହୋଇଯାଉଁ ।

 

ବିଶ୍ୱପତି ପରେମଶ୍ୱର ଏହି କ୍ଷୁଦ୍ର ମାନବ ମନରେ ଅନସନ୍ଧାନ କରି ଜାଣିବାର ପ୍ରବୃତ୍ତି ଦେଇଅଛନ୍ତି । ସେ ଯେପରି ଏହାର ବିଶାଳତା ଦେଖି ବିସ୍ମିତ ହୁଏ, ସେହିପରି ଏହାର ବିବରଣ ଜାଣିବାପାଇଁ ଉତ୍ସୁକ ହୁଏ । ବହୁ ପୁରକାଳରୁ ଆଜି ପର୍ଯ୍ୟନ୍ତ ଏହି ଆକାଶରେ ବିବରଣ ଜାଣିବା ପାଇଁ କେତେ ବ୍ୟକ୍ତି ପ୍ରାଣପଣ ଚେଷ୍ଟା କରି ଆସୁଅଛନ୍ତି । ଏହି ଚେଷ୍ଟାଦ୍ୱାରା ଅନେକ ଆଶ୍ଚର୍ଯ୍ୟଜନକ ବିବରଣ ଜଣାଯାଇଅଛି ।

 

ମେଘାଶୂନ୍ୟ ରାତ୍ରିରେ ଆକାଶମଣ୍ଡଳୁ ଅନାଇଲେ ଅଂସଖ୍ୟ କ୍ଷୁଦ୍ର କ୍ଷୁଦ୍ର ଜ୍ୟୋର୍ତିବିନ୍ଦୁଗୁଡିକୁ ନକ୍ଷତ୍ର ଓ ଗ୍ରହ ବୋଲାଯାଏ । ଯେଉଁ ସୂର୍ଯ୍ୟ ପ୍ରତିଦିନ ଆମ୍ଭମାନଙ୍କୁ ଆଲୁଅ ଦେୁଅଛି, ତାହା କ୍ଷୁଦ୍ର ଦିଶିଲେହେଁ ପୃଥିବୀ ଅପେକ୍ଷା ବହୁ ଲକ୍ଷ ଗୁଣ ବୃହତ୍ତର ଅଟେ । ସେହିପରି ନକ୍ଷତ୍ରମାନେ ବିନ୍ଦୁପରି କ୍ଷୁଦ୍ର ଦିଶିଲେ ହେଁ ସେମାନଙ୍କ ମଧ୍ୟରୁ ସେମାନେ ଆମ୍ଭମାନଙ୍କୁ ଏଡ଼େ କ୍ଷୁଦ୍ର ବୋଲି ବୋଧହେଉଅଛନ୍ତି । ଆମ୍ଭମାନଙ୍କର ପୃଥିବୀ ସୂର୍ଯ୍ୟର ଚତୁର୍ଦ୍ଦିଗରେ ପରଭ୍ରମଣ କରେ । ଅତଏବ, ତାହାକୁ ଗ୍ରହ ବୋଲାଯାଏ । ପୃଥିବୀପରି ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି ପ୍ରଭୃତି ଅନେକ ଗ୍ରହ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଅଛନ୍ତି । ସେମାନେ ମଧ୍ୟ ଗ୍ରହ ନାମରେ ପରିଚିତ ।

 

ପୃଥିବୀ ଗୋଟିଏ ଗ୍ରହ । ପୃଥିବୀରୂପ ଗ୍ରହର ଚତୁର୍ଦ୍ଦିଗରେ ଚନ୍ଦ୍ର ଭ୍ରମଣ କରେ । ଚନ୍ଦ୍ରକୁ ଉପଗ୍ରହ ବୋଲାଯାଏ । ଚନ୍ଦ୍ର ପୃଥିବୀ ଅପେକ୍ଷା ବହୁପରିମାଣରେ କ୍ଷୁଦ୍ର । ଚନ୍ଦ୍ରର ନିଜର ଆଲୋକ ନାହିଁ । ସେ ସୂର୍ଯ୍ୟଠାରୁ ଆଲୋକ ଗଅ୍ରହଣ କରି ଉଜ୍ଜ୍ୱଳ ଦିଶେ । ଚନ୍ଦ୍ରର ଆଲୋକକ ଜ୍ୟୋତ୍ସ୍ନା ବା ଚନ୍ଦ୍ରିକା ବା କୌମୁଦୀ ବୋଲାଯାଏ ।

 

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଛଡ଼ା ଆହୁରି ଏକପ୍ରକାର ଜ୍ୟୋତିର୍ମୟ ପଦାର୍ଥ ସମୟେ ସମୟେ ଆକାଶମଣ୍ଡରେ ଦେଖାଯାଏ । ଏହାକୁ ଦୂମକେତୁ ବୋଲନ୍ତି । ଏହାର ଆକୃତି ନକ୍ଷତ୍ରମାନଙ୍କ ଆକୃତିରୁ ଭିନ୍ନ । ଏହାର ଆକୃତି ଦେଖିଲେ ବୋଦହୁଏ, ଯେହ୍ନେ ଗୋଟିଏ ନକ୍ଷତ୍ର ସହିତ ଗୋଟିଏ ଜ୍ୟୋତିର୍ମୟ ପୁଚ୍ଛ ସଂଲଗ୍ନ ରହିଅଛି । ଲୋକେ ଧୂମକେତୁକଚ ଲାଞ୍ଜାତାରା ମଧ୍ୟ କହନ୍ତି ।

 

ଆକାଶମଣ୍ଡଳ ଅସୀମ । ଅସଂଖ୍ୟ ଅସଂଖ୍ୟ ଚନ୍ଦ୍ର, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଏହା ମଧ୍ୟରେ ପରିଭ୍ରମଣ କରୁଅଛନ୍ତି । ବହୁ ପୁରାକାଳରୁ ଆଜି ପର୍ଯ୍ୟନ୍ତ ନାନା ଦେଶର ଜ୍ଞାନୀ ବ୍ୟକ୍ତିମାନେ ଆକାଶମଣ୍ଡଳର ବିବରଣ ଜାଣିବା ପାଇଁ ଅବିଶ୍ରାନ୍ତ ଚେଷ୍ଟା କରି ଆସୁଅଛନ୍ତି; କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ବିଷୟରେ ଅତ୍ୟଳ୍ପ ମାତ୍ର ବିବରଣ ଜଣାଯାଇଅଛି । କେବଳ ତାହାକୁଇ ଆଲୋଚନା କଲେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ଅପାର ମହିମା ଦେଖି କାହାର ହୃଦୟ ବିସ୍ମୟରେ ସ୍ତବ୍ଧ ମହିମା ଦେଖି କାହାର ହୃଦୟ ବିସ୍ମୟରେ ସ୍ତବ୍‌ଧ ନ ହେବ ?

Image

 

ପାରାବତ

 

ଆମ୍ଭମାନଙ୍କ ଦେଶରେ ଅନେକ ପାରା ପୋଷନ୍ତି; କିନ୍ତୁ ପାରାର ଅଦ୍ଭୁତ ଗୁଣ ଅନେକ ଜାଣନ୍ତି ନାହିଁ । ପାରା ଯେଉଁ ସ୍ଥାନରେ ପ୍ରତିପାଳିତ ହୁଅନ୍ତି, ସେହି ସ୍ଥାନ ପ୍ରତି ସେମାନଙ୍କର ମମତା ଅଧିକ । ଅନ୍ୟ ସ୍ଥାନରେ ଛାଡ଼ିଦେଲେ ସେମାନେ ସ୍ୱ-ସ୍ଥାନକୁ ଫେରିଆସନ୍ତି । ତୁମ୍ଭମାନଙ୍କର ଯଦି ପୋଷା ପାରା ଥାଏ, ତାହାହେଲେ ଦୁଇ ତିନି ମାଇଲ ଦୂରରେ ଛାଡ଼ିଦେଇ ଏକଥା ପରୀକ୍ଷା କରିପାର ।

 

ପାରାର ଉଡ଼ିବା ଶକ୍ତି ଆଶ୍ଚର୍ଯ୍ୟ ଏବଂ ବୁଦ୍ଧି ଅତି ପ୍ରଖର । ବୁଦ୍ଧି ପ୍ରଭାବରେ ଏମାନେ ଆପଣା ଘର ଠିକ୍‌ କରି ନିଅନ୍ତି। ଅନେକ ପ୍ରକାର ପକ୍ଷୀ ଅଛନ୍ତି, ଯେଉଁମାନେ ଶୀତକାଳରେ ଏକ ଦେଶରେ ଏବଂ ଗ୍ରୀଷ୍ମକାଳରେ ଅନ୍ୟ ଦେଶରେ ବାସ କରନ୍ତି। ସେମାନେ ସହସ୍ର ସହସ୍ର ମାଇଲ ଦୂରକୁ ଯାଇ ପୁଣି ଫେରିଆସନ୍ତି; କିନ୍ତୁ ଏଥିରେ ପାରାପରି ବୁଦ୍ଧି ବ୍ୟୟ କରିବାକୁ ହୁଏ ନାହିଁ । ସମୋନେ ଦିବାରାତ୍ର ସିଧା ବାଟରେ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହୁଅନ୍ତି । ପାରାମାନେ କେବଳ ଦିନରେ ଚାଲନ୍ତି । ରାତ୍ରିରେ ସେମାନେ ଦେଖି ପାରନ୍ତି ନାହିଁ । ସିଧାବାଟ ହେଲେ ସୁଦ୍ଧା ପାରା ମରୂଭୂମି ଉପର ଦେଇ ଯାଏ ନାହିଁ । ନଗର, ଜନପଦ, ଗ୍ରାମ ଏବଂ ଯେଉଁଠାରେ ଖାଦ୍ୟ ଓ ପାନୀୟ ମିଳିବ, ସେହି ବାଟଦେଇ ଯିବାକୁ ଭଲପାଏ । ଘନ ମେଘୋଦୟ ହେଲେ ବାଟ ଭୁଲିଯିବା ଭୟରେ ଚାଲେ ନାହିଁ । ଆକାଶ ନିର୍ମଳ ଥିଲେ ପାରା ପ୍ରାୟ ୧୫୦ ମାଇଲ ପର୍ଯ୍ୟନ୍ତ ଉଡ଼ିଯାଇ ଅବିଳମ୍ବେ ଫେରିଆସିପାରେ ।

 

୧୮୭୦ ଖ୍ରୀଷ୍ଟାବ୍ଦରେ ସର୍ବପ୍ରଥମେ ଯୁଦ୍ଧକ୍ଷେତ୍ରରେ ପାରାର ଡ଼ାକ ପ୍ରଚଳିତ ହୋଇଥିଲା-। ଉକ୍ତ ବର୍ଷ ଜର୍ମାନ ସୈନ୍ୟ ଫ୍ରାନ୍‌ସର ରାଜଧାନୀ ପାରିସ ନଗର ଅବରୋଧ କରିଥିଲେ; ସୁତରାଂ ନଗର ସହିତ ବାହାରର ସମ୍ବାଦ ବିନିମୟ ବନ୍ଦ ହୋଇଗଲା । ନଗରର ଅବସ୍ଥା ଏବଂ ତହିଁରେ ଅବରୁଦ୍ଧ ଆତ୍ମୀୟ ବନ୍ଧୁବାନ୍ଧବମାନଙ୍କର କୁଶଳ ଜାଣିବା ପାଇଁ ବାହାରର ଲୋକେ ବ୍ୟଗ୍ର ହେଲେ ।

 

ବିଶେଷତଃ ନଗରର ଉଦ୍ଧାର ପାଇଁ ସ୍ୱପକ୍ଷୀୟ ସେନାମାନଙ୍କର ସମସ୍ତ ସମ୍ବାଦ ଜାଣିବା ଏକାନ୍ତ ଆବଶ୍ୟକ ହେଲା । ସମ୍ବାଦପ୍ରେରଣର ଅନ୍ୟ ଉପାୟ ନ ଦେଖି ବେଲୁନ୍‌ରେ କେତେଗୁଡ଼ିଏ ପାରା ନଗରକୁ ପ୍ରେରିତ ହେଲା । ସେମାନଙ୍କ ପର ସଙ୍ଗେ ଚିଟାଉ ବାନ୍ଧିଦେଇ ଛାଡ଼ିଦେଲେ ସେମାନେ ପାରିସକୁ ଫେରିଆସନ୍ତି । ଏହିପରି ଅନ୍ୟସ୍ଥାନରୁ କେତେଗୁଡ଼ିଏ ପାରା ପାରିସକୁ ଆସିଲେ । ଏହି ପ୍ରକାରେ ସମ୍ବାଦପ୍ରେରଣର ବନ୍ଦୋବସ୍ତ ହେଲା ।

 

ସେହି ସମୟରୁ କୈାଣସି ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲେ ପାରାର ଡ଼ାକ ଚଳିବାର ନିୟମ ହୋଇଅଛି ଏବଂ ସେହି କାରଣରୁ ଅନେକ ଦେଶରେ ସାମରିକ ଡ଼ାକପାରା ପୋଷାହୁଏ । କେତେକ ବର୍ଷ ପରେ ବିଲାତରେ ଏହି ଉଦ୍ଦେଶ୍ୟରେ ପାରା ପୋଷା ହେଉଅଛି । ଜଳଯୁଦ୍ଧ ସମୟରେ କେତେଗୁଡ଼ିଏ ପାରା ଜାହାଜରେ ନୀତ ହୁଅନ୍ତି ଏବଂ ଚିଠି ବାନ୍ଧି ଛାଡ଼ିଦେଲେ ସେମାନେ ଦେଶକୁ ଫେରିଆସନ୍ତି । ସମୁଦ୍ର ମଧ୍ୟରୁ ଯୁଦ୍ଧର ସମ୍ବାଦ ଦେଶକୁ ପଠାଇବାର ଏହା ସର୍ବୋତ୍କୃଷ୍ଟ ଉପାୟ । ସୁବିଖ୍ୟାତ ନ୍ୟାନସେନ୍‌ ସାହେବ ଉତ୍ତରମେରୁ ଆବିଷ୍କାର କରିବାକୁ ଯାଇ ପାରା ଦ୍ୱାରା ସମ୍ବାଦ ପଠାଉଥିଲେ ।

 

ଯୁଦ୍ଧପାଇଁ ପୋଷା ପାରାମାନଙ୍କର ଦୁଇ ଗୋଡ଼ରେ ଦିଓଟି ମୁଦି ଦିଆଯାଇଥାଏ । ଗୋଟିଏ ଧାତୁନିର୍ମିତ ଓ ଅନ୍ୟଟି ରବରର । ଧାତୁନିର୍ମିତ ମୁଦିରେ ନମ୍ବର ଲେଖାଥାଏ ଏବଂ ରବର ମୁଦି ଚିଠି ବାନ୍ଧିବାପାଇଁ ବ୍ୟବହୃତ ହୁଏ । ପାରାର କି ଅଦ୍ଭୁତ ଗୁଣ !

Image

 

କାଶ୍ମୀରର ପ୍ରାକୃତିକ ଶୋଭା

 

ଭାରତବର୍ଷର ଉତ୍ତର-ପଶ୍ଚିମ କୋଣରେ କାଶ୍ମୀର ରାଜ୍ୟ ଅବସ୍ଥିତ । ଏହାର ଉତ୍ତରରେ ହିମାଳୟ,ଦକ୍ଷିଣରେ ପଞ୍ଜବ, ପଶ୍ଚିମରେ ରାଉଲପିଣ୍ଡି, ପୂର୍ବରେ ତିବ୍‌ବତ । ଏହି ପ୍ରଦେଶର ମଧ୍ୟସ୍ଥଳରେ ବିତସ୍ତା ନଦୀ ଶାଖାପ୍ରାଶାଖା ବିସ୍ତାର କରି ବରାହମୂଲ ଗିରିପଥ ଦେଇ ପଞ୍ଜାବ ପ୍ରଦେଶରେ ପ୍ରବେଶ କରିଅଛି । କାଶ୍ମୀରର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର । ଏଥିପାଇଁ ଏହା ଭୂସ୍ୱର୍ଗ ନାମରେ ଖ୍ୟାତ । ଏପରି ମନୋହର ପ୍ରାକୃତିକ ଦୃଶ୍ୟ ପୃଥିବୀରେ ବିରଳ । କାଶ୍ମୀରର ଦକ୍ଷିଣାଂଶରେ ଅଧିକ ସଂଖ୍ୟକଲୋକଙ୍କର ବାସ । ଉକ୍ତ ପ୍ରଦେଶର ପର୍ବତମାଳା ଦେବଦାରୁ ବନରେ ଆଚ୍ଛାଦିତ । ତହିଁ ମଧ୍ୟରେ ସ୍ଥାନେ ସ୍ଥାନେ କୃଷିକାର୍ଯ୍ୟର ଉପଯୁକ୍ତ ଭୂମିର ମଧ୍ୟ ଅଭାବ ନାହିଁ-। ନଦୀ ତୀର ଶ୍ୟାମଳ ଶସ୍ୟକ୍ଷେତ୍ରରେ ପରିପୂର୍ଣ୍ଣ । ପ୍ରତ୍ୟେକ ଗ୍ରାମରେ ସୁନ୍ଦର ସୁନ୍ଦର ରାଜପଥ ବିଦ୍ୟମାନ । କାଶ୍ମୀରର ଚତୁର୍ଦ୍ଦିଗରେ ଯେଉଁ ପର୍ବତମାଳା ବିରାଜିତ, ସେଗୁଡ଼ିକର ଉପରିଭାଗ ବର୍ଷବଧ୍ୟରେ ଆଠମାସକାଳ ତୁଷାର ମଣ୍ଡିତ ଥାଏ । ଦକ୍ଷିଣ ଦିଗରେ ଶୈଳମାଳା କ୍ରମନିମ୍ନ ବୋଲି ସେହି ଦିଗର ଦୃଶ୍ୟ ଅଧିକ ମନୋହର । ଉତ୍ତର ଦିଗର ଅଧିକାଂଶ ଅରଣ୍ୟ-ପ୍ରଦେଶ ହେଲେହେଁ ଏହି ଦିଗରେ ଅତ୍ୟୁଚ୍ଚ ଗିରିମାଳା, ବିସ୍ତୃତ କୃଷିକ୍ଷେତ୍ର, ନଦୀସମୂହ ଏବଂ ଜଳପ୍ରପାତସମୂହ ପ୍ରକୃତିକୁ ଅପୂର୍ବ ବେଶରେ ସୁଶୋଭିତ କରି ରଖିଅଛି ।

 

ଶ୍ରୀନଗର କାଶ୍ମୀରର ରାଜଧାନୀ । ଏହାର ଉତ୍ତର-ପୂର୍ବ କୋଣର ଅର୍ଦ୍ଧକୋଣ ଦୂରରେ ଉଲ୍‌ ନାମକ ଗୋଟିଏ ହ୍ରଦ ଅବସ୍ଥିତ । ଗୋଟିଏ ଖାଲଦ୍ୱାରା ଏହା ବିତସ୍ତା ସହିତ ସଂଯୁକ୍ତ । ଶ୍ରୀନଗର ରାଜପ୍ରାସାଦର ଠିକ୍‌ ସମ୍ମୁଖରେ ଉକ୍ତ ଖାଲ ଆସି ହ୍ରଦ ସହିତ ମିଶିଅଛି ।

 

କାଶ୍ମୀରର ଋତୁପରିବର୍ତ୍ତନ ଅତି ସୁନ୍ଦର । ବସନ୍ତପୂର୍ବରୁ ଯେତେବେଳେ ବରଫ ବା ଘନ ତୁଷାରର ଦ୍ରବ ଆରମ୍ଭ ହୁଏ, ସେତେବେଳେ ତୁଷାରମଣ୍ଡିତ ବୃକ୍ଷଲତା ତୁଷାରାବରଣ ଛାଡ଼ି ପୁଷ୍ପମୁକୁଳରେ ବିଭୂଷିତ ହୁଅନ୍ତି । କାଶ୍ମୀରର ଗଛରେ ଆଗ ଫୁଲ ଫୁଟେ; ଫୁଲ ଶୁଖିଲେ ପତ୍ର ଅଙ୍କୁରିତ ହୁଏ । ଏଠାରେ ବୈଶାଖଠାରୁ କାର୍ତ୍ତିକ ପର୍ଯ୍ୟନ୍ତ ବସନ୍ତର ଅଧିକାର ସାତ ମାସ ଥାଏ ।

 

କାଶ୍ମୀରରେ ନାନାବର୍ଣ୍ଣର ମନୋହର ସୁଗନ୍ଧ ପୁଷ୍ପ ଯଥେଷ୍ଟ । ସର୍ବପ୍ରଥମେ ଈଷ୍‌ତ ହରିଦ୍ରାଭ ଶ୍ୱେତବର୍ଣ୍ଣ ବେଦମୁସ୍କ ଫୁଲ୍‌ ଫୁଟେ । ଯେଉଁ ଆଡ଼କୁ ଚାହିଁଲେ ବୋଧହୁଏ, ଯେପରି ପୁଷ୍ପଶଯ୍ୟା ରଚିତ ହୋଇଅଛି । ବୈଶାଖର ମଧ୍ୟଭାଗରେ ବାଦାମଫୁଲ ଫୁଟିଲେ ଆଉ ଏକ ନୂତନ ଶୋଭା ନୟନଗୋଚର ହୁଏ । ଜ୍ୟେଷ୍ଠମାସରେ ଏକପ୍ରକାର ବୃହତ୍‌ ମଲ୍ଲିକା ଫୁଲ ଫୁଟେ । ଆଷାଢ ମାସରେ ନାନାବିଧ ଫଳ ଜନ୍ମେ । ଶ୍ରାବଣ ମାସରେ ଖରା ଟିକିଏ ଟାଣ ହୁଏ । କାଶ୍ମୀରରେ ଗୋଟିଏ ଆଶ୍ଚର୍ଯ୍ୟ ନିୟମ ଏହି କି ଯେ, ଟିକିଏ ଅଧିକ ଗ୍ରୀଷ୍ମ ଉପସ୍ଥିତ ହେଲେ ଅଳ୍ପ ବୃଷ୍ଟି ହୋଇ ପର୍ବତାଦି ଶୀଘ୍ର ଶୀତଳ ହୋଇଯାଏ; କିନ୍ତୁ ଧାରା ଶ୍ରାବଣ ନାହିଁ । ଆଶ୍ୱିନରେ ଫଳ ପାଚେ । କାର୍ତ୍ତିକରେ ଶୀତ ଆରମ୍ଭ ହୁଏ । ଶୀତକାଳରେ କୁଙ୍କୁମ କ୍ଷେତ୍ରରେ ରକ୍ତବର୍ଣ୍ଣ କୁଙ୍କୁମ ଜନ୍ମି ତାହାର ସୈାରଭ ଓ ସୁଷମାରେ ନୟନମନ ହରଣ କରେ ।

 

କାଶ୍ମୀର ସମୁଦ୍ରପୃଷ୍ଠ ଉପରୁ ପ୍ରାୟ କୋଡ଼ିଏ ହଜାର ଫୁଟ ଉଚ୍ଚ । କାର୍ତ୍ତିକ ମାସ ପ୍ରଥମରୁ ପର୍ବତରେ ତୁଷାରପତନ ଆରମ୍ଭ ହୁଏ । ବରଫ ପଡ଼ିବାର କିଛିଦିନ ପୂର୍ବରୁ ଶିଶିର ପଡ଼େ । ଏହି ସମୟରେ ପ୍ରାତଃକାଳରେ ବୋଧହୁଏ, ଯେପରି କେହି ରାସ୍ତାରେ ଚାରିଆଡ଼େ ଚୂନ ଛିଞ୍ଚିଦେଇଅଛି । କିଛି ଦିନପରେ କୋରା ନଡ଼ିଆ ଛିଞ୍ଚା ପରି ବୋଧହୁଏ । ତୁଷାର ପଡ଼ିଲେ ପ୍ରଭାତରେ ଚଉଦିଗ ରୂପାପତରରେ ଆଚ୍ଛାଦିତ ହେଲା ପ୍ରାୟ ଦିଶେ । ପର୍ବତ, ନିଷ୍ପତ୍ର ବୃକ୍ଷ, ଲତା, ଗୁଳ୍ମ, ଗୃହଛାତ, ନୈାକା, ଉଚ୍ଚନୀଚ ଭୂମି, ପଥ ସବୁ ରୈାପ୍ୟମଣ୍ଡିତ । ଗୃହଛାତରୁ କାଚନଳ ପରି ବରଫନଳ ଝୁଲୁଥାଏ । ଶୀତ ସମୟରେ ଏଠାରେ କାମ କରିବା କଷ୍ଟକର । ତହିଁରେ ପୁଣି ସମୟେ ସମୟେ ପ୍ରବଳ ଝଡ଼, ମୂଷଳଧାରାରେ ବୃଷ୍ଟି ଓ ଭୟଙ୍କର ଶିଳାପାତ ହୁଏ । କେତେବେଳେ ବା ଏକାଦିକ୍ରମେ ଏକମାସ ଯାଏ ସୂର୍ଯ୍ୟ ଦେଖାଯାଏ ନାହିଁ; ନଦୀ ଓ ହ୍ରଦର ଜଳ ବରଫ ହୋଇଯାଏ । ସୁତରାଂ ଅନେକ ସମୟରେ ପାନୀୟ ଜଳର ଅଭାବ ହୁଏ । ଏହି ସମୟରେ କାଶ୍ମୀରବାସୀମାନେ ଗୃହରେ ଦିବାରାତ୍ର ଅଗ୍ନି ଜାଳି ରଖନ୍ତି।

 

ପୃଥିବୀରେ କାଶ୍ମୀର ତୁଲ୍ୟ ଆଉ ସ୍ୱାସ୍ଥ୍ୟକର ସ୍ଥାନ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ନଦୀର ଜଳ, ହ୍ରଦର ଜଳ ଏତେ ସ୍ୱଚ୍ଛ ଯେ ଦଶ ହାତ ତଳେ ମତ୍ସ୍ୟର କ୍ରୀଡ଼ା ଦେଖାଯାଏ ।

Image